କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ଲାଗି ବଜେଟ୍‌ରେ ଦୃଢ଼ ପଦକ୍ଷେପ ନିଆଯାଇଛି। ଅଧିକ ପାଣ୍ଠି ଦେବା ସହ ଚାଷୀମାନଙ୍କୁ ସଶକ୍ତ କରିବା ଲାଗି ଉଦ୍ୟମ କରାଯାଇଛି। ଆଳୁ ଚାଷରେ ଅଧିକ ଚାଷୀଙ୍କୁ ଯୋଡ଼ିବା, ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ସ୍ଥାପନ, ଯଥାସମ୍ଭବ ଅଧିକ ପରିମାଣର ଜମିକୁ ଜଳସେଚନ ସୁବିଧା ପହଞ୍ଚାଇବା, କୃଷିର ଯାନ୍ତ୍ରିକୀକରଣ କରିବା ଓ ବନ୍ୟା ପରିଚାଳନା ଓ ନଦୀବନ୍ଧ ପୁନରୁଦ୍ଧାରକୁ ଗୁରୁତ୍ବ ଦିଆଯାଇଛି। 

Advertisment

ଅନ୍ନଦାତା କୃଷକଙ୍କ ସଶକ୍ତୀକରଣ ହେଉଛି ସମୃଦ୍ଧ ଗ୍ରାମୀଣ ଜୀବନର ଆଧାର। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଓଡ଼ିଶାର ପ୍ରାୟ ୪୮ ପ୍ରତିଶତରୁ ଅଧ‌ିକ ଶ୍ରମଶକ୍ତି ନିର୍ଭରଶୀଳ। ୮୦ ପ୍ରତିଶତରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବସବାସ କରନ୍ତି, ଯେଉଁଠାରେ କୃଷି ହେଉଛି ଆୟର ମୁଖ୍ୟ ଉତ୍ସ। କୃଷକମାନଙ୍କ ଆବଶ୍ୟକ‌ତାକୁ ଦୃଷ୍ଟିରେ ରଖି ବଜେଟ୍‌ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦୨୫-୨୬ ବଜେଟ୍‌ରେ ୩୭,୮୩୮ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ। ଏଥିମଧ୍ୟରୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପାଇଁ ମୋଟ ୧୪,୭୦୧ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। 

ସରକାରଙ୍କ ଏହି ପଥପ୍ରଦର୍ଶକ ଯୋଜନାରେ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଅଧିକ ଅର୍ଥ ଇନ୍‌ପୁଟ୍ ସହାୟତା ଆକାରରେ ପ୍ରଦାନ କରି କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଚଳିତ ଖରିଫ ବିପଣନ ଋତୁ ପାଇଁ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିସାରିଛନ୍ତି ଏବଂ ୨୦୨୫ ଫେବ୍ରୁଆରି୧୫ ସୁଦ୍ଧା ୪୫୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନାରେ ପ୍ରାୟ ୧୩ ଲକ୍ଷ ଚାଷୀ ଉପକୃତ ହୋଇସାରିଛନ୍ତି। ଏହି ଯୋଜନାରେ ବଜେଟ୍‌ ୫ ହଜାର କୋଟି ଟଙ୍କାରୁ ୬ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ପିଏମ୍ କିଷାନକୁ ରାଜ୍ୟ ଯୋଜନା ସିଏମ୍‌ କିଷାନ୍‌ ସହିତ ମିଶ୍ରଣ କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ଏକ ଗୁଣାତ୍ମକ ପ୍ରଭାବ ପକାଇଛି। ସେମାନଙ୍କୁ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ତଥା ଘରୋଇ ଆବଶ୍ୟକତା ସହିତ ଜଡ଼ିତ ଖର୍ଚ୍ଚ ବହନ କରିବାରେ ସକ୍ଷମ ହେବ। ଏହା ସେମାନଙ୍କୁ ଏଭଳି ଖର୍ଚ୍ଚ ମେଣ୍ଟାଇବା ପାଇଁ ସାହୁକାରଙ୍କ  କବଳରେ ପଡ଼ିବାରୁ ରକ୍ଷା କରିଛି ଏବଂ ଚାଷ କାର୍ଯ୍ୟରେ ସେମାନଙ୍କ ନିୟୋଜିତ ରହିବା ସୁନିଶ୍ଚିତ କରିଛି। ପିଏମ୍ କିଷାନ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଯୋଗ୍ୟ, ବାଦ୍ ପଡ଼ିଥିବା ଚାଷୀଙ୍କୁ ସାମିଲ କରିବା ପାଇଁ ଦୁଇ ମାସିଆ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। କୃଷକମାନଙ୍କୁ ସଠିକ୍ ସମୟରେ ଆର୍ଥିକ ସହାୟତା ଏବଂ ଇନ୍‌ପୁଟ୍ ସହାୟତା ପାଇଁ ସିଏମ୍-କିଷାନ ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨୦୨୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପଗୁଡିକର ପ୍ରାୟ ୨ ଲକ୍ଷ ହେକ୍ଟର ସେଚାଞ୍ଚଳରେ ବିଭିନ୍ନ ଅଣଧାନ ଚାଷ ଜରିଆରେ ଫସଲ ବିବିଧତା ଆଣିବା ପାଇଁ ବଜେଟ୍‌ରେ ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ୬୯୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ କୃଷି ଉତ୍ପାଦନ କ୍ଲଷ୍ଟରର ମଡେଲ୍‌ ପ୍ରତିଷ୍ଠା କରି କ୍ଷୁଦ୍ର ଓ ନାମମାତ୍ର ମହିଳା କୃଷକଙ୍କ ଆୟ ଦ୍ବିଗୁଣିତ କରିବା ସରକାରଙ୍କ ଆଭିମୁଖ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆମେ ଆଉ ରାଜ୍ୟର ଆଳୁ ଅବଶ୍ୟକ‌ତାକୁ ପୂରଣ କରିବା ପାଇଁ ଅନ୍ୟ କାହା ଉପରେ ନିର୍ଭରଶୀଳ ହେବାକୁ ଚାହୁନାହୁଁ । ତେଣୁ, ରବି ଋତୁରେ ଆଳୁ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଏକ ଅଭିନବ ପ୍ରୟାସ କରୁଛୁ ଏବଂ ଚଳିତ ବର୍ଷ ମୋଟ୍ ୧ ଲକ୍ଷ ୮୦ ହଜାର କୃଷକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବାର ଲକ୍ଷ୍ୟ ରହିଛି । ଆମେ ଚାଷୀଙ୍କୁ ଏହି ରବି ଋତୁ ପାଇଁ ୧ ଲକ୍ଷ ୬୦ ହଜାର କୁଇଣ୍ଟାଲ ଆଳୁ ବିହନ ଯୋଗାଇ ଦେଇଛୁ। ଏହି ଉନ୍ନତ ମାନର ବିହ‌ନ ଆମ କୃଷକମାନଙ୍କୁ ଭଲ ଅମଳ ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିବ। କୃଷି-ଖାଦ୍ୟ ବ୍ୟବସ୍ଥାକୁ ଚିରସ୍ଥାୟୀ ତଥା ଏହା ଦ୍ବାରା ପୋଷଣର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ମିଲେଟ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମିଲେଟ୍‌ ଚାଷ ପାଇଁ ‘ଶ୍ରୀଅନ୍ନ ଅଭିଯାନ’କୁ ସମସ୍ତ ୩୦ଟି ଜିଲ୍ଲାର ମୋଟ ୧୭୭ଟି ବ୍ଳକ୍‌କୁ ସଂପ୍ରସାରିତ କରାଯାଇଛି। ଚଳିତ ବର୍ଷ ସରକାର ବର୍ତ୍ତମାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୪୨୯୦ ଟଙ୍କା ଉପରେ ଆହୁରି କୁଇଣ୍ଟାଲ ପିଛା ୨୧୦ ଟଙ୍କା ଯୋଡ଼ି ରାଗିର କ୍ରୟ ମୂଲ୍ୟ ୪୫୦୦ ଟଙ୍କା ଟଙ୍କା ନିର୍ଦ୍ଧାରିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ ରହିଛି।

 ୩୭,୮୩୮ କୋଟିର କୃଷି ବଜେଟ୍‌
ଧାନ କିଣା ପାଇଁ ୬ ହଜାର କୋଟି
ଆଳୁ ଚାଷରେ ଯୋଡ଼ି ହେବେ ୧.୮୦ ଲକ୍ଷ ଚାଷୀ

ghfgh4646

ଶୀତଳଭଣ୍ଡାର ପାଇଁ ୨୫୨ କୋଟି, କୃଷିର ଯାନ୍ତ୍ରିକୀକରଣ ହେବ

ସରକାର ଏକ ଯୁଗାନ୍ତକାରୀ ଶୀତଳଭଣ୍ଡାର ନୀତି ଆଣିଛନ୍ତି। ଏହା ଘରୋଇ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବ। ଏଥିରେ ୭ବର୍ଷ ପାଇଁ ମୋଟ ୬୦ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜିନିବେଶ ରିହାତି ଏବଂ ବିଜୁଳି ବିଲ୍ ଉପରେ ୫୦ ପ୍ରତିଶତ ରିହାତିର ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଅଚଳ ଶୀତଳଭଣ୍ଡାରର ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ। ମୁଣ୍ଡପିଛା ଫଳ ଓ ପନିପରିବା ଉପଲବ୍ଧତା ବୃଦ୍ଧି ସହିତ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଏବଂ ଅମଳ ପରବର୍ତ୍ତୀ କ୍ଷତିକୁ ହ୍ରାସ କରିବାର ଲକ୍ଷ୍ୟ ରଖୁଥ‌ିବା ଏହି ନୀତି କୃଷକ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଏକ ନୂତନ ଆଶା ସୃଷ୍ଟି କରିଛି। ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ଶୀତଳଭଣ୍ଡାରକୁ ଆର୍ଥିକ ସହାୟତା ବାବଦରେ ୨ ଶହ ୫୨ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଏହି ଯୋଜନାରେ ରାଜ୍ୟର ସମସ୍ତ ୫୮ଟି ସବ୍‌ଡିଭିଜନରେ ନୂତନ ଶୀତଳଭଣ୍ଡାର ନିର୍ମାଣ ସହ ଅଚଳ ଶୀତଳଭଣ୍ଡାରଗୁଡ଼ିକର ପୁନ‌ରୁଦ୍ଧାର ପାଇଁ ବ୍ୟବସ୍ଥା ରହିଛି। ଆଞ୍ଚଳିକ, ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ମେଳା ଆୟୋଜନ କରି ବିଭିନ୍ନ କୃଷି ଯନ୍ତ୍ରପାତି ଓ ଉପକରଣକୁ ଲୋକପ୍ରିୟ କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ କୃଷି ଯାନ୍ତ୍ରିକୀକରଣ ଓ କୃଷି ଉଦ୍ୟୋଗ ଯୋଜନାରେ ୪୨୫ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। କୃଷି ଉଦ୍ୟୋଗର ପ୍ରୋତ୍ସାହନ ତଥା ବ୍ୟବସାୟ ସୁଗମ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ପାଇଁ ୨୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସାମାଜିକ ଅର୍ଥନୈତିକ ଜଳବାୟୁ-ବୈଷୟିକ ସ୍ତରରେ ହେଇଥିବା ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ଓ ଆନୁଷଙ୍ଗିକ ବିଜ୍ଞାନରେ ଅଗ୍ରଣୀ ଶିକ୍ଷା, ଗବେଷଣା, ସମ୍ପ୍ରସାରଣ ପାଇଁ ଓୟୁଏଟି ମହତ୍‌ ଲକ୍ଷ୍ୟ ରଖିଛି।  ଏଥିପାଇଁ ଓୟୁଏଟିକୁ ୫୧୧ କୋଟି ଟଙ୍କା ପ୍ରଦାନ କରାଯିବାର ପ୍ରସ୍ତାବ ରଖାଯାଇଛି। ଏକ ହଜାରରୁ ଅଧିକ କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ)କୁ ସହାୟତା ଯୋଗାଇ ଦିଆଯିବ। ଏହାଦ୍ୱାରା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅତି କମରେ ୩ ଲକ୍ଷ କୃଷକ ଉପକୃତ ହେବେ।

୨.୭୭ ଲକ୍ଷ ହେକ୍ଟର ଜମିକୁ ଜଳସେଚନ
ରାଜ୍ୟର ଅଧିକରୁ ଅଧିକ ଚାଷୀଙ୍କ କ୍ଷେତକୁ ଜଳ ପହ‌ଞ୍ଚାଇବା ଲକ୍ଷ୍ୟରେ ୨୦୨୯-୩୦ ସୁଦ୍ଧା ୧୫ ଲକ୍ଷ ହେକ୍ଟର ଅଣ ଜଳସେଚିତ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବୁ। ଏହି କ୍ରମରେ କେବଳ ୨୦୨୫-୨୬ରେ ୨ ଲକ୍ଷ ୭୭ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେବୁ । ଜଳସମ୍ପଦ ବିଭାଗ ପାଇଁ ୧୪ ହଜାର ୮ ଶହ ୯୫ କୋଟି ଟଙ୍କା ବ୍ୟୟବରାବ ପ୍ରସ୍ତାବ ରଖାଯାଇଛି।  ବଲାଙ୍ଗୀରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ନୟାଗଡ଼ର କୁସୁମୀ ସ୍ମାର୍ଟ ଜଳସେଚନ ପ୍ରକଳ୍ପ, ବରଗଡ଼ର ଘଟକେଶ୍ୱର ଜଳସେଚନ ପ୍ରକଳ୍ପ ଓ ଗଙ୍ଗାଧର ମେହେର ଜଳସେଚନ ପ୍ରକ‌ଳ୍ପ ଶେଷ ହେବା ଦ୍ବାରା ଅତିରିକ୍ତ ଜମିକୁ ଜଳସେଚନ ଯୋଗାଇ ଦିଆଯିବ। କାନପୁର ଡ୍ୟାମ୍‌ ଓ ସ୍ପିଲୱେ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ସମ୍ପୂର୍ଣ୍ଣ କରାଯିବ। ରେଙ୍ଗାଲି ଦକ୍ଷିଣ ଜଳସେଚନ ପ୍ରକ‌ଳ୍ପ ଦ୍ବାରା ୧୫ ହ‌ଜାର ହେକ୍ଟର, ଅଙ୍ଗ ସଂପ୍ରସାରଣ ପ୍ରକଳ୍ପ ଦ୍ବାରା  ୧ ହଜାର ହେକ୍ଟର ଏବଂ ଛେଳିଗଡ଼-ଘୋଡ଼ାହାଡ଼ ଲିଙ୍କ୍‌ ପ୍ରକଳ୍ପ ଦ୍ବାରା ୧ ହଜାର ହେକ୍ଟର ଅତିରିକ୍ତ ଜମିକୁ ଜଳସେଚନ କରାଯିବ।

zczcsd

୨୦୨୯ ଶେଷ ସୁଦ୍ଧା ରେଙ୍ଗାଲି ବାମ ପ୍ରକଳ୍ପ ଦ୍ବାରା ବାକି ରହିଥିବା ୨୨ ହଜାର, ରେଙ୍ଗାଲି ଦକ୍ଷିଣ ପ୍ରକଳ୍ପ ଦ୍ବାରା ୨୫ ହଜାର ହେକ୍ଟର, ସମନ୍ବିତ ଆନନ୍ଦପୁର ବ୍ୟାରେଜ୍‌ ଦ୍ବାରା ୪୮୦ ହେକ୍ଟର, କାନପୁରର ୩ ଶହ ହେକ୍ଟର, ହାଡ଼ୁଆର ୩ ହଜାର ୫ ଶହ ହେକ୍ଟର, ଅଙ୍ଗ ଏକ୍ସଟେନସନ୍‌ ପ୍ରକଳ୍ପର  ୧୨ ହଜାର ହେକ୍ଟର, ଛେଳିଗଡ଼ ଜଳସେଚନ ପ୍ରକଳ୍ପର ୫୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦିଆଯିବ। 
୨୦୨୯ ସୁଦ୍ଧା ହାତକୁ ନିଆଯିବାକୁ ଥିବା କିଛି ନୂତନ ଜଳସେଚନ ପ୍ରକଳ୍ପ ଗୁଡ଼ିକ ହେଲା: ଖଇରବନ୍ଧନ, ବୃତ୍ତଙ୍ଗ, ପିପଳପଙ୍ଖା, ଖାରଖରା ଷ୍ଟେଜ୍ -୨. ଭୀମକୁଣ୍ଡ, କଳା, ହିଡ଼ସିଂହ, ମାଙ୍କଡ଼ା, ଗୋବିନ୍ଦପାଲି, ଝାରପଡ଼ା ଓ ଖଡ଼ଖାଇ ଷ୍ଟେଜ୍‌-୨। ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟି ଲକ୍ଷ୍ୟ ପୂରଣ ପାଇଁ ଆହୁରି ଅନେକ ପ୍ରକଳ୍ପ ପାଇଁ ସର୍ଭେ କରାଯାଉଛି ବୋଲି ବଜେଟ୍‌ରେ ଉଲ୍ଲେଖ କରାଯାଇଛି।

ବନ୍ୟ‌ା ପରିଚାଳନା, ନଦୀ ପୁନରୁଦ୍ଧାରକୁ ୩୮୬ କୋଟି
ବଜେଟ୍‌ରେ ବନ୍ୟାଜଳ ପରିଚାଳନା ଓ ନଦୀ ପୁନରୁଦ୍ଧାର ପାଇଁ ୩୮୬ କୋଟି ଟଙ୍କା ରଖାଯାଇଛି। ସେହିଭଳି ନଦୀ ପୁନରୁଦ୍ଧାର ଯୋଜନାରେ ପ୍ରାଚୀଧାରା ଓ ଗୋବରୀ ଭଳି ଅତି କମରେ ୨ ରୁ ୩ଟି ନଦୀକୁ ଅନ୍ତର୍ଭୁକ୍ତ କରାଯିବା ପ୍ରସ୍ତାବ ବଜେଟ୍‌ରେ ରଖାଯାଇଛି।  ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ପାଇଁ ବଜେଟ୍‌ରେ ଯୋଜନା ଆରମ୍ଭ କରାଯାଇଛି। ୫ଟି ସଂଯୋଗ ଚିହ୍ନଟ କରାଯାଇଛି ଏବଂ ଖୁବ୍‌ଶୀଘ୍ର ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବଜେଟ୍‌ରେ କୁହାଯାଇଛି। ଏହି ଯୋଜନା ଅଧୀନରେ ସମ୍ବଲପୁର ଓ କଟକର ମହାନଦୀ କୂଳକୁ ପର୍ଯ୍ୟଟନ ତଥା ସାଂସ୍କୃତିକ କାର୍ଯ୍ୟକଳାପର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ବଜେଟ୍‌ରେ ହୀରାକୁଦ ଡ୍ୟାମ ପ୍ରକଳ୍ପର କେନାଲ ବ୍ୟବସ୍ଥାର ନବୀକରଣ ନାମରେ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ୮୫୦ କୋଟି ଟଙ୍କା ରଖାଯାଇଛି। ଅନ୍ୟାନ୍ୟ ବିପର୍ଯ୍ୟସ୍ତ ପୁରୁଣା ଡ୍ୟାମ୍‌ଗୁଡ଼ିକର ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଡ୍ୟାମ୍‌ ସୁରକ୍ଷା ଓ ଉନ୍ନତି ଯୋଜନା ଅଧୀନରେ ୫୭ କୋଟି ଟଙ୍କାର ବ୍ୟୟ ବରାଦ ରହିଛି।୧୯ ହଜାର ଗଭୀର ନଳକୂପ ଏବଂ ୧୬୩୦ ଗୋଷ୍ଠୀ ଉଠା ଜଳସେଚନ କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରାଯାଉଛି । ଏଥିପାଇଁ ୧୧୫୦ କୋଟି ଟଙ୍କାର ବ୍ୟୟବରାଦ ରହିଛି । ଏହାବ୍ୟତୀତ ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଯୋଜନା ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷରେ ୧୯୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। 

ପାର୍ବତୀ ଗିରି ବୃହତ୍‌ ଉଠା ଜଳସେଚନ ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ୫ ବର୍ଷ ମଧ୍ୟରେ ୧୦୭୫୯ କୋଟି ବ୍ୟୟ ଅଟକଳରେ ୧୭୦ଟି ନୂତନ ପ୍ରକଳ୍ପ ହାତକୁ ନିଆଯାଇଛି।  ୨୦୨୫-୨୬ରେ ୩୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରି ଅତିରିକ୍ତ ୪୮୭୯୮ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି କରାଯିବ। ଏଥିରେ  ନବରଙ୍ଗପୁର ଉଠା ଜଳସେଚନ ଯୋଜନା ଅନ୍ତର୍ଭୁକ୍ତ।  ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ୨୦୨୫-୨୬ରେ ୩୧୩ଟି ଚେକ୍‌ ଡ୍ୟାମ୍‌ ନିର୍ମାଣ ସଂପୂର୍ଣ୍ଣ କରିବାକୁ ଯୋଜନା ରହିଛି, ଯାହାଦ୍ବାରା ପ୍ରାୟ ୧୦ ହଜାର ହେକ୍ଟର ସେଚାଞ୍ଚଳ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୩୦୫ କିମି ଲମ୍ବର କେନାଲ ଲାଇନିଂ କାର୍ଯ୍ୟ ଶେଷ ହୋଇଛି। ୨୦୨୫-୨୬ ବର୍ଷରେ ଏହି ଯୋଜନାରେ ୧୬୦ କମି କାର୍ଯ୍ୟ ହେବ। ଏଥିପାଇଁ ୪୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କେନାଲ ଆଧୁନିକୀକରଣ ତଥା ପୁରାତନ ସେଚ ଉନ୍ନୟନ ଯୋଜନା ଅଧୀନରେ ୨୪୦ କୋଟି ଟଙ୍କା ଏବଂ ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା ଯୋଜନା ଅଧୀନରେ ୨୫୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।