ମହାନ ବୈଜ୍ଞାନିକ ଷ୍ଟିଫେନ୍ ହକିଂଙ୍କ ଦେହାବସାନ ସହିତ ବ୍ରହ୍ମାଣ୍ଡ ବିଜ୍ଞାନର ଗବେଷଣା କ୍ଷେତ୍ରରେ ଏକ ଯୁଗର ଅବସାନ ଘଟିଛି । ବ୍ରହ୍ମାଣ୍ଡ ବିଜ୍ଞାନର ସର୍ବାଧିକ ଚର୍ଚ୍ଚିତ ବୈଜ୍ଞାନିକ ଷ୍ଟିଫେନ୍ ତାଙ୍କର ଅପୂର୍ବ ନିଷ୍ଠା ଓ ସାଧନା ବଳରେ ବ୍ରହ୍ମାଣ୍ଡ ସର୍ଜନା ବାବଦ ଅନେକ ରହସ୍ୟର ନିକଟତର ହୋଇଥିଲେ। ଶାରିରୀକ ଅକ୍ଷମତା ସତ୍ତ୍ୱେ ସେ ନିଜର ଗବେଷଣା କାର୍ଯ୍ୟ ବଜାୟ ରଖି ଅନେକ ବିରଳ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ। ସୃଷ୍ଟିର ଗଠନ ଓ ରହସ୍ୟ କ୍ଷେତ୍ରରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଥିବା ଷ୍ଟିଫେନ୍ କୃଷ୍ଣଗର୍ତ୍ତକୁ ନେଇ ଅନେକ ବିସ୍ମୟକର ତଥ୍ୟ ରଖିଛନ୍ତି। ମାତ୍ର ୨୨ ବର୍ଷ ବୟସରେ ୧୯୬୪ ମସିହାରେ ଏକ ବିରଳ ରୋଗ ମୋଟର୍ ନ୍ୟୁରୋନ୍ରେ ପୀଡ଼ିତ ହୋଇ ଷ୍ଟିଫେନ୍ ସମ୍ପୂର୍ଣ୍ଣ ପକ୍ଷାଘାତର ଶିକାର ହୋଇଥିବା ବେଳେ ସର୍ବଦା ହ୍ଵିଲଚେୟାର ଉପରେ ନିର୍ଭରଶୀଳ ଥିଲେ। ବିଶ୍ୱର ଅନ୍ୟତମ ବେଷ୍ଟସେଲ୍ର ପୁସ୍ତକ ‘ ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍’ର ଲେଖକ ଷ୍ଟିଫେନ୍ ବ୍ରହ୍ମାଣ୍ଡକୁ ବୁଝିବା ଓ ବୁଝାଇବାରେ ତାଙ୍କର ଜୀବନର ପ୍ରତ୍ୟେକଟି କ୍ଷଣକୁ ବିନିଯୋଗ କରୁଥିଲେ। ନୋବେଲ ପୁରସ୍କାରରୁ ବଞ୍ଚିତ ହୋଇଥିବା ଏହି ମହାନ ବୈଜ୍ଞାନିକ ଗୁରୁତ୍ୱାକର୍ଷଣ, ବ୍ରହ୍ମାଣ୍ଡ ବିଜ୍ଞାନ, କ୍ୱାଣ୍ଟମ ଥିଓରି, ସୂଚନା ସିଦ୍ଧାନ୍ତ ଏବଂ ଥର୍ମାଡାୟନାମିକ୍ସକୁ ଏକ ସଙ୍ଗରେ ଗବେଷଣା କରି ଆଲୋଡ଼ନ ସୃଷ୍ଟି କରିଥିଲେ। ବ୍ଲାକ୍ହୋଲ୍ ବା କୃଷ୍ଣଗର୍ତ୍ତକୁ ନେଇ ଚାଲିଥିବା ଗବେଷଣାକୁ ଷ୍ଟିଫେନ୍ ନୂଆ ମୋଡ଼ ଦେବାରେ ସକ୍ଷମ ହୋଇଥିବା ବେଳେ ଏହାକୁ ନେଇ ପରବର୍ତ୍ତୀ ଗବେଷଣା କ୍ଷେତ୍ରରେ ବିଶାଳ ସମ୍ଭାବନା ସୃଷ୍ଟି ହୋଇଛି। ଷ୍ଟିଫେନ୍ଙ୍କୁ ତାଙ୍କ ଶାରିରୀକ ଅକ୍ଷମତା ସାଧନାରୁ ବିଚ୍ୟୁତ କରିପାରି ନଥିଲା। ଭଏସ୍ ସିନ୍ଥେସାଇଜର ସହାୟତାରେ ହିଁ ସେ ନିଜ ଭାବନାକୁ ବ୍ୟକ୍ତ କରୁଥିଲେ। ଷ୍ଟିଫେନଙ୍କ ପାଇଁ ଏକ ସ୍ୱତନ୍ତ୍ର କମ୍ପ୍ୟୁଟର ସଫ୍ଟେଓ୍ଵର ପ୍ରସ୍ତୁତ କରାଯାଇଥିଲା ଯାହା ତାଙ୍କ ମୁହଁର ଭାବପ୍ରକାଶକୁ ଚିହ୍ନଟ କରି ଶବ୍ଦ ଚୟନ କରୁଥିଲା । ଷ୍ଟିଫେନ୍ ହକିଂଙ୍କ ଜନ୍ମ ଓ ଦେହାନ୍ତ ସ୍ମରଣୀୟ ଦିନରେ ହୋଇଛି। ମାର୍ଚ୍ଚ ୧୪ ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍ଷ୍ଟାଇନ୍ଙ୍କ ୧୩୯ତମ ଜୟନ୍ତୀ ହୋଇଥିବା ବେଳେ ଏହି ଦିନ ହକିଂଙ୍କ ଦେହାନ୍ତ ହେବା ଏକ ସଂଯୋଗ। ୧୯୪୨ ମସିହା ଜାନୁଆରି ୮ ତାରିଖରେ ଜନ୍ମଲାଭ କରିଥିବା ଷ୍ଟିଫେନଙ୍କ ଜନ୍ମଦିନରେ ବୈଜ୍ଞାନିକ ଗାଲିଲିଓଙ୍କର ୩ ଶହ ତମ ଶ୍ରାଦ୍ଧ ବାର୍ଷିକୀ ଥିଲା। ଆଇନ୍ଷ୍ଟାଇନ୍ ଉଭୟେ ୭୬ବର୍ଷ ବୟସରେ ଦେହତ୍ୟାଗ କରିଥିବା ବେଳେ ଷ୍ଟିଫେନ୍ଙ୍କର ମଧ୍ୟ ୭୬ ବର୍ଷରେ ପରଲୋକ ଘଟିଛି।
ଷ୍ଟିଫେନ୍ଙ୍କ ଜୀବନୀ
ନୂଆଦିଲ୍ଲୀ : ଗାଲିଲିଓଙ୍କ ମୃତ୍ୟୁର ଠିକ୍ ୩୦୦ ବର୍ଷ ପରେ ପ୍ରଫେସର ଷ୍ଟିଫେନ୍ ହକିଂ ୧୯୪୨ ମସିହା ଜାନୁଆରି ୮ତାରିଖରେ ଇଂଲଣ୍ଡର ଅକ୍ସଫୋର୍ଡରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ମା’ଙ୍କ ବାସସ୍ଥାନ ଉତ୍ତର ଲଣ୍ଡନରେ । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେମାନଙ୍କ ସନ୍ତାନଙ୍କ ନିମନ୍ତେ ଏକ ସୁରକ୍ଷିତ ସ୍ଥାନ ଉଦ୍ଦେଶ୍ୟରେ ସେମାନେ ସେଣ୍ଟ୍ ଆଲବନ୍ସକୁ ଚାଲି ଆସିଥିଲେ। ଉତ୍ତର ଲଣ୍ଡନଠାରୁ ଏହା ୨୦ ମାଇଲ୍ ଦୂର। ସେ ସମୟରେ ଷ୍ଟିଫେନଙ୍କୁ ମାତ୍ର ୮ ବର୍ଷ ବୟସ ହୋଇଥିଲା। ୧୧ ବର୍ଷ ବୟସରେ ଷ୍ଟିଫେନ୍ ସେଣ୍ଟ ଆଲବନ୍ସ ସ୍କୁଲ୍ ଗଲେ ଏବଂ ୧୯୫୨ ମସିହାରେ ସେ ୟୁନିଭର୍ସିଟି କଲେଜ୍ ଅକ୍ସଫୋର୍ଡରେ ଅଧ୍ୟୟନ କରିଥିଲେ। ଷ୍ଟିଫେନ୍ ଗଣିତ ପଢ଼ିବାକୁ ଚାହିଥିଲେ କିନ୍ତୁ ତାଙ୍କ ବାପା ଚାହିଥିଲେ ସେ ମେଡିସିନ୍ରେ ଅଧ୍ୟୟନ କରନ୍ତୁ। ତେବେ ୟୁନିଭର୍ସିଟି କଲେଜ୍ରେ ଗଣିତ ନଥିବାରୁ ସେ ପଦାର୍ଥ ବିଜ୍ଞାନକୁ ବାଛିଥିଲେ। ତେବେ ତିନି ବର୍ଷପରେ ବିନା କଠୋର ପରିଶ୍ରମରେ ସେ ପ୍ରକୃତି ବିଜ୍ଞାନରେ ଫାଷ୍ଟ କ୍ଲାସ ଅନର୍ସ ଡିଗ୍ରୀ ହାସଲ କରିଥିଲେ। ଏହାପରେ ୧୯୬୨ ମସିହାରେ ଷ୍ଟିଫେନ ବ୍ରହ୍ମାଣ୍ଡ ବିଜ୍ଞାନରେ ଗବେଷଣା କରିବାପାଇଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଡିପାର୍ଟମେଣ୍ଟ ଅଫ ଆପ୍ଲାଏଡ ମ୍ୟାଥମେଟିକ୍ସ ଆଣ୍ଡ ଥିଓରିଟିକାଲ ଫିଜିକ୍ସ (ଡିଏଏମଟିପି)ରେ ପହଞ୍ଚିଥିଲେ। ୧୯୬୫ ମସିହାରେ ଥେସିସ୍ ପେପର ‘ ପ୍ରପର୍ଟିଜ୍ ଅଫ ଏକ୍ସପାଣ୍ଡିଙ୍ଗ ୟୁନଭର୍ସେସ୍’ ସହ ସେ ପିଏଚ୍ଡି ହାସଲ କଲେ ଏବଂ ୧୯୬୫ ମସିହାରେ ସେ ପ୍ରଥମ କରି ରିସର୍ଚ୍ଚ ଫେଲୋ ହେଲେ। ବ୍ୟକ୍ତିଗତ ଜୀବନ ଏବଂ ବିବାହ : ଷ୍ଟିଫେନ୍ କେମ୍ବ୍ରିଜ୍ରେ ଗ୍ରାଜୁଏଟ୍ ଛାତ୍ର ଥିବାବେଳେ ଜାନେ ଓ୍ଵିଲ୍ଡେଙ୍କ ସହ ତାଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ଜାନେ ହକିଂଙ୍କର ଭଉଣୀଙ୍କ ସାଙ୍କ। ତେବେ ହକିଂଙ୍କର ମୋଟର ନ୍ୟୁରୋନ ରୋଗ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ତାଙ୍କର ଜାନେଙ୍କ ସହ ଭେଟ ହୋଇଥିଲା। ୧୯୬୪ ମସିହାରେ ନିର୍ବନ୍ଧ ହୋଇଥିଲା ଏବଂ ୧୯୬୫ ମସିହା ଜୁଲାଇ ୧୪ ତାରିଖରେ ଉଭୟ ବିବାହ କରିଥିଲେ।
ଏ ବ୍ରିଫ୍ ହିଷ୍ଟୋରି ଅଫ୍ ଟାଇମ୍
ନୂଆଦିଲ୍ଲୀ : ଷ୍ଟିଫେନ୍ ହକିଂ ୧୯୮୮ ମସିହାରେ ଲେଖିଥିବା ‘ଏ ବ୍ରିଫ୍ ହିଷ୍ଟୋରି ଅଫ୍ ଟାଇମ୍’ ହେଉଛି ତାଙ୍କର ସବୁଠୁରୁ ଚର୍ଚ୍ଚିତ ପୁସ୍ତକ। ସୃଷ୍ଟିର ରହସ୍ୟ ସମ୍ବନ୍ଧରେ ଲିଖିତ ଏହି ପୁସ୍ତକ ୨୦ ବର୍ଷ ମଧ୍ୟରେ ୧କୋଟିରୁ ଊର୍ଦ୍ଧ୍ୱ ବିକ୍ରି ହୋଇ ଏକ ରେକର୍ଡ ସୃଷ୍ଟି କରିଛି। ଏହି ପୁସ୍ତକରେ ବିନା କୌଣସି ବୈଷୟିକ ଶବ୍ଦର ବ୍ୟବହାର କରି ସେ ପୃଥିବୀର ଅକାର,ଆକୃତି,ସୃଷ୍ଟି,ବିକାଶ ଆଦି ସମ୍ପର୍କରେ ଗଭୀରଭାବେ ଅନୁଶୀଳନ କରିଛନ୍ତି। ବିଶ୍ୱତତ୍ତ୍ୱ ଆଧାରିତ କୃଷ୍ଣ ଗର୍ତ୍ତ ଓ ବିଗ୍ ବ୍ୟାଙ୍ଗ ଥିଓରି ପରି ବିଷୟଗୁଡ଼ିକ ସମ୍ବନ୍ଧରେ ମଧ୍ୟ ସେ ଏହି ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ଏହି ପୁସ୍ତକ ଆଧାରରେ ୧୯୯୨ ମସିହାରେ ‘ଏ ବ୍ରିଫ୍ ହିଷ୍ଟୋରି ଅଫ୍ ଟାଇମ୍’ ନାମକ ଚଳଚ୍ଚତ୍ର ମଧ୍ୟ ନିର୍ମାଣ କରାଯାଇଛି।
ନୋବେଲ୍ରୁ ବଞ୍ଚିତ ଷ୍ଟିଫେନ୍
ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ଙ୍କ ପରେ ସର୍ବଶ୍ରେଷ୍ଠ ଭୌତିକ ବିଜ୍ଞାନୀ ଭାବେ ପରିଗଣିତ ଷ୍ଟିଫେନ୍ ହକିଂ ନୋବେଲ ପୁରସ୍କାର ପାଇ ପାରିନାହାନ୍ତି। ‘ବ୍ଲାକ୍ ହୋଲ୍’ଗୁଡ଼ିକ କ୍ଷୟ ହୋଇଯାଏ ବୋଲି ସିଦ୍ଧାନ୍ତରେ ପହଞ୍ଚିଥିବା ଷ୍ଟିଫେନ୍ଙ୍କ ଯୁକ୍ତିକୁ ଏକ ବଳିଷ୍ଠ ତତ୍ତ୍ୱ ଭାବେ ଗ୍ରହଣ କରଯାଇଥିଲା। ଥିଓରିଟିକାଲ ଫିଜିକ୍ସରେ ଏହାକୁ ଯଥେଷ୍ଟ ଗୁରୁତ୍ୱ ମିଳିଥିଲେ ମଧ୍ୟ ‘ବ୍ଲାକ୍ ହୋଲ୍’ଗୁଡ଼ିକର ସତ୍ୟତା ପ୍ରତିପାଦନ କରିବା ସମ୍ଭବ ନଥିବାରୁ ଷ୍ଟିଫେନ୍ ନୋବେଲ ପୁରସ୍କାର ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ସିଦ୍ଧାନ୍ତକୁ ପ୍ରମାଣିତ କରିବା ପାଇଁ ନିର୍ଦ୍ଦିଷ୍ଟ ଉପାୟ ନଥିବା ବେଳେ ଏହି ତତ୍ତ୍ୱକୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପର୍ଯ୍ୟବେକ୍ଷଣ କରିବା ସମ୍ଭାବନା ମଧ୍ୟ ନାହିଁ। କୋଟି କୋଟି ବର୍ଷର ସମୟ ଯାତ୍ରା ଭିତରେ କୃଷ୍ଣଗର୍ତ୍ତର ବିସ୍ଫୋରଣ ସ୍ଥିତି ନେଇ ନିର୍ଦ୍ଧିଷ୍ଟ ତଥ୍ୟ ନଥିବାରୁ ଷ୍ଟିଫେନ୍ଙ୍କୁ ନୋବେଲ ପୁରସ୍କାର ଦେବା ସମ୍ଭବ ହୋଇନାହିଁ ବୋଲି କୁହାଯାଇଛି ।
ବିରଳ ରୋଗ ଏଏଲ୍ଏସ୍ କ’ଣ ?
ଜାନୁଆରୀ ୨, ୧୯୪୨ : ଦୀର୍ଘ ୫ ଦଶନ୍ଧି ଧରି ବିରଳ ସ୍ନାୟୁଗତ ରୋଗ ଆମିଓଟ୍ରୋଫିକ୍ ଲ୍ୟାଟେରାଲ ସ୍ଲେରୋସିସ୍ (ଏଏଲଏସ)ରେ ପୀଡ଼ିତ ଥିଲେ ଷ୍ଟିଫେନ। ଏହି ରୋଗ ଷ୍ଟିଫେନ୍ଙ୍କ ଜୀବନକୁ ଦୁର୍ବିସହ କରିଦେଇଥିଲେ ମଧ୍ୟ ବିଜ୍ଞାନ ପ୍ରତି ଥିବା ତାଙ୍କ ପ୍ରବଳ ଆଗ୍ରହକୁ ଦମନ କରିପାରି ନଥିଲା। ତେବେ ଏହି ବିରଳ ରୋଗ ଚିହ୍ନଟ ହେବାପରେ ମାତ୍ର ୨ରୁ ୩ବର୍ଷ ପର୍ଯ୍ୟନ୍ତ ରୋଗୀ ବଞ୍ଚିପାରେ ବୋଲି କୁହାଯାଏ। କିନ୍ତୁ ଷ୍ଟିଫେନ୍ଙ୍କ କ୍ଷେତ୍ରରେ ବିରଳ ବ୍ୟତିକ୍ରମ ହୋଇଥିଲା। ସ୍ନାୟୁଗତ ଜଟିଳ ଅବସ୍ଥା ମସ୍ତିଷ୍କ ଏବଂ ସ୍ପାଇନାଲ କର୍ଡର ମୋଟର ନର୍ଭ ସେଲ୍କୁ ଆକ୍ରମଣ କରିଥାଏ। ଫଳରେ ମାଂସପେଶୀ ସହ ଯୋଗାଯୋଗ ବିଚ୍ଛିନ ହେବାଦ୍ୱାରା ବ୍ୟକ୍ତି ପକ୍ଷାଘାତର ଶିକାର ହୁଏ। ତେବେ ପ୍ରାରମ୍ଭରେ ମାଂସପେଶୀ ଦୁର୍ବଳତାରୁ ଆରମ୍ଭ ହୋଇଥିବା ଏହି ରୋଗ ଧୀରେ ଧୀରେ ବ୍ୟକ୍ତିର ଚାଲିବା, କଥା କହିବା ଏବଂ ନିଶ୍ୱାସ ନେବାର ଶକ୍ତିକୁ ନଷ୍ଟ କରିଦିଏ। ଏହି ଦୁଃସାଧ୍ୟ ରୋଗ ଖୁବ୍ ବିରଳ। ପ୍ରତିବର୍ଷ ୧ ଲକ୍ଷ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ୨ ଜଣଙ୍କୁ ଏହି ରୋଗ ହୋଇଥାଏ। ତେବେ ନିର୍ଦ୍ଦିଷ୍ଟ ଭାବେ ୫୫ରୁ ୬୫ ବର୍ଷ ବୟସର ଲୋକମାନଙ୍କ କ୍ଷେତ୍ରରେ ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ।
ପଦାର୍ଥ ବିଜ୍ଞାନ ଓ ଗଣିତରେ ଭାରତୀୟ ନିପୁଣ
୨୦୦୧ ମସିହାରେ ୧୬ ଦିନିଆ ଭାରତ ଗସ୍ତରେ ଆସିଥିବା ଷ୍ଟିଫେନ୍ ହକିଂ କହିଥିଲେ ଯେ ଭାରତୀୟଙ୍କ ମଧ୍ୟରେ ବିଜ୍ଞାନ ଓ ଗଣିତ ପ୍ରତି ପ୍ରବଳ ଆଗ୍ରହ ରହିଛି। ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଭାଗନେଇ ସେ କହିଥିଲେ , ପଦାର୍ଥ ବିଜ୍ଞାନ ଓ ଗଣିତରେ ଭାରତୀୟମାନେ ବେଶ୍ ନିପୁଣ। ରାଜଧାନୀ ଦିଲ୍ଲୀରେ ତତ୍କାଳୀନ ରାଷ୍ଟ୍ରପତି କେ.ଆର୍ ନାରାୟଣନ୍ଙ୍କ ସହ ସାକ୍ଷାତକାରରେ ସେ କହିଥିଲେ , ଯଦି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଅଧିକ ସୁଯୋଗ ମିଳିପାରନ୍ତା ତେବେ ବିଶ୍ୱର ସବୁଠୁ ଅଧିକ ବୈଜ୍ଞାନିକ ଏଠାରୁ ବାହାରିପାରନ୍ତେ। ନାରାୟଣନ କହିଥିଲେ ଷ୍ଟିଫେନ୍ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ ଏତେ ବଡ଼ ବୈଜ୍ଞାନିକ ହେବା ଗର୍ବର କଥା। ତେଣୁ ସେ ଆମ ଦେଶର ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ଆଦର୍ଶ ହେବେ ବୋଲି ତତ୍କାଳୀନ ରାଷ୍ଟ୍ରପତି କହିଥିଲେ। ୨୦୧୨ ମସିହାରେ ଲଣ୍ଡନ ପାରା ଅଲମ୍ପିକ୍ସର ମୁଖ୍ୟ ଆକର୍ଷଶ ଥିବା ବୈଜ୍ଞାନିକ ହକିଙ୍ଗ୍ ଏକଥା ବି ସ୍ୱୀକାର କରିଥିଲେ ଯେ, ଆର୍ଯ୍ୟଭଟ୍ଟ ଓ ଚାଣକ୍ୟଙ୍କ ଭଳି ବ୍ୟକ୍ତିଙ୍କ ଶିକ୍ଷାରୁ ହିଁ ଗଣିତ ଓ ବିଜ୍ଞାନ ସେ ଶିକ୍ଷା କରିପାରିଛନ୍ତି।