ମୁଜାଫର୍ନଗର: ‘ହର୍ ହର୍ ଶମ୍ଭୁ’ ଗୀତ ଗାଇଥିବା ମୁସ୍ଲମାନ ଗାୟିକା ଫର୍ମାନି ନାଜ୍ଙ୍କ ବିଷୟରେ ଆପଣ କ’ଣ ଜାଣନ୍ତି? ଜଣେ ମୁସ୍ଲାମାନ ହୋଇ ଶିବ ଭଜନ ଗାଇଥିବାରୁ ତାଙ୍କୁ ଅନେକ ବିବାଦର ବି ସାମ୍ନା କରିବାକୁ ପଡ଼ିଛି। ତେବେ ଚାଲନ୍ତୁ ଜାଣିବା ‘ହର୍ ହର୍ ଶମ୍ଭୁ’ ଗୀତ ଗାଇଥିବା ମୁସ୍ଲମାନ ଗାୟିକା ଜଣକ କିଏ ଓ ସେ କିପରି ଶିବ ଭଜନ ଗାଇଛନ୍ତି? ଆବଶ୍ୟ ଏହି ଗୀତଟିର ଅରିଜିନାଲ୍ ଭର୍ସନ ଗାଇଛନ୍ତି ଅଭିଲିପ୍ସା ପଣ୍ଡା ଓ ଜିତୁ ଶର୍ମା।
ଫର୍ମାନି ନାଜ୍ ହେଉଛନ୍ତି ଉତ୍ତରପ୍ରଦେଶର ମୁଜାଫର୍ନଗର ଜିଲ୍ଲାର ରତନପୁର ଥାନାସ୍ଥିତ ମହମ୍ମଦପୁର ମାଫି ଗ୍ରାମର। ତାଙ୍କ ବିବାହ ୨୦୧୭ ମସିହା ମିରଟ୍ର ଏକ ଛୋଟ ଗାଁ ହସନପୁରର ହମ୍ରାନଙ୍କ ସହ ହୋଇଥିଲା। ମାତ୍ର ବିବାହର ବର୍ଷେ ପରେ ପୁଅ ହେବା ପରେ ହିଁ ଫର୍ମାଜିଙ୍କୁ ତାଙ୍କ ପରିବାର ଲୋକ ହଇରାଣ କରିବା ଆରମ୍ଭ କରିଥିଲେ। ସେହି କାରଣରୁ ସେ ତାଙ୍କ ଶାଶୁଘର ଛାଡ଼ି ଆଜି ନିଜ ବାପଘରେ ରହୁଥିଲେ।
ଜାଣିବାକୁ ମିଳିଛି ଯେ ଫର୍ମାଜିଙ୍କ ପୁଅର କିଛି ବେମାରୀ ଥିଲା। ସେହି ବେମାରୀର ଚିକିତ୍ସା କରିବାକୁ ପରିବାର ଲୋକ ତାଙ୍କୁ ତାଙ୍କ ବାପଘରୁ ଯାଇ ଟଙ୍କା ଆଣିବାକୁ ବାଧ୍ୟ କରିଥିଲେ। ସବୁ କିଛି ଅତିଶୟ ହେବା ପରେ ଶେଷରେ ଫର୍ମାନି ନାଜ୍ ଶାଶୁଘର ଛାଡ଼ି ଆସି ବାପଘରେ ରହିବା ଆରମ୍ଭ କରିଥିଲେ।
ଦିନେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ର କିଛି କର୍ମଚାରୀ ଫର୍ମାନି ନାଜ୍ଙ୍କ ଘର ଦେଇ ଯାଉଥିଲେ। ସେଠାରେ ସେମାନେ ଫର୍ମାନିଙ୍କୁ ଗାଉଥିବାର ଶୁଣିଲେ। ସେମାନଙ୍କୁ ଫର୍ମାନି ନାଜ୍ଙ୍କ କଣ୍ଠସ୍ବର ଖୁବ୍ ଭଲ ଲାଗିଲା। ସେମାନେ ଫର୍ମାନିଙ୍କୁ କହି ‘ହର୍ ହର୍ ଶମ୍ଭୁ’ ଗୀତ ରେକର୍ଡ କରି ତାହାକୁ ସେମାନଙ୍କ ଚ୍ୟାନେଲ୍ରେ ଛାଡ଼ି ଦେଲେ। ଗୀତଟି ରାତାରାତି ଲକ୍ଷ ଲକ୍ଷ ଭିୟୁ ହେଲା ଓ ଫର୍ମାନି ପାଲଟିଗଲେ ଘରେ ଘରେ ପରିଚତ।