ପ୍ରତି ଦ୍ବିତୀୟ ଓଡ଼ିଆ ଷ୍ଟେଟ୍‌ ବ୍ୟାଙ୍କ ଗ୍ରାହକ

ଜିନ୍ଦଲ, ଅମ୍ବାନି, ଅଗ୍ରୱାଲ୍‌ଙ୍କ ବିଜୁ ସମ୍ପର୍କ, କୋଣାର୍କ ପ୍ରେମରେ ସଜ୍ଜନ

ଭାରତରେ ଥିବା ବ୍ୟାଙ୍କ ଗ୍ରାହକଙ୍କ ମଧ୍ୟରୁ ପ୍ରତି ତୃତୀୟ ବ୍ୟକ୍ତି ହେଉଛନ୍ତି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଗ୍ରାହକ। ଓଡ଼ିଶାରେ ଏହା ଆହୁରି ଉନ୍ନତ। ରାଜ୍ୟରେ ପ୍ରତି ଦ୍ବିତୀୟ ବ୍ୟକ୍ତି ହେଉଛନ୍ତି ଷ୍ଟେଟ୍‌ ବ୍ୟାଙ୍କ ଗ୍ରାହକ ବୋଲି ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ରଜନୀଶ କୁମାର କହିଛନ୍ତି। ଓଡ଼ିଶାର ୫୦% ଲୋକ ଷ୍ଟେଟ୍‌ ବ୍ୟାଙ୍କ ସହିତ କାରବାର କରୁଛନ୍ତି। ସେ କହିଲେ, ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ ଶିଳ୍ପ କ୍ଷେତ୍ରର ଅବଦାନ ୩୫% ରହିଛି ଯାହା ୧୫%ର ଜାତୀୟ ହାର ଠାରୁ ବହୁତ ଅଧିକ। ୧୫୦ ବର୍ଷ ପୂର୍ବରୁ ବ୍ରହ୍ମପୁର ଠାରୁ ଷ୍ଟେଟ୍‌ ବ୍ୟାଙ୍କ ଓଡ଼ିଶାରେ ଏହାର ଯାତ୍ରା ଆରମ୍ଭ କରିଥିଲା। ବର୍ତ୍ତମାନ ରାଜ୍ୟରେ ଏହାର ୭୭୦୦ ଟଚ୍ ପଏଣ୍ଟ୍‌ ରହିଛି। ସାମାଜିକ ଓ ଅର୍ଥନୈତିକ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ରହିଥିବା ଆଭିମୁଖ୍ୟକୁ ସେ ପ୍ରଶଂସା କରିଛନ୍ତି। ଖଣିଜ ପଦାର୍ଥ ଠାରୁ ଆରମ୍ଭ କରି ଆହୁରି ଅନେକ ଲୋଭନୀୟ ‌କ୍ଷେତ୍ର ଓଡ଼ିଶାକୁ ଅନ୍ୟତମ ପ୍ରମୁଖ ନିବେଶ ସ୍ଥଳରେ ପରିଣତ କରିଛି ବୋଲି ସେ କହିଛନ୍ତି। ୨୦୨୫ ସୁଦ୍ଧା ୨.୫ ଲକ୍ଷ କୋଟି ଟଙ୍କା ନିବେଶ ଜରିଆରେ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହାକୁ ଷ୍ଟେଟ୍‌ ବ୍ୟାଙ୍କ ପୂର୍ଣ୍ଣ ସମର୍ଥନ କରୁଛି। ରାଜ୍ୟରେ ଶିଳ୍ପ ସ୍ଥାପନ କରିବାକୁ ଚାହୁଁଥିବା ପ୍ରତି ନିବେଶକଙ୍କୁ ଦୁଇ ତୃତୀୟାଂଶ ପୁଞ୍ଜି ଯୋଗାଇ ଦେବାକୁ ସେ ଉପସ୍ଥିତ ନି‌ବେଶକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ବୃହତ ଶିଳ୍ପ ସଂସ୍ଥାଗୁଡ଼ିକ ଯେଉଁ ସବୁ କ୍ଷେତ୍ରରେ କାରବାର କରୁଛନ୍ତି ତାହା କ୍ଷୁଦ୍ର ଭେଣ୍ଡର ହେଉ ଅଥବା ସାମାଜିକ ବନୀକରଣ, ପ୍ରତିଟି କ୍ଷେତ୍ର ପାଇଁ ସହଯୋଗ ପ୍ରଦାନ କରିବା ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଏକ ଯୋଜନା ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି।

ଜିନ୍ଦଲ, ଅମ୍ବାନି, ଅଗ୍ରୱାଲ୍‌ଙ୍କ ବିଜୁ ସମ୍ପର୍କ

ନବୀନ ଜିନ୍ଦଲ ଓ ସଜ୍ଜନ ଜିନ୍ଦଲଙ୍କ ବାପା ଓ ପି ଜିନ୍ଦଲଙ୍କ ସହିତ ବିଜୁ ପଟ୍ଟନାୟକଙ୍କ ନିବିଡ଼ ସମ୍ପର୍କ ଥିଲା। ଓଡ଼ିଶାରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଓପି ଜିନ୍ଦଲଙ୍କୁ ବିଜୁ ଅନୁରୋଧ କରିଥିଲେ ମଧ୍ୟ ସେହି ସମୟର ସ୍ଥିତି ଯୋଗୁ କାରଖାନା ସ୍ଥାପନ କରିବା ସମ୍ଭବ ହୋଇନଥିଲା ବୋଲି ନବୀନ ଜିନ୍ଦଲ କହିଛନ୍ତି। କିନ୍ତୁ, ପରବର୍ତ୍ତୀ ସମୟରେ ନବୀନ ଜିନ୍ଦଲ ଓଡ଼ିଶାରେ କାରଖାନା ସ୍ଥାପନ କରି ବିଜୁଙ୍କ ସ୍ବପ୍ନ ସାକାର କରିଥିଲେ। ଅମ୍ବାନିଙ୍କ ବାପା ଧୀରୁ ଭାଇ ଅମ୍ବାନିଙ୍କ ସହିତ ମଧ୍ୟ ବିଜୁ ପଟ୍ଟନାୟକଙ୍କ ନିବିଡ଼ତା ଥିଲା ବୋଲି ମୁକେଶ କହିଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ସମୟରେ ବାର୍ତାଳାପ ହୁଏ ବୋଲି ମୁକେଶ କହିଥିଲେ। ବେଦାନ୍ତ ଗ୍ରୁପର ମୁଖ୍ୟ ଅନୀଲ ଅଗ୍ରୱାଲ୍ ମଧ୍ୟ ବିଜୁଙ୍କ ସହିତ ପ୍ରଥମ ସାକ୍ଷାତ ବେଳର ଅନୁଭୂତି କିଭଳି ଥିଲା ତାହା ବଣ୍ଣର୍ନା କରିଛନ୍ତି।

କୋଣାର୍କ ପ୍ରେମରେ ସଜ୍ଜନ

ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗ ଦେବାକୁ ଆସିଥିବା ଜେଏସ୍‌ଡବ୍‌ଲ୍ୟୁର ମୁଖ୍ୟ ସଜ୍ଜନ ଜିନ୍ଦଲ କୋଣାର୍କ ମନ୍ଦିରର କାରୁକାର୍ଯ୍ୟକୁ ଦେଖି ବିମୋହିତ ହୋଇଯାଇଛନ୍ତି। ନିଜ ପତ୍ନୀଙ୍କ ସହ ସେ ‌କୋଣାର୍କ ବୁଲି ଯାଇଥିଲେ। କୋଣାର୍କ ସେମାନଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସଭାରେ ଉପସ୍ଥିତ ଥିବା ପ୍ରତ୍ୟକ‌ ଲୋକଙ୍କୁ ସେମାନେ ଥରେ କୋଣାର୍କ ବୁଲି ଆସିବାକୁ ଅନୁରୋଧ କରିଛନ୍ତି। ସେ ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର