ଭୁବନେଶ୍ବର: ଉଠ ଉତ୍ତମ ଦା ଉଠ... ତମକୁ ଆମ ରାଣ ଉଠିପଡ... ଦିନ ଦ୍ବିପହର ହେଲାଣି ଏଯାଏଁ କଣ ଶୋଇଛ ଯେ... ଉଠିଯାଅ, ଏତେ ଡେରିଯାଏଁ ଶୋଇବା କଣ ଦେହ ପାଇଁ ଭଲ ? ଉଠିପଡ... ଏଇ ଦେଖ ତମକୁ ଦେଖିବାକୁ କେତେ ଲୋକଙ୍କ ଭିଡ ଲାଗିଛି । ଦେଖ ଟିକି ଅପା, ବାବୁ ଭାଇ କେମିତି ଭାଙ୍ଗି ପଡିଛନ୍ତି, କଳାକାରମାନେ କେମିତି କଇଁକଇଁ କାନ୍ଦୁଛନ୍ତି ଆଉ ତମ ହଜାର ହଜାର ପ୍ରଶଂସକ କେମିତି ଝୁରି ହେଉଛନ୍ତି... ଉଠିଲେ ତ ଦେଖିବ... ଉତ୍ତମ ଦା, ଥରୁଟେ ଖାଲି ଉଠିଯାଅ, ଏମିତି ଅସମୟରେ କିଏ କଣ ଶୁଏ ...

Advertisment

ଅଧା ବାଟରେ 'ଅଭିମାନ' କରି ସବୁଦିନ ପାଇଁ ଶୋଇଯିବା ପରେ ଉତ୍ତମଙ୍କୁ ଝୁରୁଛନ୍ତି ଓଡିଶାବାସୀ । ଆଉ ତାଙ୍କ ପ୍ରିୟ କଳାକାରଙ୍କୁ ହରାଇ ଆଖିରେ ଆଖିଏ ଲୁହ ନେଇ ଉତ୍ତମ ଦା’ଙ୍କୁ ଅନୁରୋଧ କରୁଛନ୍ତି... ଏ ଉତ୍ତମ ଦା, ଆଉ ଥରେ ଫେରିଆସିଲେ ହୁଅନ୍ତାନି, ତୁମ ଅଭିନୟକୁ ଆମେ ଆଜି ଯାଏଁ ଝୁରୁଛୁ । ତମର ଗାଉଁଲୀ ପୁଅର ଶଗଡିଆ ବେଶ ଭାରି ମନେପଡୁଛି । ଆଉ ଥରେ ଆମ ପାଖକୁ ଫେରିଆସି ସେହି ଗୀତରେ ଆମକୁ ଝଲକଟେ ଦେଖାନ୍ତନି... ଦୁଃଖ ଦେଇଯାଇଥିବା 'ଦଣ୍ଡା ବାଳୁଙ୍ଗା'ଙ୍କୁ ଝୁରି ହେଉଛନ୍ତି ସିନେପ୍ରେମୀ । ହେଲେ ବିଧିର ବିଧାନ ଆଉ ସମୟର କାଳଚକ୍ରରେ ସମସ୍ତଙ୍କୁ ତ ଦିନେ ନା ଦିନେ ଯିବାକୁ ପଡେ ଆଉ ଉତ୍ତମ ମହାନ୍ତିଙ୍କ ପରଲୋକ ବି ସେହି ବିଧିର ନିର୍ଦ୍ଦେଶରେ ହୋଇଛି । ଯାହାକୁ ଧିରେଧିରେ ବୁଝି ଆଖିର ଲୁହକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ସିନେ କଳାକାର, ସିନେ ପ୍ରେମୀ ଓ ଆତ୍ମୀୟସ୍ବଜନ ।

ଉତ୍ତମ ମହାନ୍ତି କେବେ ‘ଚାଲିରେ ତୋର ପଦ୍ମ ଫୁଟେ’ କହି ନିଜ ପତ୍ନୀଙ୍କୁ ମନେଇବାର କଳା ଶିଖାଇଛନ୍ତି, କେବେ ‘ଏଇ ଝୁମା ଝୁମା ଗୋଲାପୀ ବେଳା’ରେ ନିଜର ମଣିଷକୁ କେମିତି ଝୁରି ଝୁରି ପାଇହୁଏ ତାହା ବି ସେ ଶିଖାଇଛନ୍ତି ଆଉ ପୁଣି କେବେ ନିଜକୁ ଦଣ୍ଡାବାଳୁଙ୍ଗା କହି ଯୁବକଙ୍କ ଭିତରେ ଜୋସ୍ ଭରିଛନ୍ତି । ଆଉ ସେବେ ‘ଗୋରୀ ଲୋ ଗୋରୀ ତୁ ସେପାରିକୁ ଯିବୁ’ କହି ଆଜି ନିଜେ ସେପାରିକୁ ସବୁଦିନ ପାଇଁ ଚାଲିଯାଇଛନ୍ତି ଉତ୍ତମ । ୯୦ ଦଶକର ସୁପରଷ୍ଟାର, ରୂପେଲୀ ପରଦାର ମହାନାୟକ ଏବଂ ଓଡିଆ ସିନେ ଜଗର ବେତାଜ ବାଦଶାହା ।

୧୯୭୭ ମସିହାରେ 'ଅଭିମାନ'ରୁ ଆରମ୍ଭ ଅଭିନୟର ଯାତ୍ରା
-୧୩୫ଟି ସିନେମାରେ ଅଭିନୟ କରି ଛାପ ଛାଡିଗଲେ
-୨୦୨୫ରେ ଜୀବନର ରଙ୍ଗମଞ୍ଚରେ ସରିଗଲା ସତ ସତିକା ଯାତ୍ରା

ସିନେମା

ଅଭିମାନ, ରାମାୟଣ, ଫୁଲ ଚନ୍ଦନ, ସମୟ ବଡ଼ ବଳବାନ, ସହରୀ ବାଘ, ଦଣ୍ଡା ବାଳୁଙ୍ଗା, ଝିଅଟି ସୀତା ପରି, କଳ୍କୀ ଅବତାର, ରୂପା ଗାଁର ସୁନା କନିଆଁ, ପୁଅ ମୋର ଭୋଳା ଶଙ୍କର    , ସୁହାଗ ସିନ୍ଦୂର, ଲକ୍ଷ୍ମଣ ରେଖା, ଯଶୋଦା, କପାଳ ଲିଖନ, ଭୀଷ୍ମ ପ୍ରତିଜ୍ଞା, ଏଇ ଆମ ସଂସାର    , ପଞ୍ଚୁ ପାଣ୍ଡବ, ପାପପୁଣ୍ୟ, ପୂଜାଫୁଲ, ସତ କେବେ ଲୁଚି ରହେନା, କନ୍ୟାଦାନ, ପରଦେଶୀ ଚଢ଼େଇ, ଠାକୁର ଅଛନ୍ତି ଚଉ ବାହାକୁ, ଟୋପାଏ ସିନ୍ଦୁର ଦିଟୋପା ଲୁହ, ନୂଆ ଭାଉଜ, ଆମ ଘର ଆମ ସଂସାର, ନାଗ ପଞ୍ଚମୀ, ଭାଗ୍ୟ ହାତେ ଡୋରି, ପାଚେରୀ ଉଠିଲା ମଝି ଦୁଆରୁ, ରକତ କହିବ କିଏ କାହାର, ସକଳ ତୀର୍ଥ ତୋ ଚରଣେ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୂର, ସହର ଜଳୁଛି, ମା ପରି କିଏ ହେବ, ଅଗ୍ନି ପରୀକ୍ଷା, ସମୟ ଖେଳୁଛି ଚକା ଭଉଁରୀ, ମୋ କୋଳ ତୋ ଝୁଲଣା, ଓମ୍ ଶାନ୍ତି ଓମ୍, ଉଦଣ୍ଡି ସୀତା, ଜୋର ଯାର ମୂଲକ ତାର... ଏମିତି ଆହୁରି ଅନେକ...

ସେହିପରି ଅଭିନୟରେ ଉତ୍ତମ- ସର୍ବୋତ୍ତମ ଥିବା ବେଳେ ନିଜ ନିଖୁଣ ଅଭିନୟ ପାଇଁ ମିଳିଛି ତାଙ୍କୁ  ଅନେକ ସମ୍ମାନ ଓ ସ୍ବିକୃତୀ ।

ମନେରହିବେ ଉତ୍ତମ ମହାନ୍ତି
• ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
• ଶ୍ରେଷ୍ଠ ଅଭିନେତା, ୧୯୮୨ (ଫୁଲ ଚନ୍ଦନ)
• ଶ୍ରେଷ୍ଠ ଅଭିନେତା, ୧୯୮୪ (ଦଣ୍ଡା ବାଳୁଙ୍ଗା)
• ଶ୍ରେଷ୍ଠ ଅଭିନେତା, ୧୯୮୩ (ଝିଅଟି ସୀତା ପରି)
• ଶ୍ରେଷ୍ଠ ସହ-ଅଭିନେତା, ୧୯୯୧ (ତୋ ବିନୁ ଅନ୍ୟଗତି ନାହିଁ)
• ଜୟଦେବ ପୁରସ୍କାର (୧୯୯୯)
• ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର (୨୦୦୬)
• ଶ୍ରେଷ୍ଠ ଅଭିନେତା- ‘ଫିଟଫାଟ ବାଇସ୍କୋପ’ ପୁରସ୍କାର (୨୦୦୮)
• ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର-୨୦୧୨