ନିଜ ନବଜାତ କନ୍ୟା ସହ ମଶାଣିରେ ଶୋଇଥିବା ଏହି ମହିଳା ଏବେ ୧୪୦୦ ଅନାଥ ଶିଶୁଙ୍କ ପାଇଁ ପାଲଟିଯାଇଛନ୍ତି ଯଶୋଦା

ପୁଣେ: ‘ଜୀବନରେ ଏତେ କଳା ଅଧ୍ୟାୟ ଦେଖିଛି ଯେ, ଏବେ ତ ଟିକେ ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିବାକୁ ଦିଅ’ କୌନ ବନେଗା କରୋଡ଼ପତିରେ ଗୋଲାପୀ ଶାଢ଼ୀ ପସନ୍ଦ ପଛର ରହସ୍ୟକୁ ନେଇ କିଛି ଏଭଳି ଉତ୍ତର ଦେଇଥିଲେ ପୁଣେର ସିନ୍ଧୁତାଇ ସପକାଲ | ପାଖପାଖି ୧୪୦୦ ଅନାଥ ଶିଶୁଙ୍କର ମା ସାଜିଥିବା ସିନ୍ଧୁତାଇଙ୍କ ଜୀବନ କାହାଣୀ ଅନେକଙ୍କୁ ବେଶ ଭାବୁକ କରିଦିଏ | ଗର୍ଭବତୀ ଅବସ୍ଥାରେ ଶାଶୂଘର ପକ୍ଷରୁ ତାଙ୍କୁ ତଡିଦିଆଯାଇଥିଲା ଆଉ ବାପଘର ଲୋକ ବି ତାଙ୍କୁ ଗ୍ରହଣ କରିନଥିଲେ, ଶେଷରେ ଏକ ଗୁହାଳରେ ସେ କନ୍ୟା ସନ୍ତାନଟିଏ ଜନ୍ମ କରିଥିଲେ | ସନ୍ତାନ ଜନ୍ମବେଳେ ପାଖରେ କେହିନଥିବାବେଳେ ନିଜ ହାତରେ ଶିଶୁର ଗର୍ଭନାଡୀକୁ ପଥରରେ କାଟିଥିଲେ |

photo-sanmarg

ଆଜି ଆମେ ଆପଣଙ୍କୁ ଏମିତି ଏକ ଚରିତ୍ରଙ୍କ ବାବଦରେ କହିବୁ ଯିଏ କି ଜନ୍ମ ନଦେଇକି ହଜାର ହଜାର ଅନାଥ ଶିଶୁଙ୍କର ମା ସାଜିଛନ୍ତି, ଅନେକ ଝିଅଙ୍କର ବିବାହ କରାଇଛନ୍ତି ଓ ସମାଜରେ ଅବହେଳିତ ଅବସ୍ଥାରେ ଥିବା ଝିଅମାନଙ୍କୁ ନୂଆ ଦିଶା ଦେଇଛନ୍ତି | ମାତ୍ର ୯ ବର୍ଷ ବୟସରେ ସିନ୍ଧୁତାଇଙ୍କର ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ବିବାହ କରିଦିଆଯାଇଥିଲା । କେବଳ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ସିନ୍ଧୁତାଇ ଅଧିକ ଅଧ୍ୟୟନ କରିବାକୁ ଚାହୁଁଥିଲେ କିନ୍ତୁ ଶାଶୁଙ୍କ ବିରୋଧ ହେତୁ ତାଙ୍କର ଇଚ୍ଛା ପୂରଣ ହୋଇପାରିଲା ନାହିଁ। ସିନ୍ଧୁତାଇ ଆରମ୍ଭରୁ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଯେଉଁଥିପାଇଁ ସେ ଗର୍ଭବତୀ ଥିବାବେଳେ ଶାଶୁଘର ଲୋକ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ସ୍ୱାମୀଙ୍କ ଘରୁ ବିତାଡିତ ହେବା ପରେ ତାଙ୍କ ବାପଘର ଲୋକ ମଧ୍ୟ ତାଙ୍କୁ ରଖିବାକୁ ମନା କରିଦେଇଥିଲେ।

photo-the optimist citizen

ଶେଷରେ ଗର୍ଭସ୍ଥ ସନ୍ତାନଙ୍କୁ ଧରି ସେ ନୂଆ ଦୁନିଆର ଆଶାରେ ବୁଲିଥିଲେ | ମଶାଣିରେ ନିଜ ଝିଅ ସହ ଅନେକ ରାତି କାଟିବା ପରେ ନିଜ ଝିଅ ପାଇଁ ରେଳ ଷ୍ଟେସନରେ ଭିକ ମାଗୁଥିଲେ। ଯେଉଁଠାରେ ମମତାର ଏକ ଅନୁଭବ, ହଜାର ହଜାର ସନ୍ତାନଙ୍କର ମା ସଜାଇଦେଇଥିଲା | ଷ୍ଟେସନରେ ଭିକ ମାଗୁଥିବା ବେଳେ ସିନ୍ଧୁଙ୍କ ଆଖିରେ ପଡୁଥିବା ଅନାଥ ପିଲାମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରୁଥିଲେ। ଏହିପରି ଭାବରେ, ସେ ହଜାର ହଜାର ପିଲାଙ୍କୁ ଖାଇବାକୁ ଦେବା ସହ ଆଶ୍ରୟ ପାଇଁ ଏକ ମାଧ୍ୟମ ପାଲଟିଥିଲେ | ସେମାନଙ୍କ ଶିକ୍ଷାଦାନ ସହ ସମାଜରେ କିଭଳି ପ୍ରତିଷ୍ଠିତ ହେବେ ସେଥିପାଇଁ ସନମତି ବାଳ ନିକେତନ ପ୍ରତିଷ୍ଠା କରି ସମସ୍ତଙ୍କୁ ଆଶ୍ରୟ ଦେଇଥିଲେ | ସମାଜ ପ୍ରତି ଥିବା ଅବଦାନ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ସଂଗଠନ ତରଫରୁ ୨୭୦ ରୁ ଅଧିକ ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଛି |

ସମ୍ବନ୍ଧିତ ଖବର