ଓଡ଼ିଶାର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଅମିୟ ଭୂଷଣ ତ୍ରିପାଠୀ ଅବସର ପରେ ଭାରତୀୟ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି। ୧୯୯୫ ମସିହାରୁ ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ୍ କଲ୍ଚରାଲ୍ ହେରିଟେଜ୍ (ଇନ୍ଟାକ୍) ସହ ଜଡ଼ିତ ରହି ଓଡ଼ିଶାର ଅବହେଳିତ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ସକ୍ରିୟ ଭୂମିକା ତୁଲାଇଛନ୍ତି। ଇନ୍ଟାକ୍ର ଓଡ଼ିଶା ରାଜ୍ୟ ଆବାହକ ତଥା ଏହାର ଜାତୀୟ ପରିଚାଳନା କମିଟିର ସଦସ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି ଶ୍ରୀ ତ୍ରିପାଠୀ। ଦୀର୍ଘ ତିନି ଦଶନ୍ଧି ଧରି ଭାରତୀୟ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପ୍ରତି ଉତ୍ସର୍ଗୀକୃତ ସର୍ବବୃହତ୍ ଅଣଲାଭକାରୀ ସଂସ୍ଥାନ ଇନ୍ଟାକ୍ ସହ ଜଡ଼ିତ ରହି ଓଡ଼ିଶାର ସହସ୍ରାଧିକ ପ୍ରାଚୀନ ଐତିହ୍ୟ ଓ କଳାକୃତିର ସୁରକ୍ଷା ଓ ସଂରକ୍ଷଣରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ପରେ ସଂପ୍ରତି ପଦରୁ ଅବ୍ୟାହତି ନେଇଛନ୍ତି ସେ। ଆଜି ବି ଓଡ଼ିଶାରେ ଐତିହ୍ୟ ସଂରକ୍ଷଣ ଆଇନ୍ ପ୍ରଣୟନ ହୋଇପାରିନାହିଁ ଏବଂ ଓଡ଼ିଶା ରକ୍ ଆର୍ଟ ଅତ୍ୟନ୍ତ ସମୃଦ୍ଧ ଥିବା ସତ୍ତ୍ବେ ଅବହେଳିତ ଥିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରନ୍ତି ଶ୍ରୀ ତ୍ରିପାଠୀ। ଇନ୍ଟାକ୍ରୁ ଇସ୍ତଫା ପରେ ତାଙ୍କୁ ସାକ୍ଷାତ କରିଛି ‘ରବିବାର ସମ୍ବାଦ’।
ଦୀର୍ଘ ବର୍ଷ ଧରି ଆପଣ ଇନ୍ଟାକ୍ର ଓଡ଼ିଶା ଆବାହକ କାର୍ଯ୍ୟ କରିଛନ୍ତି। କିନ୍ତୁ ହଠାତ୍ ଏହି ପଦରୁ ଅବ୍ୟାହତି ନେବାର କାରଣ କ’ଣ?
ଦେଖନ୍ତୁ, ଦୀର୍ଘ ବର୍ଷ ଇନ୍ଟାକ୍ରେ କାର୍ଯ୍ୟ କରିବା ମୋ ପାଇଁ ସୌଭାଗ୍ୟର ବିଷୟ। ପିଲାଦିନରୁ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ତଥା ତାହାକୁ ଲୋକଲୋଚନକୁ ଆଣିବା ମୋର ଆଗ୍ରହ ଓ ଦୁର୍ବଳତା ଥିଲା। ପୁଲିସ ପ୍ରଶାସନରେ ଥିବା ସମୟରେ ମଧ୍ୟ ଯଥାସମ୍ଭବ ମୁଁ ଏହି କାର୍ଯ୍ୟ କରୁଥିଲି। ଅବସର ପରେ ଇନ୍ଟାକ୍ରେ ସାମିଲ ହୋଇ ପୂରା ସମୟ ଐତିହ୍ୟର ସୁରକ୍ଷା ପାଇଁ ଦେଲି। ମୋ କାର୍ଯ୍ୟକାଳରେ ଐତିହ୍ୟରାଜିର ଅନୁଧ୍ୟାନ, ସୁରକ୍ଷା ଓ ସଂରକ୍ଷଣ ହୋଇଛି। ବହୁ କୀର୍ତ୍ତି ଲୋକଲୋଚନକୁ ଆସିଛି। ବର୍ତ୍ତମାନ ବୟସାଧିକ୍ୟ କାରଣରୁ ମୋ ଝିଅ ଓ ପରିବାର ମୋତେ ଶାରୀରିକ ପରିଶ୍ରମରୁ ସଂପୂର୍ଣ୍ଣ ବିରତ ରହିବାକୁ କହୁଛନ୍ତି। ତେଣୁ ମୁଁ ଇନ୍ଟାକ୍ର ଦାୟିତ୍ବରୁ ଓହରି ଯିବାକୁ ଚାହିଲି। ସେଥିପାଇଁ ମୁଁ ୨୦୨୪ ଫେବ୍ରୁଆରିରେ ଇନ୍ଟାକ୍ର ତତ୍କାଳୀନ ଚେୟାର୍ମ୍ୟାନ୍ ଜେନେରାଲ୍ ଏଲ୍. କେ. ଗୁପ୍ତାଙ୍କୁ ଚିଠି ଲେଖିଥିଲି। ସେହି ସମୟରେ ସାଧାରଣ ନିର୍ବାଚନ ଓ ପରେ ଇନ୍ଟାକ୍ର ନିର୍ବାଚନ ଥିବା ଯୋଗୁଁ ସେ ମୋତେ ଦାୟିତ୍ବରେ ରହିବାକୁ ଅନୁରୋଧ କରିଥିଲେ। ଏବେ ନୂଆ ଚେୟାରମ୍ୟାନ୍ ଭାବେ ଅଶୋକ ସିଂ ଠାକୁର ଦାୟିତ୍ବ ନେବା ପରେ ତାଙ୍କୁ ମୋତେ ଅବ୍ୟାହତି ଦେବାକୁ ଅନୁରୋଧ କରିଥିଲି। ବୟସ ମୋତେ ଆଉ ସହଯୋଗ କରୁନାହିଁ ବୋଲି ଜଣାଇଥିଲି। ପରିଶେଷରେ ସେ ମୋ କଥାକୁ ଗ୍ରହଣ କରିଛନ୍ତି। ତେଣୁ ଏହାକୁ ଆପଣ ବୟସାଧିକ୍ୟ କାରଣରୁ ଦାୟିତ୍ବରୁ ଅବ୍ୟାହତି କହିପାରିବେ।
ଆପଣଙ୍କର ଚର୍ଚ୍ଚିତ ପୁସ୍ତକ ‘ଜଣେ ଐତିହ୍ୟ କର୍ମୀର କଥା ଓ ବ୍ୟଥା’ରେ କେଉଁ ସବୁ ପ୍ରସଙ୍ଗ ଉପସ୍ଥାପନ କରାଯାଇଛି?
ଐତିହ୍ୟକୁ କିଭଳି ଅଣଦେଖା କରାଯାଉଛି ଏବଂ ଦୃଷ୍ଟିର ଆଢୁଆଳରେ ଥିବା ଅନେକ ଐତିହ୍ୟସ୍ଥଳୀ କିଭଳି ଅବହେଳିତ ହୋଇ ପଡ଼ିରହିଛି; ଏଭଳି କେତେକ ସ୍ପର୍ଶକାତର ପ୍ରସଙ୍ଗକୁ ମୁଁ ଏହି ପୁସ୍ତକରେ ଉପସ୍ଥାପିତ କରିଛି। ୧୯୯୦-୯୧ ମସିହାରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଇନ୍ଟାକ୍ ସହିତ ମିଶି ଐତିହ୍ୟର ସୁରକ୍ଷା ପାଇଁ ପଦକ୍ଷେପ ନେଇଥିଲା। ଇନ୍ଟାକ୍ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ରାଜ୍ୟରେ ପାଖାପାଖି ୬ ହଜାରରୁ ଊର୍ଦ୍ଧ୍ବ ଐତିହ୍ୟସ୍ଥଳୀ ରହିଛି। ସେ ମଧ୍ୟରୁ ଅନେକ ଆଜି ବି ଦୃଷ୍ଟି ଆଢୁଆଳରେ ରହି ଅବେହଳିତ ଅବସ୍ଥାରେ ପଡ଼ିଛି। ଏହାର ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କର ପ୍ରତ୍ନତତ୍ତ୍ବ ବିଭାଗ ଓ କେନ୍ଦ୍ରର ଏଏସ୍ଆଇ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି।
ବିଶ୍ବ ଐତିହ୍ୟସ୍ଥଳ କୋଣାର୍କକୁ ନେଇ ଅନେକ ବାଦବିବାଦ ଦେଖାଦେଇଛି। କୋଣାର୍କର ସଂରକ୍ଷଣ ସକାଶେ ଦେଖାଦେଇଥିବା ଅଚଳାବସ୍ଥାକୁ ଦୂର କରାଯାଉନାହିଁ କାହିଁକି?
ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ କର୍ତ୍ତୃପକ୍ଷ କୋଣାର୍କର ସଂରକ୍ଷଣ ସକାଶେ ୧୧ଟି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏଗୁଡ଼ିକ ମଧ୍ୟରୁ ଶେଷ ୬ଟି ରିପୋର୍ଟ ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପ୍ରାରମ୍ଭିକ କାର୍ଯ୍ୟ ଜରୁରି ଥିଲା, େଯପରିକି ଏହାକୁ ଭୁଶୁଡ଼ି ପଡ଼ିବାରୁ ରକ୍ଷାକରିବା ପାଇଁ ଏଥିରେ ବାଲି ଭର୍ତ୍ତି କରାଯାଇଥିଲା। ୧୯୭୮ ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାନ ମନ୍ଦିରର ବିପଦପୂର୍ଣ୍ଣ ସ୍ଥିତି ସଂପର୍କରେ ସଚେତନ ହେଲା ଏବଂ ପରିସ୍ଥିତିର ଆକଳନ କଲା। ମୁଖ୍ୟ ମନ୍ଦିରରୁ ପାଞ୍ଚଟି ବଡ଼ ପଥର ଖଣ୍ଡ ଖସିବା ପରେ ଯାଇ ୧୯୮୫ରୁ ୧୯୯୦ ମଧ୍ୟରେ ଏହାର ଢାଞ୍ଚାଗତ ସଂରକ୍ଷଣ କରାଯାଇଥିଲା ଏବଂ ଭାରା ମାଧ୍ୟମରେ ଦୁର୍ବଳ ଅଂଶଗୁଡ଼ିକୁ ସୁରକ୍ଷା ପ୍ରଦାନ କରାଯାଇଥିଲା।
ଅମିୟ ଭୂଷଣଙ୍କ ବୃତ୍ତିଗତ ଜୀବନ
୧୯୬୨ ମସିହାରେ ଭାରତୀୟ ପୁଲିସ ସେବାରେ ଯୋଗଦେଇଥିଲେ ଅମିୟ ଭୂଷଣ ତ୍ରିପାଠୀ। ଜଣେ କର୍ମଠ ଓ ଦକ୍ଷ ଅଧିକାରୀ ଭାବେ ସେ ଓଡ଼ିଶା ପୁଲିସ ବିଭାଗର ସର୍ବୋଚ୍ଚ ପଦବିରେ ଅଧିଷ୍ଠିତ ହୋଇ ୧୯୯୭ ମସିହାରେ ଅବସର ଗ୍ରହଣ କରିଥିଲେ। ଦେଶରେ ପୁଲିସ ବ୍ୟବସ୍ଥାର ଆଧୁନିକୀକରଣ ସକାଶେ ବିଦେଶରେ ତାଲିମ ପାଇଁ ତାଙ୍କୁ ଚୟନ କରାଯାଇଥିଲା। ସେ ଇଂଲଣ୍ଡର ଜାତୀୟ ପୁଲିସ କଲେଜରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ସ୍ବଳ୍ପ ଅବଧି ପାଇଁ ସେ ବିଶ୍ବପ୍ରସିଦ୍ଧ ସ୍କଟ୍ଲ୍ୟାଣ୍ଡ ୟାର୍ଡ ପୁଲିସରେ ମଧ୍ୟ କାର୍ଯ୍ୟ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ଏଫ୍.ବି.ଆଇ ବ୍ୟବହାର କରୁଥିବା ସ୍ବୟଂଚାଳିତ ଫିଙ୍ଗର୍ପ୍ରିଣ୍ଟ ଚିହ୍ନଟକରଣ ପଦ୍ଧତି ଶିଖିବା ସକାଶେ ତାଙ୍କୁ ସେଠାକୁ ପଠାଯାଇଥିଲା। ସେ ଜାପାନ ଓ ରୁଷରେ ମଧ୍ୟ ଉଚ୍ଚତର ବୃତ୍ତିଗତ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।
ଓଡ଼ିଶାରେ ତାଙ୍କ ଚାକିରି କାଳରେ ସେ ବହୁ ଦାୟିତ୍ବପୂର୍ଣ୍ଣ ପଦବିରେ କାର୍ଯ୍ୟ କରିଛନ୍ତି। କିନ୍ତୁ ୧୯୯୬ ମସିହାରେ ପୁରୀରେ ଶ୍ରୀଜଗନ୍ନାଥଙ୍କର ନବକଳେବରର ଆୟୋଜନରେ ତାଙ୍କ କାର୍ଯ୍ୟକୁ ସେ ଭୁଲି ପାରିନାହାନ୍ତି। ଏହା ଏକମାତ୍ର ନବକଳେବର ଥିଲା ଯେଉଁଥିରେ ୨୦ ଲକ୍ଷରୁ ଅଧିକ ଭକ୍ତ ଯୋଗ ଦେଇଥିଲେ ମଧ୍ୟ କୌଣସି ଅପ୍ରୀତିକର ଘଟଣା ଘଟି ନ ଥିଲା। ଏହାକୁ ବାଦ୍ ଦେଇ ବିଂଶ ଶତାବ୍ଦୀର ଅଧିକାଂଶ ନବକଳେବରରେ ଦୁର୍ବଳ ପରିଚାଳନା ହେତୁ ଦଳାଚକଟା ଓ ଅଗ୍ନିକାଣ୍ଡ ଭଳି ଅଘଟଣ ଘଟିବା ସହ ଭକ୍ତମାନଙ୍କର ପ୍ରାଣହାନୀ ମଧ୍ୟ ହୋଇଥିଲା। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କ ଗ୍ରନ୍ଥ ‘ଶତାବ୍ଦୀର ଶେଷ କଳେବର’ରେ ଏହା ଉଲ୍ଲେଖ କରିଛନ୍ତି। ସେ ୧୯୯୯ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଜାତୀୟ ମାନବାଧିକାର କମିଶନର ସ୍ବତନ୍ତ୍ର ରିପୋଟିୟର୍ ଭାବେ କାର୍ଯ୍ୟ କରିଥିଲେ ଏବଂ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ତଦନ୍ତରେ ତତ୍କାଳୀନ ଓଡ଼ିଶା ସରକାରଙ୍କୁ କାଠଗଡ଼ାରେ ଠିଆ କରାଇଥିଲେ। ଜଣେ ସଫଳ ପୁଲିସ୍ ଅଧିକାରୀ ଭାବେ ସେ ଜାତୀୟସ୍ତରରେ ମଧ୍ୟ ପରିଚିତି ହାସଲ କରିଥିଲେ। ୧୯୩୯ ମସିହାରେ ସୋନପୁରରେ ଜନ୍ମିତ ଶ୍ରୀ ତ୍ରିପାଠୀ ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ ଶିକ୍ଷା ଲାଭ ପରେ କଟକର ରେଭେନ୍ସା କଲେଜରେ ରାଜନୀତି ବିଜ୍ଞାନରେ ଏମ୍ଏ କରିଥିଲେ।
ଏହାପରେ ଆଉ କ’ଣ କରାଯାଇଛି?
କୋଣାର୍କକୁ ବିଶ୍ବ ଐତିହ୍ୟସ୍ଥଳୀ ଘୋଷଣା କରିବା ପରେ ୟୁେନସ୍କୋ ଦୁଇ ଜଣ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବିଶେଷଜ୍ଞ ବି. ଏମ୍. ଫିଲେନ୍ ଏବଂ ପି. ବ୍ୟାକ୍ମ୍ୟାନଙ୍କ ନେତୃତ୍ବରେ ଏକ କମିଟି ନିଯୁକ୍ତ କରିଥିଲା। ସେମାନେ ମନ୍ଦିରର ସ୍ଥିତିକୁ ଚିନ୍ତାଜନକ ବୋଲି ଦର୍ଶାଇଥିଲେ ଏବଂ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ। ଇଟାଲୀୟ ବିଶେଷଜ୍ଞ ପ୍ରଫେସର ଇଂ. ଜିଓର୍ଜିଓ କ୍ରୋସ୍ ୧୯୯୭ ମସିହାରେ ମନ୍ଦିରର ଏକ ଢାଞ୍ଚାଗତ ବିଶ୍ଳେଷଣ କରିଥିଲେ। ୨୦୧୦ ମସିହାରେ ପ୍ରତ୍ନତତ୍ତ୍ବ ବିଭାଗ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କୁ ଡାକି ମନ୍ଦିରର ଉପର ଭାଗର ଯାଞ୍ଚ କରିବା ପାଇଁ ଅସ୍ଥାୟୀ ଭାରା ତିଆରି କରିଥିଲା। ଏହି କମିଟି ମନ୍ଦିରରୁ ବାଲି ବାହାର କରିବା ସମେତ ଅନେକ ସୁପାରିସ କରିଥିଲା। ଗୋଟିଏ କଣା କରି ମନ୍ଦିର ଭିତରର ଅବସ୍ଥାର ମୂଲ୍ୟାଙ୍କନ ପାଇଁ ଏଣ୍ଡୋସ୍କୋପିକ୍ ଭିଡିଓଗ୍ରାଫିକ୍ କ୍ୟାମେରା ପଠାଇବାକୁ ପ୍ରସ୍ତାବ ଦିଆଯାଇଥିଲା।
କୋଣାର୍କର ସୁରକ୍ଷା ଓ ସଂରକ୍ଷଣ ଲାଗି ଇନ୍ଟାକ୍ କିଭଳି ଭୂମିକା ଗ୍ରହଣ କରିଛି?
ମୁଁ ଇନ୍ଟାକ୍ ପକ୍ଷରୁ ବାରମ୍ବାର କୋଣାର୍କର ସୁରକ୍ଷାକୁ ନେଇ ଗୋଟିଏ କମିଟି ଗଠନ କରିବା ଲାଗି ଦାବି କରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ। ରାଜ୍ୟ ସରକାର ବାରମ୍ବାର ଏହା କେନ୍ଦ୍ରର ଦାୟିତ୍ବ କହି କୋଣାର୍କର ସୁରକ୍ଷାକୁ ଟାଳି ଦେଉଛନ୍ତି। ତେଣେ କେନ୍ଦ୍ର ସବୁବେଳେ ଏକପ୍ରକାର ଟାଳଟୁଳ ନୀତି ଅବଲମ୍ବନ କରୁଛି। ରାଜ୍ୟରେ ପ୍ରଫୁଲ୍ଲ ସାମଲ ସଂସ୍କୃତି ମନ୍ତ୍ରୀ ଥିବା ସମୟରେ ଗୋଟିଏ କମିଟି ଗଠନ କରିଥିଲେ, କିନ୍ତୁ ଏହା କ୍ଷଣସ୍ଥାୟୀ ଥିଲା। ଆଜି ବି ଜଗମୋହନ ଭିତରେ ବାଲି ପଶି ରହିଛି। ଏ ସବୁର ସଂରକ୍ଷଣ ପାଇଁ କୌଣସି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।
ଭାରତରୁ ଲୁଟ୍ ହୋଇ ବିଶ୍ବର ବିଭିନ୍ନ ସଂଗ୍ରହାଳୟରେ ରହିଥିବା ଅସଂଖ୍ୟ ମୂର୍ତ୍ତିକୁ ଫେରାଇ ଆଣିବା ସଂପର୍କରେ ଆପଣ କ’ଣ କହିବାକୁ ଚାହିବେ?
କୋହିନୁର ହୀରା, ସୁଲତାନଗଞ୍ଜର ବୁଦ୍ଧ ଏବଂ ବର୍ତ୍ତମାନ ବ୍ରିଟିସ୍ ସଂଗ୍ରହାଳୟରେ ଥିବା ଅନ୍ୟାନ୍ୟ ଅମୂଲ୍ୟ କଳାକୃତିଗୁଡ଼ିକ ଉପରେ ଭାରତର ଅଧିକାର ଅଛି। ଏହି କଳାକୃତିଗୁଡ଼ିକର ପ୍ରତ୍ୟାବର୍ତ୍ତନକୁ ଉଗ୍ର ଜାତୀୟତାବାଦୀ କୋଳାହଳ ରୂପେ ବିବେଚନା କରାଯିବା ଉଚିତ ନୁହେଁ। ବରଂ ଏହି କଳାକୃତିଗୁଡ଼ିକୁ ଆମର ଅମୂଲ୍ୟ ଐତିହ୍ୟର ଅଂଶ ରୂପେ ବିବେଚନା କରାଯିବା ଉଚିତ। ଔପନିବେଶିକ ଶାସନ କାଳରେ ଏହି କଳାକୃତିଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ଲୁଣ୍ଠନ କରାଯାଇଥିଲା ଅଥବା ତ୍ରୁଟିପୂର୍ଣ୍ଣ ଭାବରେ ବ୍ରିଟିଶ ସଂଗ୍ରହାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଆନ୍ତର୍ଜାତିକ ଆଇନ ଏପରି ପ୍ରାଚୀନ କଳାକୃତିଗୁଡ଼ିକର ବିକ୍ରି ଓ ବ୍ୟବସାୟକୁ ନିଷିଦ୍ଧ କରିଛି। ବିଦେଶରେ ରହିଥିବା ଏହି ସାମଗ୍ରୀଗୁଡ଼ିକ ମଧ୍ୟରୁ ଅନେକର ଧାର୍ମିକ ଗୁରୁତ୍ବ ରହିଛି। ଏହାକୁ ଧ୍ୟାନରେ ରଖି ଏହି କଳାକୃତିଗୁଡ଼ିକୁ ତୁରନ୍ତ ଫେରାଇ ଦିଆଯିବା ଉଚିତ।