ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ପ୍ରକାର ଦଂଶନହୀନ ମହୁମାଛି ଚିହ୍ନଟ କରିଛନ୍ତି ଯାହା ଦକ୍ଷତାର ସହିତ ପରାଗଣ କରି କୃଷି ଉତ୍ପାଦନ ବୃଦ୍ଧି କରିପାରିବ। ଏହି ଆବିଷ୍କାର ଦେଶରେ ପଲିହାଉସ୍ ଚାଷକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିପାରିବ ବୋଲି ସେମାନେ ଦାବି କରିଛନ୍ତି। ଅଧ୍ୟୟନରୁ ଜଣାପଡ଼ିଛି ଯେ, ସବୁଜଗୃହରେ ଟେଟ୍ରାଗୋନୁଲା ଇରିଡିପେନିସ୍ ସ୍ମିଥ୍ ଓ ଲେପିଡୋଟ୍ରିଗୋନା ଆର୍ସିଫେରା କକେରେଲ୍ ଜାତିର ଦଂଶନହୀନ ମହୁମାଛି ରଖାଯିବା ଦ୍ବାରା ସେମାନେ ଲଙ୍କା, କାକୁଡ଼ି, ତରଭୁଜ ଓ କଖାରୁ ଭଳି ୧୦ଟି ଫସଲର ପରାଗଣ କରିପାରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତରେ ପ୍ରାୟ ୨୦% ଫସଲ ଉତ୍ପାଦନରେ କେବଳ ମହୁମାଛିଙ୍କ ଅବଦାନ ରହିଛି। ୩୪% ତୈଳବୀଜ ଏବଂ ପ୍ରାୟ ୧୫% ଫଳ ଉତ୍ପାଦନ ମହୁମାଛିଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। 

Advertisment

ଗବେଷକମାନଙ୍କ ଅନୁସାରେ, ବିଭିନ୍ନ କାରଣରୁ କୃଷି କ୍ଷେତ୍ରର ଆୟତନ ହ୍ରାସ ପାଇବା ଯୋଗୁଁ ସବୁଜଗୃହ ବା ପଲିହାଉସ୍ ଚାଷ​ ଉପରେ ଏବେ ଗୁରୁତ୍ୱ ଦିଆଯାଉଛି। ଏହି ମହୁମାଛିର ପରିସର ୫୦ରୁ ୧୦୦ ମିଟର ଭିତରେ ସୀମିତ ରହିଥିବାରୁ ଏବଂ ସେ ୪୦ ଡିଗ୍ରି ସେଲସିୟସ୍ ତାପମାତ୍ରା ସହନଶୀଳ ହେଇଥିବାରୁ ସବୁଜଗୃହ ଚାଷରେ ଖୁବ୍ ଉପାଦେୟ ସାବ୍ୟସ୍ତ ହୋଇପାରିବ। ଏହି ମହୁମାଛି, ଚାଷୀମାନଙ୍କୁ ଦଂଶନ କରିବାର ବିପଦ ମଧ୍ୟ ନଥାଏ। ଦଂଶନହୀନ ମହୁମାଛିଙ୍କର ମହୁ ଆଣ୍ଟିବ୍ୟାକ୍ଟେରିଆଲ୍ ଓ ଆଣ୍ଟିଫଙ୍ଗାଲ୍ ଗୁଣ ପାଇଁ ଜଣାଶୁଣା।