ଦିନକୁ ୫୦ ହଜାର କଲ୍, ୨୨ ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ: ମହାମାରୀ ବେଳେ ଭଗବାନ ସାଜି ଏମିତି ସାହାଯ୍ୟ କରୁଛନ୍ତି ସୋନୁ ସୁଦ୍

ନୂଆଦିଲ୍ଲୀ: ଦିନକୁ ଆସୁଛି ୫୦ ହଜାର କଲ୍…୨୪ ଘଣ୍ଟାରୁ ୨୨ ଘଣ୍ଟା ଧରି କାମ । ସଙ୍କଟ ବେଳେ ଏମିତି ସାହାଯ୍ୟ କରୁଛନ୍ତି ସୋନୁ । ଦିନକୁ ୫୦ ହଜାର କଲ୍, ୨୨ ଘଂଟା ପର୍ଯ୍ୟନ୍ତ ଅହରହ କାମ । ଦେଶର କୋଣ ଅନୁକୋଣରୁ ଯିଏ ଯେଉଁଠୁ ବି ସାହାଯ୍ୟ ମାଗୁଛି, ବିପଦ ବେଳର ବନ୍ଧୁ ସାଜି ସାହାଯ୍ୟର ହାତ ବଢାଉଛନ୍ତି ଅସହାୟଙ୍କ ଭଗବାନ ସୋନୁ ସୁଦ୍ ।

ସୋନୁ ସୁଦ, ଏବେ ଏହା କେବଳ ଏକ ନାଁ ନୁହେଁ, କୋଟି କୋଟି ଲୋକଙ୍କ ନିଶ୍ୱାସ, ବିଶ୍ୱାସ ଆଉ ହୃଦୟରେ ସାଇତା ହୋଇ ରହିଥିବା ସୁନ୍ଦର ସ୍ମୃତି ଟିଏ । ଗତ ୧୪ ମାସ ହେଲାଣି କଷ୍ଟ ଦେଇଚାଲିଛି କରୋନା । ଆଉ ସଙ୍କଟ ସମୟରେ ଅସହାୟଙ୍କ ଦେବଦୂତ ସାଜିଛନ୍ତି ସୋନୁ ସୁଦ୍ । ତେବେ ସମସ୍ତଙ୍କ ମନରେ ନିହାତି ଭାବେ ଜାଣିବାକୁ ଇଚ୍ଛା ରହିଥିବ, ଯେ ଜଣେ ମଣିଷ କୋଟି କୋଟି ଲୋକଙ୍କ ହୃଦୟ କେମିତି ଜିଣିଲେ । କେମିତି ଏତେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସୋନୁ । ଏନେଇ ନିଜେ ପ୍ରତିକ୍ରିୟା ରଖିଛନ୍ତି ସୋନୁ ସୁଦ୍ ।

India TV

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୋନୁ କହିଛନ୍ତି, ଏଭଳି ସଙ୍କଟ ସମୟରେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର । ସେ କେମିତି ଏତେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସେ ନିଜେ ବି ଜାଣିପାରୁନାହାନ୍ତି । ଦିନର ୨୪ ଘଂଟାରୁ ୨୨ ଘଂଟା ଧରି ଅହରହ ଲୋକଙ୍କୁ ସାହାଯ୍ୟ କରିବା କାମ କରୁଛନ୍ତି ସୋନୁ । ସେ କହିଛନ୍ତି ଦିନକୁ ତାଙ୍କୁ ୪୦ ହଜାରରୁ ୫୦ ହଜାର କଲ ଆସୁଛି ।

ସୋନୁ ନିଜର ଏକ ଟିମ୍ ତିଆରି କରିଛନ୍ତି । ଏହି ଟିମ୍ ଅଲଗା ଅଲଗା ସହରରେ କାମ କରୁଛନ୍ତି । ପ୍ରତିଦିନ ଦେଶର ବିଭିନ୍ନ ଡାକ୍ତରଙ୍କ ସହ ଫୋନରେ କଥା ହୁଅନ୍ତି ସୋନୁ । କେମିତି କରୋନା କବଳରୁ ଲୋକଙ୍କ ଜୀବନ ସୁରକ୍ଷିତ ରହିପାରିବ, ସେ ଦିଗରେ ସୋନୁ ଅହରହ କାମ କରନ୍ତି । ବେଡ୍ ଯୋଗାଡ କରିବା, ଆବଶ୍ୟକ କରୁଥିବା ଲୋକଟିଏ ପାଖରେ ଅକ୍ସିଜେନ୍ ପହଞ୍ଚାଇବା ଏବଂ ଜୀବନ ମରଣ ସହ ସଂଘର୍ଷ କରୁଥିବା ଲୋକଟିଏ ପାଖରେ ଔଷଧ ପହଂଚାଇଦିଅନ୍ତି ସୋନୁ ।

ସୋନୁ କୁହନ୍ତି, ଯଦି ସମୁଦ୍ରରେ କେହି ବୁଡିଯାଉଛି, ତେବେ ସାହାଯ୍ୟ ପାଇଁ ସମୁଦ୍ର ଭିତରକୁ ଡେଇଁବାକୁ ପଡିବ । ସମୁଦ୍ରର ଢେଉ ଆଉ ଲହରି ଆପଣଙ୍କୁ ପହଁରା ଶିଖାଇଦେବ । ସତରେ, ପରଦାର ଏହି ଖଳନାୟକ, ସତ ଜୀବନରେ କିନ୍ତୁ ନାୟକ ସାଜିଛନ୍ତି । ଆଉ ସେଇଥିପାଇଁ ତ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି ହୃଦୟର ହିରୋ ସୋନୁ ସୁଦ୍ । ଆଉ ପୂରା ଦୁନିଆ ଆଜି ସୋନୁଙ୍କୁ ସଲ୍ୟୁଟ୍ କରୁଛି ।

ସମ୍ବନ୍ଧିତ ଖବର