ବିଜେଡି, ବିଜେପି, ଏସ୍‌ପି, ବିଏସ୍‌ପି, ଟିଏମ୍‌ସି, ଜେଡି ଓ ଆପ୍‌ ଆଦି ନାମରେ ରେଳ ଷ୍ଟେସନ୍। କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ରେଳ ଟିକଟରେ ଉପରୋକ୍ତ ରେଳ ଷ୍ଟେସନ୍‌ ନାମ ସମ୍ପର୍କରେ ହୁଏତ ଯାତ୍ରୀ ଆସିଥିବେ, କିନ୍ତୁ ଧ୍ୟାନ ଦେଇନଥିବେ। ଉଦାହରଣ ସ୍ବରୂପ ଗୁଜରାଟର ବାରେଜଦିର ରେଳ ଷ୍ଟେସନ। ରେଲୱେ ପଦ୍ଧତି (ସିଷ୍ଟମ୍‌)ରେ ଏହାର ନାମ ବିଜେଡି ଫିଡ୍‌ ହୋଇଛି। ଯଦି ଯାତ୍ରୀ ଉକ୍ତ ଗନ୍ତବ୍ୟସ୍ଥଳ ପାଇଁ ଟିକଟ ବୁକ୍‌ କରିବେ, ଟିକଟରେ ଗନ୍ତବ୍ୟ ସ୍ଥଳର ନାମ ବିଜେଡି ଲେଖାଯିବ। ରେଳୱେ ସିଷ୍ଟମରେ ଷ୍ଟେସନ ନାମ ପାଇଁ ଏହି କୋଡ୍‌ ଫିଡ୍‌ ‌ହୋଇଛି। ଟାଇମ ଟେବୁଲ ଠାରୁ ଆରମ୍ଭ କରି ଟିକଟ ପର୍ଯ୍ୟନ୍ତ ସବୁଥିରେ ଏହି କୋଡ୍‌ ରହିଛି।

Advertisment

ଗୋରଖପୁରର କୋଡ୍‌ ଜିକେପି ରହିଛି। ଜିକେପି ହେଉଛି ଜନ କ୍ରାନ୍ତି ପାର୍ଟି। ସେହିଭଳି କର୍ଣ୍ଣାଟକର ବିଜୟାପୁରା (ବିଜାପୁର) ପାଇଁ ଟିକଟ ନେ‌ଲେ ଏଥିରେ ବିଜେପି ପ୍ରତୀତ ହେବ। ଛତିଶଗଡ଼ର ବିଳାସପୁରର କୋଡ୍‌ ବିଏସ୍‌ପି ରହିଥିବାବେଳେ ତାମିଲନାଡ଼ୁର ସୟେଦ୍‌ ପେଟ୍ ରେଳ ଷ୍ଟେସନର ‌କୋଡ୍‌ ଏସ୍‌ପି ରହିଛି। ସେହିଭଳି ଉତ୍ତର ପ୍ରଦେଶର ଆମ୍ବିୟାପୁର ଷ୍ଟେସନ୍‌ର କୋଡ୍‌ ହେଲା ଆପ। ଆନ୍ଧ୍ର ପ୍ରଦେଶର ତାଲମଞ୍ଚି ‌ଷ୍ଟେସନର କୋଡ୍‌ ଟିଏମ୍‌ସି ବୋଲି ରେଲୱେ ସିଷ୍ଟମରେ ରହିଛି।

କେବଳ ସେତିକି ନୁହେଁ, ରେଲୱେ ସିଷ୍ଟମରେ ପିଏମ୍‌ ଓ ସିଏମ୍‌ ଷ୍ଟେସନ କୋଡ୍‌ ରହିଛି। ଦିଲ୍ଲୀର ପାଲାମ ଷ୍ଟେସନ୍‌‌ର କୋଡ୍‌ ପିଏମ୍‌ ରହିଥିବାବେଳେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର କୈମ୍ପିୟରଗଞ୍ଜ ଷ୍ଟେସନର କୋଡ୍‌ ସିଏମ୍‌ ରହିଛି। ଷ୍ଟେସନର କୋଡ୍‌ ବ୍ୟବହାର ‌ରେଲୱେର ଆଭ୍ୟନ୍ତରୀଣ କାର୍ଯ୍ୟ ପାଇଁ ବ୍ୟବହାର ହୋଇଥାଏ। ବାଣିଜ୍ୟ ବିଭାଗରେ ମାଲ ଓ ପାର୍ସଲ‌୍ ବୁକିଂ ବେଳେ ଏହି କୋଡ୍‌ ଆଧାରରେ ହୋଇଥାଏ। ପରିଚାଳନ‌ା ବିଭାଗ ମଧ୍ୟ ଷ୍ଟେସନ କୋଡ୍‌ର ବ୍ୟବହାର କରିଥାଏ। ହେଲେ ରାଜ‌ନୈତିକ ଦଳର ନାମ ବହନ କରୁଥିବା ଷ୍ଟେସନ କୋଡ୍‌ ସାଧାରଣରେ କୌତୁହଳ ସୃଷ୍ଟି କରୁଛି।