ଭୁବନେଶ୍ବର: ବା-ଘ-ନି-ସ-ହ-ଲା-ନା ପଂକ୍ତିର ମହତ୍ତ୍ବ ବୁଝାଇବାରେ ସୋମା ଦେବୀଙ୍କୁ ବେଶି ସମୟ ଲାଗି ନ ଥିଲା । କଳା ଓ ଧଳାକୁ ଛାଡି ଆଉ ସବୁ ରଙ୍ଗ ଇନ୍ଦ୍ରଧନୁରେ ରଙ୍ଗାୟିତ ହୋଇ ଆକାଶରେ ରଙ୍ଗୀନ ଆଲୋକପାତ ସହ ଅତ୍ୟନ୍ତ ଚିତ୍ତାକର୍ଷକ ଦୃଶ୍ୟମାନ କରାଇଥାଏ, ଛାତ୍ରଛାତ୍ରୀମାନଙ୍କୁ ଦୃଷ୍ଟିଶ୍ରାବ୍ୟ ଉପକରଣ ଦ୍ବାରା ସାତୋଟି ରଙ୍ଗର ମେଳକୁ କଳାକୃତି ଭାବାର୍ଥ ଦର୍ଶାଇବାରେ ଚେଷ୍ଟାରତ ଥିଲେ ଅଧ୍ୟକ୍ଷ ମହାଶୟା । ସେଥିରେ ବି ଆହୁରି ଯୁକ୍ତି ବାଢିଦେଲେ କଳା ଓ ଧଳାର ଉପସ୍ଥିତି,ଘନ କଳା ବାଦଲ ତଥା ସୂର୍ଯ୍ୟଙ୍କ ପ୍ରକାଶ ସମନ୍ୱିତ ଆଧାରର ସକଳ ଚେତନାର ଆବିର୍ଭାବ ଦ୍ବାରା ସୃଷ୍ଟି ହୁଏ ଅଲୌକିକ ଇନ୍ଦ୍ରଧନୁଷ ।
ନୈତିକ ଶିକ୍ଷା ପ୍ରଦାନ କରିବାରେ ସୋମାଦେବୀ ସିଦ୍ଧହସ୍ତା ଥିଲେ ଓ ଯୁବାବସ୍ଥାର ମାନସିକତାକୁ ଆଧ୍ୟାତ୍ମିକ ଚେତନା ସହ ବାନ୍ଧିବାରେ କିଛିଟା ଯୋଗସୂତ୍ର କାର୍ଯ୍ୟକ୍ରମ ବି କରାଉଥିଲେ । ଆଧ୍ୟାତ୍ମିକତା ବିଷୟ ବସ୍ତୁ ପ୍ରଦର୍ଶନୀର ଆୟୋଜନ କରାଗଲା ମହିଳା ମହାବିଦ୍ୟାଳୟ ପରିସରରେ । କଳା,ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରାୟ ସମସ୍ତ ଛାତ୍ରଛାତ୍ରୀଙ୍କ ମନରେ କି ଉତ୍ସାହ,ଉନ୍ମାଦ ଓ ଉଷ୍ଣତା ଜାଗି ଉଠିଥିଲା,ଏହା ଶିକ୍ଷା ମହଲରେ ଏକପ୍ରକାର ବିସ୍ମୟ ତଥା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । କେତେ ବିଚାର, ଯେତେ ତର୍କବିତର୍କ,ଏତେ ଭାବନା ,କେତେ ପ୍ରକାରର ପ୍ରଶ୍ନ, ବିଭିନ୍ନ ରକମର ସନ୍ଦର୍ଭ ସେଦିନ ସଭିଙ୍କ ମନରେ ସ୍ବାଗତଯୋଗ୍ୟ ଆଲୋଡ଼ନ ସୃଷ୍ଟି ହୋଇଥିଲା ଶୀର୍ଷକ ନାମ ନେଇ । ସମସ୍ତଙ୍କ ଦେହରେ ଆଧ୍ୟାତ୍ମିକ ଉଷୁମ ରେଜେଇ ଗୁଡାଇ ପଡ଼ିଥିବାର ପରିଲକ୍ଷିତ ହୋଇଥିଲା,ମନଟା ଅନ୍ବେଷଣ କରିଚାଲିଥିଲା ଶେଷରେ ଶୀର୍ଷକ ନାମିତ ହେଲା- ‘କଳା ରଙ୍ଗ ଓ ବର୍ଣ୍ଣ’
ସବୁ ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ ଦେଖି ସୋମା ଦେବୀ ଚକିତ ହୋଇଯାଇଥିଲେ । ଜିଜ୍ଞାସା ପିପାସୁ ତଥା ସୃଜନାତ୍ମକ ପ୍ରତିଭାର ବିକାଶ ଦ୍ରୁତ ଗତିରେ ଧାଇଁବାକୁ ଲାଗିଲା । ସୋମା ଦେବୀ ବିଚାରକ ମଣ୍ଡଳୀ ସହିତ ପ୍ରଦର୍ଶନୀ ଉଦଘାଟନ ସମାରୋହରେ ଯଥୋଚିତ ସମ୍ମାନୀତ ହେଲେ ଓ ସାରଗର୍ଭକ ଭାଷଣରେ କଳା ତ ସକଳ ଆଧାର । ସର୍ବ ନିର୍ବିଶେଷ ଧର୍ମର ପ୍ରତୀକ ସେ କଳା । ଆଧ୍ୟାତ୍ମିକତା ଦୃଷ୍ଟିକୋଣ ବି ସାରା ବ୍ରହ୍ମାଣ୍ଡକୁ ଚକାଡୋଳା ସହ ତୁଳନା କରି କଳା ରଙ୍ଗ ଦ୍ବାରା ଅତି ସହଜରେ ତଥା ସୁନ୍ଦର ଭାବେ ଦର୍ଶନ ଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି । କରତାଳିର ପ୍ରତିଧ୍ବନି ଏତେ ତୀବ୍ର ଥିଲା ଯେ ପରିବେଶଟା ଜଗନ୍ନାଥମୟ ଆପେ ଆପେ ହୋଇଯାଇଥିଲା ।
ସୋମା ଦେବୀ ଚାରିଆଡେ ଆଖି ବୁଲାଇ ଆଣି ଅତିଥିଗଣଙ୍କ ସହିତ ଆଗକୁ ବଢ଼ିଲେ,କୌତୁହଳବଶତଃ ଜାହାନ୍ନାରା ମେଜ ପାଖରେ ଅଟକି ଗଲେ । ତାଙ୍କ ଚକ୍ଷୁ ବିସ୍ଫାରିତ ହୋଇ ଆସିଲା,ପଚାରିଲେ ଏତେ ସବୁ ଭାବନାତ୍ମକ ଚିନ୍ତାଧାରାର ରହସ୍ୟ ଓ ମହତ୍ତ୍ବ କିଏ ଜୁଟାଇଲା ? ଏତେ ସୁନ୍ଦର ଭାବେ ଚକା ନୟନକୁ ବିଶାଳ ଆକାରରେ ଆଙ୍କି ପାରିଲ କେମିତି ? ତୁମେ ତ ବିଜ୍ଞାନ ଛାତ୍ରୀ !! କଳାକୃତି ଜ୍ଞାନାତ୍ମକ ଭାବାର୍ଥ ତୁଳୀରେ କଳାରଙ୍ଗକୁ ଅତି ନିଖୁଣ ଭାବେ ଦୁଇ ଚକାଆଖିରେ ଭରି ଦେଲ କେମିତି ? ଆନନ୍ଦେ ହରି ହରି ବୋଲୋ ସୋମା ଦେବୀଙ୍କ ହୃଦୟ ସାଗରରେ ଢେଉମାନ ପିଟି ହୋଇ ଯାଉଥିଲା ।
ଜାହାନ୍ନାରା ଉତ୍ତର ଅଧ୍ୟକ୍ଷାଙ୍କୁ ହତବାକ୍ କରି ଦେଇଥିଲା,ମେମ୍ ଆପଣଙ୍କଠୁ ହିଁ ପାଇଛି ଏ ସାରମର୍ମ, ଆପଣ ସନାତନ ଧର୍ମ ବିଷୟରେ ତର୍କବିତର୍କ ପ୍ରତିଯୋଗିତା ରଖିଥିଲେ, ନୈତିକ ମୂଲ୍ୟବୋଧର ପ୍ରକୃତ ନାମ ଦେଇଥିଲେ!!
ଏ ତ ଶୃଙ୍ଗାର ରସ
ସେ ତ କଳାଶ୍ରୀ ହସ
ସଭିଙ୍କୁ କରେ ତ ବଶ
ସବୁରି ଭରେ ତ ଆଶ
ଜାହାନ୍ନାରାର ସ୍ବଃ ସୃଜନଶୀଳ ଦକ୍ଷତା ଏକାଧାରରେ ସ୍ଵତନ୍ତ୍ର ବିଚାର ମନଭାବ ସହ ବୈଷୟିକ,ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଚେତନା ରଙ୍ଗ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଚନ୍ଦନ କସ୍ତୁରୀ ସୁଗନ୍ଧରେ ବାତାବରଣକୁ ପବିତ୍ରମୟ କରି ଦେଇଥିଲା। ତା'ର ବିସ୍ତୃତ ପ୍ରଦର୍ଶନୀ ସାମଗ୍ରୀ ଓ ଲେଖା ଶୈଳୀ ସଂପୂର୍ଣ୍ଣ ଭାବେ ଜଗନ୍ନାଥ ଦର୍ଶନାଦିର ହୃଦବୋଧ ସମସ୍ତଙ୍କୁ ଅଭିଭୂତ କରାଇଲା । ନିଖୁଣ କଳା ସ୍ଥାପତ୍ୟର ସୃଷ୍ଟି,ତା ସାଙ୍ଗକୁ ଅନର୍ଗଳ ବାକ୍ ଚାତୁରୀର ବୃଷ୍ଟି । ସନାତନ ଧର୍ମର ଶରଧା ଓ ପୁରୋଧା- ଶ୍ରୀ ଜଗନ୍ନାଥ। ସମସ୍ତ ସଂପ୍ରଦାୟର ଅଭିବ୍ୟକ୍ତି ଓ ଅଭିରୁଚି- ସନାତନୀ ଧର୍ମ। ସାରା ଜଗତର ପ୍ରାଣପିଣ୍ଡ ଜଗନ୍ନାଥ, ବ୍ରହ୍ମ ତତ୍ତ୍ବ ତଥା ସତ୍ୟର ତାତ୍ପର୍ଯ୍ୟ -ଦାରୁବ୍ରହ୍ମ । ପ୍ରଭୁଙ୍କ ଚକାଆଖି ତ ସମଗ୍ର ବ୍ରହ୍ମାଣ୍ଡ ସ୍ବରୁପ, ଆତ୍ମାନନ୍ଦ ବର୍ଣ୍ଣାଳୀର ରୁପ ନିର୍ବିକାର,ନିରାକାର । ତା'ର କଳା ରଙ୍ଗ ଯିଏ ବୋଳିବ,ଖେଳିବ ଓ ତୋଳିବ,ସିଏ ଚାଖିବ ନୈତିକ ନିର୍ମଳ ନିର୍ବାଣ,ପାଇବ ଶୁଦ୍ଧ ଶ୍ରଦ୍ଧା ଶକ୍ତିଉତ୍ସ ମୋକ୍ଷ ଲାଭ,ରହିବନି ମନରେ କଳୁଷିତ ହିଂସାବାଦ ଅବା ପ୍ରଦୂଷିତ ପ୍ରତିଶୋଧ ଭାବ ।
ସୋମା ଦେବୀଙ୍କ ସମ୍ମୁଖରେ ଜାହାନ୍ନାରା ରୂପ ଧାରଣ କଲା ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଓ ସମସ୍ତ ଜନତା ବନିଲେ ଏକଲବ୍ୟ । ନିଜକୁ ଧନ୍ୟ ମଣିଲେ ଓ ଉପରକୁ ହାତ ଉଠାଇ କହିଲେ । କାଳିଆ ସାଆନ୍ତକୁ କୋଟି କୋଟି ପ୍ରଣାମ, ସଭିଙ୍କୁ ସଲାମ,ଇଶ୍ବରଙ୍କ ଅନେକ ନାମ ଓ ଧାମ । ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଅଭିବାଦନ ଜଣାଇଲେ ଏକ ସ୍ବରରେ । ପରସ୍ପର ସହିତ, ଜୟ ଜଗନ୍ନାଥ ..
ଡଃ ସୌମ୍ୟା ପାତ୍ର
ଶିକ୍ଷାବିତ, ନୋଇଡା