ସ୍ପେନ୍‌ର ୩୦ ବର୍ଷୀୟା କଣ୍ଟେଣ୍ଟ୍ କ୍ରିଏଟର୍ ପୌଲା ଗୋନୁ ନିକଟରେ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରଘଟ କରିଛନ୍ତି। ୟୁଟ୍ୟୁବ୍‌ରେ ପ୍ରକାଶିତ ‘କ୍ଲବ୍ ୧୧୩’ ନାମକ ଆଲୋଚନା କାର୍ଯ୍ୟକ୍ରମରେ ଭାଗ ନେଇ ପୌଲା କହିଛନ୍ତି ଯେ ସେ ନିଜ ଆଣ୍ଠୁର ଅଂଶକୁ ରାନ୍ଧି ନିଜ ବଏଫ୍ରେଣ୍ଡ୍‌ଙ୍କ ସହିତ ଖାଇଛନ୍ତି। ସେ ଏକ ରୋଗରେ ପଡ଼ିବା ପରେ ଡାକ୍ତର ଅସ୍ତ୍ରୋପଚାର ଜରିଆରେ ତାଙ୍କ ଆଣ୍ଠୁରେ ଥିବା ଉପାସ୍ଥିର କିଛି ଅଂଶ କାଢ଼ିଦେଇଥିଲେ। ଏହାକୁ ନିଜ ପାଖରେ ରଖିବାକୁ ଚାହାଁନ୍ତି କି ବୋଲି ଡାକ୍ତର ତାଙ୍କୁ ପଚାରିଥିଲେ।

Advertisment

ପୌଲା ହଁ କହିବା ପରେ ଡାକ୍ତର ତାଙ୍କ ଉପାସ୍ଥିକୁ ସୁରା ମଧ୍ୟରେ ସଂରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ। ତେବେ ଏକ ସପ୍ତାହ ପରେ ପୌଲା ଓ ତାଙ୍କ ବଏଫ୍ରେଣ୍ଡ୍‌ ଥଟ୍ଟାମଜା କରୁଥିବା ବେଳେ ପୌଲା ତାଙ୍କ ନିଜ ଉପାସ୍ଥିକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତ କରିବାର ନିଷ୍ପତ୍ତି ନେଇଥିଲେ। ସେ ଯୁକ୍ତି କରିଥିଲେ ଯେ, ଯେହେତୁ ଏହା ତାଙ୍କ ଶରୀରର ଅଂଶ ଥିଲା ତେଣୁ ସେ ତାହାକୁ ପୁଣି ନିଜ ଶରୀରକୁ ଫେରାଇଦେବାକୁ ଚାହାଁନ୍ତି। ତେଣୁ ସେ ନିଜ ଉପାସ୍ଥିକୁ ନେଇ ବୋଲୋନିଜ୍ ନାମକ ବ୍ୟଞ୍ଜନ ପ୍ରସ୍ତୁତ କଲେ ଏବଂ ବଏଫ୍ରେଣ୍ଡ୍‌ଙ୍କ ସହିତ ମିଶି ତାକୁ ଖାଇଥିଲେ। ଏହି କାର୍ଯ୍ୟକୁ ପୌଲା ଉଦ୍ଭଟ ବୋଲି ବିଚାର କରନ୍ତି ନାହିଁ କାରଣ ତାଙ୍କ ମତ ହେଲା ଲୋକମାନେ ଆହୁରି ନିକୃଷ୍ଟ ଜୀବଙ୍କ ହାଡ଼, ଉପାସ୍ଥି ଓ ମାଂସ ଖାଇବାରେ ସଂକୋଚ କରନ୍ତି ନାହିଁ।