ଲୋକପ୍ରିୟ ଟେଲିଭିଜନ୍ ତାରକା ହିନା ଖାଁ ଗତ ମାସ ଷ୍ଟେଜ୍‌-୩ ସ୍ତନ କର୍କଟ ଦ୍ବାରା ପୀଡ଼ିତ ବୋଲି ଜଣାପଡ଼ିଥିଲା। ଇତିମଧ୍ୟରେ ତାଙ୍କର ଅସ୍ତ୍ରୋପଚାର ସରି କେମୋଥେରାପି ଚିକିତ୍ସା ଜାରି ରହିଛି। ରୋଗ ସମ୍ପର୍କରେ ପ୍ରକାଶ କରିବା ବେଳଠୁଁ ସେ ଏହି ମାରାତ୍ମକ ରୋଗ ଉପରେ ବିଜୟ ହାସଲ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଆସୁଛନ୍ତି। ନିକଟରେ ସେ ନିଜ ଅଦମନୀୟ ମନୋବଳର ପ୍ରମାଣ ସ୍ବରୂପ ସୁଟିଂ ସେଟ୍‌କୁ ଫେରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିଥିବା ଏକ ଭିଡିଓରେ ମେକ୍‌ଅପ୍‌ ଆର୍ଟିଷ୍ଟମାନେ ତାଙ୍କ ଚିକିତ୍ସାଜନିତ କ୍ଷତଗୁଡ଼ିକୁ ଲୁଚାଉଥିବାର ଦୃଶ୍ୟ ଦେଖାଯାଉଛି। କେମୋଥେରାପି ପୂର୍ବରୁ କେଶ କାଟି ଛୋଟ କରିଦେଇଥିବାରୁ ସୁଟିଂ ପାଇଁ ସେ ଏକ ଵିଗ୍‌ ପିନ୍ଧିଛନ୍ତି।

Advertisment

ଏହି ଭିଡିଓ ସହ ସେ ଏକ ଉତ୍ସାହଜନକ ବାର୍ତ୍ତା ଲେଖିଛନ୍ତି। ତାଙ୍କ ଅନୁଯାୟୀ ଚିକିତ୍ସା ଚାଲୁଥିବାର ଅର୍ଥ ନୁହେଁ ସବୁବେଳେ ଡାକ୍ତରଖାନାରେ ରହିବା। ଚିକିତ୍ସା ସମୟରେ ବି ଜଣେ ଯଦି କାମ କରିବାର ଶକ୍ତି ଓ ସାମର୍ଥ୍ୟ ଜୁଟାଇପାରୁଛି, ତେବେ ସେ ଖୁସି ଦେଉଥିବା କାମ କରିବା ଉଚିତ ବୋଲି ସେ ସମସ୍ତଙ୍କୁ ଆହ୍ବାନ କରିଛନ୍ତି। ହିନା ନିଜ କାମକୁ ବହୁତ ଭଲ ପାଆନ୍ତି। କାମ କରିବା ବେଳେ ସେ ନିଜ ସ୍ବପ୍ନକୁ ଜିଆଉଥାନ୍ତି, ତେଣୁ କାମରୁ ତାଙ୍କୁ ପ୍ରେରଣା ମିଳେ। ଚିକିତ୍ସା ବେଳେ ସେ ଏଭଳି କେତେକ ଲୋକଙ୍କୁ ଭେଟିଲେ ଯେଉଁମାନେ ଚିକିତ୍ସା ସହିତ ନିୟମିତ ଚାକିରି ଜାରି ରଖିଛନ୍ତି।
ଏହା ଦେଖି ଜୀବନ ପ୍ରତି ତାଙ୍କର ଆଭିମୁଖ୍ୟ ବଦଳିଯାଇଥିଲା।

ଜୀବନରେ ଏଭଳି ଆହ୍ବାନର ସମ୍ମୁଖୀନ ହେବା ସମୟରେ ସକାରାତ୍ମକ ରହିବା ବହୁତ କଷ୍ଟକର ବୋଲି ହିନା ସ୍ବୀକାର କରନ୍ତି। ତାଙ୍କ ଅନୁରୂପ ପରିସ୍ଥିତି ଦେଇ ଗତି କରୁଥିବା ଲୋକମାନେ କଠିନ ଦିନମାନଙ୍କରେ ନିଜ ପ୍ରତି ସମ୍ବେଦନଶୀଳ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ ଖରାପ ଦିନମାନଙ୍କରେ ବିଶ୍ରାମ ନେବା ଉଚିତ, କିନ୍ତୁ ଭଲ ଦିନଗୁଡ଼ିକର ସଂଖ୍ୟା ଯେତେ କମ୍‌ ହେଲେ ବି ସେଗୁଡ଼ିକୁ ଉପଭୋଗ କରିବା ଜାରି ରଖିବା ଗୁରୁତ୍ବପୂର୍ଣ୍ଣ। ପରିବର୍ତ୍ତନକୁ ଗ୍ରହଣ କରିନେଇ ସଂଘର୍ଷ ସମୟରେ ବି ଜୀବନକୁ ଉପଭୋଗ କରିବା ଉପରେ ସେ ସର୍ବାଧିକ ଗୁରୁତ୍ବାରୋପ କରିଛନ୍ତି।