ଏଠାରେ ଦେଖିବାକୁ ମିଳେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଓ ତାଙ୍କ ତୀର ଆଘାତରୁ ମାଟିତଳୁ ବାହାରିଥିବା ଜଳଧାରା

କାଠମାଣ୍ଡୁ: ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର ହେଉଛି ନେପାଳ। ନେପାଳର ରାଜଧାନୀ କାଠମାଣ୍ଡୁସ୍ଥିତ କପୁରଧରା ହେଉଛି ହେଉଛି ଏକ ବ୍ୟସ୍ତବହୁଳ ସ୍ଥାନ। କାରଣ, ଏଠାକାର ଐତିହାସିକ, ସାମାଜିକ ଏବଂ ଭୌଗୋଳିକ ପୃଷ୍ଠିଭୂମିକୁ ନେଇ ଏଠାରେ ସବୁବେଳେ ଦେଶୀୟ ଏବଂ ବହିରାଗତ ପର୍ଯ୍ୟଟକ ଓ ଯାତ୍ରୀମାନଙ୍କର ଭିଡ଼ ଲାଗି ରହିଥାଏ।

ତେବେ, ଧର୍ମୀୟ ବା ଧାର୍ମିକ ଦୃଷ୍ଟିକୋଣରୁ ଏ ସ୍ଥାନର ଗୁରୁତ୍ୱ ବହୁ ମାତ୍ରାରେ ରହିଛି। କାରଣ, ହିମାଳୟର ବକ୍ଷଦେଶରେ ଅବସ୍ଥିତ ଏହି ଉପତ୍ୟକା ସହରରେ ଦେଖିବାକୁ ମିଳେ ଭଗବାନ ଶ୍ରୀକୃଷ୍ଣଙ୍କ ପଦଚିହ୍ନ!

Great Nepal Travels

ନେପାଳର ପୌରାଣିକ କିମ୍ବଦନ୍ତୀ କହେ; ଆଜକୁ ପ୍ରାୟ ପାଞ୍ଚ ହଜାର ବର୍ଷ ପୂର୍ବେ କାଠମାଣ୍ଡୁର ଏହି କପୁରଧରା ଅଞ୍ଚଳ ଥିଲା ଏକ ଜଳକ୍ଲୀଷ୍ଟ ଅଞ୍ଚଳ! ଏହି ଅଞ୍ଚଳର କୌଣସି ବି ସ୍ଥାନରେ ବୁନ୍ଦାଏ ହେଲେ ଜଳ ମିଳିବା ତ ଦୂରର କଥା ଦେଖିବା ପାଇଁ ସୁଦ୍ଧା ମିଳୁ ନଥିଲା! ଜଳ ସଙ୍କଟ କାରଣରୁ କପୁରଧରା ଥିଲା ଜନମାନବ ଶୂନ୍ୟ! ତେବେ, ଭଗବାନ ଶ୍ରୀକୃଷ୍ଣ ଥରେ ଭାରତରୁ ନେପାଳ ଆସିଥିବା ବେଳେ ଏଠାର ଜଳକଷ୍ଟ ଦେଖି ତାଙ୍କ ଧନୁରେ ଶର ଯୋଖି ଧରଣୀ ମଧ୍ୟକୁ ନିକ୍ଷେପ କରିଥିଲେ। ଶ୍ରୀକୃଷ୍ଣଙ୍କ ଧନୁ ଧରଣୀ ଉପରେ ଏକ ଗର୍ତ୍ତ ସୃଷ୍ଟି କରି ତା’ରି ସାହାଯ୍ୟରେ ପଶି ଯାଇଥିଲା ଧରଣୀ ମଧ୍ୟକୁ ଏବଂ ପରେ ପରେ ସେହି ଗର୍ତ୍ତବାଟ ଦେଇ ଅନବରତ ଭାବେ ପ୍ରବାହିତ ହେବାକୁ ଆରମ୍ଭ କରିଥିଲା ଜଳ।

ତେବେ, ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ସୃଷ୍ଟ ଏହି ଗର୍ତ୍ତ ବା ଉତ୍ସରୁ ନିର୍ଗତ ହେଉଥିବା ଜଳ କର୍ପୁର ସଦୃଶ ଶ୍ୱେତ ବା ଧଳା ବର୍ଣ୍ଣର ହୋଇଥିବା ବେଳେ ଏକ ଧାରା ସଦୃଶ ଅନବରତ ଭାବେ ଅର୍ହନିଶି ନିର୍ଗତ ହେଉଥିବା କାରଣରୁ ଏହି ଅଞ୍ଚଳ କପୁରଧରା ନାମରେ ପରିଚିତି ଲାଭ କରିଥିଲା। ଏହି କାରଣରୁ, ଏବେବି କପୁରଧରାରେ ଥିବା ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଓ ଏହି ଜଳ ଉତ୍ସକୁ ଦର୍ଶନ କରିବା ପାଇଁ ପ୍ରତିଦିନ ଏଠାରେ ସହସ୍ରାଧିକ ସଂଖ୍ୟାରେ ଦେଶୀୟ ଏବଂ ବହିରାଗତ ପର୍ଯ୍ୟଟକ ଓ ଯାତ୍ରୀମାନଙ୍କର ଭିଡ଼ ଦେଖିବା ପାଇଁ ମିଳିଥାଏ।

ସମ୍ବନ୍ଧିତ ଖବର