‘ରାଜନୀତିରେ ଅପରାଧର ସ୍ଥାନ ନାହିଁ।’
‘ବ୍ରାଣ୍ଡ୍ ନବୀନ’ର ଏହା ଏକ ବଳିଷ୍ଠ ବିଶେଷତ୍ବ। କିନ୍ତୁ ୨୦୨୧ରେ ଏହି ବିଶେଷତ୍ବ କ୍ଷୂଣ୍ଣ ହେଲା ପରି ଅନୁଭବ ହେଲା। ଏଥିରେ ମୁଖ୍ୟ ଭୂମିକା ନେଲେ ଖୋଦ୍ ବିଶ୍ବସ୍ତ ସହଯୋଗୀ। ମାହାଙ୍ଗା ଡବଲ୍ ମର୍ଡର୍ ହେଉ କି ମମିତା ମେହେର ହତ୍ୟାକାଣ୍ଡ। ଦୁଇଟି ଯାକ ଘଟଣା ଥିଲା ଅତ୍ୟନ୍ତ ନିର୍ମମ ଓ ହୃଦୟ ବିଦାରକ। ବିବାଦରେ ଛନ୍ଦି ହୋଇଗଲେ ଆଇନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ। ମନ୍ତ୍ରୀ ସିଧାସଳଖ ସାମିଲ ଥା’ନ୍ତୁ ବା ନ ଥା’ନ୍ତୁ। କିନ୍ତୁ ଅଛପା ରହିଲାନି ଅପରାଧୀଙ୍କ ପଛରେ ଥିବା ରାଜନୈତିକ ପୃଷ୍ଠପୋଷକତା। ସହଯୋଗୀଙ୍କ ନାଁରେ ଏମିତି ସଙ୍ଗୀନ ଅଭିଯୋଗ ବିରୋଧୀଙ୍କୁ ସଶକ୍ତ କରିବାକୁ ସୁଯୋଗ ସୃଷ୍ଟି କଲା। ବିରୋଧୀ ଅତ୍ୟନ୍ତ ଶାଣିତ ଢଙ୍ଗରେ ଆକ୍ରମଣ କରିବାକୁ ଉଦ୍ୟମ କଲେ। ରାଜରାସ୍ତାରୁ ବିଧାନସଭା ଯାଏ କମ୍ପମାନ କଲେ। ସରକାରଙ୍କୁ ବିବ୍ରତ କରି ପକାଇଲେ। ବର୍ଷ ଶେଷ ଯାଏ ବିରୋଧୀଙ୍କ ଷଣ୍ଢୁଆସି ଆକ୍ରମଣ ଜାରି ରହିଲା . . .
ଏହାରି ଭିତରେ ବି କ୍ଷମତା ରାଜନୀତିରେ ନବୀନ ବିକଳ୍ପବିହୀନ। ଦଳ ଭିତରେ ନିରଙ୍କୁଶ, ରାଜ୍ୟ ରାଜନୀତିରେ ଅନତିକ୍ରମଣୀୟ। ଭୋଟ୍ ପାଇଁ ତାଙ୍କ ନାମ ହିଁ ଯଥେଷ୍ଟ। ଏହା ପୁଣି ପ୍ରମାଣିତ ହେଲା ୨୦୨୧ରେ। ପିପିଲି ଉପନିର୍ବାଚନରେ ବିଜେଡି ବାଜିମାତ କଲା। ଏହାର ସବୁ ଶ୍ରେୟ କେବଳ ନବୀନଙ୍କର। ଶାସନର ବୟସ ବଢ଼ିବା ସହ ନବୀନଙ୍କ ଗାଦି ଆହୁରି ମଜବୁତ୍ ହୋଇଛି। ଜାତୀୟ ସ୍ତରର ଏକାଧିକ ସର୍ଭେରେ ନବୀନ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନମ୍ବର-୧ . . .
ନୂଆ ନୂଆ ଯୋଜନା କରି ଲୋକଙ୍କୁ ନବୀନମନସ୍କ କରି ରଖିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି। ଏନ୍ତୁଡ଼ିଶାଳରୁ ମଶାଣି ଭୂଇଁ ପର୍ଯ୍ୟନ୍ତ ଯୋଜନା ଖଞ୍ଜି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ନବୀନ। ୨୦୨୧ ବି ସେହି ଧାରାରୁ ବାଦ୍ ପଡ଼ିନି। ଅନାଥ ଶିଶୁଙ୍କୁ ‘ଆଶୀର୍ବାଦ’ ହେଉ କି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ‘ସ୍ମାର୍ଟ କାର୍ଡ’। ପୁଣି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସିଧାସଳଖ କୋଭିଡ୍ ସହାୟତା ପ୍ରଦାନ। ପୁଣି କୋଭିଡ୍ ଦ୍ବିତୀୟ ଲହର ବେଳେ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ। ଏସବୁ ପାଇଁ ବର୍ଷତମାମ ପ୍ରଶଂସା ସାଉଁଟିଛନ୍ତି ନବୀନ . . .
ଏବେ ଆଖି ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନ ଉପରେ। ୨୦୨୪ ନିର୍ବାଚନ ପୂର୍ବରୁ ଏହା ହେବ ସେମି ଫାଇନାଲ୍। ୨୦୨୧ରେ ଯୋଜନାର ପାହାଡ଼ ଓ ବ୍ୟକ୍ତିଗତ ଭାବମୂର୍ତ୍ତି ତୁଳନାରେ ସହଯୋଗୀଙ୍କ କାରନାମା ନବୀନଙ୍କ ପାଇଁ ଭାରି ପଡ଼ିଛି ସତ। ବିରୋଧୀ ବି ନିଜକୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ଭୋଟ୍ ରାଜନୀତି ପାଇଁ ରଣନୀତି କରିବାରେ ବିରୋଧୀ ନିକଟ ଅତୀତରେ କେବେ ସଫଳ ହୋଇ ନାହାନ୍ତି। ତେଣୁ ନୂଆ ନୂଆ ତରିକାରେ ଭୋଟର୍ଙ୍କୁ ନିଜ ସପକ୍ଷରେ ରଖିବାକୁ ନବୀନ ବାରମ୍ବାର ସଫଳ ହୋଇଛନ୍ତି। ଏଥର ନବୀନଙ୍କ ରଣନୀତି କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିବ . . .
/sambad/media/post_attachments/wp-content/uploads/2021/12/assembly-ff.jpeg)
ଆଇନ୍, ଗୃହ ମନ୍ତ୍ରୀଙ୍କୁ ନେଇ ହୁଲସ୍ତୁଲ
ରାଜ୍ୟ ମନ୍ତ୍ରିମଣ୍ଡଳରେ ଆଇନ ଓ ଗୃହ ବିଭାଗର ଭୂମିକା ଅଧିକ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଏହି ଦୁଇ ବିଭାଗର ମନ୍ତ୍ରୀ ବିବାଦରେ ଛନ୍ଦି ହୋଇଯାଇଛି। ୨୦୨୧ ପ୍ରଥମାର୍ଦ୍ଧାରେ ମାହାଙ୍ଗା ଡବଲ୍ ମର୍ଡର୍ ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ବର୍ଷ ଶେଷ ଆଡ଼କୁ କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଉପରକୁ ଅଙ୍ଗୁଳି ଉଠିଲା। ଉଭୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭାରୁ ରାଜରାସ୍ତା ପର୍ଯ୍ୟନ୍ତ ହୁଲସ୍ତୁଲ କଲେ ବିରୋଧୀ। ଦୁଇ ମନ୍ତ୍ରୀ ଯେତେ ସଫେଇ ଦେଲେ ମଧ୍ୟ ସାଧାରଣରେ ସେମାନଙ୍କ ଭୂମିକା ସନ୍ଦେହଜନକ ହୋଇଗଲା। ତୃଣମୂଳ ସ୍ତରରେ ସରକାରଙ୍କ ଛବି ମଧ୍ୟ ମଳିନ ହେଲା। କେଉଁଠି ନା କେଉଁଠି ଅପରାଧୀଙ୍କ ପୃଷ୍ଠପୋଷକତା ରାଜନୈତିକ ନେତା କରୁଛନ୍ତି ବୋଲି ଏକ ଧାରଣା ସୃଷ୍ଟି ହେଲା।
ବିଧାନସଭାରେ ଅଭାବନୀୟ ଦୃଶ୍ୟ
୨୦୨୧ରେ ବିଧାନସଭାରେ ଅନେକ ଅଲୋଡ଼ା ତଥା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଦେବଗଡ଼ ବିଧାୟକ ଗୃହ ଭିତରେ ସାନିଟାଇଜର୍ ପିଇବାକୁ ଉଦ୍ୟମ କରିଥିଲେ। ବିଧାନସଭାର ଶେଷ ଅଧିବେଶନରେ ଆଦୌ ଗୃହ ଚାଲିପାରିଲା ନାହିଁ। ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ ରହିଲେ। ଉଭୟ ବିରୋଧୀ ଓ ଶାସକଙ୍କ ମଧ୍ୟରେ ଗୃହକୁ ଅଚଳ କରିବାକୁ ଯେମିତି ଅଘୋଷିତ ପ୍ରତିଯୋଗିତା ଚାଲିଲା। ଉଭୟ ପକ୍ଷ ଏମିତି ତରିକା ସବୁ ଆପଣାଇଲେ ଯେ ସେସବୁ ଅଲୋଡ଼ା ରେକର୍ଡ ସୃଷ୍ଟି କଲା। କେବେ ଗୃହ ଭିତରେ ଗଙ୍ଗାଜଳ ସିଞ୍ଚାଗଲା ତ କେବେ ଘଣ୍ଟ ମାଡ଼ ହେଲା। ପୁଣି ବିଧାନସୌଧ ଚୌହଦୀରେ ଗୋବର ପାଣି ସିଞ୍ଚା ଯାଇ ଧୂପଦୀପ ବୁଲାଗଲା। ଗୃହକୁ ସ୍ବାଭାବିକ କରିବା ଦିଗରେ ବାଚସ୍ପତି ନିଜ ଅସହାୟତା ପ୍ରକାଶ କଲେ। ଏମିତି ଅନେକ ଅଲୋଡ଼ା ଉଦାହରଣର ସାକ୍ଷୀ ରହିଲା ୨୦୨୧। ପୁଣି ଆଗୁଆ ବିଧାନସଭା ସାରିଦେବାର ପରମ୍ପରା ବି ବଜାୟ ରହିଲା।
/sambad/media/post_attachments/wp-content/uploads/2021/12/nnn.jpg)
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୩
ଏ ବର୍ଷ କେନ୍ଦ୍ର ମନ୍ତ୍ରିମଣ୍ଡଳର ଚେହେରା ବଦଳାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିରେ ଓଡ଼ିଶାର ପଲା ଭାରି ରହିଲା। ଧର୍ମେନ୍ଦ୍ର ପ୍ରଧାନ ମୋଦୀ କ୍ୟାବିନେଟ୍ରେ ତାଙ୍କ ସ୍ଥାନ ସୁରକ୍ଷିତ ରଖିଲେ। ପେଟ୍ରୋଲିୟମ୍ ପରି ଦୁଧିଆଳି ବିଭାଗ ତାଙ୍କ ହାତରୁ ଗଲା ସତ। କିନ୍ତୁ ଶିକ୍ଷା ଓ ଦକ୍ଷତା ବିକାଶ ପରି ଓଜନିଆ ବିଭାଗ ତାଙ୍କୁ ଧରାଇଦେଲେ ପ୍ରଧାନମନ୍ତ୍ରୀ। ସାରା ଦେଶରେ ଜାତୀୟ ଶିକ୍ଷାନୀତି ଲାଗୁ ହୋଇଥିବାରୁ ଧର୍ମେନ୍ଦ୍ରଙ୍କ ପ୍ରଦର୍ଶନ ଉପରେ ସାରା ଦେଶର ନଜର ରହିଛି। ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରୁଥିବା ଅଶ୍ବିନୀ ବୈଷ୍ଣବଙ୍କୁ ରେଳବାଇ ପରି ଏକ ବଡ଼ ମନ୍ତ୍ରଣାଳୟ ଦିଆଯାଇଥିବାରୁ ଜାତୀୟ ରାଜନୀତିରେ ଓଡ଼ିଶା ଚର୍ଚ୍ଚାରେ ରହିଲା। କାରଣ ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଜଣେ ବ୍ୟକ୍ତିଙ୍କୁ ଏହି ବିଭାଗର କ୍ୟାବିନେଟ୍ ପାହ୍ୟା ମିଳିଛି। ସେହିପରି ବିଶ୍ବେଶ୍ବର ଟୁଡ଼ୁଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ କରାଯାଇ ତାଙ୍କୁ ଦଳର ଆଦିବାସୀ ଚେହେରା ଭାବେ ଉପସ୍ଥାପନ କରାଯାଇଛି। ତେବେ ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଦା କରାଗଲା। ସେ କାହିଁକି ମୋଦୀଙ୍କ ବିଶ୍ବାସ ଜିଣିପାରିଲେ ନାହିଁ, ତାହା ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି।
/sambad/media/post_attachments/wp-content/uploads/2021/12/mission-sakti-1.jpg)
ମିସନ୍ ଶକ୍ତିକୁ ଶକ୍ତି
କୁହାଯାଉଛି ଯେ ନବୀନ ପଟ୍ଟନାୟକ ଲମ୍ବା ସମୟ ଧରି ଶାସନ କରିବା ପଛରେ ମହିଳା ଭୋଟର୍ଙ୍କ ବଡ଼ ଅବଦାନ ରହିଛି। ସମ୍ଭବତଃ ସେଥି ପାଇଁ ରାଜ୍ୟ ସରକାର ଏହି ମହିଳା ଭୋଟରଙ୍କ ପାଇଁ ହାତଖୋଲା ପ୍ୟାକେଜ୍ ଘୋଷଣା କରିଛନ୍ତି। ମିସନ୍ ଶକ୍ତିକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗରୁ ଅଲଗା କରି ସ୍ବତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି। ମିସନ୍ ଶକ୍ତିକୁ ବିଭିନ୍ନ ବିଭାଗ ଦ୍ବାରା ୫ହଜାର କୋଟି ଟଙ୍କାର କାମ ଦେବା, ପ୍ରତି ଜିଲ୍ଲାରେ ମିସନ୍ ଶକ୍ତି ଭବନ ପାଇଁ କୋଟିଏ ଲେଖାଏଁ, ବ୍ଲକସ୍ତରରେ ୩୩୮ଟି ମିସନ୍ ଶକ୍ତି ଭବନ ନିର୍ମାଣ ପାଇଁ ୫୦ଲକ୍ଷ ଲେଖାଏଁ, ଋଣ ଉପରେ ସୁଧ ରିହାତି ପାଇଁ ୨୦୦କୋଟି ଟଙ୍କା ଭଳି ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହାବାଦ୍ ବିଦେଶରେ ମିସନ୍ ଶକ୍ତି ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ମାର୍କେଟିଂ ବ୍ୟବସ୍ଥାର ଆରମ୍ଭ, ଅନଲାଇନ୍ ମାର୍କେଟ୍ ବ୍ୟବସ୍ଥା ବି କରିଛନ୍ତି।
/sambad/media/post_attachments/wp-content/uploads/2021/12/biju-card.jpg)
ଫୋକସ୍ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଏ ବର୍ଷ ଥିଲା ସରକାରଙ୍କର ସବୁଠାରୁ ବଡ଼ କାର୍ଯ୍ୟକ୍ରମ। କରୋନାର ଦ୍ବିତୀୟ ଲହର ଆରମ୍ଭରୁ ନବୀନ ନିବାସରେ ରହି ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ଶାସନ କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ସେ ଓଡ଼ିଶା ବୁଲିବା ଆରମ୍ଭ କଲେ। ମାଲକାନଗିରିରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଯାଜପୁରରେ ଶେଷ ହୋଇଥିଲା। କିଛି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନିଜେ ଯାଇଥିଲା ବେଳେ ଆଉ କିଛି ଜିଲ୍ଲାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏଥି ପାଇଁ ସରକାର ଓ ଶାସକ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରୁ ରାଜନୈତିକ ଫାଇଦା ଯେପରି ମିଳିବ, ସେଥି ପାଇଁ ବିଜେଡି ନେତାମାନେ ବେଶ୍ କସରତ୍ କରିଥିଲେ। ମାଳ ମାଳ ମନ୍ତ୍ରୀ, ନେତାଙ୍କ ଜିଲ୍ଲା ଗସ୍ତ ନିର୍ବାଚନର ଭ୍ରମ ସୃଷ୍ଟି କରିଥିଲା।
/sambad/media/post_attachments/wp-content/uploads/2021/12/nv2.jpg)
ନବୀନ ନିବାସରେ ବିଜେପି ବିଧାୟକ
ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନ ଆସିବା ପ୍ରତିବାଦରେ ବିଜେପି ବିଧାୟକମାନେ ତାଙ୍କୁ ଖୋଜି ଖୋଜି ପଦଯାତ୍ରାରେ ନବୀନ ନିବାସ ଗଲେ। ରାଜଧାନୀ ରାସ୍ତାରେ ଚାଲିଲା ହାଇଡ୍ରାମା। କିନ୍ତୁ ନବୀନ ନିବାସରେ ବିଧାୟକମାନେ ପହଞ୍ଚିଲା ପରେ ଦୃଶ୍ୟ ବଦଳିଗଲା। ପୂରା ସୋ’କୁ ହାଇଜାକ୍ କରିବାକୁ ତତ୍କାଳ ରଣନୀତି କଲା ବିଜେଡି। ନବୀନ ନିବାସରେ ବିଜେପି ବିଧାୟକଙ୍କୁ ଫୁଲ, ଚନ୍ଦନ ଦେଇ ସ୍ବାଗତ କଲେ ବିଜେଡିର ନାରୀ ନେତ୍ରୀମାନେ। ନିଜେ ମୁଖ୍ୟମନ୍ତ୍ରୀ ବାହାରକୁ ଆସି ସେମାନଙ୍କ ସହ କଥା ହେଲେ। ନବୀନଙ୍କ ସହ ଗଛ ମୂଳେ ଚାଲିଲା ବୈଠକ। ଏହା ପରେ ସେମାନେ ଫେରିଆସିଲେ। ଏହାକୁ ନେଇ ବେଶ୍ ସମାଲୋଚନାର ଶୀକାର ହେଲା ବିଜେପି। ଖୋଦ୍ ବିଜେପିର କିଛି ବିଧାୟକ ଏହା ଏକ ଭୁଲ୍ ହେଲା ବୋଲି ଖୋଲାଖୋଲି ସ୍ବୀକାର କଲେ।
କେବେ ନରମ, କେବେ ଗରମ
୨୦୧୯ ସାଧାରଣ ନିର୍ବାଚନ ପରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ପୂରା ବୁଝାମଣାରେ ଚାଲିଥିଲା। ତଳ ସ୍ତରରେ ନେତାମାନେ ବେଳେବେଳେ ପରସ୍ପରକୁ କେଞ୍ଚୁଥିଲେ ମଧ୍ୟ ସର୍ବୋଚ୍ଚ ସ୍ତରରେ କେହି କାହା ବିରୋଧରେ ପାଟି ଫିଟାଉ ନ ଥିଲେ। ୨୦୨୧ରେ ଏଥିରେ ଟିକେ ଓଲଟପାଲଟ ହେଉଥିବାର ଆଭାସ ମିଳିଛି। ବେଳେବେଳେ ଉଭୟ ପକ୍ଷର ସର୍ବୋଚ୍ଚ ନେତା ପରସ୍ପରକୁ ଅଡ଼ୁଆରେ ପକାଇଲା ପରି ଠୋ ଠା ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳୁଛି।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ର ବିରୋଧରେ ବିଷୋଦ୍ଗାର କରିଛନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ହମ୍ଲା କରିବାର ନଜିର ଦେଖାଦେଇଛି। ପୁଣି ମମିତା ମେହେର ପ୍ରସଙ୍ଗରେ ବିଜେପିର ଲଗାତାର ଆନ୍ଦୋଳନ ବିଜେଡିକୁ ବେଶ୍ ଅଡ଼ୁଆରେ ପକାଇଛି। ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୋଧରେ ବିଜେଡିର ରଣହୁଙ୍କାର ବିଜେପିକୁ ମଧ୍ୟ ଅକଳରେ ପକାଇଛି।
/sambad/media/post_attachments/wp-content/uploads/2021/12/nv3.jpg)
ଜାତିକୁ ନେଇ ରାଜନୀତି
ଅନ୍ୟ ପଛୁଆ ବର୍ଗ (ଓବିସି)ର ଲୋକ କାହାର? ଏହାକୁ ନେଇ ୨୦୨୧ରେ ବର୍ଷତମାମ ଚାଲିଲା ରାଜନୀତି। ବୟାନବାଜିରେ କେହି କାହାକୁ ପଛରେ ପଡ଼ିଲେ ନାହିଁ। ସବୁ ପ୍ରମୁଖ ଦଳର ସର୍ବୋଚ୍ଚ ନେତାମାନେ ମଧ୍ୟ ଏଥିରେ ମାତିଲେ। ଓବିସି ସଂରକ୍ଷଣକୁ ନେଇ ପରସ୍ପରକୁ ଦୋଷାରୋପ କଲେ। ଓବିସି ପ୍ରତି ନିଜ ଦରଦ ଦେଖାଇବା ପାଇଁ ଅନେକ କଥା କହିଲେ। କିନ୍ତୁ ବର୍ଷ ଶେଷକୁ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ଆଦୌ ସଂରକ୍ଷଣ ରହିପାରିଲା ନାହିଁ। ରାଜ୍ୟରେ ପଛୁଆ ବର୍ଗ ଗଣନା ବହୁ ଆଡ଼ମ୍ବରରେ ଲଘୁକ୍ରିୟା ହୋଇଗଲା। ଜାତିଭିତ୍ତିକ ରାଜନୀତି ଠାରୁ ଓଡ଼ିଶା ବହୁ ଦୂରରେ ଥିଲେ ମଧ୍ୟ ଏ ବର୍ଷ ଜାତିକୁ ନେଇ ରାଜନୀତିର ମୂଳଦୁଆ ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଗକୁ ଏହା କେଉଁ ରୂପ ନେଉଛି, ଦେଖିବାକୁ ବାକି ରହିଲା।
କଂଗ୍ରେସ କଳି ଛିଡ଼ୁନି
ଓଡ଼ିଶାରେ କଂଗ୍ରେସର ସ୍ଥିତି ତଳକୁ ତଳ ଖସି ଚାଲିଛି। ବିଧାନସଭାରେ ମୁଖ୍ୟ ବିରୋଧୀ ଦଳରୁ ଏବେ ତୃତୀୟକୁ ଖସି ଆସିଛି କଂଗ୍ରେସ। ବିଧାୟକ ସଂଖ୍ୟା ମଧ୍ୟ ଦୁଇ ଅଙ୍କ ଛୁଇଁପାରିନି। ପୁଣି ଆଗକୁ ପଞ୍ଚାୟତ ନିର୍ବାଚନ। କିନ୍ତୁ ଘର ସଜାଡ଼ିବେ କ’ଣ, କଂଗ୍ରେସ ନେତାମାନେ କନ୍ଦଳରେ ମାତିଛନ୍ତି। କେତେବେଳେ ପିସିସି ସଭାପତିଙ୍କୁ ଟାର୍ଗେଟ୍ କରାଯାଉଛି ତ କେତେବେଳେ ବିଧାୟକ ଦଳ ନେତାଙ୍କୁ। ଏପରିକି ବରିଷ୍ଠ ନେତାମାନନେ ଖୋଲାଖୋଲି ଗଣମାଧ୍ୟମରେ ନେତୃତ୍ବ ବିରୋଧରେ ବିଷୋଦ୍ଗାର କରୁଛନ୍ତି। ଯୁବ କଂଗ୍ରେସ ସଭାପତିଙ୍କୁ ହଟାଇବା ପାଇଁ ମଧ୍ୟ ଗୋଟିଏ ଗୋଷ୍ଠୀ ଲବି କରୁଛନ୍ତି। ଏକାଧିକ ଥର କଂଗ୍ରେସ ଭବନରେ ଗୋଷ୍ଠୀ ଯୁଦ୍ଧ ଦଳର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିଛି। କିନ୍ତୁ ବିଶୃଙ୍ଖଳାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେହି ସାହସ ଜୁଟାଇପାରୁ ନାହାନ୍ତି। ୨୧ ବର୍ଷ ଧରି କ୍ଷମତା ବାହାରେ ରହିବା ସତ୍ତ୍ବେ ଦଳକୁ ମଜବୁତ୍ କରିବାକୁ ନେତାମାନେ ଆଗ୍ରହ ପ୍ରକାଶ ନ କରିବା ଏକ ବିଡ଼ମ୍ବନା।
/sambad/media/post_attachments/wp-content/uploads/2021/12/nv5.jpg)
ପୁଣି ମନ୍ଦିର ପ୍ୟାକେଜ୍
ରାଜ୍ୟ ସରକାର ଗତବର୍ଷ ଶ୍ରୀ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ କୋଣାର୍କରେ ଐତିହ୍ୟ ଓ ଚତୁଃପାର୍ଶ୍ବ ବିକାଶ ପାଇଁ ବିଭିନ୍ନ ପ୍ୟାକେଜ୍ ଘୋଷଣା କରିଥିଲେ। ୨୦୨୧ ଶେଷ ଆଡ଼କୁ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପର ବହୁ ଆଡ଼ମ୍ବରରେ ଶିଳାନ୍ୟାସ କରାଗଲା। ଏହା ସହ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ବରୀ ଓ ମା’ମାଣିକେଶ୍ବରୀଙ୍କ ପାଇଁ ବଡ଼ ପ୍ୟାକେଜ୍ ଘୋଷଣା ହୋଇଛି। ଏଥିରେ ମା’ ସମଲେଶ୍ବରୀଙ୍କ ପାଇଁ ବର୍ଷ ଆରମ୍ଭରେ ୨୦୦କୋଟି ଟଙ୍କାର ‘ସମଲେଇ’ ପ୍ୟାକେଜ୍ ଓ ମାଣିକେଶ୍ବରୀଙ୍କ ପାଇଁ ବର୍ଷ େଶଷରେ ୨କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ।
କେନ୍ଦ୍ରାପଡ଼ାରେ ବଡ଼ ଷ୍ଟିଲ୍ ପ୍ଲାଣ୍ଟ
ଶିଳ୍ପଶୂନ୍ୟ କେନ୍ଦ୍ରାପଡ଼ାରେ ଦେଶର ସବୁଠୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ। ଏଥି ପାଇଁ ରାଜ୍ୟ ସରକାର ଆବଶ୍ୟକ ଅନୁମତି ଦେଇଛନ୍ତି। ମହାକାଳପଡ଼ାରେ ହେବାକୁ ଥିବା ଏହି ପ୍ଲାଣ୍ଟ ୭ବର୍ଷରେ ପୂର୍ଣ୍ଣାଙ୍ଗ ରୂପ ପାଇବାକୁ ଥିବାବେଳେ ଏଥିପାଇଁ ଆର୍ସେଲର ମିତ୍ତଲ ୧ଲକ୍ଷ ୨ହଜାର ୨୭୫ କୋଟି ଟଙ୍କା ପୁଞ୍ଜିନିବେଶ କରିବ ବୋଲି ଘୋଷଣା କରିଛି। ବାର୍ଷିକ ୨୪ମେଟ୍ରିକ ଟନ୍ ଇସ୍ପାତ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ୧୬ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଉଛି। କେବଳ ଷ୍ଟିଲ୍ ନୁହେଁ ଏଠାରୁ ବାର୍ଷିକ ୧୮.୭୫ ମେଟ୍ରିକ ଟନ୍ ସିମେଣ୍ଟ ବି ଉତ୍ପାଦନ ହେବ।
/sambad/media/post_attachments/wp-content/uploads/2021/12/naveen-patnaik-fff.jpg)
ସର୍ଭେରେ ନବୀନ ନମ୍ବର ୱାନ୍
ବିଭିନ୍ନ ଜାତୀୟସ୍ତରର ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଚଳିତବର୍ଷ ଦେଶର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ବାଜିମାତ୍ କରିଥିଲେ। ବିକଶିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ବି ପଛରେ ପକାଇ ନବୀନ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ମାନ୍ୟତା ପାଇଥିଲେ। ଏବିପି ନ୍ୟୁଜ୍- ସି ଭୋଟ୍ର ପକ୍ଷରୁ ହୋଇଥିବା େଦଶ୍କା ମୁଡ୍ ସର୍ଭେରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ସୁବଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇଥିଲେ। ସେହିପରି ଇଣ୍ଡିଆ ଟୁଡେ ଗ୍ରୁପ୍-କାର୍ଭି ଇନସାଇଟ୍ସ ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଥିଲେ। ସର୍ଭେରେ ଭାଗ ନେଇଥିବା ୫୧% ଭୋଟର ନବୀନଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ। ବର୍ଷ ଆରମ୍ଭରୁ ନବୀନଙ୍କର ଏହି ଦୁଇଟି ସଫଳତା ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
/sambad/media/post_attachments/wp-content/uploads/2021/07/acf-e.jpg)
ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ବି ରାଜନୀତି
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇଛି। ସୌମ୍ୟରଞ୍ଜନଙ୍କ ଘଟଣାରେ ଡିଏଫ୍ଓଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲେ ବି ବିଭାଗ ସ୍ତରରେ ଏହାର ତଦନ୍ତ କରାଗଲା ନାହିଁ। ତାଙ୍କୁ ଖୋଦ୍ ଜଙ୍ଗଲ ମନ୍ତ୍ରୀ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କଲେ। ଏପରିକି ଏହି ମାମଲାରେ ଜଙ୍ଗଲ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅତର୍କିତ ବଦଳି କରିଦିଆଗଲା। କୌଣସି ମନ୍ତ୍ରୀଙ୍କ ଅଗୋଚରରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ବଦଳି ଥିଲା କ୍ଷମତା କରିଡର୍ରେ ଏକ ଅପ୍ରତ୍ୟାଶିତ ଘଟଣା। ଏହା ମନ୍ତ୍ରୀ କରିଡର୍ରେ କମ୍ପନ ସୃଷ୍ଟି କରିଥିଲା।
Zee Businessଫେରିଲା ଲକ୍ଡାଉନ୍, ସଟ୍ଡାଉନ୍
କରୋନାର ଦ୍ବିତୀୟ ଲହର ଆସିବାପରେ ପୁଣି ସାରା ରାଜ୍ୟରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାରା ରାଜ୍ୟରେ ମେ ୫ରୁ ୧୯ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଏବଂ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ କରାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ଏହା ଅଗଷ୍ଟ ମାସ ପର୍ଯ୍ୟନ୍ତ ଲାଗୁ ହୋଇଥିଲା। ହେଲେ କରୋନାର ପ୍ରଥମ ଲହରରେ ଲକ୍ଡାଉନ୍ରେ ଯେପରି ସବୁ କଡ଼ାକଡ଼ି କରାଯାଇଥିଲା ଦ୍ବିତୀୟ ଲହର ସମୟରେ ଏଥିରେ କିଛି କୋହଳ କରାଯାଇଥିଲା। ତେବେ ବର୍ଷ ଶେଷକୁ ସାରା ରାଜ୍ୟରେ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ଅଛି। ଲକ୍ଡାଉନ୍, ସଟ୍ଡାଉନ୍ ବେଳେ ସରକାରୀ ଅଧିକାରୀଙ୍କ ମନମାନିକୁ ନେଇ ସାଧାରଣରେ ଅସନ୍ତୋଷ ବି ସୃଷ୍ଟି ହୋଇଛି। ଏଥି ପାଇଁ ସରକାର ଅପଦସ୍ଥ ହୋଇଛନ୍ତି।
/sambad/media/post_attachments/wp-content/uploads/2021/12/nv8.jpg)
ତୁଟିଲାନି ଚାଷୀଙ୍କ ସମସ୍ୟା
କେତେବେଳେ ପ୍ରକୃତି ଦାଉ ସାଧିଲା ତ କେତେବେଳେ ସରକାରୀ ଅଧିକାରୀଙ୍କ ସମ୍ବେଦନହୀନ ମାନସିକତା ବିବ୍ରତ କଲା। ପେଟକୁ ଦାନା ଯୋଗାଉଥିବା ଚାଷୀକୂଳ ସବୁବେଳେ ସମସ୍ୟାର ସାମ୍ନା କଲେ। ଟୋକନ୍ ଅବ୍ୟବସ୍ଥା ଯୋଗୁ ଚାଷୀ ତା’ର ଧାନ ବିକି ନ ଥିବା ବେଳେ ସରକାର ମଣ୍ଡି ବନ୍ଦ କରିଦେଲେ। ଯେତେ ଦାବି ହେଲେ ବି ମଣ୍ଡି ଆଉ ଥରେ ଖୋଲିବାକୁ ସରକାର ରାଜି ହେଲେନି। ବର୍ଷା ଅଭାବରୁ ମରୁଡ଼ି ହେଲା। ମରୁଡ଼ି ଘୋଷଣା ପାଇଁ ବିଧାନସଭାରେ ବିରୋଧୀ ଦାବି କଲେ। କିନ୍ତୁ ଫଳାଫଳ ଶୂନ। ବର୍ଷ ଶେଷକୁ ବି ଲ୍ୟାମ୍ପ୍ସ, ପାକ୍ସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ମଣ୍ଡିରେ ଖରିଫ ଧାନ ଉଠିପାରିଲାନି। ଚିରାଚରିତ ଢଙ୍ଗରେ ଚାଷୀ ଆତ୍ମହତ୍ୟାକୁ ସରକାର ଫାଙ୍କି ଚାଲିଲେ। ସରକାରଙ୍କ ଏକାଧିକ ବିଭାଗ ଚାଷୀଙ୍କ ସୁଖଦୁଃଖ ବୁଝିବାକୁ ଦାୟିତ୍ବ ନେଇଥିଲେ ବି ଚାଷୀଙ୍କ ଦୁଃଖ ଦୂର ହୋଇପାରୁନି।
Deccan Chronicleପଞ୍ଚାୟତ, ସହର ଦଖଲ ପାଇଁ କସରତ୍
୨୦୨୨ ପ୍ରଥମାର୍ଦ୍ଧରେ ପଞ୍ଚାୟତ ନିର୍ବାଚନ ହେବା ପାଇଁ ଆପାତତଃ ସ୍ଥିର ହୋଇଛି। କିନ୍ତୁ ତାହାର ପ୍ରଶାସନିକ ଓ ରାଜନୈତିକ ପ୍ରସ୍ତୁତିର ସମସ୍ତ ପର୍ବ ୨୦୨୧ରେ ହିଁ ଶେଷ ହୋଇଛି। ଭୋଟର୍ ତାଲିକା ସଂଶୋଧନ, ସର୍ବଦଳୀୟ ବୈଠକ ଆଦି ଆବଶ୍ୟକ କାର୍ଯ୍ୟ ନିର୍ବାଚନ କମିସନ୍ ଶେଷ କରିଛନ୍ତି। ଡିସେମ୍ବର ଶେଷ ସପ୍ତାହରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶେଷ ମୂହୁର୍ତ୍ତରେ ପଛୁଆ ବର୍ଗ ସଂରକ୍ଷଣ ଉପରେ କୋର୍ଟ ରୋକ୍ ଲଗାଇବାରୁ ପୁନର୍ବାର ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରାଗଲା। ଫଳରେ ନିର୍ବାଚନ ତାରିଖ ଘୋଷଣା ହୋଇପାରିଲା ନାହିଁ। ଯଦି କୋଭିଡ୍ର ତୃତୀୟ ଲହର ନ ଆସେ ତେବେ ନିର୍ବାଚନ ଧାର୍ଯ୍ୟ ସମୟରେ ହେବାର ସମ୍ଭାବନା ରହିଛି। ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି ସହ ରାଜନୈତିକ ସ୍ତରରେ ମଧ୍ୟ ଜୋର୍ଦାର ପ୍ରସ୍ତୁତି ୨୦୨୧ରେ ହୋଇଛି। ସବୁ ଦଳ ସେମାନଙ୍କ ରଣନୀତି ଆରମ୍ଭ କରିଦେଇଛନ୍ତି। ପଞ୍ଚାୟତ ପରେ ପରେ ପୌର ନିର୍ବାଚନ କରାଇବାକୁ ମଧ୍ୟ ପ୍ରସ୍ତୁତି ଜାରି ରହିଛି। ଦୀର୍ଘ ୩ ବର୍ଷ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ପଞ୍ଚାୟତ ଓ ସହରକୁ କିଏ ଦଖଲ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
odisha diaryପ୍ରଶାସନର ନୂଆ ମୁଖିଆ
୨୦୨୧ ଆରମ୍ଭରୁ ରାଜ୍ୟ ପ୍ରଶାସନ ନୂଆ ମୁଖିଆଙ୍କ ନେତୃତ୍ବରେ କାର୍ଯ୍ୟ କରିଥିଲା। ବରିଷ୍ଠ ଆଇଏଏସ୍ ଅଫିସର୍ ସୁରେଶ ଚନ୍ଦ୍ର ମହାପାତ୍ର ଜାନୁଆରି ୧ ତାରିଖରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସେହିଦିନ ପ୍ରଦୀପ କୁମାର ଜେନା ନୂଆ ଉନ୍ନୟନ କମିସନର୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। କଡ଼ା ସ୍ବଭାବର ଏହି ଦୁଇ ଅଫିସର୍ଙ୍କ ନେତୃତ୍ବରେ ପ୍ରଶାସନିକ କଳ ସକ୍ରିୟ ହୋଇଥିଲା। ପ୍ରଶାସନ କେତେବେଳେ ଭଲ କାମ ପାଇଁ ପ୍ରଶଂସା ସାଉଁଟିଲା ତ କେତେବେଳେ ଅପବାଦ ବି ମୁଣ୍ଡାଇଲା। ଏହି ଦୁଇ ଅଫିସର୍ ବେଶ୍ ସକ୍ରିୟ ଭାବେ କାର୍ଯ୍ୟ କରିଥିଲେ। ତେବେ ଆଇଏଏସ୍ ଅଧିକାରୀଙ୍କ ଭିତରେ ଥିବା ଗୋଷ୍ଠୀ ବିବାଦ ଓ ଅସନ୍ତୋଷ ବିଭିନ୍ନ ସମୟରେ ଚର୍ଚ୍ଚାର ପରିସରକୁ ଆସିଲା। ପୁଣି ପଦୋନ୍ନତିକୁ ନେଇ ଅସନ୍ତୋଷ ବି ଦେଖାଦେଲା।
/sambad/media/post_attachments/wp-content/uploads/2020/12/abhya-PATHAKS-1.jpg)
ପ୍ରଦୀପ-ଅଭୟଙ୍କ ଅଶୁଭ ବେଳା ଯାଇନି
ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଘନିଷ୍ଠ ସହଯୋଗୀ ଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। କିନ୍ତୁ ଏବେ ନବୀନ କୋପ ଦୃଷ୍ଟିରେ ପ୍ରଦୀପ। ୨୦୨୦ରେ ପ୍ରଦୀପଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ୨୦୨୧ରେ ବି ଜାରି ରହିଛି। ଏ ବର୍ଷ ସେ ଜାମିନ୍ରେ ଜେଲ୍ରୁ ବାହାରିଛନ୍ତି ସତ। କିନ୍ତୁ ସରକାରଙ୍କ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରି ନାହାନ୍ତି। ତାଙ୍କ ଘରେ ଓ ତାଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଓଡ଼ିଶା ରାଜନୀତିରେ ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି ପ୍ରଦୀପ। ନା ଶାସକ ଦଳର କେହି ସହଯୋଗୀ ତାଙ୍କୁ ପାଖରେ ପୂରାଉଛନ୍ତି ନା ବିରୋଧୀ ଦଳ ତାଙ୍କ ପାଖକୁ ଆସୁଛନ୍ତି। ନିଜ ନିର୍ବାଚନମଣ୍ଡଳୀରେ ବି ସେ ଏବେ ଅଛୁଆଁ। ତାଙ୍କ ଭାବି ସମୁଦି ଅଭୟ ପାଠକ ମଧ୍ୟ ସରକାରଙ୍କ କୋପରୁ ରକ୍ଷା ପାଇ ନାହାନ୍ତି। ଦୁର୍ନୀତି ଅଭିଯୋଗରେ ଜେଲ୍ ହେବା ପରେ ସରକାର ତାଙ୍କୁ ଚାକିରିରୁ ବିଦା କରିଛନ୍ତି।
/sambad/media/post_attachments/wp-content/uploads/2021/12/nv6.jpg)
ଘାଇଲା କଲା ୟାସ୍ ଓ ଜୱାଦ
ବାତ୍ୟା ଯେମିତି ଓଡ଼ିଶାର ଚିର ସହଚର ପାଲଟିଛି। ଏ ବର୍ଷ ଦୁଇଟି ବାତ୍ୟା ରାଜ୍ୟରେ ବ୍ୟାପକ କ୍ଷତି କରିଛି। ମେ’ ମାସରେ ଆସିଥିବା ବାତ୍ୟା ୟାସ୍ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ କ୍ଷୟକ୍ଷତି କରିଥିଲା। ଡିସେମ୍ବରରେ ଆସିଥିବା ବାତ୍ୟା ଜୱାଦ୍ ଓଡ଼ିଶା ଉପକୂଳରେ ଘଷି ହୋଇ ଚାଲିଯିବାରୁ ଧନଜୀବନ କ୍ଷତି ହୋଇ ନଥିଲା ସତ। କିନ୍ତୁ ଏହା ପ୍ରଭାବରେ ହୋଇଥିବା ବର୍ଷା ରାଜ୍ୟରେ ଲକ୍ଷ ଲକ୍ଷ ହେକ୍ଟର ଜମିରେ ଧାନ, ଶସ୍ୟ ଓ ପରିବା ଫସଲ ଉଜାଡ଼ି ଦେଇଥିଲା। ଏହାର ଭରଣା ପାଇଁ ରାଜ୍ୟ ସରକାର ୫୦୭କୋଟିର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି।
/sambad/media/post_attachments/wp-content/uploads/2021/12/nv7.jpg)
ଚିନ୍ତା ବଢ଼ାଇଲେ ପଡ଼ୋଶୀ
ବହୁ ବର୍ଷ ହେଲା ୭ଟି ଜିଲ୍ଲାରେ ପଡ଼ୋଶୀ ରାଜ୍ୟ ସହ ଓଡ଼ିଶାର ସୀମା ବିବାଦ ରହିଛି। ନ୍ୟାୟାଳୟରେ ଲମ୍ବା ଆଇନଗତ ଲଢ଼େଇ ଚାଲିଛି। କିନ୍ତୁ ଏ ବର୍ଷ ପଡ଼ୋଶୀମାନଙ୍କ ଅଭାବନୀୟ ଆଚରଣ ଓଡ଼ିଶାର ଚିନ୍ତା ବଢ଼ାଇ ଦେଇଛି। ବହୁଚର୍ଚ୍ଚିତ କୋଟିଆ ଗ୍ରାମପୁଞ୍ଜରେ ବାରମ୍ବାର ଆନ୍ଧ୍ରର ଜନପ୍ରତିନିଧି ଓ ଅଧିକାରୀ ଅନୁପ୍ରବେଶ କରି ଅଶାନ୍ତି ସୃଷ୍ଟି କରିଛନ୍ତି। ସେମିତି ଗଜପତି ଜିଲ୍ଲାରେ ଆନ୍ଧ୍ର ମନ୍ତ୍ରୀ ଓ ଅଧିକାରୀ ଓଡ଼ିଶା ସୀମାରେ ଅଙ୍ଗନବାଡ଼ି କେନ୍ଦ୍ର ଭାଙ୍ଗିଲେ। ଭୁବନେଶ୍ବରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବୈଠକ ହୋଇ ସ୍ଥାୟୀ ସମାଧାନର ବାଟ ଖୋଜାଯାଇଛି ସତ। କିନ୍ତୁ ଆନ୍ଧ୍ରର ଉପଦ୍ରବରେ ବିରାମ ଲାଗିନି। ସେହିପରି ବାଲେଶ୍ବରର ଉଦୟପୁରରେ ଅନୁପ୍ରବେଶ କରି ପଶ୍ଚିମବଙ୍ଗ ଅଶାନ୍ତି ସୃଷ୍ଟି କରିଚାଲିଛି। ପଡ଼ୋଶୀଙ୍କ ଦାଦାଗିରିର ମୁକାବିଲା ପାଇଁ ଓଡ଼ିଶା ସରକାର ଠୋସ୍ ରଣନୀତି ପ୍ରସ୍ତୁତ କରୁ ନ ଥିବାରୁ ସୀମାନ୍ତବାସୀ ଅଶାନ୍ତି ଓ ଆତଙ୍କରେ ଦିନ କାଟୁଛନ୍ତି।
/sambad/media/post_attachments/wp-content/uploads/2021/06/Electric.jpg)
ବାଧିଲା ବିଦ୍ୟୁତ ଦର
ଟାଟା ପାୱାର ରାଜ୍ୟରେ ବିଦ୍ୟୁତ ବଣ୍ଟନ ଦାୟିତ୍ବ ନେଇଛି। ଉପଭୋକ୍ତାଙ୍କୁ କେବେ ଗୁଣାତ୍ମକ ବିଜୁଳି ମିଳିବ, ତାହା ପରେ ଜଣାପଡ଼ିବ। କିନ୍ତୁ ବିଜୁଳି ଦର ବୃଦ୍ଧି ଲୋକଙ୍କୁ ବାଧିଛି। ଏପ୍ରିଲ୍ରୁ ୟୁନିଟ ପିଛା ସର୍ବନିମ୍ନ ୩୦ପଇସା ଲେଖାଏଁ ବିଦ୍ୟୁତ ଦର ବଢ଼ିଥିଲା। ଏହାର ପ୍ରତିବାଦରେ ରାଜନୈତିକ ଦଳ, ଉପଭୋକ୍ତା ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ। କିନ୍ତୁ ବିଦ୍ୟୁତ ଦର କମାଇବାକୁ ରାଜ୍ୟ ସରକାର କିଛି ପଦକ୍ଷେପ ନେଲେନି। ଏପରିକି ଓଇଆର୍ସିରେ ରିଭ୍ୟୁ ପିଟିସନ୍ କରିବାକୁ ଶକ୍ତି ମନ୍ତ୍ରୀ ବିଧାନସଭାରେ କହିଥିଲେ ମଧ୍ୟ ତାହା କରି ନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/naveen-2.jpg)