ଗତ ସାତ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସୌର ଝଡ଼ ଅଳ୍ପ ଦିନ ତଳେ ସୂର୍ଯ୍ୟ ପୃଷ୍ଠରେ ସୃଷ୍ଟି ହୋଇଥିଲା ବୋଲି ଆମେରିକୀୟ ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି। ଏହାଦ୍ବାରା ଭୂପୃଷ୍ଠସ୍ଥ ଅନେକ ଇଲେକ୍ଟ୍ରୋନିକ୍ ଯୋଗାଯୋଗ ବ୍ୟବସ୍ଥା ଓ ଉପଗ୍ରହ ପ୍ରଣାଳୀ ଭୀଷଣ ଭାବରେ ପ୍ରଭାବିତ ହେବ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏହି ଝଡ଼କୁ ଏକ ଶକ୍ତିଶାଳୀ ସୌର ଆଭା ଅନୁସରଣ କରୁଥିବାରୁ ଏହା ବିଶେଷ କରି ଭାରତର ପ୍ରଯୁକ୍ତି ବିଦ୍ୟା ଉପରେ ସାଂଘାତିକ ପ୍ରଭାବ ପକାଇବାର ଆଶଙ୍କା ରହିଛି। ତେବେ ତାହାକୁ ଦୃଷ୍ଟିରେ ରଖି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥି ସହିତ ଆଗାମୀ ଦିନମାନଙ୍କରେ ଉକ୍ତ ସୌର ଝଡ଼ର ଗତିବିଧି ଉପରେ ନିଘା ରଖିବାକୁ ବିଶେଷଜ୍ଞମାନେ ଗୁରୁତ୍ବାରୋପ କରିଛନ୍ତି।
ସୌରପୃଷ୍ଠରେ ବିଭିନ୍ନ କଣିକାଗୁଡ଼ିକର ସାମୂହିକ ବିସ୍ଫୋରଣ ଘଟି ସୌରଝଡ଼ ସୃଷ୍ଟି ହୁଏ। ଏହା ପୃଥିବୀର ଭୂଚୁମ୍ବକୀୟ କ୍ଷେତ୍ରରେ ପ୍ରବେଶ କରି ବେତାର ପ୍ରସାରଣ, ବିଜୁଳି ପରିବହନକୁ ବିପର୍ଯ୍ୟସ୍ତ କରିଦେଇପାରେ
ସୂର୍ଯ୍ୟର ଅପର୍ଯ୍ୟାପ୍ତ ତାପଶକ୍ତି ଓ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଦ୍ବାରା ପ୍ରଭାବିତ ହୋଇ ସୌରପୃଷ୍ଠରେ ବିଭିନ୍ନ କଣିକାଗୁଡ଼ିକର ଅତର୍କିତ ସାମୂହିକ ବିସ୍ଫୋରଣ ଘଟି ସୌରଝଡ଼ ସୃଷ୍ଟି ହୋଇଥାଏ। ଏହା ଅନ୍ତରୀକ୍ଷରେ ପ୍ରସାରିତ ହେଲା ବେଳେ ପୃଥିବୀର ବାୟୁମଣ୍ଡଳରେ ଥିବା ମାଗ୍ନେଟୋସ୍ଫିଅର ସ୍ତରରେ ବିଭ୍ରାଟ ଆଣିଥାଏ। ଏହା ଭୂଚୁମ୍ବକୀୟ କ୍ଷେତ୍ରରେ ଝଡ଼ ସୃଷ୍ଟି କରିବାକୁ ସକ୍ଷମ ଯାହା ଭୂପୃଷ୍ଠରେ ବେତାର ପ୍ରସାରଣ, ଶକ୍ତି ପରିବହନକୁ ବିପର୍ଯ୍ୟସ୍ତ କରିଦେବାର ଆଶଙ୍କା ଅଧିକ। କିଛି ଦିନ ତଳେ ସୌରପୃଷ୍ଠରେ ସୃଷ୍ଟ ଏହି ସୌରଝଡ଼ ଶକ୍ତି ଦୃଷ୍ଟିରୁ ଗତ ମେ’ ମାସରେ ସୃଷ୍ଟ ଅନୁରୂପ ସୌରଝଡ଼ ସଙ୍ଗେ ସମାନ। ଏହି ସୌର ଝଡ଼ ଯୋଗୁଁ ସୂର୍ଯ୍ୟପୃଷ୍ଠରୁ ଗତ ଅକ୍ଟୋବର ପହିଲାରେ ଏକ ଏକ୍ସ୭.୧ ଏକକର ଶକ୍ତିଶାଳୀ ଆଭା ଓ ଗତ ୩ ତାରିଖରେ ଏକ୍ସ୯.୦ ଏକକ ବିଶିଷ୍ଟ ଶକ୍ତିଶାଳୀ ଆଭା ବିକିରିତ ହୋଇଛି।
ଆମେରିକାର ‘ନାସା’ ପକ୍ଷରୁ ତାହାର ସୋଲାର ଡାଇନାମିକ୍ସ ଅବଜର୍ଭେଟୋରି ଦ୍ବାରା ଏହି ଆଭା ଦ୍ବୟକୁ ଠଉରାଯିବା ସହ ଯୋଗାଯୋଗ ବ୍ୟବସ୍ଥାରେ ବିଭ୍ରାଟ ଆଣିପାରିବା ଭଳି ତାହାର କ୍ଷମତା ବାବଦରେ ଗୁରୁତ୍ବାରୋପ କରାଯାଇଛି। ଏହାଦ୍ବାରା ଉଚ୍ଚ ଫ୍ରିକ୍ବେନ୍ସି ସଂପନ୍ନ ବେତାର ଯୋଗାଯୋଗ ବ୍ୟବସ୍ଥାରେ ପ୍ରେରିତ ସଂକେତରେ ବିଭ୍ରାଟ ଘଟିବାର ଆଶଙ୍କା ରହିଛି। ସେହିପରି କୃତ୍ରିମ ଉପଗ୍ରହ ପ୍ରଣାଳୀରେ ତାହା ପ୍ରତିବନ୍ଧକ ସାଜି ଉପଗ୍ରହଗୁଡ଼ିକର ଅବସ୍ଥିତି ଓ ସ୍ଥିରତାକୁ ମଧ୍ୟ ପ୍ରଭାବିତ କରିବ। ଏଥି ସହିତ ଜିପିଏସ୍ ତଥ୍ୟ ପ୍ରଦାନରେ ବିଭ୍ରାନ୍ତି ଦେଖାଦେବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି।