‘ପୁଅରେ ଶିବ ଠାକୁରଙ୍କୁ ଟିକେ ଦେଖିଥାନ୍ତି’ ମା’ର କଥା ପଦକ ଶୁଣି କାନ୍ଧରେ ବୋହି ମନ୍ଦିର ବୁଲାଇଲେ ପୁଅ

ବାଲେଶ୍ୱର: ନିତି ପାହାନ୍ତିରେ ବୋଉ ଗୁଣୁଗୁଣୁ ହୋଇ ଶିବ ପଞ୍ଚାକ୍ଷରୀ ମନ୍ତ୍ର ଗାଏ, ଠାକୁର ଆସ୍ଥାନ ପାଖକୁ ନ ଯାଇପାରିଲେ ବି ହାତ ଯୋଡି ମୁଣ୍ଡିଆଟିଏ ମାରିଦିଏ | ମହାଦେବଙ୍କ ପ୍ରତି ନିଜ ୮୫ ବର୍ଷୀୟ ମା ର ଏହି ଭକ୍ତି ଦେଖି ପୁଅ ନିର ଜେନା କିଛି କୁହନ୍ତିନି ସତ କିନ୍ତୁ ମା ର ଈଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ମହାଦେବଙ୍କ କରୁଣା ତାଙ୍କୁ ବି ଈଶ୍ୱରବିଶ୍ୱାସୀ ସହ ମାତୃ ଭକ୍ତଟିଏ କରିଦେଇଛି | ସେଥିପାଇଁ ତ ମହା ଶିବରାତ୍ରିରେ ଆଜି ବୋଉକୁ ନିଜ କାନ୍ଧରେ ବସାଇ ମହାଦେବଙ୍କ ମନ୍ଦିର ବୁଲାଇଛନ୍ତି ପୁଅ |

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡସ୍ଥିତ ବାବା ଲଙ୍କେଶ୍ବର ପୀଠରେ ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଯେଉଁଠି ମାର ମହାଦେବଙ୍କ ପ୍ରତି ଥିବା ଅଖଣ୍ଡ ବିଶ୍ୱାସକୁ କାୟମ ରଖିବା ପାଇଁ ପୁଅ ହେଳା କରିନାହିଁ | ରୋଗ ପାଇଁ ଶିବ ମନ୍ଦିର ଚାଲିଯାଇପାରୁନଥିବା ନିଜ ବୁଢ଼ୀ ମାର ଆଗ୍ରହକୁ ଅଣଦେଖା କରିନାହିଁ ପୁଅ | ମା ର ଇଚ୍ଛାକୁ ବେଖାତିର ନ କରି ନିଜ କାନ୍ଧରେ ମା କୁ ବସାଇ ମନ୍ଦିରକୁ ନେଇଯାଇଥିଲେ ନିର | ମନ୍ଦିରର ପାହାଚ ପରେ ପାହାଚକୁ ଅତିକ୍ରମ କରି ମହାଦେବଙ୍କ ଦର୍ଶନ କରାଇଥିଲେ ପୁଅ | ମା ର ଆଶୀର୍ବାଦ ଯେତେବେଳେ ସାଥିରେ ଥିଲା ସେତେବେଳେ ବାଧା ହୋଇନି, ବରଂ ପ୍ରଚୁର ଆତ୍ମସନ୍ତୋଷ ମିଳିଛି |

ପୁରାଣ ଯୁଗର ଶ୍ରବଣ କୁମାରଙ୍କ କାହାଣୀ ଆପଣ ଶୁଣିଥିବେ, ଯିଏ କି ନିଜ ଅନ୍ଧ ବାପା-ମାଙ୍କୁ ତୀର୍ଥଦର୍ଶନ କରାଇବା ପାଇଁ ଭାରରେ ବୋହି ନେଇଥିଲେ | ବର୍ତ୍ତମାନ ସମୟ ବଦଳିଛି, ଏହା ସହ ସମ୍ପର୍କର ମୂଲ୍ୟବୋଧ ବଦଳିଛି | ବୁଢା ବାପା-ମାଙ୍କୁ ଘରୁ ବାହାର କରିଦେବାକୁ ପୁଅ ମଧ୍ୟ ପଛାଉନାହିଁ, ବୁଢା ବାପା-ମା ତୀର୍ଥ ଦର୍ଶନ ପାଇଁ ବାରମ୍ବାର କହୁଥିଲେ ବି କାନରେ ପଡୁନି ସେମାନଙ୍କ ଜୀବନର ଶେଷ ଇଚ୍ଛା | କିନ୍ତୁ ମହାଶିବରାତ୍ରିରେ ନିରଙ୍କ ଏହି ମହାନ କାହାଣୀ ମା ପାଇଁ ସମର୍ପିତ ପୁଅର କାହାଣୀକୁ ମନେପକାଇଦେଇଛି |

ସମ୍ବନ୍ଧିତ ଖବର