ଜାଣନ୍ତୁ ରାଜସଭାରେ ବସିଥିବା ପଣ୍ଡିତମାନଙ୍କୁ ୧୨ ବର୍ଷର ବାଳକ କହିଲା- ଏମାନେ ପଣ୍ତିତ ନା ମୋଚି?

ବିଦେହ ରାଜ୍ୟର ରାଜା ଥିଲେ ଜନକ। ସେ ରାଜର୍ଷି ଭାବରେ ସୁଖ୍ୟାତ ଥିଲେ। ଅଷ୍ଟାବକ୍ର ଋଷିଙ୍କୁ ଗୁରୁ ରୂପେ ବରଣ କରି ତାଙ୍କଠାରୁ ସେ ଜ୍ଞାନୋପଦେଶ ଗ୍ରହଣ କରିଥିଲେ। ଅଦ୍ବୈତ ବେଦାନ୍ତର ମହତ୍ତ୍ବପୂର୍ଣ୍ଣ ଗ୍ରନ୍ଥ ‘ଅଷ୍ଟାବକ୍ର ଗୀତା’ର ରଚୟିତା ହେଉଛନ୍ତି ଅଷ୍ଟାବକ୍ର। ସେ ଅତ୍ୟନ୍ତ ଜ୍ଞାନୀ ଥିଲେ। ତାଙ୍କର ଶରୀର ଆଠବଙ୍କା ହୋଇଯାଇଥିବାରୁ ତାଙ୍କର ନାମ ହୋଇଥିଲା ‘ଅଷ୍ଟାବକ୍ର’। ଜନକଙ୍କ ରାଜସଭାରେ ଥିଲେ ବନ୍ଦୀ ନାମକ ଜଣେ ପଣ୍ତିତ। ତାଙ୍କର ପ୍ରବଳ ଜ୍ଞାନଗର୍ବ ଥିଲା। ସେ ଗୋଟିଏ ସର୍ତ୍ତ ରଖିଥିଲେ ଯେ ତାଙ୍କୁ ଯିଏ ଶାସ୍ତ୍ରାର୍ଥରେ ପରାସ୍ତ କରିବ, ତାଙ୍କୁ ପ୍ରଚୁର ଧନରତ୍ନ ମିଳିବ ଏବ˚ ଯିଏ ଶାସ୍ତ୍ରାର୍ଥରେ ପରାସ୍ତ ହେବ, ତାଙ୍କୁ ଜଳସମାଧି ଦିଆଯିବ।

ଅଷ୍ଟାବକ୍ରଙ୍କ ପିତା କହୋଡ଼ମୁନି ଗରିବ ଥିଲେ। ତେଣୁ ମାତା ସୁଜାତାଙ୍କ ପରାମର୍ଶରେ ସେ ଜନକଙ୍କ ରାଜସଭାକୁ ଯାଇ ବନ୍ଦୀଙ୍କ ସହ ଶାସ୍ତ୍ରାର୍ଥ କରିଥିଲେ। ସେ ପରାସ୍ତ ହେବାରୁ ତାଙ୍କୁ ଜଳସମାଧି ଦିଆଯାଇଥିଲା। ପରବର୍ତ୍ତୀ କାଳରେ ଅଷ୍ଟାବକ୍ର ବନ୍ଦୀଙ୍କୁ ଶାସ୍ତ୍ରାର୍ଥରେ ପରାସ୍ତ କଲେ। ସର୍ତ୍ତ ଅନୁସାରେ, ବନ୍ଦୀଙ୍କୁ ଜଳସମାଧି ଦିଆଯିବା କଥା। କିନ୍ତୁ ପରାସ୍ତ ଓ ଲଜ୍ଜିତ ହୋଇ ବଞ୍ଚି ରହିବା ହିଁ ତାଙ୍କର ପ୍ରକୃତ ଶାସ୍ତି ବୋଲି ସୂଚାଇ, ଅଷ୍ଟାବକ୍ର ତାଙ୍କୁ କ୍ଷମା କରିଥିଲେ। ତାହା ହିଁ ଥିଲା ତାଙ୍କର ପିତୃହତ୍ୟାର ପ୍ରତିଶୋଧ।

Image result for ashtavakra
Isha Foundation

ସେହି ଶାସ୍ତ୍ରାର୍ଥ-ବିବାଦ ସମୟର କଥା। ମାମୁ ଶ୍ବେତକେତୁଙ୍କ ସହ ଅଷ୍ଟାବକ୍ର ଯାଇ ପହଞ୍ଚିଲେ ଜନକଙ୍କ ରାଜସଭାର ଦ୍ବାରଦେଶରେ। କିନ୍ତୁ ସେ ଓ ଶ୍ବେତକେତୁ ବାରବର୍ଷର ବାଳକ ହୋଇଥିବାରୁ, ଦ୍ବାରପାଳ ତାଙ୍କୁ ଭିତରକୁ ଯିବାକୁ ଦେଲା ନାହିଁ। ତେଣୁ ଅଷ୍ଟାବକ୍ର ତାକୁ ବୁଝାଇଲେ- ମୁଣ୍ତର ବାଳ ପାଚିଗଲେ କେହି ବୃଦ୍ଧ ହୁଏ ନାହିଁ। ଯେ ବେଦ ଓ ବେଦାଙ୍ଗର ସ୍ବାଧ୍ୟାୟ କରି ଜ୍ଞାନ ଅର୍ଜନ କରନ୍ତି ସେ ବୃଦ୍ଧ ବୋଲି ବିବେଚିତ ହୁଅନ୍ତି। କିନ୍ତୁ ଦ୍ବାରପାଳ ତଥାପି ତାଙ୍କୁ ଭିତରକୁ ଛାଡ଼ିଲା ନାହିଁ। ତେଣୁ ସେ ଅଦୂରରେ ବସି ଉଚ୍ଚସ୍ବରରେ ରାଜର୍ଷି ଜନକ ଓ ତାଙ୍କ ବ˚ଶ ପରମ୍ପରାର ପ୍ରଶ˚ସା କରିବାରେ ଲାଗିଲେ। ଜନକ ତାହା ଶୁଣିପାରି ତାଙ୍କୁ ଭିତରକୁ ଯିବାକୁ ଅନୁମତି ଦେଲେ।

ଅଷ୍ଟାବକ୍ରଙ୍କ ଶରୀର ଥିଲା ଆଠବଙ୍କା। ସେହି ଶରୀରରେ ସେ ଯେପରି ଭାବରେ ବଙ୍କାତେଢ଼ା ହୋଇ ଚାଲି ରାଜସଭାରେ ପ୍ରବେଶ କଲେ, ସେଥିରେ ସଭାସଦ୍‌ ପଣ୍ତିତମାନେ ହସିବାରେ ଲାଗିଲେ। ତାହା ଦେଖି ଅଷ୍ଟାବକ୍ର ଆହୁରି ଜୋର‌୍‌ରେ ଅଟ୍ଟହାସ୍ୟ କରି ଉଠିଲେ। ରାଜର୍ଷି ଜନକ ତାଙ୍କ ଅଟ୍ଟହାସ୍ୟର କାରଣ ପଚାରିବାରୁ ଅଷ୍ଟାବକ୍ର କହିଲେ, ‘‘ମୁଁ ଏଇଥିପାଇଁ ହସିଲି ଯେ- ଏଠାରେ ଉପସ୍ଥିତ ମୋଚିମାନଙ୍କ ସଭାରେ ଆଜି ସତ୍ୟର ନିର୍ଣ୍ଣୟ ହେବ। ଏହି ପଣ୍ତିତ ସଭାରେ ଏ ମୋଚିମାନଙ୍କର କି କାମ?’’

ଜନକ ତାଙ୍କର ଏହି କଟାକ୍ଷର କାରଣ ପଚାରିବାରୁ ଅଷ୍ଟାବକ୍ର କହିଲେ, ‘‘ଯିଏ ଜ୍ଞାନୀ ବା ପଣ୍ତିତ, ସେ ଜ୍ଞାନକୁ ଜାଣେ, ଚମଡ଼ାକୁ ନୁହେଁ। ଏମାନଙ୍କୁ ମୋର ଅଷ୍ଟବକ୍ର ଶରୀର ଦେଖାଗଲା, ତେଣୁ ତାହାକୁ ଦେଖି ସେମାନେ ହସିଲେ। ଯେଉଁମାନେ କେବଳ ଚମଡ଼ାର ବିଚାର କରୁଛନ୍ତି, ସେମାନେ ପଣ୍ତିତ ନା ମୋଚି? ଏମାନେ ଜ୍ଞାନୀ ହୋଇପାରିବେ ନାହିଁ। ଏମାନେ କେବଳ ମୋଚି ହେବାକୁ ଯୋଗ୍ୟ। ଜ୍ଞାନୀମାନଙ୍କର ଆତ୍ମଦୃଷ୍ଟି ଥାଏ। ସେମାନେ ଆତ୍ମାକୁ ଦେଖନ୍ତି। ଅଜ୍ଞାନମାନେ ଚର୍ମ ଚକ୍ଷୁରେ ହିଁ ଦେଖନ୍ତି। ଏଣୁ ଏମାନେ ପଣ୍ତିତ ନୁହନ୍ତି, ମୋଚି।’’

ସମ୍ବନ୍ଧିତ ଖବର