ଭଗବାନ ବିଷ୍ଣୁଙ୍କର ଅନେକ ଭକ୍ତ ଅଛନ୍ତି। ପୁରାଣ ପ୍ରସଙ୍ଗରେ ସେମାନଙ୍କର ଉଲ୍ଲେଖ ଦେଖାଯାଏ। ସେହି ପ୍ରସଙ୍ଗରେ ଜଣେ ଅପୂର୍ବ ନାରୀଙ୍କର ଉଲ୍ଲେଖ ରହିଛି। ତାହାଙ୍କର ଉଚ୍ଛିଷ୍ଟକୁ ସ୍ୱୟଂ ଶ୍ରୀରାମ ପ୍ରସାଦ ମନେକରି ଗ୍ରହଣ କରିଥିଲେ। ସେ ଥିଲେ ମହର୍ଷି ମତଙ୍ଗଙ୍କର ଅନ୍ୟତମ ଶିଷ୍ୟା, ଶବରୀ ଶ୍ରମଣା।
ପଞ୍ଚାଙ୍ଗ ଅନୁସାରେ ଫାଲଗୁନ କୃଷ୍ଣପକ୍ଷ ସପ୍ତମୀ ତିଥିକୁ ଶବରୀମାତାଙ୍କର ଜୟନ୍ତୀ ଭାବରେ ପାଳନ କରାଯାଏ। କଥିତ ଅଛି, ବନବାସ କାଳରେ ପ୍ରଭୁ ରାମଚନ୍ଦ୍ର ଏହିଦିନ ମାତା ଶବରୀଙ୍କୁ ଦର୍ଶନ ଦେଇଥିଲେ। ତାଙ୍କୁ ‘ଭାମିନୀ’ ଭାବରେ ସମ୍ବୋଧନ କରି ମୁକ୍ତି ପ୍ରଦାନ କରିଥିଲେ। ‘ଭାମିନୀ’ର ଅର୍ଥ- ପ୍ରମଦା ଓ କ୍ରୁଦ୍ଧା ନାରୀ। ମାତା ଶବରୀ ପୂର୍ବ ଜନ୍ମରେ ମନୋରମା ନାମ୍ନୀ ଏକ ଅନିନ୍ଦ୍ୟସୁନ୍ଦରୀ ଅପ୍ସରା ଥିଲେ। ତାଙ୍କର ପତି ଥିଲେ ମହାନ ବିଷ୍ଣୁଭକ୍ତ ଗନ୍ଧର୍ବ ତୁମ୍ବୁରୁ। ତୁମ୍ବୁରୁ ବିଦ୍ୱାନ ଓ ସଂଜ୍ଞୀତଜ୍ଞ ମଧ୍ୟ ଥିଲେ। କିନ୍ତୁ ଅପ୍ସରା ମନୋରମା ଥିଲେ ତାର ଠିକ୍ ବିପରୀତ। ଜପ, ତପ, ଉପବାସ ଆଦିରେ ତାଙ୍କର ଆଦୌ ରୁଚି ନଥିଲା। ତାହା ତୁମ୍ବୁରୁଙ୍କୁ ଅଶେଷ ଦୁଃଖ ଦେଉଥିଲା। ଏକଦା ଘୋଣୀ ତୀର୍ଥ ଯାଇ ମାଘବ୍ରତ କରିବା ନିମିତ୍ତ ତୁମ୍ବୁରୁ ମନୋରମାଙ୍କୁ ଅନୁରୋଧ କରିବାରୁ, ମନୋରମା ତାଙ୍କୁ ଅନେକ କଠୋର ବଚନ କହି ଉପେକ୍ଷା କଲେ। ଏଥିରେ କ୍ରୋଧିତ ହୋଇ ତୁମ୍ବୁରୁ ତାଙ୍କୁ ମଣ୍ଡୁକୀ ହୋଇ ସହସ୍ରବର୍ଷ ରହିବାକୁ ଅଭିଶାପ ଦେଲେ। ସହସ୍ର ବର୍ଷ ଅତିବାହିତ ହେବା ପରେ ଘୋଣୀ ତୀର୍ଥରେ ରହି ସାଧୁ-ସନ୍ଥମାନେ ଶିଷ୍ୟଙ୍କୁ ଦେଉଥିବା ଉପଦେଶ ଶୁଣିଶୁଣି ସେ ନିଜେ ପରମ ବିଷ୍ଣୁଭକ୍ତ ହୋଇଗଲେ। ପୂର୍ବ ଦୋଷରୁ ସେ ଭୀଲ ସଂପ୍ରଦାୟର ମୁଖିଆ ରାଜା ଅଜ ଓ ରାଣୀ ଇନ୍ଦୁମତୀଙ୍କର କନ୍ୟା ଭାବରେ ଜନ୍ମଗ୍ରହଣ କଲେ।
ପିଲାକାଳରୁ ତାଙ୍କ ମନରେ ଧର୍ମଚେତନା ଜାଗ୍ରତ ହେବାରୁ ସେ ନିକଟରେ ଥିବା ମୁନି ମତଙ୍ଗଙ୍କ ଆଶ୍ରମକୁ ଯାଇ ଧର୍ମଚର୍ଚ୍ଚା ଶୁଣୁଥିଲେ। ଭୀଲମାନଙ୍କୁ ଆଶ୍ରମ ପ୍ରବେଶ ନିଷେଧ ଥିବାରୁ ସେ ଆଶ୍ରମ ମଧ୍ୟକୁ ଯାଇ ନ ପାରିଲେ ମଧ୍ୟ, ମୁନିଋଷିମାନଙ୍କର ଯିବା ଆସିବା ପଥ ପରିଷ୍କାର କରିବା, ଆଶ୍ରମର ବୃକ୍ଷଲତା ଆଦିର ଯତ୍ନ ନେବା କାର୍ଯ୍ୟ ଗୋପନରେ କରୁଥିଲେ। ମହାମୁନି ମତଙ୍ଗ ଶବରୀ ଶ୍ରମଣାଙ୍କର ଏହି ନିଷ୍ଠା ଓ ଭଗବତ୍ ପ୍ରୀତି ଦେଖି ତାଙ୍କୁ ଶିଷ୍ୟା ଭାବରେ ଗ୍ରହଣ କରି ଆଶ୍ରମରେ ସ୍ଥାନ ଦେଲେ। ସେ ଶ୍ରମଣାଙ୍କର ପୂର୍ବଜନ୍ମ ସଂପର୍କରେ ଅବଗତ ଥିବାରୁ, ଆଶ୍ରମରେ ରହି ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କରିବାକୁ ଶ୍ରମଣାଙ୍କୁ ଉପଦେଶ ଦେଲେ। ତ୍ରେତୟା ଯୁଗରେ ବନବାସ କାଳରେ ରାମଚନ୍ଦ୍ର ଏହି ପଥ ଦେଇ ଯେତେବେଳେ ଯିବେ ସେତେବେଳେ ତାଙ୍କୁ ଦର୍ଶନ କଲେ ତୁମକୁ ମୋକ୍ଷ ମିଳିବ ବୋଲି ସେ କହିଥିଲେ। ଋଷ୍ୟମୁକ ପର୍ବତର ଅନୁସନ୍ଧାନରେ ଯିବା ସମୟରେ ଶ୍ରୀରାମ ଶବରୀମାତାଙ୍କ ଆଶ୍ରମ ଯାଇ ତାଙ୍କୁ ଦର୍ଶନ ଦେଇଥିଲେ।
-ଡକ୍ଟର ତୁଳସୀ ଓଝା