ଆଜି ଆମେ ଯେତେବେଳେ ଅନ୍ତର୍ଜାତୀୟ ଶିଶୁୁ ଦିବସ ପାଳନ କରୁଛେ, ଆମେ ଜାଣିଛେ ଯୁଦ୍ଧ ଓ ଅାତଙ୍କବାଦର ସଂଘର୍ଷ ମଧ୍ୟରେ ପୃଥିବୀର ଲକ୍ଷାଧିକ ଶିଶୁଙ୍କ ଜୀବନ ଛାରଖାର ହୋଇଯାଇଛି। ହଜାର ହଜାର ଶିଶୁ ଘର ଓ ପରିବାର ହରାଇ ଅନାଥ ହୋଇଛନ୍ତି। ଶହ ଶହ ଶିଶୁ ଭିନ୍ନକ୍ଷମ ହୋଇ ଅସହାୟ ଜୀବନ ବିତାଉଛନ୍ତି। ଶେଷରେ ଶରଣାର୍ଥୀ ଶିବିରରେ ଦିନ କାଟୁଛନ୍ତି। ଜାତିସଂଘର ତଥ୍ୟ କହେ, କେବଳ ୨୦୨୩ ମସିହାରେ ମାତ୍ର ୨୬ଟି ଯୁଦ୍ଧ ଓ ସଂଘର୍ଷ ଅଞ୍ଚଳର ୨୨,୫୫୭ ଶିଶୁଙ୍କ ଉପରେ ପାଶବିକ ଅତ୍ୟାଚାର ହୋଇଛି। ଯଦି ଏହି ଅପରାଧର ଆଇନଗତ ଦିଗକୁ ବିଚାର କରାଯିବ ତେବେ ୩୨,୯୯୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହେବ। ସେହିପରି ଯୁଦ୍ଧ ଯୋଗୁଁ ୫,୩୦୧ ଶିଶୁ ମୃତ୍ୟୁବରଣ କରିଥିବାବେଳେ ୬,୩୪୮ ଜଣ ଶିଶୁ ଭିନ୍ନକ୍ଷମ ହୋଇଯାଇଛନ୍ତି। ତେବେ ବାସ୍ତବ ସଂଖ୍ୟାଠାରୁ ଏହା ଯଥେଷ୍ଟ କମ୍। ୨୦୨୪ ମସିହାର ମଧ୍ୟଭାଗ ସୁଦ୍ଧା ଉପରୋକ୍ତ ତଥ୍ୟର ପରିମାଣ ୩୫ ପ୍ରତିଶତ ଅଧିକ ହୋଇଛି। ଏଭଳି ଦୁଃସ୍ଥିତି ଭିତରେ ଆଶାର ଆଲୋକ ବର୍ତ୍ତିକା ସ୍ବରୂପ ଉଭା ହୋଇଛନ୍ତି କେତେକ ଶିଶୁକନ୍ୟା। ଯୁଦ୍ଧଭୂଇଁରେ ହାରିଯାଇ ମଧ୍ୟ ଜୀବନ ଯୁଦ୍ଧରେ ବିଜୟୀ ହୋଇଛନ୍ତି। ସେଭଳି କେତେକ ପ୍ରେରଣାଦାୟକ ଶିଶୁକନ୍ୟାଙ୍କ ଜୀବନ କାହାଣୀ ଆମ ସମସ୍ତଙ୍କ ପାଇଁ ବଞ୍ଚିବାର ଉଦାହରଣ ପାଲଟିଛି।
ସୋଫିଆ ଫିର୍ନୋମି
୨୦୨୨ ମସିହା ଫେବ୍ରୁଆରି ୧୭ ତାରିଖ ସକାଳୁ ସକାଳୁ ଉଠି ସୋଫିଆ (୧୨) ପଦାର୍ଥ ବିଜ୍ଞାନ ପଢୁଥାନ୍ତି। ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ହଠାତ୍ ଘର ପାଖରେ ବିସ୍ଫୋରଣ ଶବ୍ଦ ଶୁଣିଲେ। ଏହାପରେ ସାଇରନ୍ ବାଜିଲା। ସେମାନଙ୍କୁ ଆଶ୍ରୟସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଘୋଷଣା ହେଲା। ସେ ସମୟର କଥା ବର୍ଣ୍ଣନା କରି ସୋଫିଆ କହନ୍ତି, ‘‘ଆଶ୍ରୟସ୍ଥଳକୁ ଯିବା ସମୟରେ ମୁଁ କେବଳ ଦେଖୁଥିଲି ବିସ୍ଫୋରଣ। ଆମ ଘରର ଛାତରୁ ସିମେଣ୍ଟ ଗୋଡ଼ିସବୁ ଭାଙ୍ଗିରୁଜି ଛିଟିକି ପଡୁଥିଲା। ଆକାଶ ଧୂଳି ଓ ଧୂଅଁାରେ ଆଚ୍ଛାଦିତ ହୋଇଯାଇଥିଲା। ପୁଣି ଫେବ୍ରୁଆରି ୨୧ରେ ଆଉ ଏକ ଭୟଙ୍କର ବିସ୍ଫୋରଣ ହେଲା। ଆଶ୍ରୟସ୍ଥଳୀ ବାହାରେ ଅନେକ ପକ୍ଷୀ ମରି ପଡ଼ିଥିବାର ଦେଖିବାକୁ ମିଳିଲା। ଏହାରି ଭିତରେ ଖାଦ୍ୟ ଆଣିବାକୁ ଗଲାବେଳେ ମୋ ବାପା ବୋମାମାଡ଼ରେ ଜୀବନ ହରାଇଲେ। ମା’ ତାଙ୍କ ମରଶରୀରକୁ ଦେଖିବାକୁ ଯିବା ବାଟରେ ଆଉ ଏକ ଶକ୍ତିଶାଳୀ ବିସ୍ଫୋରଣରେ ମୃତ୍ୟୁବରଣ କଲେ। ମୁଁ ତଟସ୍ଥ ହୋଇଗଲି। ମୋର ମୁଣ୍ଡ କାମ କଲାନି। ମନୋବିଜ୍ଞାନୀଙ୍କ ଅକ୍ଳାନ୍ତ ପରିଶ୍ରମରେ ମୁଁ ନିଜକୁ ସ୍ବାଭାବିକ କଲି। ମୋ ସମେତ ୮ ଜଣ ଅନ୍ୟ ପିଲାଙ୍କୁ ଜାତିସଂଘ ଶିବିରରେ ରଖାଗଲା। ଏହାରି ଭିତରେ ଦୁଇ ବର୍ଷ ବିତିଗଲା। ଆଜି ମୁଁ ପଦାର୍ଥ ବିଜ୍ଞାନ ପଢୁଛି। ଜୀବନରେ ସବୁକିଛି ହରାଇ ଏହି ପଦାର୍ଥ ବିଜ୍ଞାନକୁ ନେଇ ବଞ୍ଚିଛି ଓ ବଞ୍ଚିବି।’’
ହାଲ୍ଲା
୨୦୧୧ ମସିହାରେ ସିରିଆର ଗୃହଯୁଦ୍ଧ ଚାଲିଥିବା ସମୟର କଥା। ୫ ବର୍ଷ ବୟସ୍କା ହାଲ୍ଲା ନିଜର ୮ ବର୍ଷର ସଂପର୍କୀୟ ଭଉଣୀ ଏରୋଡାଙ୍କ ସହିତ ଖେଳୁଥିବା ସମୟରେ ହଠାତ୍ ବୋମା ବିସ୍ଫୋରଣ ହେଲା। ହାଲ୍ଲା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ। ଯଦିଓ ସାଇପଡ଼ିଶାର ଅନ୍ୟ ୭ ଜଣ ଶିଶୁ ଆହତ ହେଲେ, କିନ୍ତୁ ହାଲ୍ଲାଙ୍କ ଅବସ୍ଥା ସଙ୍ଗିନ ଥିଲା। ମାନବିକତା ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ହାଲ୍ଲାଙ୍କୁ ଲାଳନପାଳନ କରାଗଲା। କିନ୍ତୁ ହାଲ୍ଲା ସବୁଦିନ ପାଇଁ ନିଜର ଡାହାଣ ଗୋଡ଼ଟି ହରାଇଥିଲେ। ଦୁଇ ବର୍ଷର ଅକ୍ଳାନ୍ତ ପରିଶ୍ରମ କରି ବହୁକଷ୍ଟରେ ହାଲ୍ଲାଙ୍କ ମାନସିକ ଅବସ୍ଥା ଠିକ୍ କରାଗଲା। ସେ ଧୀରେ ଧୀରେ କୃତ୍ରିମ ଗୋଡ଼ରେ ଚାଲିବାକୁ ସକ୍ଷମ ହେଲେ। ଆଜି ହାଲ୍ଲା ଜୀବନ ଯୁଦ୍ଧରେ ବିଜୟୀ ହୋଇ ମନୋବିଜ୍ଞାନରେ ସ୍ନାତକ କରୁଛନ୍ତି। ଜଣେ ମନୋବିଜ୍ଞାନୀ ଭାବରେ ଯୁଦ୍ଧ ଭୂଇଁରେ ସେବା କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ହାଲ୍ଲାଙ୍କ ମା’ ଭିନୋ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ କହିଛନ୍ତି।
ନେହା ଓ ଦୀକ୍ଷା
କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପରିବାରର ସଦସ୍ୟଙ୍କ ମନର କ୍ଷତ ଏ ଯାଏଁ ଶୁଖିନାହିଁ। ଅତ୍ୟନ୍ତ ଦୁଃଖ ଓ ଆବେଗର ସହ ୨୫ ବର୍ଷ ତଳର ଅନୁଭୂତି ବର୍ଣ୍ଣନା କରନ୍ତି ନେହା ଦୀକ୍ଷିତ। ନେହା କହନ୍ତି, ‘‘ମୁଁ ୧୨ ବର୍ଷର ହୋଇଥିଲି। ମୋ ସାନଭଉଣୀ ଦୀକ୍ଷା ମାତ୍ର ୮ ବର୍ଷର ହୋଇଥିଲା। ମୋର ବାପା ସି.ବି-୩୧୫ ରେଜିମେଣ୍ଟର ମେଜର୍ ଥିଲେ। କାର୍ଗିଲ ଯୁଦ୍ଧରେ ସହିଦ ହୋଇଗଲେ। ଏହାର ଏକ ବର୍ଷ ପରେ ମୋ ମା’ ପରପାରିକୁ ଚାଲିଗଲେ। ଆମ ପରୀକ୍ଷା ସମୟରେ ବାପା ସବୁବେଳେ ଛୁଟି ନେଇ ଘରକୁ ଆସୁଥିଲେ ଏବଂ ଆମକୁ ଗଣିତ ପଢ଼ାଉଥିଲେ। ୧୯୯୯ରେ ମଧ୍ୟ ଆମେ ଭାବିଥିଲୁ ବାପା ଆସିବେ, କିନ୍ତୁ ବାପା ଆମ ନିକଟକୁ ଆସି ନ ଥିଲେ। ଆମେ ବାପାଙ୍କ ନିକଟକୁ ଯାଇଥିଲୁ ତାଙ୍କର ପାର୍ଥିବ ଶରୀରକୁ ଆଣିବାକୁ। ଗୋଟିଏ ବିମାନରେ ଭାରତୀୟ ତ୍ରିରଙ୍ଗା ଢଙ୍କା ଯାଇଥିବା ବାପାଙ୍କର ପାର୍ଥିବ ଶରୀର ସହିତ ଆମେମାନେ ଯାତ୍ରା କରୁଥିଲୁ। ଏହାଠାରୁ ବଳି ଆଉ ଅଧିକ ଦୁଃଖ ଜୀବନରେ କ’ଣ ହୋଇପାରେ? ଆମେ କିନ୍ତୁ ଭାରତୀୟ ସେନାର ସାହାଯ୍ୟ ଓ ସହଯୋଗରେ ମଣିଷ ହୋଇ ସମାଜରେ ସମ୍ମାନର ସହ ଛିଡ଼ା ହୋଇପାରିଛୁ। ଭାରତୀୟ ସେନାବାହିନୀ ପାଇଁ ଆମେ ଗର୍ବିତ।’’
ମୋନ୍ୱା କ୍ଲାର୍କ
୧୯୭୧ରେ ବାଂଲାଦେଶ ମୁକ୍ତିସଂଗ୍ରାମ କାଳରେ ଯେଉଁ ଯୁଦ୍ଧ ହୋଇଥିଲା, ସେଥିରେ ବହୁ ମହିଳା ଓ ଶିଶୁ ପାକିସ୍ତାନ ସେନାର ବର୍ବର ଦମନଲୀଳାର ଶିକାର ହୋଇଥିଲେ। ଏହାର ଜୀବନ୍ତ ସାକ୍ଷୀ ହେଉଛନ୍ତି ମୋନ୍ୱା କ୍ଲାର୍କ। ତାଙ୍କ ଆଖି ଆଗରେ ବାପାଙ୍କୁ ହତ୍ୟା କରାଯାଇଥିଲା। ପୁଣି ମା’ଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ଭଳି ହୃଦୟ ବିଦାରକ ଘଟଣା ସେ ଆଖିରେ ଦେଖିଥିଲେ। ଏହାପରେ ବାପ-ମା’ ଛେଉଣ୍ଡ ମୋନ୍ୱା ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଥିଲେ । ସେଠାରୁ ତାଙ୍କୁ କାନାଡାର ଗୋଟିଏ ପରିବାର ପାଳିତ କନ୍ୟା ଭାବେ ଗ୍ରହଣ କରିଥିଲେ। ଏହାପରେ ତାଙ୍କ ଜୀବନ ନେଇଥିଲା ଏକ ନୂଆ ମୋଡ଼। କାନାଡାରେ ଆଜି ଜଣେ ଡାକ୍ତର ଭାବେ େମାନ୍ୱା ଅବସର ଜୀବନ ବିତାଉଛନ୍ତି। ମୋନ୍ୱାଙ୍କ ଜୀବନ କାହାଣୀ ଓ ଯୁଦ୍ଧଭୂଇଁରେ ଅନାଥ ଶିଶୁଙ୍କ ନିର୍ଯାତନାର କାହାଣୀ ‘ବର୍ନ ଟୁଗେଦର୍’ ନାମକ ବୃତ୍ତଚିତ୍ରରେ ବର୍ଣ୍ଣିତ।