ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ରୋଗର ଶିକାର ହୋଇଥିବା ପ୍ରଥମ ରୋଗୀ ସୁସ୍ଥ ହେବା ପରେ ନିଜର ପୂରା ଅଭିଜ୍ଞତାକୁ ସେୟାର କରିଛନ୍ତି। କରୋନା ଦ୍ବାରା ଆକ୍ରାନ୍ତ ହୋଇ ଆଇସୋଲେସନରେ ରହିବା ଏବଂ ପରେ ସୁସ୍ଥ ହୋଇ ଘରକୁ ଆସିବା ମଧ୍ୟରେ ତାଙ୍କ ମନରେ କ’ଣ ସବୁ ଚାଲିଥିଲା ସେ ବିଷୟରେ ଜଣାଇଛନ୍ତି ରୋହିତ୍। ଏହା ସହ ଲୋକଙ୍କୁ କରୋନାକୁ ନ ଡ଼ରି ସ୍ବଚ୍ଛ ଏବଂ ପରିବେଶକୁ ପରିଚ୍ଛନ୍ନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି।
ଏକ ନିଉଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି, କୌଣସି ଘରୋଇ ୱାର୍ଡର ଭିଆଇପି ରୁମ୍ ଅପେକ୍ଷା ଆଇସୋଲେସନ ୱାର୍ଡ ଭଲ ଥିଲା। ସେଠାରେ ରୋଗୀଙ୍କୁ ସରଳ ଏବଂ ଉତ୍ତମ ଖାଦ୍ୟ ଉପଲବ୍ଧ କରାଯାଉଥିଲା। ସେଠାରେ ରହିବା ସମୟରେ ମୁଁ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ହେବା ସହ ନେଟଫ୍ଲିକ୍ସରେ ଦୁଇଟି ଚଳଚ୍ଚିତ୍ର ଦେଖିଥିଲି। ଏହା ସହ ଚାଣକ୍ୟଙ୍କ ବହି ବଢ଼ିବା ସହ ସୋସିଆଲ ମିଡିଆରେ ଦେଶରେ କ’ଣ ଚାଲିଛି ତାହା ଦେଖୁଥିଲି। କିନ୍ତୁ ହୋଲି ଦିନଟି ନିଶ୍ଚିତ ଭାବରେ ମୋ ପାଇଁ ଟିକେ ଅସନ୍ତୋଷଜନକ ଥିଲା, କାରଣ ମୁଁ ଏହି ଦିନ ପ୍ରଥମ ଥର ପାଇଁ ମୋ ପରିବାରଠାରୁ ଅଲଗା ଡାକ୍ତରଖାନାରେ ଥିଲି। ଯଦିଓ ଫୋନରେ କଥାବାର୍ତ୍ତା ହେଉଥିଲି, କିନ୍ତୁ ମୋ ମନ ଭିତରେ ଏକ ଶୂନ୍ୟତା ରହିଥିଲା। ଚାହିଲେ ବି ମୁଁ ଖୁସି ହୋଇ ପାରୁ ନଥିଲି।
/sambad/media/post_attachments/wp-content/uploads/2020/03/cvac-1-300x200.jpg)
ଏହି ସମୟରେ ମୋତେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ହର୍ଷ ବର୍ଦ୍ଧନ ଭିଡିଓ କଲ୍ କରି କଥା ହେବା ପରେ ମୁଁ ଟିକେ ଖୁସି ହୋଇଥିଲି। ସେ ମୋତେ ଖୁବ୍ ଶୀଘ୍ର ଭଲ ହୋଇଯିବି ବୋଲି କହି ଆଶ୍ବାସନା ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୋ ବିଷୟରେ ପଚାରୁଥିବା କଥା ଜଣାଇଥିଲେ। ଏହା ସହ ହୋଲିର ଶୁଭେଚ୍ଛା ଦେଇ ଡାକ୍ତରଖାନାର ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ୧୦-୧୨ ମିନିଟର ଭିିଡିଓ କଲରେ ସେ ମୋ ମନକୁ ବଦଳାଇବା ସହ ମୋତେ ଖୁସି କରାଇଥିଲେ। ମାନସିକ ସ୍ତରରେ ମୁଁ ଖୁସି ହୋଇଥିଲି। ପରେ ଧିରେ ଧିରେ ମୁଁ ଚିକିତ୍ସା ସହ ଠିକ୍ ହେବାକୁ ଲାଗିଲି। ମାର୍ଚ୍ଚ ୯ ଏବଂ ମାର୍ଚ୍ଚ ୧୧ରେ ମୋର ରକ୍ତ ନମୁନା ପରୀକ୍ଷା କରାଯିବାକୁ ପଠାଯିବା ପରେ ମୋର ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ମାର୍ଚ୍ଚ ୧୪ରେ ମୋତେ ଘରକୁ ପଠାଇଦିଆଯାଇଥିଲା। ସେ କହିଛନ୍ତି କି, ଏବେ ମୋତେ ଆଗାମୀ ୧୪ଦିନ ପର୍ଯ୍ୟନ୍ତ ଘରେ ରହିବା ପାଇଁ ଡାକ୍ତର କହିଛନ୍ତି। ୧୪ଦିନ ପରେ ମୁଁ ମୋ ଅଫିସରେ ଯୋଗ ଦେବି। ଲୋକଙ୍କୁ ଏତିକି କହିବି ଯେ, ଯଦି ବାହାରକୁ ଯାଉଛନ୍ତି, ତେବେ ସତର୍କ ହୋଇ ରୁହନ୍ତୁ। ସରକାର ଜାରି କରିଥିବା ସତର୍କତାମୂଳକ ପଦକ୍ଷେପ ଆପଣାନ୍ତୁ।