ଛାୟାପଥରେ ତାରକାକମ୍ପ!

ଆମ ପୃଥିବୀରେ ଯେମିତି ସମୁଦ୍ରରେ ସୃଷ୍ଟ କୌଣସି ଭୂମିକମ୍ପ ସୁନାମି ସଦୃଶ ସୁଉଚ୍ଚ ତରଙ୍ଗ ଆଣିଥାଏ, ସେହିପରି ଆମର ସୌରଜଗତକୁ ବହନ କରୁଥିବା ଆକାଶଗଙ୍ଗା ଛାୟାପଥରେ ରହିଥିବା ବିଭିନ୍ନ ନକ୍ଷତ୍ର ଓ ଗ୍ରହରେ ମଧ୍ୟ ଅନୁରୂପ ତାରକାକମ୍ପ ହେଉଥିବା ଜଣାଯାଇଛି। ସେଥିଯୋଗୁଁ ନକ୍ଷତ୍ର ଓ ଗ୍ରହମାନଙ୍କର ପୃଷ୍ଠତଳ ଭୀଷଣ ଭାବରେ ତରଙ୍ଗାୟିତ ହେଉଥିବା ଘଟଣାକୁ ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥା (ଏସା) ଆବିଷ୍କାର କରିଛି। ଛାୟାପଥକୁ ନିରୀକ୍ଷଣ କରୁଥିବା ‘ଏସା’ର ସ୍ବତନ୍ତ୍ର ମହାକାଶ ଯାନ ‘ଗାଇଆ’ ଅଭିଯାନର ସନ୍ଦର୍ଭ ଅନୁଯାୟୀ, ଛାୟାପଥରେ ସଂଘଟିତ ଏହି ତାରକାକମ୍ପ ଏତେ ଶକ୍ତିଶାଳୀ ଯେ ତାହା ଗ୍ରହ ଓ ନକ୍ଷତ୍ରମାନଙ୍କର ଆକୃତିକୁ ମଧ୍ୟ ବଦଳାଇବାରେ ସମର୍ଥ ବୋଲି ଜଣାଯାଇଛି। ‘ଗାଇଆ’ରେ ଖଚିତ ସ୍ବତନ୍ତ୍ର ଶକ୍ତିଶାଳୀ ଦୂରବୀକ୍ଷଣ ଦ୍ବାରା ସଂଗୃହୀତ ପ୍ରାୟ ୨୦ ଲକ୍ଷ ନକ୍ଷତ୍ରଙ୍କ ସମ୍ପର୍କିତ ତଥ୍ୟରୁ ‘ଏସା’ ଏପରି ନିର୍ଯାସରେ ପହଞ୍ଚିପାରିଛି।

ନକ୍ଷତ୍ରମାନଙ୍କର ନିଜ ଅକ୍ଷରେ ଦୋଳନ ଘଟୁଥିବା ଏବଂ ସେଥିପାଇଁ ସେମାନେ ସମୟ ସମୟରେ ଫୁଲିଯାଇଥା’ନ୍ତି ଓ ସଂକୁଚିତ ହୋଇଥା’ନ୍ତି ବୋଲି ପୂର୍ବରୁ ଜଣାଥିଲା। ତେବେ କୌଣସି ପରିସ୍ଥିତିରେ ବି ସେମାନଙ୍କର ଗୋଲକୀୟ ଆକୃତିରେ ପରିବର୍ତ୍ତନ ଘଟିନଥାଏ ବୋଲି ‘ଗାଇଆ’ ଅନୁଧ୍ୟାନ କରିଥିଲା। ତେବେ ନିକଟରେ ‘ଗାଇଆ’ର ୧୦୦ କୋଟି ପିକ୍ସେଲ ବିଶିଷ୍ଟ କ୍ୟାମେରା ଓ ଶହେ ସଂଖ୍ୟକ ଅତି ସମ୍ବେଦନଶୀଳ ଇଲେକ୍ଟ୍ରୋନିକ ଚିହ୍ନଟକାରୀ (ଡିଟେକ୍ଟର) ଦ୍ବାରା ନିରୀକ୍ଷିତ ଏକ ଭିନ୍ନ ଧରଣର କମ୍ପନ ହିଁ ଏଭଳି ନୂତନ ସମ୍ଭାବନା ଆଡ଼କୁ ଇଙ୍ଗିତ କରିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ବିଶାଳ କମ୍ପନ ଏତେ ଶକ୍ତିଶାଳୀ ଯେ ତାହା କଠିନ ଓ ବାଷ୍ପୀୟ ନିର୍ବିଶେଷରେ ସଂପୃକ୍ତ ନକ୍ଷତ୍ର ଓ ଗ୍ରହମାନଙ୍କର ସମଗ୍ର ଶରୀରକୁ ହଲଚଲ କରି ସେମାନଙ୍କର ଆକୃତିକୁ ବଦଳାଇଦେବାର ସମ୍ଭାବନା ରହିଛି। ତେଣୁ ଏହି ସଦ୍ୟ ନିରୀକ୍ଷଣ ହିଁ ମହାକାଶ ବିଜ୍ଞାନୀମାନଙ୍କୁ ଆମ ଛାୟାପଥର ଗଢ଼ଣର ପୁନଃସଂରଚନା କରିବାକୁ ବାଧ୍ୟ କରିଛି। କାରଣ ଯେଉଁ ତତ୍ତ୍ବ ଓ ସିଦ୍ଧାନ୍ତ ଉପରେ ଛାୟାପଥର ରୂପକଳ୍ପ ପରିକଳ୍ପନା କରାଯାଇଛି ସେଥିରେ ଏ ପ୍ରକାର ତାରକାକମ୍ପ ପ୍ରକ୍ରିୟାକୁ ବିଚାରକୁ ନିଆଯାଇନଥିଲା। ତେଣୁ ଏବେ ସେଥିରେ ପରିବର୍ତ୍ତନ ଆଣିବାର ସମୟ ଆସିଛି।

ସମ୍ବନ୍ଧିତ ଖବର