ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। କିନ୍ତୁ ଏମିତି ବି କିଛି ଗାଁ ରହିଛି ଯାହାର ପରମ୍ପରା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଭାରତରେ ଏମିତି ଏକ ଗାଁ ରହିଛି ଯେଉଁଠି ବାହାରର ବ୍ୟକ୍ତି ଗାଁର କୌଣସି ଜିନିଷକୁ ଛୁଇଁ ପାରିବେନି ନିୟମ ରହିଛି। ଯଦି କୌଣସି ବ୍ୟକ୍ତି ଗାଁ’ର କୌଣସି ଜିନିଷ ଛୁଇଁଥାନ୍ତି ତେବେ ଏଥିପାଇଁ ଏମାନଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିଥାଏ। ଯଦି କୌଣସି ବ୍ୟକ୍ତି ଭୁଲରେ ମଧ୍ୟ ଗାଁର କୌଣସି ଘର, ଦୋକାନ ଓ ମଣିଷକୁ ଛୁଇଁଥାଏ ତେବେ ତାଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିଥାଏ। ଏହିଭଳି ଗାଁ ହିମାଚଳ ପ୍ରଦେଶର କୁଲୁ ଅଞ୍ଚଳରେ ରହିଛି। ଯାହାର ନାଁ ହେଉଛି ମଲାନା।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ଏକ ଅଜବ ନିୟମ ପଛରେ ଏକ ବଡ କାରଣ ମଧ୍ୟ ରହିଛି। ଏଠାକାର ବାସିନ୍ଦା ନିଜକୁ ଆଲେଜାଣ୍ଡାରଙ୍କ ବଂଶଜ ବୋଲି ଭାବିଥାନ୍ତି। ଅନ୍ୟମାନଙ୍କୁ ଛୋଟ ଭାବିବା ସହ ସେମାନଙ୍କୁ ଛୁଇଁବାରୁ ମଧ୍ୟ ଦୂରେଇ ରହିଥାନ୍ତି। ଏହାସତ୍ତ୍ୱେ ମଧ୍ୟ ମଲାନାକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। କିନ୍ତୁ ଗାଁ ମଧ୍ୟକୁ ପ୍ରବେଶ କରିବା ପରେ ଗ୍ରାମର ଅନ୍ୟ କୌଣସି ଜିନିଷକୁ ଛୁଇଁବା ପର୍ଯ୍ୟଟକମାନଙ୍କୁ ବାରଣ ଥାଏ।
ଖାସକରି ପର୍ଯ୍ୟଟକମାନଙ୍କ ପାଇଁ ଗ୍ରାମରେ ନୋଟିସ ବୋର୍ଡ ମଧ୍ୟ ଲଗାଯାଇଥାଏ। ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ପର୍ଯ୍ୟଟକ ଗ୍ରାମର ଯେକୌଣସି ଜିନିଷ ଛୁଇଁଲେ ସେମାନଙ୍କୁ ଏକ ହଜାର ଟଙ୍କା ଜରିମାନା ନଚେତ ଏକ ଛେଳି ଦେବାକୁ ପଡିଥାଏ। ଏହାଛଡା ପର୍ଯ୍ୟଟକମାନଙ୍କୁ ଗାଁ ମଧ୍ୟରେ ରହିବାକୁ ମଧ୍ୟ ଅନୁମତି ମିଳିନଥାଏ। ପର୍ଯ୍ୟଟକଙ୍କ ରହିବା ପାଇଁ ଗାଁ ବାହାରେ ଟେଣ୍ଟ ନିର୍ମାଣ କରାଯାଇଥାଏ।
ମଲାନା ଗାଁକୁ ଆସିଥିବା ପର୍ଯ୍ୟଟକ ଯଦି କୌଣସି ସାମଗ୍ରୀ ଦୋକାନରୁ କିଣିବାକୁ ଚାହୁଁଥାନ୍ତି ତେବେ ସେମାନଙ୍କୁ ଦୋକାନ ମଧ୍ୟକୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ପର୍ଯ୍ୟଟକଙ୍କୁ ଦୋକାନ ବାହାରେ ରହି ଦୋକାନୀଙ୍କୁ ସାମଗ୍ରୀର ମୂଲ୍ୟ ପଚାରିବାକୁ ପଡିଥାଏ ଓ ଦୋକାନ ବାହାରେ ଟଙ୍କା ରଖିବାକୁ ପଡିଥାଏ। ଦୋକାନୀ ମଧ୍ୟ ସମାନ ଢଙ୍ଗରେ ପର୍ଯ୍ୟଟକ ମାଗିଥିବା ସାମଗ୍ରୀ ବାହାରେ ରଖି ଟଙ୍କା ନେଇଥାନ୍ତି। ତେବେ ଏହି ନିୟମ ଗାଁ ଲୋକଙ୍କ ପାଇଁ ଉର୍ଦ୍ଦିଷ୍ଟ ନୁହେଁ। ଏହାଛଡା ପର୍ଯ୍ୟଟକମାନଙ୍କ ପାଇଁ ଆଉ ଏକ ନିୟମ ମଧ୍ୟ ରହିଛି। ପର୍ଯ୍ୟଟକମାନେ ଗାଁର ଫଟୋ ଉଠାଇ ପାରିବେ କିନ୍ତୁ ଏହାର ଭିଡିଓ କରିପାରିବେ ନାହିଁ। ଏହିଭଳି କିଛି ନିୟମ ମଲାନା ଗାଁରେ ରହିଛି। ତେଣୁ ପର୍ଯ୍ୟଟକମାନେ ଯଦି ଏହି ସ୍ଥାନକୁ ଯାଉଛନ୍ତି ତେବେ ଏହି ଗାଁ ବାବଦରେ ଜାଣି ରଖିବା ଉଚିତ।