କାସ୍ପିଆନ୍‌ ସାଗର ଉପରେ ବିଚିତ୍ର ମେଘଖଣ୍ଡ

ଋତୁ ନିର୍ବିଶେଷରେ ଆକାଶରେ ଅଚାନକ ମେଘଖଣ୍ଡ ଦେଖାଦେବା ଏକ ସ୍ବାଭାବିକ ଘଟଣା। ବେଳେ ବେଳେ ଏହି ମେଘଖଣ୍ଡଗୁଡ଼ିକ ବିଭିନ୍ନ ରଙ୍ଗ ଓ ଆକୃତି ଧାରଣ କରି ଆମ ମନରେ କୌତୂହଳ ସୃଷ୍ଟି କରିଥା’ନ୍ତି। ତେବେ ନିକଟରେ ବିଶ୍ବର ବୃହତ୍ତମ ହ୍ରଦର ମାନ୍ୟତା ରଖିଥିବା କାସ୍ପିଆନ୍‌ ସାଗର ଉପରେ ଭାସି ବୁଲୁଥିବା ଏକ ବିଚିତ୍ର ମେଘଖଣ୍ଡ ପାଇଁ ବୈଜ୍ଞାନିକ ମହଲ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଏହି ମେଘଖଣ୍ଡର ଅତର୍କିତ ଆବିର୍ଭାବ ନବେ ଦଶକର ହଲିଉଡ୍‌ ସିନେମା ‘ଇଣ୍ଡିପେଣ୍ଡେନ୍‌ସ ଡେ’ରେ ଆକାଶରେ କଳାମେଘ ଘୋଟି ଆସିଲା ପରି ଏକ ଭ୍ରମ ଆଣିଥିଲା।

ଆମେରିକାର ‘ନାସା’ ଦ୍ବାରା ପ୍ରେରିତ ଉପଗ୍ରହରେ ଖଚିତ ମୋଡିସ୍‌ ନାମକ ଅତିସମ୍ବେଦନଶୀଳ ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ସେହି ମେଘଖଣ୍ଡ ଠାବ ହୋଇଥିଲା। ସେହିପରି ସାଧାରଣ ମେଘର ଧାର ଧୂଆଁଳିଆ ଜଣାଯାଉଥିବା ବେଳେ ଉକ୍ତ ମେଘଖଣ୍ଡର ସମଗ୍ର ବହିଃ ସୀମାଧାର ଅତ୍ୟନ୍ତ ତୀକ୍ଷ୍‌ଣ ବା ଶାଣିତ ଜଣାପଡୁଥିଲା। ପାଗ ବିଶେଷଜ୍ଞଙ୍କ ମତରେ ‘ଷ୍ଟ୍ରାଟୋକ୍ୟୁମୁଲସ୍‌’ ମେଘ ନାମକ ଏହି ମେଘଖଣ୍ଡଟି ଶହେ କିଲୋମିଟର ଯାଏ ବ୍ୟାପି ରହିଥିଲା ଏବଂ ଧୀରେ ଧୀରେ କାସ୍ପିଆନ୍‌ ସାଗରର ମଧ୍ୟଭାଗରୁ ଉତ୍ତରପଶ୍ଚିମ ଆଡ଼କୁ ଯାଇଥିଲା।

ତେବେ ଭୂଭାଗ ଛୁଇଁଲା ପରେ ତାହା ଆପେ ଆପେ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ସାଧାରଣତଃ ଭୂପୃଷ୍ଠର ୬୦୦ରୁ ୨୦୦୦ ମିଟର ଉପରେ ଦେଖାଦେଇଥିବା ଏହି ଧରଣର ମେଘଖଣ୍ଡ କାସ୍ପିଆନ ସାଗର ଉପରେ ଉଷ୍ଣ ତଥା ଶୁଷ୍କ ବାୟୁମଣ୍ଡଳ ସହ ଶୀତଳ ତଥା ଆର୍ଦ୍ର ବାୟୁର ମିଳନ ଘଟି ସୃଷ୍ଟି ହୋଇଥିଲା ବୋଲି ବିଶେଷଜ୍ଞମାନଙ୍କ ମତ। ସେହିପରି ଭୂଭାଗରୁ ପ୍ରବାହିକ ଉଷ୍ଣ ଶୁଷ୍କ ବାୟୁ ସାଗର ଉପରିସ୍ଥ ଶୀତଳ ଆର୍ଦ୍ର ବାୟୁ ଦେହରେ ଧକ୍କା ପାଇଲା ପରେ ମେଘଖଣ୍ଡ ଧାର ଏପରି ତୀକ୍ଷ୍‌ଣ ହୋଇଥିବା ଗବେଷକମାନେ କହିଛନ୍ତି।

ସମ୍ବନ୍ଧିତ ଖବର