୫୨ ବର୍ଷ ବୟସରେ ପେଟ ପୋଷିବା ପାଇଁ ଟ୍ୟାକ୍ସି ଚଲାଉଛନ୍ତି ଭାରତୀୟ ଅଲମ୍ପିଆନ୍‌ ଲାଛା ସିଂ

ନୂଆଦିଲ୍ଲୀ : ୧୯ ବର୍ଷ ବୟସରେ ସେନାରେ ଯୋଗ ଦେଇ ୨୫ ବର୍ଷ ବୟସରେ ଦେଶ ପାଇଁ ଅଲମ୍ପିକ୍‌ରେ ବ୍ରୋଞ୍ଚ ପଦକ ଜିତି ଥିଲେ ଏବଂ ବର୍ତ୍ତମାନ ୫୨ ବର୍ଷ ବୟସରେ ନିଜ ପେଟ ପୋଷିବା ପାଇଁ ଚଲାଉଛନ୍ତି ଟ୍ୟାକ୍ସି । ଆଜ୍ଞା ହଁ ! ଆମେ ଦେଶ ପାଇଁ ବକ୍ସିଂରେ ଅଲମ୍ପିକ ଜିତିଥିବା ଲାଛା ସିଂଙ୍କ ବିଷୟରେ କହୁଛୁ, ଯିଏ ଆଜି ଗୋଟିଏ ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ସରକାର ତାଙ୍କୁ ମୂଳରୁ ହିଁ ଉପେକ୍ଷା କରିଥିଲେ ହେଁ ବର୍ତ୍ତମାନ ତାଙ୍କ ସାଙ୍ଗସାଥୀ ମାନେ ମଧ୍ୟ ତାଙ୍କୁ ଉପେକ୍ଷା କରିବା ଆରମ୍ଭ କରିଦେଲେଣି। ତାଙ୍କର ଜୀବନ ଏବେ କେବଳ ଖବରରେ ହିଁ ରହିଯାଇଛି।

୧୯୯୪ ମସିହାରେ ହିରୋସିମା ଏସିୟାଡ଼ରେ ଲାଛା ପ୍ରଥମ ଥର ପାଇଁ ୮୧ କିଲୋ ବର୍ଗରେ ଦେଶ ପାଇଁ ବ୍ରୋଞ୍ଚ ଜିତିଥିଲେ । ଏହାପରେ ସେ ଗୋଟେ ପରେ ଗୋଟେ ଲଗାତାର ୫ଟି ମେଡ଼ାଲ ଜିତିଥିଲେ ସେ । ୧୯୯୪ ମସିହାରେ ତେହାରନ ଠାରେ ଅନୁଷ୍ଠିତ ଏସିଆନ ବକ୍ସିଂ ଚାମ୍ପିୟାନସିପ୍‌ରେ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ । ଏହି ସମୟରେ ସମସ୍ତ ଟୁର୍ଣ୍ଣାମେଣ୍ଟରେ ସେ ପଦକ ଜିତିବେ ବୋଲି ଆଶା କରାଯାଉଥିଲା। ୧୯୯୬ ମସିହାରେ ଆଟ୍‌ଲାଣ୍ଟା ଅଲମ୍ପିକରେ ଲାଛା ପଦକ ଜିତିବେ ବୋଲି ଆଶା କରାଯାଉଥିଲା କିନ୍ତୁ ସେ ୯୧କିଲୋ ବର୍ଗରେ ୧୭ତମ ସ୍ଥାନ ଅଧିକାର କରିଥିଲେ । ଏହାପରେ ମଧ୍ୟ ସେ ଅଟକି ଯାଇ ନଥିଲେ ୧୯୯୬ ଅଲମ୍ପିକର ଦୁଇ ବର୍ଷ ପରେ ବିଶ୍ୱ ମିଲିଟାଣ୍ଟ ଚାମ୍ପିୟନସିପ୍‌ରେ ଅନ୍ୟ ଜଣେ ବକ୍ସର ଦେବେନ୍ଦ୍ର ଥାପାଙ୍କ ସହ ସେ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଦୁଇଜଣ ହଠାତ୍‌ ଟେକ୍ସାସ ଏୟାରପୋର୍ଟର ବାହାରୁ କୁଆଡ଼େ ପଳାଇଥିଲେ ପରେ ସେନା ତାଙ୍କୁ ପଳାତକ ଘୋଷଣା କରିଥିଲା ।

ଆମେ ଦୁଇଜଣ ଏୟାରପୋର୍ଟ ବାହାରୁ ଲାପତ୍ତା ହୋଇଯିବା କଥା ସତ୍ୟ । କାରଣ ମତେ ଥାପା କହିଥିଲେ ତାଙ୍କର କିଛି ସାଙ୍ଗ ତାଙ୍କୁ ଦେଖା କରିବା ପାଇଁ ଆସୁଛନ୍ତି । ପରେ ଆମେ ମିଶି ମଦ୍ୟପାନ କରିଥିଲୁ । ଯେତେବେଳେ ମୋର ଆଖି ଖୋଲିଥିଲା ମୁଁ ଏକ ବନ୍ଦ କୋଠରରୀରେ ଥିଲି। ସେଠାରେ ପ୍ରାୟ ଏକ ମାସ ବନ୍ଧକ ଭାବେ ରହିବା ପରେ ମତେ ବାହାରକୁ ଫୋପାଡ଼ି ଦିଆ ଯାଇଥିଲା। ମୋ ପାଖରେ କିଛି ନ ଥିଲା ଏବଂ ମୋର ଭିସା ଅବଧି ମଧ୍ୟ ଶେଷ ହୋଇଯାଇଥିଲା। ପରେ ମୁଁ ସେଠାରେ କ୍ୟାସ ଷ୍ଟେସନ , ରେଷ୍ଟୁରାଣ୍ଟ ଏବଂ କନଷ୍ଟ୍ରକ୍‌ସନ କମ୍ପାନି ଗୁଡ଼ିକରେ କାମ କରିବା ଆରମ୍ଭ କରିଥିଲି । ମୋତେ ପଇସା ଯୋଡ଼ିବା ପାଇଁ ପ୍ରାୟ ୮ ବର୍ଷ ଲାଗିଥିଲା ଏବଂ ସେଠାରେ ଜଣେ ଦୂତବାସ କର୍ମଚାରୀ ଭାରତ ଆସିବା ପାଇଁ ସାହାଯ୍ୟ କରିଥିଲେ ବୋଲି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ଲାଛା। ୨୦୦୬ ମସିହରେ ଲାଛା ଭାରତକୁ ଫେରି ବହୁତ ଖୁସି ଥିଲେ । ପରେ ସେନା ତାଙ୍କୁ ପଳାତକ ଘୋଷଣା କରିବା କଥା ସେ ଜାଣିଥିଲେ । ବିନା କୌଣସି ତଦନ୍ତରେ ଏହି ନିର୍ଣ୍ଣୟ ନିଆଯାଇଛି ବୋଲି କହିଛନ୍ତି ଲାଛା।

ସମ୍ବନ୍ଧିତ ଖବର