ଶରଭଙ୍ଗ ମୁନି ବ୍ରହ୍ମଲୋକ ଗମନ କଲା ପରେ ସେଠାରେ ଯେଉଁ ମୁନିଋଷିମାନେ ଥିଲେ ସେମାନେ ଶ୍ରୀରାମଙ୍କର ଅନୁସରଣ କରି କିଛି ବାଟ ଗଲେ। ପରେ ପଥ ମଧ୍ୟରେ ଏକ ବିଶାଳ ଅସ୍ଥିଗଦା ଦେଖି ରାମ ଏହା କ’ଣ ବୋଲି ପଚାରିବାରୁ ମୁନିମାନେ ବ୍ୟାକୁଳ ହୋଇ ଶ୍ରୀରାମଙ୍କୁ କହିଲେ, “ଆପଣ ଏ ଯେଉଁ ଅସ୍ଥିଗଦା ଦେଖୁଛନ୍ତି ଏହା ମୁନିଋଷିମାନଙ୍କର ଅସ୍ଥି, ଯାହାକୁ ରାକ୍ଷସମାନେ ଭକ୍ଷଣ କରି ଏଠାରେ ଫିଙ୍ଗିଛନ୍ତି। ଏହା ଶୁଣି ଶ୍ରୀରାମଙ୍କର ନେତ୍ର ସଜଳ ହୋଇଉଠିଲା ଏବଂ ସେ ଦୁଇବାହୁ ଟେକି ପ୍ରତିଜ୍ଞା କଲେ- ମୁଁ ପୃଥିବୀକୁ ରାକ୍ଷସହୀନ କରିବି। ତତ୍ପରେ ସେ ଅଗସ୍ତ୍ୟଙ୍କ ନିକଟରେ ପହଞ୍ଚି ତାଙ୍କୁ ପଚାରିଲେ, “ମୁଁ ଯେଉଁ କାରଣରୁ ବନବାସରେ ଅଛି ଆପଣ ଜାଣନ୍ତି। ତେଣୁ ବର୍ତ୍ତମାନ ମୁଁ କେଉଁଠାକୁ ଗଲେ ମୋର କାର୍ଯ୍ୟସିଦ୍ଧି ହେବ କୁହନ୍ତୁ।” ମୁନିବର କିଛି ସମୟ ଚିନ୍ତା କରି କହିଲେ, ଗୋଦାବରୀ ତଟଦେଶରେ ଏକ ସୁନ୍ଦର ବନ ରହିଛି। ସେହି ବନ ପ୍ରଚୁର ଫୁଲ ଫଳରେ ସୁଶୋଭିତ। ସେହି ସ୍ଥାନ ଯେପରି ପବିତ୍ର ସେହିପରି ଏକାନ୍ତ ମଧ୍ୟ। ସେଠାରେ ଏକ ବିଶାଳ ବଟବୃକ୍ଷ ରହିଛି। ତାହା ତାର ପାଞ୍ଚଟି ଶାଖାଦ୍ୱାରା ବିସ୍ତାରିତ ହୋଇ ପାଞ୍ଚଟି ବଟବୃକ୍ଷରେ ପରିଣତ ହୋଇଛି। ତେଣୁ ତାହାର ନାମ ପଞ୍ଚବଟୀ।
ମୁନିଙ୍କଠାରୁ ବିଦାୟ ନେଇ ରାମ ପଞ୍ଚବଟୀ ଉଦ୍ଦେଶ୍ୟରେ ବହିର୍ଗତ ହେଲେ। ରାମଙ୍କ ବନବାସ କାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେଉଛି ପଞ୍ଚବଟୀରେ ଅବସ୍ଥାନ। ରାମ ଯେଉଁ ଉଦ୍ଦେଶ୍ୟରେ ବନବାସ କରିଥିଲେ ତାହାର ପ୍ରଧାନ ଓ ପ୍ରମୁଖ ସ୍ଥାନ ଥିଲା ପଞ୍ଚବଟୀ। ସେଠାକୁ ସୂର୍ପଣଖାର ଆଗମନ, ଲକ୍ଷ୍ମଣ କର୍ତ୍ତୃକ ତା’ର କର୍ଣ୍ଣ ନାସା ଛେଦନ, ଜନସ୍ଥାନ ପ୍ରଦେଶରେ ବାସ କରୁଥିବା ଖର ଦୂଷଣ ସହିତ ଚଉଦ ହଜାର ରାକ୍ଷସଙ୍କର ନିଧନ, ମାରୀଚର ମାୟାମୃଗ ରୂପଧାରଣ, ଜଟାୟୁର ମୃତ୍ୟୁ, ସୀତାହରଣ ଆଦି ସମସ୍ତ ଘଟଣାର କେନ୍ଦ୍ରସ୍ଥଳ ଥିଲା ପଞ୍ଚବଟୀ। ତେଣୁ ରାମଭକ୍ତମାନଙ୍କର ମୁଖ୍ୟ ପ୍ରଦକ୍ଷିଣସ୍ଥଳୀ ଭାବରେ ପଞ୍ଚବଟୀ ପ୍ରସିଦ୍ଧ। ପଞ୍ଚବଟୀର ସାଂପ୍ରତିକ ନାମ ନାସିକକୁ ପଶ୍ଚିମ ଭାରତର ବନାରସ କୁହାଯାଏ। ବନାରସ ଯେପରି ଶୈବକ୍ଷେତ୍ର ଭାବରେ ପ୍ରସିଦ୍ଧ, ସେହିପରି ଏହା ରାମକ୍ଷେତ୍ର ଭାବରେ ମଧ୍ୟ ପ୍ରସିଦ୍ଧ। ରାମଙ୍କ ସ୍ମୃତି ସ୍ୱରୂପ ଏଠାରେ ଅନେକ ମନ୍ଦିର, ପବିତ୍ର ଗୁମ୍ଫା ଓ ବନପ୍ରଦେଶ ରହିଛି। ଲକ୍ଷ୍ମଣରେଖା, କାଲାରାମମନ୍ଦିର, କପାଳେଶ୍ୱର ମନ୍ଦିର, ସୁନ୍ଦରନାରାୟଣ ମନ୍ଦିର, ଗଙ୍ଗାଗୋଦାବରୀ ମନ୍ଦିର, ତଳକୁଟେଶ୍ୱର ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର, ଗୋରା ରାମ ମନ୍ଦିର, ମୁରଲୀଧର ମନ୍ଦିର ଇତ୍ୟାଦି ତାହାର ଅନ୍ତର୍ଭୁକ୍ତ। ଲୋକକଥନ ଅନୁଯାୟୀ, ଲକ୍ଷ୍ମଣ ଏଠାରେ ସୂର୍ପଣଖାର ନାସା ଛେଦନ କରିଥିବାରୁ ଏହି ସ୍ଥାନର ନାମ ନାସିକ ହୋଇଛି। ଦ୍ୱାପର ତଥା ସତ୍ୟଯୁଗରେ ଏହାର ନାମ ଥିଲା ତ୍ରିକଣ୍ଟକ ଓ ଜନସ୍ଥାନ। ସାଂପ୍ରତିକ କାଳରେ ଏହାର ନାମ ନାସିକ ବା ନବଶିଖ ମଧ୍ୟ ହୋଇଛି। ଏଠାରେ ସଂସ୍କୃତକବି ବାଲ୍ମୀକି, ଭବଭୂତି ଓ କାଳିଦାସ ପ୍ରଭୃତିଙ୍କର ସ୍ମୃତିର ସନ୍ତକ ରହିଛି।
-ଡକ୍ଟର ତୁଳସୀ ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhsfhhhf-1.jpg)