ଭୁବନେଶ୍ବର: ଆଇସକ୍ରିମ୍... ଆଇସକ୍ରିମ୍... ମଲେଇ ଆଇସକ୍ରିମ୍, ନଡିଆ ଆଇସକ୍ରିମ୍, ଚକଲେଟ୍ ଆଇସକ୍ରିମ୍... ଗାଁରେ ହେଉ କି ସହରର ଗଳି କନ୍ଦିରେ ଆଇସକ୍ରିମବାଲା ଏମିତି ଡାକ ଛାଡୁଥାଏ । ଏବେ ତ ଯୁଗ ବଦଳିଲାଣି, ଆଇସକ୍ରିମର ରୂପ-ରଙ୍ଗ-ଢଙ୍ଗ ବଦଳିଗଲାଣି । ଆଇସକ୍ରିମ ପାଇଁ ସ୍ବତନ୍ତ୍ର ପାର୍ଲର ଖୋଲା ହେଲାଣି ଆଉ ଆଇସକ୍ରିମ ବ୍ୟବସାୟୀଙ୍କ ବିକିକାର ଢାଞ୍ଚାରେ ବି ପରିବର୍ତ୍ତନ ଆସିଲାଣି...
ନହେଲେ ଯଦି ୨୦/୩୦ ବର୍ଷ ପଛକୁ ଫେରିଯିବେ ତାହାଲେ ଆପଣ ସେତେବେଳେ ଆଇସ୍କ୍ରିମ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଟିକେ ଭିନ୍ନ ଭଙ୍ଗୀରେ ଦେଖିଥିବେ । ୯୦ ଦଶକରେ ଶକ୍ତିମାନ ଯେମିତି ରବିବାର ଦିନ ଘରେ ଘରେ ଲାଗୁଥିଲା ଠିକ୍ ସେମିତି ପିଲାଙ୍କ ହାତରେ ସେଦିନ ଆଇସ୍କ୍ରିମ୍ ଥିବାଟା ଥୟ । ଗାଁ ହେଉ କି ସହର ଆଇସ୍କ୍ରିମ୍ ବିକୁଥିବା ବ୍ୟକ୍ତିଙ୍କୁ ଆମେ ସାଧାରଣତଃ 'ଆଇସ୍କ୍ରିମବାଲା' ବୋଲି ଡାକୁ, ଆଉ ସେହି ଆଇସ୍କ୍ରିମବାଲା ଯେବେ ଗାଁ, ଗଳିରେ ପ୍ରବେଶ କରେ ଡମ୍ପରୁ ଶବ୍ଦରେ ପରିବେଶଟା ଫାଟି ପଡେ ।
ଆଇସକ୍ରିମ- ଗୋଟେ ଆବେଗ, ଗୋଟେ ଆକର୍ଷଣ । ପିଲା ହୁଅନ୍ତୁ କି ବୁଢା ସମସ୍ତଙ୍କୁ ଆଇସ୍କ୍ରିମ୍ ଖାଇବାକୁ ପସନ୍ଦ । ପିଲାଦିନେ ଆଇସ୍କ୍ରିମ୍ ଖାଇବାକୁ ଘରେ କଟକଣା ଥାଏ, ଥଣ୍ଡା ହେବା ଭୟରେ ବାପାମାଆ ପିଲାଙ୍କୁ ଆଇସ୍କ୍ରିମ୍ କିଣି ଦିଅନ୍ତିନି । ଗାଁ ମୁଣ୍ଡରେ ଆଇସ୍କ୍ରିମବାଲା ଡମ୍ବରୁ ଡବ... ଡବ କରି ବଜାଇବା କ୍ଷଣି ହିଁ ପିଲାମାନେ ଜାଗ୍ରତ ହୋଇ ଉଠନ୍ତି ଠିକ୍ ପେଡିରେ ଥିବା ସାପୁଆ କେଳାର ସାପ ପରି...ଆଖି ପାଠରେ ଥିବ କାନ କିନ୍ତୁ ଡମ୍ବରୁ ଶବ୍ଦରେ ଥିବ । ମାଆକୁ ଯେତେ ଅଳି କଲେ ବି ମାଆ ଦେଉ ନଥିବ, କହିବ- ‘ହେ... ସେଇଟା ଆଇସକ୍ରିମବାଲା ନୁହେଁ ସାପୁଆ କେଳା...’ ମାଆର ତାଗିଦ ଆଗରେ ମଉଳିଯାଏ ଆଇସ୍କ୍ରିମ୍ ଖାଇବାର ଆଶା । କିନ୍ତୁ ଯେବେ ବନ୍ଧୁବାନ୍ଧବ ଦେଇଥିବା ଟଙ୍କେ ଦୁଇ ଟଙ୍କା ପକେଟରେ ଥିବ ସେବେ ଆଇସ୍କ୍ରିମ୍ ଖାଇବାରେ କେହି ବାଧା ଦେଇପାରିବେନି ।
ଗାଁ ବରଗଛ ମୂଳ, ପୋଖରୀ କୂଳ, ସ୍କୁଲ ପଡିଆ, ମେଳା ମହୋତ୍ସବରେ ଆଇସ୍କ୍ରିମବାଲାଙ୍କୁ ସାଧାରଣତ ଦେଖିବାକୁ ମିଳେ । ଗୋଟେ ସାଇକେଲ, ଆଗରେ ବାସ୍କେଟ ସେଥିରେ ଡମ୍ବରୁ, ପଛ କେରିୟରରେ ଗୋଟେ ରଙ୍ଗୀନ କାଠ ବାକ୍ସ ଯେଉଁଥିରେ ପଲିଥିନ ଉପରେ ବରଫ ଭରା ହୋଇ ଆଇସ୍କ୍ରିମ୍ ରଖାଯାଇଥିବ । ଆଇସ୍କ୍ରିମବାଲା ମୁଣ୍ଡରେ କିମ୍ବା କାନ୍ଧରେ ଗୋଟେ ଗାମୁଛା ପକେଇଥିବ... ପିଲାଦିନର ସେ ଆଇସ୍କ୍ରିମ୍ ଖାଇବା କଥା ଆଜି ବି ମନେପଡେ କିନ୍ତୁ ନା ସେ ଆଇସ୍କ୍ରିମ୍ ମିଳେ ନା ସେ ସମୟ ଫେରେ...
/sambad/media/media_files/2025/02/12/9dNroQj8WNESx5aP79EP.jpg)
କିନ୍ତୁ ରାଜଧାନୀର ରାଜରାସ୍ତାରେ ଆଇସ୍କ୍ରିମ୍ ବିକୁଥିବା ଏ ମଉସାଙ୍କୁ ଦେଖିବା ପରେ ଆଜି ସେ ପିଲାଦିନ କଥା ମନେପଡିଛି । ତାଙ୍କ ବାକ୍ସରେ ନଡିଆ ଆଇସ୍କ୍ରିମ୍ ଲେଖା ଦେଖି ପିଲାଦିନର ସ୍ମୃତି ତାଜା ହୋଇଛି । ଯଦିଓ ଆଇସ୍କ୍ରିମ୍ ବିକୁଥିବା ମଉସାଙ୍କ ଡବାର ଲେଖା ପଢି ହସ ରୋକି ହେଉନି କିନ୍ତୁ ଏହି ‘କଂଗ୍ରେସ ନଡିଆ ଆଇସ୍କ୍ରିମ୍’ ପଛର କାହାଣୀ ଜାଣିବାକୁ ବି ଆପଣଙ୍କର ଇଚ୍ଛା ଥିବ ଆଉ ଜାଣିବାକୁ ଚାହିଁବେ ଏଭଳି ଅଜବ ଆଇସ୍କ୍ରିମ୍ ମିଳୁଛି କେଉଁଠି ।
ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବୁଲିବୁଲି ‘କଂଗ୍ରେସ ନଡିଆ ଆଇସ୍କ୍ରିମ୍’ ବିକନ୍ତି ଏ ମଉସା ଜଣଙ୍କ । ଆଇସ୍କ୍ରିମ୍ ସହ କଂଗ୍ରେସର କୌଣସି ବି ସମ୍ପର୍କ ନାହିଁ କି କଂଗ୍ରେସ ଆଇସ୍କ୍ରିମ ବ୍ୟବସାୟ କରୁନି । ଏଠି ଆପଣ ପ୍ରଶ୍ନ କରିବେ ତାହାଲେ ‘କଂଗ୍ରେସ ନଡିଆ ଆଇସକ୍ରିମ’ କାହିଁକି... ? ଆଜ୍ଞା ! ଆଇସକ୍ରିମ ବିକ୍ରି କରୁଥିବା ଏ ମଉସା ଜଣଙ୍କର ନାଁ ହେଉଛି ‘କଂଗ୍ରେସ’... ଘର ତାଙ୍କର ଗଞ୍ଜାମ । ତାଙ୍କ ନିଜ ନାମ ଅନୁସାରେ ସେ ‘କଂଗ୍ରେସ ନଡିଆ ଆଇସକ୍ରିମ’ ଦେଇଛନ୍ତି ।
ନାଁ ଶୁଣିଲେ ଟିକେ ମଜା ଓ କୌତୁହଳ ଲାଗୁଥିବାରୁ ଲୋକେ ବି ତାଙ୍କ ଠାରୁ ଆଇସ୍କ୍ରିମ୍ କିଣି ଖାଉଛନ୍ତି, ଫଟୋ ବି ଉଠାଉଛନ୍ତି । ଯଦି ଆପଣ ଏହି ନିଆରା ଆଇସ୍କ୍ରିମ ବ୍ୟବସାୟୀଙ୍କୁ ଭିଡର ସହର ଭୁବନେଶ୍ବରରେ କେଉଁଠି ଦେଖନ୍ତି ତାହାଲେ ନିଶ୍ଚେ ତାଙ୍କ ପାଖରୁ ‘କଂଗ୍ରେସ ନଡିଆ ଆଇସକ୍ରିମ’ ଖାଆନ୍ତୁ ତାଙ୍କ ସହ ମଜାକରନ୍ତୁ... କାରଣ ମୁହଁରେ ସେ ଭାରି ଖୁସ ମିଜାରର ଜଣା ପଡୁଛନ୍ତି । ତେବେ ଏହି ଫଟୋଟି ସୋସିଆଲ ମିଡିଆରେ ଜଣେ ୟୁଜର ପୋଷ୍ଟ କରିଥିବା ବେଳେ ‘କଂଗ୍ରେସ ନଡିଆ ଆଇସକ୍ରିମ’କୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।