ମହର୍ଷି ଅଗସ୍ତ୍ୟଙ୍କ ଦର୍ଶନ ନିମିତ୍ତ ଯେତେବେଳେ ରାମ, ଲକ୍ଷ୍ମଣ ଓ ସୀତା ଦଣ୍ଡକବନ ମଧ୍ୟରେ ଗମନ କରୁଥିଲେ, ବନ ପଥଧାରରେ ଏକ ନୀଳୋତ୍ପଳ ଶୋଭିତ ପୁଷ୍କରିଣୀ ଦେଖି କିଛି ସମୟ ତଟଦେଶର ସୁଶୀତଳ ବଟବୃକ୍ଷ ଛାୟାରେ ଉପବେଶନ କଲେ। କିଛି ସମୟ ପରେ ସେମାନେ ଅନୁଭବ କଲେ, ପୁଷ୍କରିଣୀ ମଧ୍ୟରୁ ସୁମଧୁର ବାଦ୍ୟଧ୍ୱନି ସହିତ କୋମଳ କୋକିଳନିନ୍ଦୀ କଣ୍ଠସଂଗୀତ ଗୁଞ୍ଜରିତ ହେଉଛି। ସେହି ଧ୍ୱନି ପୁଷ୍କରିଣୀ ମଧ୍ୟରେ ସନ୍ତରଣରତ ହଂସମାନଙ୍କର ଧ୍ୱନିଠାରୁ ଥିଲା ସଂପୂର୍ଣ୍ଣ ଭିନ୍ନ। ପୁଷ୍କରିଣୀ ମଧ୍ୟରୁ ଏପରି ଧ୍ୱନି ସେମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କଲା। ଏ ସଂପର୍କରେ ସୁତୀକ୍ଷ୍ଣ ମୁନିଙ୍କୁ ପଚାରିବାରୁ ସେ ଯେଉଁ କାହାଣୀ ଶୁଣାଇଥିଲେ ତାହା ଏହିପରି।
ଏକଦା ମାଣ୍ଡକର୍ଣ୍ଣି ନାମକ ଜଣେ ଊର୍ଦ୍ଧ୍ୱରେତା ତପସ୍ୱୀ ମୋକ୍ଷ ପ୍ରାପ୍ତି ନିମିତ୍ତ ନିଜର ତପ ବଳରେ ଏକ ପୁଷ୍କରିଣୀ ସୃଷ୍ଟି କରିଥିଲେ। ସେହି ଜଳ ମଧ୍ୟରେ କେବଳ ବାୟୁସେବନ କରି, ପ୍ରାୟ ଏକହଜାର ବର୍ଷ ଧରି ସେ କଠୋର ତପସ୍ୟାରେ ରତ ରହିଲେ। ତାଙ୍କର ସେହି ତପସ୍ୟା ଦେଖି ଇନ୍ଦ୍ର ଶଙ୍କିତ ହୋଇ ଉଠିଲେ। ପାଣିନିଙ୍କ ବ୍ୟାକରଣ ଅନୁସାରେ, ଶୂନ୍, ଯୁବନ୍ ଓ ମଘବାନ୍ ଶବ୍ଦତ୍ରୟର ରୂପ ଏକାପରି। ଅର୍ଥାତ୍ କୁକୁର, ଯୁବକ ଓ ଇନ୍ଦ୍ରଙ୍କ ସ୍ୱଭାବ ଏକାପରି। ଚିତ୍ତଚାଞ୍ଚଲ୍ୟ ହେତୁ ଏମାନେ ସର୍ବଦା ଅସ୍ଥିର; ଭୟ ଓ ଆଶଙ୍କାର କ୍ରୀତଦାସ। କୁକୁର ତାର ଗ୍ରାସ ନିମିତ୍ତ, ଇନ୍ଦ୍ର ନିଜର ଇନ୍ଦ୍ରପଦ ହରାଇବାର ଭୟ ନିମିତ୍ତ ଓ ନବଯୁବକ ଯୌବନର ଉଦ୍ଦାମତା ହେତୁ ସର୍ବଦା ଅସ୍ଥିର।
ଆଶଙ୍କାର ବଶବର୍ତ୍ତୀ ହୋଇ ଇନ୍ଦ୍ର ପାଞ୍ଚଜଣ ଅପ୍ସରାଙ୍କୁ ମୁନିଙ୍କର ତପଭଙ୍ଗ କରିବାକୁ ଦଣ୍ଡକବନକୁ ପଠାଇଲେ। ମୁନିଙ୍କର ତପ ସିନା ଭଙ୍ଗ ହେଲା, ହେଲେ ମୁନିଙ୍କର ଆଚାର ବ୍ୟବହାରରେ ସେହି ଅପ୍ସରାମାନେ ଏତେ ଅନୁରକ୍ତ ହୋଇ ପଡ଼ିଲେ ଯେ ସେମାନେ ସେହି ଜଳ ମଧ୍ୟରେ ପ୍ରବେଶ କରି ମାଣ୍ଡକର୍ଣ୍ଣିଙ୍କ ଦ୍ୱାରା ନିର୍ମିତ ଏକ ପ୍ରାସାଦ ମଧ୍ୟରେ ତାଙ୍କୁ ପତି ରୂପେ ଗ୍ରହଣ କରି ବାସ କରିବାକୁ ଲାଗିଲେ। ନୃତ୍ୟ, ଗୀତ ଓ ବାଦ୍ୟ ଆଦି ବାଦନ ଓ ଗାୟନ କରି ସେମାନେ ମାଣ୍ଡକର୍ଣ୍ଣିଙ୍କ ମନୋରଞ୍ଜନ କରିବାକୁ ଲାଗିଲେ। ଯୁଗାନ୍ତର ଘଟିଲେ ମଧ୍ୟ ସେମାନେ ସେହିପରି ରହିଛନ୍ତି। ଏହି ସୁମଧୁର ସଂଗୀତ ସେହି ଅପସରାମାନଙ୍କର। ରାମ, ଲକ୍ଷ୍ମଣ ଓ ସୀତା ମନୋଯୋଗ ସହକାରେ ମାଣ୍ଡକର୍ଣ୍ଣିଙ୍କର ସେହି ନିର୍ମଳ ଯଶଗାଥା ଶ୍ରବଣ କରି ମହାମୁନି ଅଗସ୍ତ୍ୟଙ୍କର ଆଶ୍ରମ ଅଭିମୁଖେ ଯାତ୍ରା କଲେ। ସଂପ୍ରତି ଏହି ସରୋବରର ଅସ୍ତିତ୍ୱ ଦଣ୍ଡକାରଣ୍ୟ ମଧ୍ୟରେ ବୋଲି ନିର୍ଣ୍ଣିତ ହୋଇଛି।
-ଡକ୍ଟର ତୁଳସୀ ଓଝା