ରାମକଥାର ଏକ ମନୋରମ ଅଧ୍ୟାୟ ହେଉଛି, ରାମଙ୍କର ଏକ ଅଦୃଶ୍ୟ ବାଣରେ ରାବଣର ଛତ୍ରଭଙ୍ଗ। ତୁଳସୀଦାସଙ୍କ ‘ରାମଚରିତ ମାନସ’, ବିଶ୍ୱନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣ’ ଏବଂ ଅନ୍ୟାନ୍ୟ ଦେଶୀୟ ରାମାୟଣରେ ଏହାର ବର୍ଣ୍ଣନା ଦେଖାଯାଏ। ସୁବେଳ ଓ ତ୍ରିକୂଟ ଲଙ୍କାର ସମୁଦ୍ରତଟରେ ଥିବା ଦୁଇଟି ପର୍ବତ। ତ୍ରିକୂଟ ପର୍ବତ ଉପରେ ଲଙ୍କା ନଗରୀ ପ୍ରତିଷ୍ଠିତ। ରାମ ସେତୁବନ୍ଧ ଦେଇ ନିଜର ବାନରସେନାଙ୍କୁ ନେଇ ସୁବେଳ ପର୍ବତ ଉପରେ ନିଜର ଶିବିର ସ୍ଥାପନ କରିଥିଲେ। ଯୁଦ୍ଧର ପ୍ରାରମ୍ଭ ନେଇ ବିଚାରବିମର୍ଶ ଚାଲିଥାଏ। ଆକାଶରେ ନିର୍ମଳ ଜହ୍ନ ତା’ର ଜ୍ୟୋତ୍ସ୍ନାରେ ସମଗ୍ର ପୃଥିବୀକୁ ଉଦ୍ଭାସିତ କରୁଥାଏ। ଲକ୍ଷ୍ମଣଙ୍କ ଦ୍ୱାରା ନିର୍ମିତ କୋମଳପତ୍ର ଓ ପୁଷ୍ପ ଶଯ୍ୟା ଉପରେ ମୃଗ ଛାଲ ବିଛାଯାଇଥାଏ। ବାନରରାଜ ସୁଗ୍ରୀବଙ୍କ କୋଳରେ ମଥା ରଖି ଶ୍ରୀରାମ ଶୟନ କରିଥାନ୍ତି। ତାଙ୍କର ବାମପାର୍ଶ୍ବରେ ଧନୁତୀର ଓ ଦକ୍ଷିଣ ପାର୍ଶ୍ବରେ ତୂଣୀର ଶୋଭା ପାଇଥାଏ। ହନୁମାନ ଓ ଅଙ୍ଗଦ ତାଙ୍କର ଚରଣ ସେବା କରୁଥାନ୍ତି। ପାଖରେ ବିଭୀଷଣ ବସି କିଛି ପରାମର୍ଶ ଦେଉଥାନ୍ତି। ଏହିପରି ଏକ ମହାର୍ଘ ଦୃଶ୍ୟ ଦେଖି ଦେବତାମାନେ କୃତକୃତ୍ୟ ହେଉଥାନ୍ତି। ଏହି ସମୟରେ ନିର୍ମଳଚନ୍ଦ୍ରକୁ ଦେଖି ପ୍ରଭୁ ଶ୍ରୀରାମ କହିଲେ- ଏ ନିର୍ମଳଚନ୍ଦ୍ର କେଡ଼େ ନିର୍ଭୀକ, ସମଗ୍ର ଆକାଶରେ ନିର୍ଭୟରେ ବିଚରଣ କରୁଛି। କିନ୍ତୁ ଏ କାଳିମା!
ପ୍ରଭୁଙ୍କ କଥାରେ ସେଠାରେ ଥିବା ବାନରମାନେ ନିଜ ନିଜର ଭାବ ଓ ଭାଷାରେ ଚନ୍ଦ୍ରରେ ଥିବା କାଳିମାର ତର୍ଜମା କରିବାକୁ ଲାଗିଲେ। ଏହି ସମୟରେ ହନୁମାନ ହାତଯୋଡ଼ି କହିଲେ- ପ୍ରଭୁ, ଏ ସବୁ ବ୍ୟାଖ୍ୟା ଠିକ୍ ହେଇପାରେ; କିନ୍ତୁ ମୋ ମତରେ, ଆପଣଙ୍କର ଶ୍ୟାମଳ ସୁନ୍ଦର ତନୁକୁ ଚନ୍ଦ୍ର ହୃଦୟରେ ଧାରଣ କରିଥିବା ହେତୁ ତାଙ୍କର ହୃଦୟ ଶ୍ୟାମଳିମାରେ ପରିପୂର୍ଣ୍ଣ। ହନୁମାନଙ୍କ କଥା ଶୁଣି ସେଠାରେ ଥିବା ସମସ୍ତ ବାନର ଏକ ସ୍ୱରରେ କହିଉଠିଲେ- ହଁ, ଏହା ହିଁ ଠିକ୍।
ସ୍ମିତହସି ଶ୍ରୀରାମ ଆକାଶକୁ ଚାହିଁଲା ବେଳକୁ ଦେଖିଲେ, ଦକ୍ଷିଣ ଦିଗରେ ବାଦଲ ଘଡ଼ଘଡ଼ କରୁଛି, ବିଜୁଳି ଚମକୁଛି। କରକାପାତର ଆଶଙ୍କା ଦେଖି ଶ୍ରୀରାମ ବିଭୀଷଣଙ୍କୁ ଚାହିଁଲେ। ବିଭୀଷଣ ନମ୍ର ସ୍ୱରରେ କହିଲେ- ପ୍ରଭୁ, ଏ ବିଜୁଳି ନୁହେଁ କି ଘନଘଟା ନୁହଁ। ରାବଣ ତାର ପ୍ରମୋଦକକ୍ଷରେ ନୃତ୍ୟ, ଗୀତ, ବାଦ୍ୟ ଉପଭୋଗ କରୁଛି। ସେ ଯେପରି ବିଶାଳ, ସେହିପରି ଘନଘଟା ସଦୃଶ କୃଷ୍ଣକାୟ। ନୃତ୍ୟରେ ବିଭୋର ହୋଇ ମଥା ଦୋହଲାଉ ଥିବାରୁ ମନ୍ଦୋଦରୀର କର୍ଣ୍ଣଫୁଲ ବିଜୁଳି ସଦୃଶ ଚମକୁଛି। ତାଳ ମୃଦଙ୍ଗର ଧ୍ୱନି ଘନର ମଧୁର ଧ୍ୱନି ପରି ଶୁଣାଯାଉଛି। ଏହାଦ୍ୱାରା ରାବଣ ଜଣାଇବାକୁ ଚାହେଁ, ଯେ ଆପଣଙ୍କ ଯୁଦ୍ଧ ପ୍ରସ୍ତୁତି ତା’ ମନରେ କୌଣସି ପ୍ରଭାବ ପକାଉ ନାହିଁ।
ଶ୍ରୀରାମ ଏହା ଶୁଣି ରାବଣର ଅହଂକାର ନାଶ ନିମିତ୍ତ ଧନୁରେ ଗୁଣ ଚଢ଼ାଇ ତା’ ଉପରେ ଏକ ଶର ଯୋଖିଲେ। ଗୋଟିଏ ବାଣରେ ରାବଣର ଛତ୍ରମୁକୁଟ ଓ ମନ୍ଦୋଦରୀଙ୍କର କର୍ଣ୍ଣଫୁଲ ଧରାଶାୟୀ ହେଲା। ଏହା କିପରି ହେଲା କେହି କିଛି ଜାଣି ପାରିଲେ ନାହିଁ। ଅମଙ୍ଗଳ ଆଶଙ୍କାରେ ମନ୍ଦୋଦରୀ ବ୍ୟଥିତ ହେବାବେଳେ ରାବଣ ତାହାକୁ ଉପହାସ କରି ଅନ୍ତଃପୁରକୁ ଚାଲିଗଲା।
କଥିତ ଅଛି, ମେଘ ଅମୃତବର୍ଷା କଲେ ମଧ୍ୟ ବେତସଲତା ପୁଷ୍ପିତ ହୁଏ ନାହିଁ। ଠିକ୍ ସେହିପରି ବ୍ରହ୍ମାଙ୍କ ସଦୃଶ ଜ୍ଞାନୀଗୁରୁ ମିଳିଲେ ବି ମୂର୍ଖ ହୃଦୟରେ ଜ୍ଞାନ ଜନ୍ମେ ନାହିଁ।
-ଡକ୍ଟର ତୁଳସୀ ଓଝା
ଶ୍ରୀରାମଙ୍କ ପଥ: ଆମର ତୀର୍ଥ: ରାବଣର ଛତ୍ରଭଙ୍ଗ
ରାମକଥାର ଏକ ମନୋରମ ଅଧ୍ୟାୟ ହେଉଛି, ରାମଙ୍କର ଏକ ଅଦୃଶ୍ୟ ବାଣରେ ରାବଣର ଛତ୍ରଭଙ୍ଗ। ତୁଳସୀଦାସଙ୍କ ‘ରାମଚରିତ ମାନସ’, ବିଶ୍ୱନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣ’ ଏବଂ ଅନ୍ୟାନ୍ୟ ଦେଶୀୟ ରାମାୟଣରେ ଏହାର ବର୍ଣ୍ଣନା ଦେଖାଯାଏ।