ଗତ ଶୁକ୍ରବାର ଓ ଶନିବାର (ମେ ୧୦ ଓ ୧୧ ତାରିଖ) ଦୁଇଦିନ ଧରି ସୂର୍ଯ୍ୟ ପୃଷ୍ଠରେ ସଂଘଟିତ ବିଶାଳ ବିସ୍ଫୋରଣରୁ ସୃଷ୍ଟ ସୌର ଝଡ଼କୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଲିପିବଦ୍ଧ କରିଛି। ତୀବ୍ରତା ଅନୁସାରେ ‘ଏକ୍ସ୫.୮’ ଓ ‘ଏକ୍ସ୧.୫’ ଭାବରେ ବର୍ଗୀକୃତ ଏହି ପ୍ରଜ୍ଜ୍ବଳିତ ଆଭାରୁ ଶକ୍ତ ବିଦ୍ୟୁତ୍‌ ଚୁମ୍ବକୀୟ ଶକ୍ତି ତରଙ୍ଗ ଭୀଷଣ ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଦେଖାଯାଇଛି। ଏହି ସୌର ଝଡ଼ ବିଗତ ଦୁଇ ଦଶନ୍ଧିର ସବୁଠାରୁ ଶକ୍ତିଶାଳୀ ମାହାଜାଗତିକ ଘଟଣା ବୋଲି ବୈଜ୍ଞାନିକମାନେ କହୁଛନ୍ତି।

Advertisment

୧୦ ତାରିଖରେ ପୂର୍ବ ଆମେରିକୀୟ ସମୟ ଅପରାହ୍‌ଣ ୯ଟା ୨୩ରେ ଓ ୧୧ ତାରିଖ ପୂର୍ବାହ୍‌ଣ ୭ଟା ୪୪ରେ ସୌର ଝଡ଼ ତୀବ୍ରତା ସର୍ବାଧିକ ହୋଇଥିଲା। ଭୂପୃଷ୍ଠ ଆଡ଼କୁ ସେହି ସୌରଝଡ଼ ଅଗ୍ରସର ହେଲା ପରେ ପରେ ‘ନାସନାଲ ଓସନିକ୍‌ ଆଣ୍ଡ୍‌ ଆଟମସ୍ଫେରିକ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ପୃଥିବୀ ତମାମ ଅନ୍ତରୀକ୍ଷ ନିରୀକ୍ଷଣକାରୀଙ୍କ ପାଇଁ ଏହା ଆକାଶରେ ସ୍ବର୍ଗୀୟ ଦୃଶ୍ୟ ସୃଷ୍ଟି କରିଥିଲା, ଯାହାକୁ ‘ଅରୋରା’ ବା ‘ନର୍ଦନ୍‌ ଲାଇଟ୍‌ସ’ ବୋଲି କୁହାଯାଏ। ଏହା ଫଳରେ ମେରୁ ଅଞ୍ଚଳର ଆକାଶ ଗୋଲାପି, ସବୁଜ ଓ ବାଇଗଣୀ ରଙ୍ଗରେ ଉଦ୍‌ଭାସିତ ହୋଇଯାଇଥିଲା।
ସୂଚନାଯୋଗ୍ୟ, ଏହି ବିସ୍ମୟକର ତଥା ମନମୁଗ୍‌ଧକର ସୌରଝଡ଼ ଭୂପୃଷ୍ଠର ବୈଷୟିକ ଭିତ୍ତିଭୂମି ପାଇଁ ବିପଦର ଆଶଙ୍କା ସୃଷ୍ଟି କରିଥାଏ। ଏହା ବିଦ୍ୟୁତ୍‌ ଗ୍ରିଡ୍‌, ଯୋଗାଯୋଗ ନେଟଵର୍କ ଓ କୃତ୍ରିମ ଉପଗ୍ରହ କାର୍ଯ୍ୟରେ ବାଧା ଉପୁଜାଇଥାଏ। ଏ ପରିପ୍ରେକ୍ଷୀରେ ‘ସ୍ପେସ୍‌-ଏକ୍ସ’ ଓ ‘ଷ୍ଟାରଲିଙ୍କ୍‌’ର ପ୍ରତିଷ୍ଠାତା ଏଲନ୍‌ ମସ୍କ ଏହି ସୌର ଝଡ଼ ଦ୍ବାରା ସୃଷ୍ଟ ଆହ୍ବାନକୁ ସ୍ବୀକାର କରି ବିଶେଷତଃ ଏହା କୃତ୍ରିମ ଉପଗ୍ରହ କାର୍ଯ୍ୟକାରିତାକୁ ପ୍ରଭାବିତ କରିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ତେବେ ସୌଭାଗ୍ୟକୁ ଏହି ସୌରଝଡ଼ ଦ୍ବାରା କୌଣସି କ୍ଷୟକ୍ଷତି ହୋଇନାହିଁ।