ଭୋପାଳ: ବର୍ଷା ଦିନେ ସନ୍ତୋଷ ରହୁଥିବା ଚାଳଘରୁ ପାଣି ଗଳେ ଆଉ ତାଙ୍କ ବହି ଓଦା ହୋଇଯାଏ | ଏହା ସତ୍ତ୍ୱେ ବି ସେ ନିଜ ମନୋବଳକୁ ଦୁର୍ବଳ କରନ୍ତି ନାହିଁ, ଆଉ ପାଠ ପଢ଼ନ୍ତି | ଏବେ ତାଙ୍କ ପରିଶ୍ରମ ସଫଳ ହୋଇଛି ଓ ସେ ମଧ୍ୟପ୍ରଦେଶ ସରକାରଙ୍କ ଅଧୀନରେ ଜଣେ ଅଫିସର ହୋଇଛନ୍ତି | ଆଜି ଆମେ ମଧ୍ୟପ୍ରଦେଶର ଏମିତି ଜଣେ ଯୁବକଙ୍କ ପ୍ରେରଣାଦାୟୀ କାହାଣୀ କହିବୁ ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ମଧ୍ୟପ୍ରଦେଶର ସନ୍ତୋଷ କୁମାର ପଟେଲଙ୍କ ବାପା ଜଣେ ରାଜମିସ୍ତ୍ରୀ ଥିବାବେଳେ ମା ଦିନମଜୁରିଆ ଶ୍ରମିକ ଥିଲେ | ବଡ କଥା ଯେ ସନ୍ତୋଷଙ୍କ ପରିବାର ପାଖରେ ରହିବା ପାଇଁ ଖଣ୍ଡେ ଭଲ ଘର ନଥିଲା | ଚାଳଘରେ ସନ୍ତୋଷ ତାଙ୍କ ବାପା-ମାଙ୍କ ସହ ରହୁଥିଲେ | ବର୍ଷାଦିନେ ଚାଳରୁ ,ପାଣି ଗଳି ତାଙ୍କ ବହିଗୁଡ଼ିକ ଓଦା ହୋଇଯାଏ | ଏଭଳି ପରିସ୍ଥିତିରେ ସନ୍ତୋଷ ଦିନରେ ବହି ଶୁଖାଉଥିଲେ ଏବଂ ରାତିରେ ଡ଼ିବିରି ଆଲୁଅରେ ପାଠ ପଢୁଥିଲେ | ସେଥିପାଇଁ ତ ସନ୍ତୋଷ ମଧ୍ୟ ସାତ ବର୍ଷ ବୟସରେ ଇଟା ଉଠାଇବା ଭଳି କାମ କରିଥିଲେ। ତେବେ ତାଙ୍କର ପାଠ ପଢିବାକୁ ବହୁତ ଇଚ୍ଛା ଥିଲା |

Advertisment

ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ପଢିବା ସହ ଦଶମ ଶ୍ରେଣୀରେ ୯୨ ପ୍ରତିଶତ ମାର୍କ ହାସଲ କରି ଟପ୍ପର ହୋଇଥିଲେ। ପରେ ସନ୍ତୋଷ ଏକ ସରକାରୀ କଲେଜରେ ଇଞ୍ଜିନିୟରିଂ ପଢିବା ପାଇଁ ଭୋପାଳ ଯାଇଥିଲେ। ତେବେ ସେଠାରେ ତାଙ୍କୁ କିଛି ଲୋକ ପରାମର୍ଶ ଦେଇଥିଲେ ଯେ ରାଜ୍ୟ ଓ କେନ୍ଦ୍ର ଆୟୋଗ ଦ୍ୱାରା ହେଉଥିବା ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତୁ | ଏହାପରେ ସେ ମଧ୍ୟପ୍ରଦେଶ ଲୋକସେବା ଆୟୋଗ (MPPSC) ପାଇଁ ପ୍ରସ୍ତୁତ ହେବାକୁ ଲାଗିପଡିଥିଲେ | ସେ ବିନା କୌଣସି କୋଚିଂରେ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ଶପଥ ନେଇଥିଲେ ଯେ ଭଲ ଚାକିରିଟିଏ ନ ପାଇବା ଯାଏଁ ଦାଢ଼ି କାଟିବେ ନାହିଁ | ତେବେ ତାଙ୍କ ପାଖରେ ସେତିକି ଟଙ୍କା ନଥିବାରୁ ବହି କିଣିପାରୁନଥିଲେ | ତେଣୁ ସାଙ୍ଗମାନଙ୍କ ପାଖରୁ ବହି ମାଗି ଆଣି ରାତିକ ଭିତରେ ପଢୁଥିଲେ ଓ ସକାଳେ ବହି ଫେରାଇଦେଉଥିଲେ | ଶେଷରେ, ୧୫ ମାସର ପ୍ରସ୍ତୁତି ପରେ, ସନ୍ତୋଷ ଜୁଲାଇ ୨୦୧୭ରେ ମଧ୍ୟପ୍ରଦେଶ ଲୋକସେବା ଆୟୋଗ ପରୀକ୍ଷାରେ ସଫଳତା ପାଇଥିଲେ ଓ ଏବେ ଡ଼ିଏସପି ଭାବରେ ସେ ଚାକିରି କରୁଛନ୍ତି |