ଆଗାମୀ ଦଶ ବର୍ଷ ଭିତରେ ବିଭିନ୍ନ କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟାବସାୟିକ କମ୍ପାନି ଷ୍ଟାରଲିଙ୍କ୍ ପକ୍ଷରୁ ହଜାର ହଜାର ସଂଖ୍ୟକ ଛୋଟବଡ଼ କୃତ୍ରିମ ଉପଗ୍ରହ ଆକାଶକୁ ଉତ୍କ୍ଷେପିତ ହେବାର ଯୋଜନା ହୋଇଛି। ବର୍ତ୍ତମାନ ସ୍ଥିତିରେ ବିଭିନ୍ନ କମ୍ପାନି ପଠାଉଥିବା ଉପଗ୍ରହ ଯୋଗୁଁ ମହାକାଶଚାରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଆଗକୁ ଉପଗ୍ରହ କମ୍ପାନିମାନଙ୍କର ଏପରି ଯୋଜନା ସମଗ୍ର ମାନବ ସମାଜ ପାଇଁ ଏକ ଭିନ୍ନ ବିପଦ ଆଣିବ ବୋଲି ଆଶଙ୍କା କରାଯାଉଛି। ଏହି କୃତ୍ରିମ ଉପଗ୍ରହଗୁଡ଼ିକର କାର୍ଯ୍ୟକାଳ ସରିଯିବା ପରେ ସେଗୁଡ଼ିକ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ବାରା ଆକର୍ଷିତ ହୋଇ ପୃଥିବୀର ବାୟୁମଣ୍ଡଳରେ ଧ୍ବଂସ ହୋଇଯାଏ। ତେବେ ଏହି ପ୍ରକ୍ରିୟାରେ ବାୟୁମଣ୍ଡଳରେ ଅନେକ ପାର୍ଥିବ ଟୁକୁଡ଼ା ଭାସମାନ ହୋଇ ରହିଯାଇଥା’ନ୍ତି। ଆମେରିକୀୟ ଗବେଷକମାନଙ୍କ ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ଏଭଳି ଉପଗ୍ରହ ବର୍ଷା ଦ୍ବାରା ପ୍ରତିବର୍ଷ ପ୍ରାୟ ୩୬୦ ଟନ୍ ଓଜନର ଆଲୁମିନିଅମ୍ ଅକ୍ସାଇଡ୍ ଟୁକୁଡ଼ା ବାୟୁମଣ୍ଡଳରେ ଗଚ୍ଛିତ ହେବାରେ ଲାଗିଛନ୍ତି। ଏଗୁଡ଼ିକ ଧୀରେଧୀରେ ତଳକୁ ଖସି ଆସିବା ସହ ଆମ ବାୟୁମଣ୍ଡଳର ଷ୍ଟ୍ରାଟୋସ୍ପିଅର୍ରେ ପହଞ୍ଚିଥା’ନ୍ତି, ଯେଉଁଠି ଜୀବଜଗତ ପାଇଁ ଢାଲ ଭାବେ ବିବେଚିତ ଓଜୋନ୍ ସ୍ତର ରହିଛି।
ସେଠାରେ ସେଗୁଡ଼ିକ ରାସାୟନିକ ପ୍ରତିକ୍ରିୟା ଘଟାଇ ଓଜୋନ୍ ପ୍ରତି କ୍ଷତି କରି ଚାଲିଛନ୍ତି। ଆମକୁ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିର କୁପ୍ରଭାବରୁ ସୁରକ୍ଷା ଦେଉଥିବା ଓଜୋନ୍ ସ୍ତରରେ ଏମିତି ତ ସବୁଜ ବାଷ୍ପ ନିର୍ଗମନ ପରି ଅନ୍ୟାନ୍ୟ କାରଣରୁ ଗର୍ତ୍ତ ଦେଖାଯାଇଛି। ତେବେ କୃତ୍ରିମ ଉପଗ୍ରହଗୁଡ଼ିକର ଅବଶେଷଗୁଡ଼ିକ ଓଜୋନ୍ ପାଇଁ ନୂଆ ବିପଦ ଆଣିଛି। ଓଜୋନ୍ ସହ ଏହାର ରାସାୟନିକ ପ୍ରତିକ୍ରିୟା ଯଦିଓ ଜଟିଳ, ତେବେ ଚୂଡ଼ାନ୍ତରେ ଏହା ଓଜୋନ୍ ଅଣୁକୁ ବିଭାଜନ କରି ଓଜୋନ୍ ସ୍ତରରେ ଗର୍ତ୍ତ ସୃଷ୍ଟି କରିବାର ଆଶଙ୍କା ରହିଛି। ୨୦୩୦ ମସିହା ସୁଦ୍ଧା ପ୍ରାୟ ୫୦ ହଜାରରୁ ଅଧିକ କୃତ୍ରିମ ଉପଗ୍ରହ ମହାକାଶକୁ ଉତ୍କ୍ଷେପିତ ହେବାର ସମ୍ଭାବନା ରହିଛି। ସୁତରାଂ ସେଥିଯୋଗୁଁ ଓଜୋନ୍ ସ୍ତରରେ ଉଲ୍ଲେଖନୀୟ କ୍ଷତି ଦେଖାଦେବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକଟ କରିଛନ୍ତି। ତେଣୁ ଓଜୋନ୍ ସ୍ତରର ସୁରକ୍ଷା ପାଇଁ ଏହି ସମ୍ଭାବ୍ୟ ବିପଦକୁ କିଭଳି ଟାଳି ଦିଆଯାଇପାରିବ ତାହା ହିଁ ବୈଜ୍ଞାନିକମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।