ନୂଆଦିଲ୍ଲୀ: ପୂର୍ବରୁ ବାତ୍ୟାଗୁଡ଼ିକର କୌଣସି ନାମକରଣ କରାଯାଉନଥିଲା। ମାତ୍ର ଏବେ ପ୍ରତି ବାତ୍ୟାର ଭିନ୍ନ ଭିନ୍ନ ନାମକରଣ ହେଉଛି। ‘ହରିକେନ୍’ ହେଉଛି ବାତ୍ୟାର ସର୍ବପ୍ରଥମ ନାମକରଣ। ତା’ ପରେ ପରେ ‘ଟାଇଫୁନ୍’, ‘ସାଇକ୍ଲୋନ୍’ ଆଦି ଭିନ୍ନ ଭିନ୍ନ ନାମକରଣ କରାଗଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିଶ୍ୱର ୧୧ଟି ପାଣିପାଗ ଚେତାବନୀ କେନ୍ଦ୍ର ପକ୍ଷରୁ ବାତ୍ୟାର ନାମକରଣ କରାଯାଉଛି।
ବାତ୍ୟାର ନାମକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମ୍ଓ)ର ଆଞ୍ଚଳିକ କ୍ରାନ୍ତୀୟ ବାତ୍ୟା କମିଟିକୁ ପଠାଯାଇଥାଏ। ଏହି କମିଟି ନାମକରଣକୁ ପ୍ରତ୍ୟାଖ୍ୟାନ ବା ପରିବର୍ତ୍ତନ କରିପାରିଥାନ୍ତି। ନିଜେ ଏକ ନୂଆ ନାମ ବି ଦେଇପାରନ୍ତି। ଏହି ପ୍ରକ୍ରିୟାରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବା ଦେଶକୁ ସାମିଲ୍ କରାଯାଏ। ଏକ ଲୋକପ୍ରିୟ ଲୋକମତ ବା ନାମର ଆଧାରରେ ହିଁ ଏହି ନାମକରଣ କରାଯାଇଥାଏ। ନାମକରଣକୁ ଆହୁରି ସଂଗଠିତ କରିବା ପାଇଁ ପାଣିପାଗ ବିଜ୍ଞାନୀମାନେ ବର୍ଣ୍ଣମାଳା ଅନୁସାରେ ନାମକରଣ ଆରମ୍ଭ କଲେ।
ବାତ୍ୟା ନାମକରଣର ଆହୁରି ଏକ ପ୍ରକ୍ରିୟା ମଧ୍ୟ ରହିଛି। ଯଦି ବାତ୍ୟା ଯୋଗୁ ବଡ଼ ଧରଣର କ୍ଷୟକ୍ଷତି ସହିତ ମୃତକଙ୍କ ସଂଖ୍ୟା ଅଧିକ ହେଲା ଡବ୍ଲୁଏମ୍ଓର ଯେକୌଣସି କମିଟିର ସଦସ୍ୟ ତାଲିକାରୁ ବାତ୍ୟାର ନାମ ପ୍ରାତ୍ୟାହାର କରିବା ପାଇଁ ଅନୁରୋଧ କରିପାରିବେ। ତାହା ବଦଳରେ କମିଟିକୁ ଆଉ ଏକ ନାମ ଦିଆଯାଇଥାଏ ଏବଂ ଏହି ନାମକରଣକୁ ସ୍ୱୀକୃତି ପାଇଁ ଭୋଟ୍ ମଧ୍ୟ ଗ୍ରହଣ କରାଯାଏ।
ଏଥରର ବାତ୍ୟାର ନାମ ରହିଛି ‘ତିତ୍ଲି’। ଏହି ନାମଟି ଚୟନ କରିଛି ପାକିସ୍ଥାନ। ନାମ ଚୟନର ପ୍ରକ୍ରିୟା ଏପରି, ତାଲିକାରେ ଥିବା ସମସ୍ତ ଦେଶକୁ ଏକା ସହ ୮ଟି ନାମ ବାଛିବାର ସୁଯୋଗ ମିଳେ। ‘ତିତ୍ଲି’ ନାମଟି ପାକିସ୍ଥାନ ବାଛିଥିବା ବେଳେ ପରବର୍ତ୍ତି ବାତ୍ୟାର ନାମ ଦେବ ଶ୍ରୀଲଙ୍କା। ତେବେ, ଶ୍ରୀଲଙ୍କା ପକ୍ଷରୁ ପରବର୍ତ୍ତୀ ନାମ ବଛାଯାଇଛି ‘ଗଜ’। ତା’ପର ବାତ୍ୟାର ନାମ ଦେବ ଥାଇଲାଣ୍ଡ୍। ଥାଇଲାଣ୍ଡ୍ ବାଛିଥିବା ନାମଟି ହେଉଛି ‘ପେଥାଇ’।
ବାତ୍ୟାର ନାମକରଣ କରିବା ପାଇଁ ଯେଉଁ ୮ଟି ଦେଶକୁ ସ୍ୱୀକୃତି ମିଳିଛି ସେ ଦେଶଗୁଡ଼ିକ ହେଉଛନ୍ତି ବାଂଲାଦେଶ, ଭାରତ, ମାଲଦୀପ, ମିଆଁମାର୍, ଓମାନ, ପାକିସ୍ତାନ, ଶ୍ରୀଲଙ୍କା, ଥାଇଲାଣ୍ଡ। ଭାରତ ତା’ର ଆଗାମୀ ନାମ ବାଛି ସାରିଛି। ଭାରତର ପାଳି ଆସିଲେ ସେ ବାତ୍ୟାର ନାମ ଦେବ ‘ବାୟୁ’।