ଖେଳରୁ ଆରମ୍ଭ ଖେଳରେ ଶେଷ

୧୯୮୦ ମସିହା ମସ୍କୋ ଅଲିମ୍ପିକ୍‌ର ସମୟ। ପ୍ରତିଯୋଗିତା ଆରମ୍ଭ ହୋଇସାରିଥାଏ ଜୁଲାଇ ୧୯ ତାରିଖଠାରୁ। କିନ୍ତୁ ହଠାତ୍‍ ଜୁଲାଇ ୨୩ ତାରିଖ ଦିନ ଏକ ଅଘଟଣ ଘଟିଲା। ଭାରତୀୟ ପ୍ରତିନିଧିମଣ୍ଡଳର ସଦସ୍ୟ ଥିବା ଜଣେ ପ୍ରଖ୍ୟାତ କ୍ରୀଡ଼ା ସଂଗଠକଙ୍କର ଅଚାନକ ଦେହାନ୍ତ ହେଲା ସେଇ ମସ୍କୋରେ। ପରମ୍ପରା ଅନୁଯାୟୀ ତାଙ୍କୁ ସମ୍ମାନ ଜଣାଇ ଦୁଇ ମିନିଟ୍‍ ଖେଳ ବନ୍ଦ ହେଲା ଏବଂ ପ୍ରତିଯୋଗିତାରେ ଭାଗ ନେଉଥିବା ୮୦ଟି ଦେଶର ପତାକାକୁ ଅର୍ଦ୍ଧନମିତ କରିଦିଆଗଲା। ସେହି କ୍ରୀଡ଼ା ସଂଗଠକଜଣକ ଥିଲେ କଟକ ବାରବାଟୀ ଷ୍ଟାଡିୟମ୍‌ର ପ୍ରାଣପ୍ରତିଷ୍ଠାତା ଭୈରବ ଚନ୍ଦ୍ର ମହାନ୍ତି, ଯେ କି ଓଡ଼ିଶା ନିର୍ବାଚନ ରାଜନୀତିରେ ମଧ୍ୟ ତାଙ୍କର ଛାପ ଛାଡ଼ିଯାଇଛନ୍ତି।

ଡ଼ିଶା ବିଧାନସଭାର ସଦସ୍ୟ, ମନ୍ତ୍ରୀ ତଥା ରାଜ୍ୟସଭାର ସାଂସଦ ରହିଥିବା ଭୈରବଚନ୍ଦ୍ର ମହାନ୍ତି ୧୯୧୩ ମସିହା ଜୁଲାଇ ୧୩ ତାରିଖରେ କଟକ ଜିଲ୍ଲା କିଶନନଗର ତହସିଲର ବାଲିସୁକୁରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଖେଳକୁଦ ଓ ସାଂଗଠନିକ କାର୍ଯ୍ୟରୁ ଜୀବନ ଆରମ୍ଭ କରିଥିବା ଭୈରବ ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ଚାରିବର୍ଷ ଜେଲ୍‌ଦଣ୍ଡ ଭୋଗିଥିଲେ। କିଛିକାଳ ପାଇଁ ଓଡ଼ିଆ ଖବରକାଗଜ ‘ପ୍ରଜାତନ୍ତ୍ର’ ଓ ଇଂରାଜୀ ଖବରକାଗଜ ‘ଇଷ୍ଟର୍ଣ୍ଣ ଟାଇମ୍‍ସ’ର ସଂପାଦକ ପଦ ମଣ୍ଡନ କରିଥିବା ଭୈରବ ନିର୍ବାଚନ ରାଜନୀତିରେ ପ୍ରଥମେ ପାଦ ରଖିଥିଲେ ୧୯୪୬ରେ। ଏହି ନିର୍ବାଚନରେ ସେ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସ ଦଳ ତରଫରୁ ଲଢ଼ି ଉତ୍ତର କଟକ ସଦର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହେଲେ।

ଭୈରବଙ୍କର କିନ୍ତୁ ଷୋଳଅଣା ଆଗ୍ରହ ଖେଳରେ। ମହତାବଙ୍କୁ ରାଜି କରାଇ ୧୯୫୦ରେ କଟକରେ ବାରବାଟୀ ଷ୍ଟାଡିୟମ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରାଇବା ପରେ ସେ ଦିନରାତି ଏକ କରିଦେଇଥାନ୍ତି ଷ୍ଟାଡିୟମ୍‌ ନିର୍ମାଣ ପାଇଁ। ଏଥିପାଇଁ ଅର୍ଥାଭାବକୁ ଦୃଷ୍ଟିରେ ରଖି ସେ ଓ ତାଙ୍କର ବନ୍ଧୁମାନେ ‘ବାରବାଟୀ ରାଫେଲ୍’ ନାମରେ ଏକ ଲଟେରି ପ୍ରତିଯୋଗିତା ଆରମ୍ଭ କଲେ। ଲଟେରି ଟିକେଟ୍‌ର ଦାମ ଥିଲା ମାତ୍ର ଟଙ୍କାଏ ଏବଂ ପ୍ରଥମ ପୁରସ୍କାର ଥିଲା ଲକ୍ଷେ ଦଶହଜାର ଟଙ୍କା। ବହୁ ବାଧାବିଘ୍ନ ସତ୍ତ୍ୱେ ଏହି କାର୍ଯ୍ୟଟି ସଫଳ ହେଲା। ଆଜି ଯେଉଁ ବାରବାଟି ଷ୍ଟାଡିୟମ୍‌କୁ ନେଇ ଆମେ ଓଡ଼ିଶାବାସୀ ଗର୍ବ କରୁଛୁ, ଭୈରବ ମହାନ୍ତି ହିଁ ଥିଲେ ତାହାର ପ୍ରାଣପ୍ରତିଷ୍ଠାତା।

ଦୀର୍ଘକାଳ ଧରି ଓଡ଼ିଶା ଅଲିମ୍ପିକ ଆସୋସିଏସନ୍‍ ଓ ଓଡ଼ିଶା କ୍ରିକେଟ ଆସୋସିଏସନ୍‍ର ଅବୈତନିକ ସଂପାଦକ ତଥା ବିଭିନ୍ନ ରାଷ୍ଟ୍ରୀୟସ୍ତରର କ୍ରୀଡ଼ା ସଂଗଠନର ଉଚ୍ଚ ପଦପଦବିରେ ରହି ଭୈରବବାବୁ ଜଣେ ସଫଳ କ୍ରୀଡ଼ା ସଂଗଠକ ହିସାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ତେବେ ନିର୍ବାଚନ ରାଜନୀତି ତାଙ୍କର ପିଛା ଛାଡ଼ି ନ ଥିଲା। ୧୯୫୨ରେ ସେ କଟକ ଗ୍ରାମୀଣ (ଯୁଗ୍ମ) ଆସନରୁ ଜିଣି ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳରେ ପୂର୍ତ୍ତ ବିଭାଗର ଉପମନ୍ତ୍ରୀ ହିସାବରେ ସ୍ଥାନ ପାଇଥିଲେ। ମାତ୍ର କଂଗ୍ରେସ ଦଳର ବିଭାଜନ ପରେ ସେ ଇନ୍ଦିରା କଂଗ୍ରେସର ନେତୃତ୍ୱ ନେଇ ତାଙ୍କ ଜୀବନର ସର୍ବବୃହତ୍‌ ନିର୍ବାଚନ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ ୧୯୭୧ରେ। ଏଥର ସେ କଟକ ସହର ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ। କିନ୍ତୁ ତାଙ୍କ ବିରୋଧରେ ଥିଲେ ପୂର୍ବରୁ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ରେ ଲଗାତାର ଚାରିଥର ଏହି ଆସନରୁ ଜିଣିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର, ଯେ କି ସେତେବେଳେ ଉତ୍କଳ କଂଗ୍ରେସ ଦଳ ତରଫରୁ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ସମସ୍ତେ ଭାବୁଥିଲେ ଭୈରବଙ୍କ ପାଇଁ ଏହି ନିର୍ବାଚନ ଜିଣିବା ଅସମ୍ଭବ। କାରଣ କଟକର ଘରେ ଘରେ ପରିଚିତ ପୁରୁଖା ନେତା ବୀରେନଙ୍କ ଆଗରେ ଭୈରବ ଅପେକ୍ଷାକୃତ ଅନଭିଜ୍ଞ ଖେଳାଳି ଭଳି ମନେ ହେଉଥିଲେ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବରେ ଏହି ସଂଘର୍ଷପୂର୍ଣ୍ଣ ନିର୍ବାଚନରେ ବୀରେନ୍‍ଙ୍କୁ ପାଖାପାଖି ୪୦୦୦ ଭୋଟରେ ହରାଇ ବିଜୟୀ ହେଲେ ଭୈରବ ମହାନ୍ତି।

ବୀରେନ୍‍ ମିତ୍ର ୯୦୭୭ ଖଣ୍ଡ ଭୋଟ୍‌ ପାଇଥିଲା ବେଳେ ଭୈରବବାବୁ ପାଇଥିଲେ ୧୩,୦୦୮ ଖଣ୍ଡ ଭୋଟ୍‍। ଏହା ଥିଲା ବୀରେନ୍ ମିତ୍ରଙ୍କ ପାଇଁ କଟକ ମାଟିରେ ପ୍ରଥମ ପରାଜୟ। ଏହି ବିଧାନସଭାରେ କିନ୍ତୁ ଭୈରବ ବେଶୀ ଦିନ ରହିପାରି ନ ଥିଲେ। ୧୯୭୨ରେ ନନ୍ଦିନୀ ଶତପଥୀଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେବାପରେ ତାଙ୍କୁ ବିଧାନସଭାକୁ ଜିତାଇ ଆଣିବା ପାଇଁ ଭୈରବବାବୁଙ୍କୁ କଟକ ଆସନରୁ ଇସ୍ତଫା ଦେବାକୁ ପଡ଼ିଥିଲା। ୧୯୭୪ରେ ଭୈରବ ଗଲେ ରାଜ୍ୟସଭାକୁ ଏବଂ ୧୯୮୦ ଏପ୍ରିଲ୍‌ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ସେ ଅଲିମ୍ପିକ୍‍ ପାଇଁ ଭାରତୀୟ ପ୍ରତିନିଧିମଣ୍ଡଳରେ ସାମିଲ ହୋଇ ମସ୍କୋ ଯାଇଥିଲେ ଜୁଲାଇ ମାସରେ। କାରଣ ୧୯୮୨ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ଗେମ୍ସକୁ ଦୃଷ୍ଟିରେ ରଖି ମସ୍କୋ ଅଲିମ୍ପିକ୍ସର ପରିଚାଳନା ଓ ନୀତିନିୟମ ଅନୁଧ୍ୟାନ କରିଆସିବା ପାଇଁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ବିଶେଷ ଭାବରେ ଅନୁରୋଧ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ୨୩ ଜୁଲାଇରେ ହୃଦ୍‍ଘାତରେ ତାଙ୍କର ଦେହାନ୍ତ ହୋଇଗଲା ସେଇଠି। ଓଡ଼ିଶାର କ୍ରୀଡ଼ା ସଂଗଠନ ଓ ନିର୍ବାଚନ, ଉଭୟ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଥିବା ଏହି ମହାନ୍‌ ବ୍ୟକ୍ତିଙ୍କ ମହାପ୍ରୟାଣ ହୋଇଗଲା ବିଶ୍ୱକ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସ ଚାଲିଥିଲା ବେଳେ।

ସମ୍ବନ୍ଧିତ ଖବର