ସ୍ବାସ୍ଥ୍ୟସେବା ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବଜେଟ୍‌ରେ ଅନେକ ପଦକ୍ଷେପ ଘୋଷଣା କରାଯାଇଛି। ପ୍ରଯୁକ୍ତି ଦୁନିଆରେ ଆଗରେ ରହିବା ପାଇଁ ଏଆଇ ମିସନ୍‌ ଗଠନ ଭଳି ପଦକ୍ଷେପ ଓଡ଼ିଶାକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

Advertisment

ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର

ଜନ ସ୍ବାସ୍ଥ୍ୟ ସେବାକୁ ବଜେଟ୍‌ର ୮ ପ୍ରତିଶତ ରାଶି ଅର୍ଥାତ୍‌ ୨୩,୬୩୫ କୋଟି ଟଙ୍କା ଦିଆଯାଇଛି। ଆମ ହସ୍ପିଟାଲ୍‌ ପାଇଁ ୪୨୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଗୋପବନ୍ଧୁ ଜନ ଅରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ୫୦୦ କୋଟି ଟଙ୍କା ଦିଆଯାଇଛି। ଏଥିରେ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୩୭୬୮ କୋଟି ଟଙ୍କା, ନିର୍ମାଲ୍ୟ ଯୋଜନାକୁ ୯୩୯ କୋଟି ଟଙ୍କା, ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ନିରାମୟ ପାଣ୍ଠି ପାଇଁ ୨୦୦ କୋଟି ଟଙ୍କା, ନିଦାନ ପାଇଁ ୨୨୯ କୋଟି ଟଙ୍କା, ସମ୍ପୂର୍ଣ୍ଣକୁ ୯୯ କୋଟି ଟଙ୍କା, ସ୍ବାସ୍ଥ୍ୟ ସହାୟ ପାଇଁ ୨୭୦ କୋଟି ଟଙ୍କା, ଓଡ଼ିଶା ବ୍ୟାପକ କର୍କଟ ଚିକିତ୍ସା ଯୋଜନାକୁ ୨୧୧ କୋଟି ଟଙ୍କା ଓ ଆମ୍ବୁଲାନ୍ସ ସେବା ପାଇଁ ୨୨୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ ପାଇଁ ବଜେଟ୍‌ରେ ୩୮୮୧ କୋଟି ଟଙ୍କା ଦିଆଯାଇଛି। ସେଥିରୁ ୨୦୭୦ କୋଟି ଟଙ୍କାକୁ ସ୍ବାସ୍ଥ୍ୟ ଅନୁଷ୍ଠାନର ଭିତ୍ତିଭୂମି ବିକାଶ, ୪୦୦ କୋଟି ଟଙ୍କାକୁ ଏସ୍‌ସିବି ‌ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ର ପୁନଃବିକାଶ ପାଇଁ ବ୍ୟବହାର କରାଯିବ। ନିର୍ମଳ ଯୋଜନା ପାଇଁ ୯୯୭ କୋଟି ଟଙ୍କା ଦିଆଯାଇଥିବା ବେଳେ ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୩୬୪ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଆମ ହସ୍ପିଟାଲ୍‌କୁ ୪୨୦ କୋଟି
ସ୍ବାସ୍ଥ୍ୟକୁ ବଜେଟ୍‌ର ୮% ପାଣ୍ଠି

ସମ୍ବଲପୁରୀ ବାନ୍ଧକଳା ବ୍ରିଫ୍‌କେସ୍‌ରେ ବଜେଟ୍‌
ସମ୍ବଲପୁରୀ ଇକତ୍‌ (ବାନ୍ଧକଳା) ଡିଜାଇନ୍‌ରେ ପ୍ରସ୍ତୁତ ହୋଇଥିବା ବ୍ରିଫ୍‌କେସ୍‌ରେ ବଜେଟ୍‌ ଦସ୍ତାବିଜ୍‌କୁ ଆଣିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହି ବ୍ରିଫ୍‌କେସ୍‌କୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଝିଅ ନିଭ୍ରିତି କୁମାରୀ ମେୱାର ପ୍ରସ୍ତୁତ କରିଛନ୍ତି। ଉଦୟପୁର ମେୱାର ଓ ବଲାଙ୍ଗୀର ପାଟଣାଗଡ଼ର ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ପାରମ୍ପରିକ ହସ୍ତତନ୍ତର ସମିଶ୍ରଣରେ ବିଭିନ୍ନ ଉପହାର, ଅଳଙ୍କାର ବାକ୍ସ ପ୍ରସ୍ତୁତି ସଂସ୍ଥା ଭୋଟାରି ପକ୍ଷରୁ ଏହି ବ୍ରିଫ୍‌କେସ୍‌କୁ ପ୍ରସ୍ତୁତ କରାଯାଇଛି। ପାରମ୍ପରିକ ବ୍ରିଫ୍‌କେସ୍‌ ସହ ଚଳିତ ବର୍ଷ ବଜେଟ୍‌ ଉପସ୍ଥାପନ ନିମନ୍ତେ ସଦସ୍ୟମାନଙ୍କ ପାଇଁ ଟାବ୍‌ଲେଟ୍‌ ବ୍ୟବସ୍ଥା କରାଯାଇଛି। ପେପର୍‌ଲେସ୍‌ ଏବଂ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ହାତପାଆନ୍ତାରେ ସହଜରେ ବଜେଟ୍‌ ତଥ୍ୟ ଉପଲବ୍ଧ ହେଉଛି । ଏଥି ସହ ନ୍ୟାସନାଲ୍‌ ଇ-ବିଧାନ ଆପ୍ଲିକେସନ୍‌ ମାଧ୍ୟମରେ ମଧ୍ୟ ବଜେଟ୍‌ ତଥ୍ୟ ଉପଲବ୍ଧ ହେଉଛି।

daadad

ଓଡ଼ିଶା ଏଆଇ ମିସନ ପ୍ରତିଷ୍ଠା ହେବ
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ହୋଇଥିବା ଅଗ୍ରଗତିରେ ତାଳ ଦେଇ ଆଗକୁ ବଢ଼ିବା ପାଇଁ ସରକାର ସରକାର ‘ଓଡ଼ିଶା ଏଆଇ ମିସନ’ ପ୍ରତିଷ୍ଠା କରିବେ। ଏଆଇ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଲାଗି ଏକ ବୁଝାମଣା ହୋଇଛି। ଏଆଇ ଲକ୍ଷ୍ୟ ହାସଲରେ ସହାୟତା କରିବା ପାଇଁ ୨୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଡିଜିଟାଲ୍ ଓଡ଼ିଆ ଭାଷା ଭଣ୍ଡାର ପ୍ରସ୍ତୁତ କରିବା ପାଇଁ ଓଡ଼ିଆ ଭର୍ଚୁଆଲ୍ ଏକାଡେମିରେ ଏକ ଉତ୍କର୍ଷ କେନ୍ଦ୍ର ଖୋଲାଯିବ।

୮ ନୂଆ ସଫ୍ଟୱେର୍‌ ପାର୍କ ଖୋଲିବ
କେନ୍ଦୁଝର, କୋରାପୁଟ‌ରେ ଡାଟା ସେଣ୍ଟର
୧୦ କୋଟିରେ ସାଇନ୍ସ ସିଟି

ରାଜ୍ୟର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରରେ ୮ଟି ସପ୍ଟୱେର ଟେକ୍ନୋଲୋଜି ପାର୍କ ଖୋଲିବା ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କେନ୍ଦୁଝର ଓ କୋରାପୁଟରେ ଖୋଲିବ ଡାଟା ସେଣ୍ଟର। ଡାଟା ସୁରକ୍ଷା ପାଇଁ ସାଇବର୍‌ ନିରାପତ୍ତା ପରିଚାଳନା କେନ୍ଦ୍ର ବିକାଶ କରାଯିବ। ପୁରୀରେ ଏକ ସମୁଦ୍ର ତଳ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ନିର୍ମାଣ କରାଯିବ। ରାଜ୍ୟରେ ଜୈବ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ୨୩୧ କୋଟି ଟଙ୍କା ଦିଆଯାଇଛି। ଓଡ଼ିଶା ମେରାଇନ୍ ବାୟୋଟେକ୍‌ନୋଲୋଜି ରିସର୍ଚ୍ଚ ଆଣ୍ଡ୍‌ ଇନୋଭେସନ୍ କରିଡର୍‌ ପ୍ରତିଷ୍ଠା କରାଯିବ। ଏଥି ପାଇଁ ୧୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ସାଇନ୍ସ ସିଟି ବିକାଶ କରିବା ପାଇଁ ୧୦ କୋଟି ଟଙ୍କା ଦିଆଯାଇଛି।

ସୁଧୁରିବ ବିଦ୍ୟାଳୟ ପାଠପଢ଼ା, ମାଗଣା ଲାପ୍‌ଟପ୍ ବଣ୍ଟନକୁ ୪୫ କୋଟି

ddaad


ବଜେଟ୍‌ରେ ଶିକ୍ଷା କ୍ଷେତ୍ର ପାଇଁ ୪୧,୨୭୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଥିରୁ ୩୧,୧୮୫ କୋଟି ଟଙ୍କା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦିଆଯାଇଛି। ତେଣୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ାରେ ସୁଧାର ଆସିବ ବୋଲି ଆଶା କରାଯାଇପାରେ। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି ଟଙ୍କା, ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାକୁ ୧୯୩ କୋଟି ଟଙ୍କା, ପଞ୍ଚଶଖା ଶିକ୍ଷା ସେତୁ ଯୋଜନାକୁ ୧୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୮୨ କୋଟି ଟଙ୍କା ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ୯୯୭ କୋଟି ଟଙ୍କା ଦିଆଯାଇଛି। ପିଏମ୍-ପୋଷଣ ପାଇଁ ୬୪୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି ଟଙ୍କା ଦିଆଯାଇଛି। ଉଚ୍ଚ ଶିକ୍ଷା ବିଭାଗ ପାଇଁ ୩୬୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍ ବଣ୍ଟନ ପାଇଁ ୪୫ କୋଟି ଟଙ୍କା, ଆମ କଲେଜ ଆମ‌ ଗୌରବ ପାଇଁ ୧୦ କୋଟି ଓ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୩୦ କୋଟି ଟଙ୍କା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୧୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ବଜେଟ୍‌ରେ ୧୭୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟକୁ ୫୦ କୋଟି ଟଙ୍କା, ଭିସୁଟ୍‌-ବୁର୍ଲାକୁ ୫୦ କୋଟି ଟଙ୍କା ଏବଂ ଇଞ୍ଜିନିୟରିଂ ଓ ପଲିଟେକ୍ନିକ୍ ଭିତ୍ତିଭୂମି ବିକାଶ ପାଇଁ ୧୨୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଦକ୍ଷିଣ,ଉତ୍ତର ଓ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ପାଇଁ ୯୦୦ କୋଟି
ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ପାଇଁ ୫ ଶହ କୋଟି ଟଙ୍କାର ପ୍ରସ୍ତାବ ବଜେଟ୍‌ରେ ଦିଆଯାଇଛି। ଏଥିସହିତ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଓ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ପ୍ରତିଷ୍ଠା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି। ଉଭୟ ପରିଷଦର ସଦସ୍ୟ ସେମାନଙ୍କ ଅଞ୍ଚଳରେ ପୁଞ୍ଜିନିବେଶ, ପ୍ରଶାସନରେ ଉନ୍ନତି ଏବଂ ଲୋକଙ୍କ ଜୀବନଧାରଣର ଗୁଣବତ୍ତା ବୃଦ୍ଧି କରି ଆଞ୍ଚଳିକ ବୈଷମ୍ୟ ଦୂର କରିବା ଦିଗରେ କାର୍ଯ୍ୟ କରିବେ। ଉଭୟ ପରିଷଦ ପାଇଁ ୨୦୦ କୋଟି ଟଙ୍କା ଲେଖାଏଁ ବ୍ୟୟବରାଦ ରଖାଯାଇଛି। ଏଥିସହିତ କେବିକେ ଜିଲ୍ଲାରେ ଭିତ୍ତିଭୂମିର ଉନ୍ନତି ଆଣିବା ପାଇଁ ବେଜେଟ୍‌ରେ ୨୫୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। କନ୍ଧମାଳଗଜପତି ବିକାଶ ଯୋଜନାରେ ଏହି ଦୁଇ ଜିଲ୍ଲାର ଦାରିଦ୍ର୍ୟ ଦୂରୀକରଣ ପାଇଁ ୨୦୨୫-୨୬ ଆର୍ଥିକବର୍ଷରେ ୨୯ କୋଟି ଟଙ୍କା ରଖାଯାଇଛି। ଏଥିସହିତ ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ପୂର୍ବରୁ ଥିବା ୧୫୧ଟି ଗ୍ରାମର ବିଚ୍ଛିନ୍ନ ଗ୍ରାମର ବିକାଶ ପାଇଁ ସେତୁ ଯୋଜନା କାର୍ଯ୍ୟକାରୀ ହେଉଛି। ୨୦୨୫-୨୬ ଆର୍ଥିକବର୍ଷରେ ଏହି ଯୋଜନାରେ ୫୦ ‌କୋଟି ବ୍ୟୟବରାଦ ରଖାଯାଇଛି।