ଓଡ଼ିଶାରୁ ଆରମ୍ଭ, ଦେଶବିଦେଶରେ ଲୋକପ୍ରିୟ

ଆଜିର ଅନ୍‌ଲାଇନ୍‌ ଯୁଗରେ ବ୍ୟବସାୟର ପରିସର ସୀମିତ ହୋଇରହିନାହିଁ। ରାଜ୍ୟର ଏକ ପଲ୍ଲୀରେ ପ୍ରସ୍ତୁତ ସାମଗ୍ରୀ ଯାଇ ବିକ୍ରି ହେଉଛି ପୃଥିବୀର କୌଣସି ବି ବଡ଼ ସହରରେ। ଏହି କ୍ରମରେ ଓଡ଼ିଶାର ଏଇ ଷ୍ଟାର୍ଟଅପ୍‌ଗୁଡ଼ିକ ଦ୍ବାରା ପ୍ରସ୍ତୁତ କଫି, ଅଣ୍ଡା, ଡାକ୍ତରୀ ଉପକରଣ ବିଦେଶରେ ବେଶ୍‌ ନାମ କମାଇଛି। ‘ଲୋକାଲ୍‌ ’ବ୍ରାଣ୍ଡ୍‌କୁ ମିଳିଛି ‘ଗ୍ଲୋବାଲ୍‌’ ସ୍ବୀକୃତି।

ପ୍ରଜ୍ଞା ନିବେଦିତା ନାୟକ

କୋରାପୁଟ କଫି
ଅନ୍ୟାନ୍ୟ ଦାମୀ ବ୍ରାଣ୍ଡ୍‌ କଫି ପରି ଦେଶ ଓ ବିଦେଶ ବଜାରରେ କୋରାପୁଟ କଫିର ଚାହିଦା ବି କମ୍‌ ନୁହେଁ। ସ୍ବାଦ ଓ ଗୁଣବତ୍ତା ଦୃଷ୍ଟିରୁ ଏହି କଫି ଜନାଦୃତ ହୋଇପାରିଛି। ଖାଲି ସେତିକି ନୁହେଁ, ସେଠାକାର ଅନେକ ଅଧିବାସୀ ଏଥିରୁ ଦି’ପଇସା ରୋଜଗାର କରି ସ୍ବାବଲମ୍ବୀ ହେଉଛନ୍ତି। ପ୍ରାକୃତିକ ଉପାୟରେ ଅମଳ କରାଯିବା ହେଉଛି କୋରାପୁଟ କଫିର ସ୍ବାତନ୍ତ୍ରୢ। ପ୍ରଥମେ ଏହା ଜଙ୍ଗଲଜାତ ସାମଗ୍ରୀ ଭାବେ ପରିଗଣିତ ହେଉଥିଲା। କିନ୍ତୁ ଏହାର ପ୍ରକୃତ ବ୍ୟବହାର ଜାଣିବା ପରେ ସେଠାକାର ଜନଜାତି ପାଇଁ ରୋଜଗାରର ଉତ୍ସ ହୋଇଗଲା। ବିଦେଶରେ ନିଜର ସ୍ଥାନ ତିଆରି କରିଥିବା କୋରାପୁଟ କଫି ଏବେ ଅନ୍‌ଲାଇନ୍‌ ମାଧ୍ୟମ‌େର ହାତପାହାନ୍ତାରେ ଉପଲବ୍ଧ ହେଲାଣି।

ଓଭୋ ଫାର୍ମ
ବଲାଙ୍ଗୀରରେ ଦୁଇଭାଇ ସୌମେନ୍ଦ୍ର ଓ ସମରେନ୍ଦ୍ର ମିଶ୍ର ଓଭୋ ଫାର୍ମ ନାମରେ ପ୍ରତିଷ୍ଠା କରିଥିବା କୁକୁଡ଼ା ଫାର୍ମ ଏବେ ମଧ୍ୟପ୍ରାଚ୍ୟ, ଏସିଆ ଓ ଆଫ୍ରିକାର ବିଭିନ୍ନ ଦେଶକୁ ଅଣ୍ଡା ରପ୍ତାନି କରୁଛି। ସୁସ୍ଥ ପରିବେଶ ପାଇଁ ଉନ୍ନତ ଶୈଳୀରେ ନିର୍ମିତ ଏହି ଫାର୍ମରେ ବାୟୋ ସିକ୍ୟୁରିଟି ବ୍ୟବସ୍ଥା ରହିଛି। ନିୟମିତ କୁକୁଡ଼ାମାନଙ୍କର ରକ୍ତ ଓ ମଳ ପରୀକ୍ଷା କରାଯାଉଛି। ଗୁଣବତ୍ତା ଓ ସ୍ବଚ୍ଛତା ଲାଗି ଉତ୍ପାଦିତ ଅଣ୍ଡାର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉଛି। ପ୍ରଥ‌ମ କରି ଓଭୋ ଫାର୍ମ ଅଣ୍ଡା ଶିଳ୍ପରେ ଅତ୍ୟାଧୁନିକ ପ୍ରଯୁକ୍ତି ‘ବ୍ଲକ୍‌ଚେନ୍‌’ ବ୍ୟବହାର କରିଛି। ଏହାଦ୍ବାରା ଗ୍ରାହକମାନେ ‘କେନ୍‌କୋ’ ବ୍ରାଣ୍ଡ୍‌ର ଅଣ୍ଡା ପ୍ୟାକେଟରେ ଥିବା କ୍ୟୁଆର୍‌ କୋଡ୍‌କୁ ମୋବାଇଲରେ ସ୍କାନ୍‌ କରି ଅଣ୍ଡାର ‘ଉତ୍ପାଦନ ତାରିଖ’, ‘ଏକ୍ସପା‌ରି ତାରିଖ’ ଓ ଗୁଣବତ୍ତା ସମ୍ବନ୍ଧୀୟ ସୂଚନା ପାଇପାରୁଛନ୍ତି। ଦିନକୁ ପ୍ରାୟ ୧୦ ଲକ୍ଷ ଅଣ୍ଡା ଉତ୍ପାଦନର କ୍ଷମତା ରଖିଛି ଓଭୋ ଫାର୍ମ। ସୂଚନାଯୋଗ୍ୟ, ୨୦୨୨ରେ କତାରରେ ହୋଇଥିବା ଫିଫା ବିଶ୍ୱକପରେ ଅଣ୍ଡାର ଜରୁରୀ ଚାହିଦା ପୂରଣ କରିବା ପାଇଁ ଓଭୋ ଫାର୍ମରୁ ଅଣ୍ଡା ରପ୍ତାନି କରାଯାଇଥିଲା।

ଅଫ୍‌ ବିଜିନେସ୍‌
କଟକର ବାସିନ୍ଦା ଆଶିଷ ମହାପାତ୍ରଙ୍କ କମ୍ପାନି ଅଫ୍‌ ବିଜିନେସ୍‌ ଏକ ଷ୍ଟାର୍ଟଅପ୍‌ ଭାବେ ୟୁନିକର୍ଣ୍ଣ କ୍ଲବ୍‌ରେ ସାମିଲ ହେବାରେ ପ୍ରଥମ ଭାରତୀୟ ଉଦ୍ୟୋଗ। ଏହି କମ୍ପାନି ମୁଖ୍ୟତଃ ଛୋଟ ଛୋଟ ଷ୍ଟାର୍ଟଅପ୍‌ଗୁଡ଼ିକୁ ସୁଲଭ ମୂଲ୍ୟରେ କଞ୍ଚାମାଲ, ପୁଞ୍ଜି ଓ ବିଭିନ୍ନ ବ୍ୟବସାୟ ଭିତ୍ତିକ ସୂଚନା ଯୋଗାଇଥାଏ। ଯାହାକି ବ୍ୟାବସାୟିକ ଦୁନିଆରେ ଏକ ନୂତନ ପରିସର ସୃଷ୍ଟି କରିବାରେ ସଫଳ ହୋଇଛି। ଏହା ଦେଶ ଓ ବିଦେଶରେ ମଧ୍ୟ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି।

ହସ୍ତିକା ହାଣ୍ଡିକ୍ରାଫ୍ଟସ୍‌
ବିଶ୍ବଜିତ ସ୍ବାଇଁଙ୍କ ଦ୍ବାରା ପ୍ରତିଷ୍ଠିତ ହସ୍ତିକା ହ୍ୟାଣ୍ଡିକ୍ରାଫ୍ଟସ୍‌ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ଏକ ଷ୍ଟାର୍ଟଅପ୍‌। ଓଡ଼ିଶାର କାରିଗରମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଇ-କମର୍ସ ଜରିଆରେ ସର୍ବଭାରତୀୟ ସ୍ତରରେ ବିକ୍ରି କରିବା କ୍ଷେତ୍ରରେ କାମ କରୁଛି ଏହି କମ୍ପାନି। ଓଡ଼ିଶାର ହସ୍ତତନ୍ତ, ଝୋଟ, କପା, କାନ୍‌ଭାସ୍‌ ଆଦି ଉତ୍ପାଦ ଅନ୍‌ଲାଇନ୍‌ ମାଧ୍ୟମରେ ବିକ୍ରି କରି ଖୁବ୍‌ ଲୋକପ୍ରିୟ ହୋଇପାରିଛି ହସ୍ତିକା। ୨୦୨୦ରେ ହସ୍ତିକା ନିଜର ପ୍ରଥମ କାର୍ଯ୍ୟାଳୟ ଯୁକ୍ତରାଷ୍ଟ୍ର ଆମେରିକାରେ ‌େଖାଲିଥିଲା। ଏବେ ଓଡ଼ିଶା ସମେତ ବ୍ରିଟେନ୍‌, ଆମେରିକା ପରି ଦେଶକୁ ନିଜ ଉତ୍ପାଦ ଯୋଗାଣ କରୁଛି।

ଏଜେରେକ୍ସ
ସିଙ୍ଗାପୁରରୁ ଫେରି ମେଡିକାଲ୍‌ ସାମଗ୍ରୀ ଉତ୍ପାଦନ ଲାଗି ଏଜେରେକ୍ସ ନାମରେ ଏକ ଷ୍ଟାର୍ଟଅପ୍‌ ତିଆରି କରିଛନ୍ତି ପାର୍ଥପ୍ରତିମ। ଭାରତ‌େ‌ର ସାଧାରଣତଃ ମହିଳା ଓ ପିଲାମାନଙ୍କଠାରେ ଦେଖା ଦେଉଥିବା ଏନିମିଆ ରୋଗର ଇଜି ଚେକ୍‌ ମାଧ୍ୟମରେ ବିନା ରକ୍ତରେ ‌ପରୀକ୍ଷା କରାଉଛନ୍ତି ପାର୍ଥ। ଶରୀରୁ ରକ୍ତ ନ ନେଇ ଆଙ୍ଗୁଠି ପଞ୍ଚ୍‌/ ଟିପଚିହ୍ନ ଦ୍ବାରା ଗୋଟିଏ ମିନିଟ୍‌ରେ ପିଲାଠୁ ବୟସ୍କ ସମସ୍ତଙ୍କ ହେମୋଗ୍ଲୋବିନ୍‌ ପରୀକ୍ଷା କରାଉଛନ୍ତି। ଏହାକୁ ଲୋକେ ମଧ୍ୟ ବେଶ୍‌ ପସନ୍ଦ କରୁଛନ୍ତି। ତାଙ୍କର ଏହି ଡିଭାଇସ୍‌ଟି ଓଡ଼ିଶା ସମେତ କେରଳ, ଜମ୍ମୁକଶ୍ମୀର, କନ୍ୟାକୁମାରୀ ପରି ରାଜ୍ୟରେ ବେଶ୍‌ ଲୋକପ୍ରିୟ ହୋଇ‌ପାରିଛି। ଏହାସହିତ ସରକାରୀ ଓ ବେସରକାରୀ ସଂସ୍ଥା ତରଫରୁ ତାଙ୍କ କମ୍ପାନିକୁ ଅନେକ ଅର୍ଡର୍‌ ମିଳୁଛି।

ସମ୍ବନ୍ଧିତ ଖବର