ଭୁବନେଶ୍ଵର: କଲେଜ କ୍ୟାମ୍ପସରେ କେତେ ସୁରକ୍ଷିତ ଛାତ୍ରୀ ? ଏ ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ବାଲେଶ୍ଵର ଫକୀର ମୋହନ କଲେଜର ଛାତ୍ରୀ ଜଣଙ୍କ ନ୍ୟାୟ ମାଗି ଆଖି ବୁଜିଦେଇଛନ୍ତି । ଅଧ୍ୟାପକଙ୍କ ନିର୍ଯାତନା ବିରୋଧରେ ସ୍ଵର ଉଠାଇ ଆତ୍ମାହୁତି କରିଛନ୍ତି । ଖାଲି କଣ ବାଲେଶ୍ଵର, ସମ୍ଵଲପୁର ଜିଏମ ୟୁନିଭର୍ସିଟିରେ ଆସିଷ୍ଟାଣ୍ଡ ପ୍ରୋଫେସରଙ୍କ କାଣ୍ଡ ପରେ ଏବେ କଲେଜ କ୍ୟାମ୍ପସ ବଦନାମ ହୋଇଛି । ଛାତ୍ରୀ କଲେଜ ଯିବାକୁ ଡରୁଛନ୍ତି । ପାଠ କମ ନିଜକୁ କେମିତି ସୁରକ୍ଷିତ ରଖିବେ ସେନେଇ ଚିନ୍ତିତ ଅଛନ୍ତି । ଶିକ୍ଷକଙ୍କୁ ନେଇ ସବୁଠି ଛି.. ଛାକର କରାଯାଉଥିବା ବେଳେ ଏବେ ସୋସିଆଲ ମିଡିଆରେ ଗୋଟେ କାହାଣୀ ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି । ଆପଣ ଯଦି ଫେସବୁକ କିମ୍ବା ଅନ୍ୟ ସୋସିଆଲ ପ୍ଲାଟଫର୍ମ ଖୋଲିଦେବେ ତେବେ ସେ କାହାଣୀ ଆପଣଙ୍କ ସାମ୍ନାକୁ ଆସିଯିବ ଅଥବା ଆପଣ ସ୍କ୍ରଲ କରୁ କରୁ ନିହାତି ଏ କାହାଣୀ, ଏ ଫଟୋ ଉପରେ ନଜର ପଡିଥିବ । କିନ୍ତୁ ଆପଣ ପଢି ନଥିବେ... ହେଲେ ଥରେ ପଢନ୍ତୁ ସେ କାହାଣୀ.. ତାପରେ ଆପଣ ଜାଣିବେ ଶିକ୍ଷାନୁଷ୍ଠାନରେ ଲୁଚି ରହିଥିବା ରାକ୍ଷସ ଶିକ୍ଷକଙ୍କ ଠାରୁ କେତେ ଭିନ୍ନ, କେତେ ଆପଣାର ସେ ଶିକ୍ଷକ ଜଣଙ୍କ.. ଯାହାଙ୍କୁ ଆପଣ ସଲାମ ନକରି ରହିପାରିବେନି କି ତାଙ୍କ ପ୍ରଶଂସା କରି ରହିପାରିବେନି...
କାହାଣୀଟି ଏହି ପରି...
ଲେଖାଟି ପଢ଼ିବା ପୂର୍ବରୁ ଲେଖା ସହିତ ଦିଆଯାଇଥିବା ଫଟୋଟିକୁ ପ୍ରଥମେ ଦେଖନ୍ତୁ..!
/filters:format(webp)/sambad/media/media_files/2025/07/18/518275138_3208648032634800_1884176636796872687_n-2025-07-18-22-09-36.jpg)
ଜଣେ ବ୍ୟତିକ୍ରମ ଶିକ୍ଷକଙ୍କ ସମ୍ପର୍କରେ...!
ଫଟୋଟି ବେଜିଂ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସମ୍ପ୍ରତି ଅନୁଷ୍ଠିତ ହୋଇଥିବା ସମାବର୍ତ୍ତନ ଉତ୍ସବର । ମଞ୍ଚ ଉପରେ ଛିଡ଼ାହୋଇ ନିଜର ଗବେଷଣା ପତ୍ର ଉପରେ ବକ୍ତବ୍ୟ ରଖୁଛନ୍ତି ଜଣେ ଛାତ୍ରୀ, ଜୀବନର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ଅତିକ୍ରମ କରି ନୂତନ ଦିଗନ୍ତରେ ପାଦ ଥାପିବାର ମୁହୂର୍ତ୍ତ ଛାତ୍ରୀଙ୍କ ପାଇଁ । କ୍ୟାମ୍ପସର ପଡ଼ିଆରେ ଖୋଲା ଆକାଶ ତଳେ ଆୟୋଜିତ ଏହି ଉତ୍ସବ ଚାଲିଥିବା ବେଳେ ହଠାତ୍ ଆରମ୍ଭ ହୋଇଗଲା ଝିପିଝିପି ବର୍ଷା । ସଙ୍ଗେ ସଙ୍ଗେ ଜଣେ ପ୍ରଫେସର, ଯିଏ ଛାତ୍ରୀଙ୍କ ଡିପାର୍ଟମେଣ୍ଟର ବିଭାଗୀୟ ମୁଖ୍ୟ, ଚୁପଚାପ୍ ଉଠିଆସି ଛାତ୍ରୀଙ୍କ ମୁଣ୍ଡ ଉପରେ ଛତାଟିଏ ଖୋଲି ଧରି ଛିଡା ହୋଇଗଲେ । ଛାତ୍ରୀଟିର ଅସମାପ୍ତ ବକ୍ତବ୍ୟର ପ୍ରତିଟି ଶବ୍ଦ, ପ୍ରତିଟି ଶ୍ବାସ ଯେମିତି କି ଛତାତଳେ ନିରାପଦ ଆଶ୍ରୟ ଖୋଜି ପାଇଗଲା..
ବକ୍ତବ୍ୟ ଶେଷ ହେବା ପର୍ଯ୍ୟନ୍ତ ଶିକ୍ଷକ ଛିଡ଼ା ହୋଇ ରହିଥିଲେ, ଛାତ୍ରୀଙ୍କ ପଛରେ ଛତା ଧରିଥିବାରୁ ମନରେ କୌଣସି ଛୋଟ ଭାବନା ନଥିଲା କିମ୍ବା କୌଣସି ଆତ୍ମ ଅହମିକା ନଥିଲା - କେବଳ ଛାତ୍ରୀଟି ପ୍ରତି ସ୍ନେହ ଓ ଭଲପାଇବା ହିଁ ତାଙ୍କ ମନରେ ଭରି ରହିଥିଲା.. ଯାହାକୁ ଦେଖୁଥିଲେ ସମସ୍ତେ । ଥରେ ଭାବନ୍ତୁ ତ.... ଏଭଳି ଦୃଶ୍ୟ ଆପଣ କ'ଣ କଳ୍ପନା କରିପାରିବେ ଆମ ଦେଶର କୌଣସି ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ...?
ହୁଏତ ଏହି ଦୃଶ୍ୟ ଦେଖି ଆମେ ହସିବା....!
କାରଣ ଆମ ଦେଶରେ ଏଭଳି ଦୃଶ୍ୟ ଅସମ୍ଭବ
କାରଣ, ଆମମାନଙ୍କର ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକତା ଧୀରେ ଧୀରେ କେବଳ ଗୋଟିଏ ପେଶା ପାଲଟି ଯାଇଛି, ଅନ୍ତରର ଉତ୍ସର୍ଗ ନୁହେଁ..
ଆମ ଦେଶରେ ଶିକ୍ଷକ ମାନେ ପ୍ରଶ୍ନପତ୍ର, ସିଲାବସ୍, ନମ୍ବର ପାଇଁ ଚର୍ଚ୍ଚାରେ ଥାନ୍ତି ମାତ୍ରା ମଣିଷ ଗଢ଼ିବାର ଚର୍ଚ୍ଚା ନୁହେଁ...
ଏ ଦୃଶ୍ୟ ନିହାତି ଦୁର୍ଲଭ !
ଆମର ଶିକ୍ଷକମାନେ ହୁଏତ ଶ୍ରେଣୀ ଗୃହରେ ଉଚ୍ଚାସନରେ ବସି ରହିଥାନ୍ତି, କିନ୍ତୁ ଶିକ୍ଷାର୍ଥୀମାନଙ୍କ ପାଖରେ ଛିଡ଼ା ହେବା ସେମାନଙ୍କର ଅହଙ୍କାରକୁ ଆଘାତ କରିଥାଏ । ଶିକ୍ଷକ ବୋଲି ଅହଙ୍କାର ଯେତେବେଳେ ମନର କୋଣରେ ବସା ବାନ୍ଧେ, ଶିକ୍ଷକତା ସେତେବେଳେ ଆଉ ମହାନ୍ ହୋଇ ରହେ ନାହିଁ । ତାହା ପାଲଟି ଯାଏ କେବଳ ଏକ ବୃତ୍ତି । ଜଣେ ପ୍ରକୃତ ଶିକ୍ଷକ ଜାଣିଥାନ୍ତି ଯେ , ଶ୍ରେଷ୍ଠତା ଆସେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରେ ଛିଡା ହୋଇ ନୁହେଁ, ପାଖରେ ଛିଡ଼ା ହୋଇ, ସମ୍ମାନ ଓ ଆଶୀର୍ବାଦ ଦେଇ.. ପିଲାଙ୍କ ସହ ମିଶି, ସେମାନଙ୍କ ସହ ହସି..
ଗୋଟିଏ ଅତି ସାଧାରଣ କାମ - ଛତାଟିଏ ଧରି ଛିଡା ହେବା - ହୁଏତ କୌଣସି ସିଲାବସର ଅଂଶ ନୁହେଁ, କିନ୍ତୁ ତାହା ହୋଇଯାଏ ସମଗ୍ର ଜୀବନର ମହାନ୍ ଏକ ଶିକ୍ଷା, ଏକ ଜୀବନ୍ତ ଅନୁପ୍ରେରଣା- ଦିଗଦର୍ଶନ, ଆଦର୍ଶ..
ଆଜି ଯେତେବେଳେ ଶିକ୍ଷାବ୍ୟବସ୍ଥା ଅନେକ ପରିମାଣରେ କମର୍ସିଆଲ ଲେଣଦେଣ ଫର୍ମୁଲାରେ ବନ୍ଦୀ, ସେତେବେଳେ ଏଭଳି ଜଣେ ପ୍ରଫେସର ଆମକୁ ମନେପକାଇ ଦିଅନ୍ତି....! ମାନବିକତା, ଶ୍ରଦ୍ଧା ଓ ଦୟା ଏବେ ମଧ୍ୟ ଜଣେ ଶିକ୍ଷକଙ୍କର ଅସଲ ପରିଚୟ ହୋଇପାରେ । ଭାରତ ମହାନ୍ ଗୁରୁମାନଙ୍କର ପରମ୍ପରା ସମୃଦ୍ଧ ଦେଶ ଅଥଚ ସମ୍ପ୍ରତି ଆମଦେଶରେ ଶିକ୍ଷକ ଶିକ୍ଷାର୍ଥୀ ସମ୍ପର୍କ ଅନେକ ସମୟରେ ହୋଇ ପଡ଼ୁଛି ଶୀତଳ, ଆନୁଷ୍ଠାନିକ, ଏପରିକି ବେଳେ ବେଳେ ଭୀତିପ୍ରଦ ।
ଅଥଚ ଜଡବାଦୀ ୟୁରୋପ - ଆମେରିକା ଭଳି ଦେଶରେ ଶିକ୍ଷକ ଅର୍ଥ ବନ୍ଧୁତ୍ୱ, ସମର୍ଥନ, ଶ୍ରଦ୍ଧା ଏବଂ ଭଲପାଇବାର ମୂର୍ତ୍ତିମନ୍ତ ପ୍ରତୀକ ହୋଇ ଉଠିଛି । ଛତାଟିଏ ହୁଏତ ବର୍ଷାକୁ ସମ୍ପୂର୍ଣ୍ଣ ଅଟକାଇ ନପାରେ, କିନ୍ତୁ ତାହା ହୋଇପାରେ ଏକ ମାନବିକ ଆଚରଣର ପ୍ରତୀକ, ଯାହା ସମଗ୍ର ଜୀବନ ପାଇଁ ଶିକ୍ଷାର୍ଥୀକୁ ଜଣାଇ ଦିଏ- ତୁମ ପାଇଁ ଜଣେ ଶିକ୍ଷକ ଥିଲେ, ଅଛନ୍ତି ଏବଂ ରହିଥିବେ । ଆଉ ଡର କାହାକୁ ଭୟ କାହାକୁ, ଗୁରୁ ଅଛନ୍ତି ତୁମ ଚଉବାହାକୁ.. ପ୍ରକୃତ ଶିକ୍ଷକଙ୍କର ସ୍ଥାନ ଶ୍ରେଣୀକକ୍ଷରେ ନୁହେଁ, ଛାତ୍ରଛାତ୍ରୀଙ୍କ ହୃଦୟରେ..
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/18/new-projectrett-2025-07-18-22-10-31.jpg)