ପ୍ରଗତି ସାହୁ
ଆଗରୁ ଗାଁ ବରଗଛ ମୂଳ, ପୋଖରୀକୂଳ, ସ୍କୁଲ୍ ପଡ଼ିଆ, ମେଳା ମହୋତ୍ସବରେ ଆଇସ୍କ୍ରିମ୍ବାଲା ଦେଖିବାକୁ ମିଳୁଥିଲେ। ଛୋଟ ଚକଲଗା ଠେଲାଗାଡ଼ି ହେଉ କି ସାଇକେଲ୍ ପଛରେ ବନ୍ଧା ହୋଇଥିବା ରଙ୍ଗିନ ବାକ୍ସ, ସେଥିରେ ଥିବା ରଙ୍ଗବେରଙ୍ଗର ଆଇସ୍କ୍ରିମ୍ କିଣିବାକୁ ପିଲାମାନଙ୍କର ଭିଡ଼ ଲାଗୁଥିଲା। ସେତିକି ନୁହେଁ, ଗୋଟାଏ ବାଉଁଶ କାଠି ଅଗରେ ମୁଠାଏ ଗୁଣ୍ଡ ବରଫକୁ ଚାପିଦେଇ ସେଥିରେ ଆଞ୍ଜୁଳାଏ ମିଠା ରଙ୍ଗପାଣି ଢାଳି ପିଲାଙ୍କ ହାତକୁ ବଢ଼ାଇ ଦେଉଥିବା ଚୁସ୍କି ବିକାଳିର ଚାହିଦା ବି କିଛି କମ୍ ନଥିଲା। ପୁଣି ଚୁସ୍କିରୁ ନାଲି ରଙ୍ଗ ଶୋଷିବା ପରେ ବାଇଗଣୀ କି ସବୁଜ ମିଠାପାଣି ଟିକିଏ ପାଇବାକୁ ପିଲାଙ୍କ ଭିତରେ ଠେଲାପେଲା ବି ଲାଗିଯାଉ ଥିଲା। ଏବେ ସହରବଜାରରେ ତ ଏ ଦୃଶ୍ୟ ବିରଳ, ଗା’ଗଣ୍ଡାରେ ଅବଶ୍ୟ କିଛି କିଛି ଦେଖିବାକୁ ମିଳୁଛି। ଖରାର ପ୍ରକୋପ ବଢ଼ିବା ସହିତ ଥଣ୍ଡା ଖାଦ୍ୟର ଚାହିଦା ବଢ଼ିଥାଏ। ଆଇସ୍କ୍ରିମ୍, କୁଲ୍ଫି, ଚୁସ୍କି, ବରଫ ଗୋଲା ଖାଇବାକୁ ବୟସ ନିର୍ବିଶେଷରେ ସଭିଁଙ୍କ ଆଗ୍ରହ ଥାଏ। ଏବେ କିନ୍ତୁ ଆଇସ୍କ୍ରିମ୍ର ରୂପ-ରଙ୍ଗ-ଢଙ୍ଗ ବଦଳିଗଲାଣି। ଆଇସ୍କ୍ରିମ୍ ପାଇଁ ସ୍ବତନ୍ତ୍ର ପାର୍ଲର୍ ଖୋଲା ହେଲାଣି ଆଉ ଖରାତରାରେ ଠିଆହୋଇ କେହି ଆଇସ୍କ୍ରିମ୍ ଖାଇବା କ୍ବଚିତ୍ ଦେଖିବାକୁ ମିଳୁଛି। ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ଆରାମରେ ଖିଆଯାଉଛି ଆଇସ୍କ୍ରିମ୍, ତାହା ପୁଣି ପଚାଶ ପ୍ରକାର ଫ୍ଲେବର୍ର।
ତେବେ ପୁରୁଣା ଭୁବନେଶ୍ବରର ବାସିନ୍ଦା ହଳଧର ତ୍ରିପାଠୀ କହନ୍ତି, ‘‘ପିଲାଦିନେ ଉଦୁଉଦିଆ ଖରାବେଳେ ସାଇକଲ୍ ଘଣ୍ଟି ସହ ଆଇସ୍କ୍ରିମ୍... ଆଇସ୍କ୍ରିମ୍... କୁଲ୍ଫି... କୁଲ୍ଫି... ଡାକ କାନରେ ପଡ଼ିଲେ ଆମେ ରହିପାରୁ ନଥିଲୁ। ବୋଉଠୁ ଆଠଣା/ଟଙ୍କାଏ ମାଗି ରାସ୍ତାକୁ ଚାଲିଆସୁଥିଲୁ। ଆଇସ୍କ୍ରିମ୍ବାଲାଠୁ କମଳା ହେଉ କି ନଡ଼ିଆ କି ମଲେଇ ଆଇସ୍କ୍ରିମ୍ କିଣି ଖାଇବାର ମଜା ଥିଲା ନିଆରା। ଏବେ ଆମ ପିଲାଏ ଏସବୁ ପସନ୍ଦ କରୁନାହାନ୍ତି।’’
ଆଇସ୍କ୍ରିମ୍ର ଇତିହାସ
ଆଇସ୍କ୍ରିମ୍ର ପ୍ରଚଳନ ଖ୍ରୀ.ପୂ. ୪ର୍ଥ ଶତକରୁ ହୋଇଥିଲା। ରୋମ୍ର ସମ୍ରାଟ ନିରୋ ପ୍ରଥମେ ବରଫ, ମହୁ ଓ ଫଳରସରୁ ଏହାକୁ ପ୍ରସ୍ତୁତ କରିଥିଲେ। ଭାରତରେ ମୋଗଲ ଶାସନ ସମୟରେ ଷୋଡ଼ଶ ଶତାବ୍ଦୀରେ ଆଇସ୍କ୍ରିମ୍ ପ୍ରଥମେ ଖିଆ ଯାଇଥିଲା। କୁଲ୍ଫି ଆକାରରେ ଏହା ପ୍ରଥମେ ଭାରତ ଆସିଥିଲା। ପାର୍ବତ୍ୟାଞ୍ଚଳରୁ ବରଫ ସଂଗ୍ରହ କରାଯାଇ ସେଥିରେ ସୁସ୍ବାଦୁ କୁଲ୍ଫି ପ୍ରସ୍ତୁତ ହେଉଥିଲା। ପରେ ସପ୍ତଦଶ ଶତାବ୍ଦୀରେ ଇଂରେଜ୍ମାନଙ୍କ ଆଗମନରେ ଆଧୁନିକ ଆଇସ୍କ୍ରିମ୍ ଭାରତ ଆସିଲା। ଊନବିଂଶ ଶତାବ୍ଦୀରେ ଫ୍ରିଜ୍ ଉଦ୍ଭାବିତ ହେବା ପରେ ଆଇସ୍କ୍ରିମ୍ କ୍ରମଶଃ ଲୋକପ୍ରିୟ ହୋଇଥିଲା। ତେବେ କୋନ୍ ଆକାରରେ ମିଳୁଥିବା ଆଇସ୍କ୍ରିମ୍ ପ୍ରଥମେ ୧୯୦୪ ମସିହାରେ ସେଣ୍ଟ୍ଲୁଇସ୍ଠାରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ମେଳାରେ ପ୍ରଦର୍ଶିତ ହୋଇଥିଲା।
ସମୟ ବଦଳିବା ସହ ଅନେକ ଜିନିଷ ପରିବର୍ତ୍ତିତ ହୋଇଛି। ଆଗରୁ ଆଇସ୍କ୍ରିମ୍ବାଲା କହିଲେ ଏମିତି ଏକ ଚିତ୍ର ଆଖିରେ ଭାସିଉଠେ। ମେହେନତି ମଣିଷଟିଏ ହୋଇଥିବ। ମୁଣ୍ଡରେ କିମ୍ବା କାନ୍ଧରେ ପଡ଼ିଥିବ ନାଲି ଗାମୁଛାଟେ। ବ୍ୟାଗ୍ରେ ପାଣି ବୋତଲ୍ଟେ ଥିବ ଓ କପଡ଼ାର ଗୋଟାଏ ପଇସା ମୁଣି ଅଣ୍ଟାରେ ଖୋଷା ହେଇଥିବ। ଏବେ ଏମିତି ମଣିଷ ବି ବିରଳ। ଭୁବନେଶ୍ବର ବରମୁଣ୍ଡାରେ ନନ୍ଦକିଶୋର ଜେନାଙ୍କ ସହ ଭେଟ ହୋଇଥିଲା। ସେ ଲୁନାରେ ନାଲି ବାକ୍ସଟିଏ ଧରି ଆଇସ୍କ୍ରିମ୍ ବିକୁଥିଲେ। ବାକ୍ସରେ ଥିଲା ବିଭିନ୍ନ ରଙ୍ଗର ମଲେଇ ଏବଂ ନଡ଼ିଆ ଓ ଫଳ ମିଶା ଆଇସ୍କ୍ରିମ୍। ୧୫ ବର୍ଷ ହେବ ଏହି ବେପାର କରିଆସୁଥିବା ନନ୍ଦକିେଶାର କହନ୍ତି, ‘‘ଆଗରୁ ଫ୍ୟାକ୍ଟ୍ରିରୁ ଆଣି ବିକ୍ରି କରୁଥିଲି। ଏବେ ନିଜେ ତିଆରି କରି ବିକ୍ରି କରୁଛି। ବଜାରରେ ଯେତେ ଦାମିକା ବା ଭେରାଇଟିର ଆଇସ୍କ୍ରିମ୍ ମିଳୁ, କିନ୍ତୁ ମୋ ନଡ଼ିଆ ଆଇସ୍କ୍ରିମ୍ ଜାଗା ଆଉ କେହି ନେଇପାରିବେନି। ବଡ଼ ବଡ଼ ଗାଡ଼ିରେ ଯାଉଥିବା ଲୋକ ବି ଅଟକିଯାଆନ୍ତି ମୋ ପାଖରେ। ଆଉ ସେମାନଙ୍କ ଛୋଟବେଳର ଆଇସ୍କ୍ରିମ୍ଖିଆ ସ୍ମୃତି ମୋେତ ବଖାଣନ୍ତି।’’
ରାତି ୪ଟାରୁ ଉଠି ଫଳ କାଟି ଆଇସ୍କ୍ରିମ୍ ତିଆରି କରନ୍ତି ନନ୍ଦକିେଶାର। କ୍ଷୀର, ଅମୂଲ, ଚିନି, ସାକାରିନ୍, ସେଓ, ନଡ଼ିଆ, ଡାଳିମ୍ବ ଓ ଅଙ୍ଗୁର ଆଦିର ମିଶ୍ରଣରେ ତାଙ୍କ ଆଇସ୍କ୍ରିମ୍ ତିଆରି ହୋଇଥାଏ। ଦିନକୁ ପ୍ରାୟ ୨୦୦୦ ପିସ୍ରୁ ଅଧିକ ଆଇସ୍କ୍ରିମ୍ ସେ ବିକ୍ରି କରୁଛନ୍ତି ବୋଲି ଦାବି କରନ୍ତି। ଆଜି ବି ଡହ ଡହ ଖରାରେ ରାସ୍ତାକଡ଼ର ଏଇ ୧୦ ଟଙ୍କିଆ ଆଇସ୍କ୍ରିମ୍ଟିଏ ଖାଇଦେଲେ ଖୁବ୍ ଖୁସି ଲାଗେ, ପାର୍ଲର୍ର ଆରାମଦାୟକ ପରିବେଶରେ ନାମୀଦାମୀ ଆଇସ୍କ୍ରିମ୍ର ଆନନ୍ଦଠୁ କିଛି କମ୍ ନୁହେଁ।