ପ୍ରାଚୀନ ପୁରାଣ-ଶାସ୍ତ୍ରରେ ପକ୍ଷୀମାନଙ୍କର ରହିଛି ମହତ୍ତ୍ୱପୂର୍ଣ୍ଣ ଭୂମିକା। ସେ ମଧ୍ୟରୁ କାକଭୂଷଣ୍ଡ, ଗରୁଡ଼, ସ୍ୱର୍ଣ୍ଣହଂସ, ସଂପାତି ଓ ଜଟାୟୁ ଇତ୍ୟାଦି ମୁଖ୍ୟ। ‘ରାମାୟଣ’ରେ ଅଛି ଜଟାୟୁଙ୍କର ମହତ୍ତ୍ୱପୂର୍ଣ୍ଣ ସ୍ଥାନ। ମହାମୁନି ଅଗସ୍ତ୍ୟଙ୍କର ନିର୍ଦ୍ଦେଶରେ ଯେତେବେଳେ ଶ୍ରୀରାମ ପଞ୍ଚବଟି ଅଭିମୁଖେ ଯାତ୍ରା କରୁଥିଲେ, ସେତେବେଳେ ପଥ ମଧ୍ୟରେ ପ୍ରଥମେ ତାଙ୍କର ଜଟାୟୁଙ୍କ ସହିତ ସାକ୍ଷାତ ହୋଇଥିଲା। ରାମ ଓ ଲକ୍ଷ୍ମଣ ପ୍ରଥେମ ତାଙ୍କୁ ଏକ ମାୟାବୀ ରାକ୍ଷସ ବୋଲି ଭାବିଥିଲେ। କିନ୍ତୁ ଜଟାୟୁ ଯେତେବେଳେ ତାଙ୍କୁ ତାଙ୍କ ପିତାଙ୍କର ବନ୍ଧୁ ବୋଲି ପରିଚୟ ଦେଲେ, ରାମ ଓ ଲକ୍ଷ୍ମଣ ତାଙ୍କର ଆଦର ସମ୍ମାନ କଲେ, ଏବଂ ଜଟାୟୁ ତାଙ୍କୁ କଥା ଦେଲେ- ପଞ୍ଚବଟିରେ ରହିବା ବେଳେ, ସେମାନେ ବାହାରକୁ ଗଲେ ଜଟାୟୁ କୁଟୀର ବାହାରେ ରହି ସୀତାଙ୍କୁ ସୁରକ୍ଷା ଦେବେ।
ଜଟାୟୁ ମହାମୁନି କାଶ୍ୟପ ଓ ବିନତାଙ୍କର ଜ୍ୟେଷ୍ଠପୁତ୍ର ଅରୁଣଙ୍କର ପୁତ୍ର ଅଟନ୍ତି। ସଂପ୍ରତି ମଧ୍ୟପ୍ରଦେଶର ସତ୍ନା ଜିଲାର ରାମନଗର ତହସିଲ ଅନ୍ତର୍ଗତ ଦେବରାଜନଗର ଗ୍ରାମରେ ଥିବା ପର୍ବତର ନାମ ଗୃଧ୍ରକୂଟ; ଅର୍ଥାତ୍ ଶାଗୁଣାମାନଙ୍କର ପର୍ବତ।
ପୁରାଣର ବର୍ଣ୍ଣନା ଅନୁସାରେ, ଜଟାୟୁ ମହାମୁନି କଶ୍ୟପ ଓ ବିନତାଙ୍କର ଜ୍ୟେଷ୍ଠପୁତ୍ର ଅରୁଣଙ୍କର ପୁତ୍ର ଅଟନ୍ତି। ସଂପ୍ରତି ମଧ୍ୟପ୍ରଦେଶର ସତ୍ନା ଜିଲାର ରାମନଗର ତହସିଲ ଅନ୍ତର୍ଗତ ଦେବରାଜନଗର ଗ୍ରାମରେ ଥିବା ପର୍ବତର ନାମ ଗୃଧ୍ରକୂଟ; ଅର୍ଥାତ୍ ଶାଗୁଣାମାନଙ୍କର ପର୍ବତ। ଏହାର ଉତ୍ତରରେ ତୈମୁର ପର୍ବତମାଳା ଓ ଦକ୍ଷିଣରେ ମୈକାଲ ପାହାଡ଼ ଅବସ୍ଥିତ। ‘ସ୍କନ୍ଦପୁରାଣ’ର ଉଲ୍ଲେଖ ଅନୁଯାୟୀ, ଏହାର ନାମ ଗୃଧ୍ରାଞ୍ଚଳ ପର୍ବତ। ଏହା ଅରୁଣପୁତ୍ର ଜଟାୟୁ ଓ ସଂପାତିଙ୍କର ଜନ୍ମସ୍ଥାନ। କାଳିଦାସ ତାଙ୍କ ‘ଗୃଧ୍ରରାଜ ମାହାତ୍ମ୍ୟ’ ଗ୍ରନ୍ଥରେ ଏହାର ଉଲ୍ଲେଖ କରିଛନ୍ତି। ଏହି ପର୍ବତରୁ ବାହାରିଥିବା ମାନସଗଙ୍ଗା ନଦୀରେ ସ୍ନାନ କଲେ ମନୁଷ୍ୟର ସମସ୍ତ ପାପ ନଷ୍ଟ ହୁଏ। ‘ଶିବସଂହିତା’ର ଭୂଗୋଳ ବର୍ଣ୍ଣନାରେ ଏହାର ଉଲ୍ଲେଖ ଅଛି। ଏହି ପର୍ବତର ଚାରିଟି ଗୁମ୍ଫାରେ ଶିଳାଚିତ୍ର ଓ ଭିତ୍ତିଚିତ୍ରମାନ ଦେଖିବାକୁ ମିଳେ। ବସନ୍ତପଞ୍ଚମୀ ଦିନ ବହୁ ଶ୍ରଦ୍ଧାଳୁ ଏଠାକୁ ଆସି ମାନସଗଙ୍ଗାରେ ସ୍ନାନ କରିଥାନ୍ତି। ଜଟାୟୁଙ୍କର ଜନ୍ମସ୍ଥାନକୁ ଯେପରି ପବିତ୍ର ସ୍ଥାନର ମାନ୍ୟତା ଦିଆଯାଏ, ସେହିପରି ତାଙ୍କର ଦେହତ୍ୟାଗ ସ୍ଥାନକୁ ମଧ୍ୟ ପବିତ୍ର ସ୍ଥାନର ମର୍ଯ୍ୟାଦା ପ୍ରଦାନ କରାଯାଏ।
ଶ୍ରୀରାମଙ୍କୁ ଦେଇଥିବା କଥା ରକ୍ଷା କରି, ଜଟାୟୁ ପଞ୍ଚବଟିର ଆଖପାଖରେ ବିଚରଣ କରୁଥିଲେ। ଯେତେବେଳେ ରାବଣ ସୀତାଙ୍କୁ ହରଣ କରି ନେଇଯିବାକୁ ବସିଲା, ତାହାର ପ୍ରତିରୋଧ କରି ଜଟାୟୁ ପାରୁ ପର୍ଯ୍ୟନ୍ତ ରାବଣ ସହିତ ସଂଗ୍ରାମ କରିଥିଲେ। ଶେଷରେ କ୍ଷତବିକ୍ଷତ ହୋଇ ସେ ଧରାଶାୟୀ ହେଲେ। ରାମ-ରାବଣ ଯୁଦ୍ଧର ପ୍ରଥମ ସହିଦ ଜଟାୟୁ। ରାମ ଯେଉଁଠାରେ ଜଟାୟୁଙ୍କର ଶେଷକୃତ୍ୟ କରିଥିଲେ, ସେଠାରେ ଗୃଧ୍ରରାଜ ଜଟାୟୁଙ୍କର ଏକ ମନ୍ଦିର ଅଛି। ଏହା ଛତିଶଗଡ଼ର ଦଣ୍ଡକାରଣ୍ୟର ମଧ୍ୟଦେଶରେ। ପକ୍ଷୀ ହେଲେ ମଧ୍ୟ ନିଜର କର୍ମଦ୍ୱାରା ଜଟାୟୁ ଚିର ସ୍ମରଣୀୟ ରହିଛନ୍ତି।
-ଡକ୍ଟର ତୁଳସୀ ଓଝା।