ସର୍ବଭାରତୀୟ ସିଭିଲ ସର୍ଭିସ୍ ପରୀକ୍ଷା ଏକ ଅତି କଠିନ ଓ ପ୍ରତିଷ୍ଠିତ ପରୀକ୍ଷା, ଯେଉଁଥିରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥାନ୍ତି। କିନ୍ତୁ କେବଳ ଅତି କମ୍ ଏଥିରେ ସଫଳ ହୁଅନ୍ତି। ଓଡ଼ିଶାରେ ଏପରି କିଛି ଏସ୍ପି ଅଛନ୍ତି, ଯେଉଁମାନେ ତାଙ୍କର ପ୍ରଥମ ବୃତ୍ତିଗତ ଜୀବନ ଡାକ୍ତର, ଚାଟାର୍ଡ ଆକାଉଣ୍ଟାଣ୍ଟ, ଇଞ୍ଜିନିୟର ଭଳି କ୍ଷେତ୍ରରୁ ଆରମ୍ଭ କରିଛନ୍ତି ଏବଂ ପରେ ନିଜ ସ୍ୱପ୍ନ ଓ ଆକାଂକ୍ଷାକୁ ସାକାର କରିବା ପାଇଁ ସିଭିଲ ସର୍ଭିସ୍ ଭଳି କଠିନ ତଥା ଆହ୍ବାନପୂର୍ଣ୍ଣ ସେବା କ୍ଷେତ୍ରକୁ ଆସିଛନ୍ତି। ସେମାନଙ୍କର ଜୀବନ କାହାଣୀ ପରିଶ୍ରମ, ସଂଘର୍ଷ ଓ ସଫଳତାର ଏକ ଅଦ୍ଭୁତ ଉଦାହରଣ। ଆସନ୍ତୁ ଏହି ଯୁବ ଆଇପିଏସ୍ଙ୍କ ସମ୍ପର୍କରେ ଜାଣିବା।
ବରଗଡ଼: ରେଳ ଧାରଣାରେ କାମ କରୁଥିଲେ। ମୁଣ୍ଡ ଉପରେ ଥିଲା ପରିବାରର ବୋଝ। ତା’ ସତ୍ତ୍ବେ ସ୍ୱପ୍ନ ଦେଖିବା ଛାଡ଼ିନଥିଲେ। ଗୋଟିଏ ପରେ ଗୋଟିଏ ଚାକିରି କରି ନିଜ ଲକ୍ଷ୍ୟ ପଛରେ ଧାଇଁଥିଲେ। ଶେଷରେ ୨୦୧୬ରେ ୟୁପିଏସ୍ସି ପରୀକ୍ଷାରେ ସଫଳତା ହାସଲ କରି ୨୦୧୭ ବ୍ୟାଚ୍ର ଆଇପିଏସ୍ ହୋଇଥିଲେ ବରଗଡ଼ ଏସ୍ପି ପ୍ରହଲ୍ଲାଦ ସାହାଇ ମୀନା। ତାଙ୍କ ବ୍ୟକ୍ତିଗତ ଜୀବନ କୌଣସି ଚଳଚ୍ଚିତ୍ରର କାହାଣୀଠୁ କମ୍ ନୁହେଁ। ରାଜସ୍ଥାନର ଦୋଷା ଜିଲ୍ଲା ଅନ୍ତର୍ଗତ ଆଭାନେରି ନାମକ ଛୋଟିଆ ଗାଁରେ ୭ ଫେବ୍ରୁଆରି ୧୯୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ମୀନା। ଗାଁ ସ୍କୁଲରେ ପାଠପଢ଼ି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଇଞ୍ଜିନିୟର ହେବାର ଲକ୍ଷ୍ୟ ଥିଲା। କିନ୍ତୁ ଗରିବ ତଥା ଚାଷୀ ପରିବାରର ହୋଇଥିବାରୁ ଆର୍ଥିକ ସ୍ଥିତି ସେତେଟା ଭଲ ନଥିଲା। ପରେ ସ୍ନାତକ ପାଇଁ ରାଜଧାନୀ ଜୟପୁରକୁ ଯାଇଥିଲେ।
ପାଠପଢ଼ା ସହ ଚାକିରି ଅନ୍ୱେଷଣ କରିଥିଲେ। ଏହା ପରେ ପୂର୍ବତଟ ରେଳବାଇ (ଭୁବନେଶ୍ବର)ରେ ଗ୍ୟାଙ୍ଗମ୍ୟାନ୍ ଚାକିରି ପାଇ ରେଳଧାରଣାରେ କାମ କରିଥିଲେ। ଉକ୍ତ କାମ କରିବା ସହ ବ୍ୟାଙ୍କ ଚାକିରି ପାଇଁ ପ୍ରସ୍ତୁତି କରି ପ୍ରଥମେ ବ୍ୟାଙ୍କ କ୍ଲର୍କ ହୋଇଥିଲେ। ଏହାପରେ ବ୍ୟାଙ୍କ ପ୍ରୋବେସନାରି ପରୀକ୍ଷାରେ ସଫଳତା ପାଇ ବେଙ୍ଗାଲୁରୁରେ ବ୍ୟାଙ୍କ ପିଓ ଭାବେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଏସ୍ଏସ୍ସି ପରୀକ୍ଷାରେ ସଫଳତା ପାଇ ରକ୍ଷା ମନ୍ତ୍ରଣାଳୟ ପୁଣେରେ ଯୋଗ ଦେଇଥିଲେ। ସେଠାରୁ ୟୁପିଏସ୍ସି କଥା ଜାଣିବା ପରେ ପୁଣି ଏସ୍ଏସ୍ସି ପରୀକ୍ଷା ଦେଇ ଦିଲ୍ଲୀ ରେଳ ଭବନରେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ଭାବେ ନିଯୁକ୍ତି ପାଇଥିଲେ। ସେଠାରୁ ଆରମ୍ଭ ହୋଇଥିଲା ତାଙ୍କର ୟୁପିଏସ୍ସି ପରୀକ୍ଷା ପ୍ରସ୍ତୁତି। ୨୦୧୩, ୨୦୧୪ ଓ ୨୦୧୫ରେ ତିନିଥର ବିଫଳତା ପରେ ବି ହାର ମାନି ନଥିଲେ ସେ। କାରଣ ପୂର୍ବରୁ ଯାହା ପରୀକ୍ଷା ଦେଉଥିଲେ ସବୁଥିରେ ସଫଳତା ମିଳିଥିଲା। ଧୈର୍ଯ୍ୟ ରଖି ପୁଣି ପ୍ରସ୍ତୁତି କରି ୨୦୧୬ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଶ୍ରୀ ମୀନାଙ୍କ କହିବାନୁସାରେ, ସେ ଡ.ଏପିଜେ ଅବଦୁଲ କଲାମଙ୍କ ଅନେକ ପୁସ୍ତକ ପଢୁଥିଲେ। ଯାହା ତାଙ୍କୁ ପ୍ରସ୍ତୁତି ସମୟରେ ବେଶ୍ ପ୍ରେରଣା ଦେଇଥିଲା। ଲକ୍ଷ୍ୟ ପଛରେ ଗଲେ ଜୀବନରେ ସଫଳତା ନିଶ୍ଚିତ ମିଳିଥାଏ ବୋଲି କହିଛନ୍ତି ଶ୍ରୀ ମୀନା।
/sambad/media/media_files/2025/05/20/XZBegHOkul1uENx9yIoc.jpg)
ଇଞ୍ଜିନିୟରରୁ ପୁଲିସ ପ୍ରଶାସକ
ବ୍ରହ୍ମପୁର: ବାପା ପୁଲିସ ବିଭାଗରେ ଚାକିରି କରୁଥିଲେ। ଛୋଟ ବେଳୁ ବାପାଙ୍କୁ ପୁଲିସ ପୋଷାକରେ ଦେଖି ଜଣେ ଦକ୍ଷ ପୁଲିସ ଅଧିକାରୀ ହେବାକୁ ମନ ବଳାଇଥିଲି। ସେଥିପାଇଁ ବିପିସିଏଲ୍ ଭଳି ସଂସ୍ଥାରୁ ମେକାନିକାଲ୍ ଇଞ୍ଜିନିୟର ଚାକିରି ବି ଛାଡ଼ି ଦେଇଥିଲି। ୨ ବର୍ଷର କଠିନ ପରିଶ୍ରମ ପରେ ସଫଳତା ମିଳିଲା। ୨୦୧୮ରେ ଆଇପିଏସ୍ରେ ଯୋଗ ଦେଇଥିଲି ବୋଲି କହିଛନ୍ତି ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର। ଖୋର୍ଦ୍ଧାର ଅବସରପ୍ରାପ୍ତ ପୁଲିସ ଅଧିକାରୀ ଗୌରାଙ୍ଗ ଚରଣ ପାତ୍ର ଓ ମହାଲକ୍ଷ୍ମୀ ପାତ୍ରଙ୍କ ବଡ଼ ପୁଅ ହେଉଛନ୍ତି ଶୁଭେନ୍ଦୁ। କଟକ ଚୌଦ୍ବାରସ୍ଥିତ କଳିଙ୍ଗ ପବ୍ଲିକ୍ ସ୍କୁଲରେ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ପୁରୀ ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରରୁ ଦଶମ ବୋର୍ଡ ପରୀକ୍ଷାରେ ସ୍କୁଲ ଟପର୍ ହୋଇଥିଲେ। ପରେ କଟକ ଚାରବାଟିଆ କେନ୍ଦ୍ରୀୟ ବିଦ୍ୟାଳୟରୁ ଦ୍ବାଦଶ ପାସ୍ କରି ଏନ୍ଆଇଟି ରାଉରକେଲାରେ ଇଞ୍ଜିନିୟରିଂ ପଢ଼ିଥିଲେ।
୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ମେକାନିକାଲ୍ ଇଞ୍ଜିନିୟରିଂରେ ବିଟେକ୍ ପରେ କ୍ୟାମ୍ପସ୍ ଚୟନରେ ନିଯୁକ୍ତି ପାଇ ମୁମ୍ବାଇଠାରେ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ରେ ଚାକିରି ଆରମ୍ଭ କରିଥିଲେ। ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ସେଠାରେ ଇଞ୍ଜିନିୟର ଭାବେ କାମ କରିଥିଲେ। ପରେ ଚାକିରି ଛାଡ଼ି ସିଭିଲ୍ ସର୍ଭିସ୍ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୧୮ରେ ମୋର ୟୁପିଏସ୍ସି ରୢାଙ୍କ ଭଲ ଥିଲା ଏବଂ ମୁଁ ଆଇପିଏସ୍ ପାଇଲି ବୋଲି କହିଛନ୍ତି ଶୁଭେନ୍ଦୁ। ଅନୁଗୁଳ ଜିଲ୍ଲାରେ ପ୍ରୋବେସନ୍ ଟ୍ରେନି ପରେ ମାଲକାନଗିରି ଏସ୍ଡିପିଓ ଭାବେ ଯୋଗ ଦେଇଥିଲି। ଯିଏ ଯେଉଁ କ୍ଷେତ୍ରରେ କାମ କଲେ ମଧ୍ୟ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିବାକୁ ଉଦ୍ୟମ କରନ୍ତୁ। ନିରନ୍ତର ପ୍ରଚେଷ୍ଟା ଦ୍ବାରା ସଫଳତା ନିଶ୍ଚୟ ମିଳିବ। ଯାହା ନିଜକୁ ଆତ୍ମସନ୍ତୋଷ ପ୍ରଦାନ କରିବା ସହିତ ସମାଜର ହିତରେ ମଧ୍ୟ ସହାୟକ ହୋଇପାରିବ ବୋଲି ଏସ୍ପି ଶ୍ରୀ ପାତ୍ର କହିଛନ୍ତି।
/sambad/media/media_files/2025/05/20/N9tvrmxWzyU4K8lEDc8b.jpg)
ଇଞ୍ଜିନିୟରରୁ ସିଭିଲ୍ ସର୍ଭାଣ୍ଟ
ବଲାଙ୍ଗୀର: ଗତ ମାର୍ଚ୍ଚ ମାସରେ ବଲାଙ୍ଗୀର ଏସ୍ପି ଭାବେ ଯୋଗଦାନ କରିଛନ୍ତି ଯୁବ ଆଇପିଏସ୍ ଅଭିଳାଷ ଜି.। ନିଜ ଛାତ୍ର ଜୀବନରେ ସେ ଅତ୍ୟନ୍ତ ମେଧାବୀ ଥିଲେ। ପାଠପଢ଼ା ପ୍ରତି ତାଙ୍କ ପ୍ରବଳ ଆସକ୍ତି ଥିଲା। ଓଡ଼ିଶା କ୍ୟାଡର୍ର ଏହି ଆଇପିଏସ୍ ଅଫିସର୍ ଜଣେ ଇଞ୍ଜିନିୟରିଂ ଡିଗ୍ରିଧାରୀ। ପାଠପଢ଼ା ସରିବା ପରେ ସେ ଜନସେବା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଏହାପରେ ସେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଇଞ୍ଜିନିୟରିଂ ପାଠପଢ଼ା ବେଳେ ଦୃଢ଼ ପୃଷ୍ଠଭୂମି ତାଙ୍କୁ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସହାୟକ ହେଲା। ଏଥିରେ ସେ ଉତ୍ତୀର୍ଣ୍ଣ ହୋଇ ହାଇଦ୍ରାବାଦ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀରେ ତାଲିମ୍ ନେଇଥିଲେ। ବିଭିନ୍ନ ଜିଲ୍ଲାରେ ପ୍ରୋବେସନ୍ ପରେ କଳାହାଣ୍ଡି ଏସ୍ପି ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ।
ଇଞ୍ଜିନିୟରରୁ ପୁଲିସ ସେବା
ପୁରୀ: ସମାଜ ପାଇଁ କିଛି କରିବାର ଆଗ୍ରହ ଥିଲା। ଏହାକୁ କାର୍ଯ୍ୟରେ ଲଗାଇବା ପାଇଁ ଇଞ୍ଜିନିୟରିଂ ବୃତ୍ତିରୁ ଆଇପିଏସ୍ ଅଫିସର୍ ହୋଇଛନ୍ତି ପୁରୀ ଏସ୍ପି ବିନୀତ ଅଗ୍ରୱାଲ। ଇଞ୍ଜିନିୟରିଂ ପାଠ ପଢ଼ିବା ପରେ ଗୋଟିଏ ବର୍ଷ ପାଇଁ ସେ ଆଦାନୀ ଗ୍ରୁପ୍ରେ ମେକାନିକାଲ ଇଞ୍ଜିନିୟର ଭାବେ କାମ କରିଥିଲେ। ତେବେ ଇଞ୍ଜିନିୟର ବୃତ୍ତି ସେତେଟା ଭଲ ଲାଗିନଥିଲା। ବାପାଙ୍କ ଇଚ୍ଛା ଥିଲା ପୁଅ ମୋର ଆଇପିଏସ୍ ଅଫିସର୍ ହେଉ। ତେଣୁ ବାପାଙ୍କ ଇଚ୍ଛା ଓ ସମାଜ ପାଇଁ ସିଧାସଳଖ କିଛି କରିବାର ଆଗ୍ରହ ହିଁ ସେ ଦିଗରେ ଯିବା ପାଇଁ ମୋ ମନ ବଳାଇଥିଲା। ୨୦୧୨ ମସିହାରେ ଇଞ୍ଜିନିୟର ଭାବେ ଯୋଗ ଦେଇ ୨୦୧୩ ମସିହାରେ ଚାକିରି ଛାଡ଼ିଥିଲି। ଏହା ପରେ ସଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ୨୦୧୬ ମସିହାରେ ଆଇପିଏସ୍ ଅଫିସର୍ ହେବାର ସୌଭାଗ୍ୟ ମିଳିଥିଲା ବୋଲି ଶ୍ରୀ ଅଗ୍ରୱାଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଆଇଆଇଟିଆନ୍ରୁ ସିଭିଲ୍ ସର୍ଭିସ୍
ଭବାନୀପାଟଣା: କଳାହାଣ୍ଡି ଏସ୍ପି ଭାବେ ଏବେ ଅବସ୍ଥାପିତ ଅଛନ୍ତି ଦେବରଞ୍ଜନ ଦେଵରକୋଣ୍ଡା। ସେ ୨୦୧୨ ମସିହାରେ ଆଇଆଇଟି ଖଡ଼ଗପୁରରୁ ଇଞ୍ଜିନିୟରିଂରେ ବିଟେକ୍ କରିଛନ୍ତି। ଛାତ୍ର ଜୀବନରେ ଦେବରଞ୍ଜନ ଅତ୍ୟନ୍ତ ମେଧାବୀ ଥିଲେ। ୨୦୧୮ ମସିହାରେ ସେ ଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପଶ୍ଚିମବଙ୍ଗ କ୍ୟାଡର୍ ଆଇପିଏସ୍ ଭାବେ ଯୋଗ ଦେଇଥିଲେ। ହାୱଡା ପୁଲିସ କମିସନରେଟ୍ରେ ଏସିପି ଭାବରେ ତାଙ୍କର ଚାକିରି ଜୀବନ ଆରମ୍ଭ ହୋଇଥିଲା। ପରେ ସେ ଓଡ଼ିଶା କ୍ୟାଡର୍ରେ ଯୋଗ ଦେଇଥିଲେ। କଳାହାଣ୍ଡି ପୂର୍ବରୁ ସେ ବୌଦ୍ଧ ଜିଲ୍ଲାର ଏସ୍ପି ଥିଲେ। ସ୍ଥିର ଲକ୍ଷ୍ୟ ଓ ଦୃଢ଼ ଆତ୍ମବିଶ୍ବାସ ହେଉଛି ସଫଳତାର ଚାବିକାଠି। ଏହାକୁ ମୂଳମନ୍ତ୍ର ଭାବି ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ଦେଵରକୋଣ୍ଡା।
ଟେକ୍ନୋକ୍ରାଟ୍ ପୁଲିସ ଅଧିକାରୀ
ଝାରସୁଗୁଡ଼ା: ସଫଳ ଆଇଆଇଟିଆନ୍ରୁ ଭାରତୀୟ ପୁଲିସ ସେବାର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଝାରସୁଗୁଡ଼ା ଏସ୍ପି ସ୍ମିତ୍ ପି. ପରମାର୍। ୨୦୧୦ ମସିହାରେ ଆଇଆଇଟି ବମ୍ବେରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ୍ ପାସ୍ କରିବା ପରେ ଇଲେକ୍ଟ୍ରୋନିକ୍ସ ଓ ରୋବୋଟିକ୍ସରେ ଦେଶର ଏକାଧିକ ପ୍ରତିଷ୍ଠିତ କମ୍ପାନିରେ କାର୍ଯ୍ୟ କରିଥିଲେ। ଦରମା ବି ବେଶ୍ ଭଲ ଥିଲା। କିନ୍ତୁ ଭାରତୀୟ ପ୍ରଶାସନିକ ସେବାରେ ସାମିଲ ହେବାର ନିଶା ତାଙ୍କୁ ଉକ୍ତ ଦରମା ଓ କର୍ପୋରେଟ୍ ଜୀବନର ଚାକଚକ୍ୟରେ ବାନ୍ଧି ପାରି ନଥିଲା। ମୁମ୍ବାଇରେ କାମ କରିବାବେଳେ ସେ ଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରି ୨୦୧୩ ମସିହାରେ ପ୍ରଥମ ଉଦ୍ୟମରେ ସଫଳ ହୋଇଥିଲେ। ନିଜ ରୢାଙ୍କ ଅନୁଯାୟୀ ସେ ଭାରତୀୟ ପୁଲିସ୍ ସେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ବିଟେକ୍ କରିବା ସମୟରେ ସେ ରୋବୋଟ୍ ତିଆରି କରୁଥିବା ସ୍ବିଜରଲ୍ୟାଣ୍ଡର ସିଏସ୍ଇଏମ୍ ନାମକ କମ୍ପାନିରେ କାମ ଆରମ୍ଭ କରିଥିଲେ। ଏହା ପରେ ନ୍ୟାସନାଲ୍ ଇନ୍ଷ୍ଟ୍ରୁମେଣ୍ଟ ଓ ଆଇଡିଆ ଫୋର୍ଜ ଭଳି ବିଶ୍ବସ୍ତରୀୟ କମ୍ପାନିରେ ରୋବୋଟିକ୍ସ ବିଶେଷଜ୍ଞ ଭାବେ କାର୍ଯ୍ୟ କରିଥିଲେ। କର୍ମ ସ୍ବାଧୀନତା ତଥା ପୁଲିସ ସେବାର ସମ୍ମାନ ପାଇଁ ସେ ପୁରୁଣା କ୍ୟାରିୟର୍କୁ ଛାଡ଼ିବାକୁ ପ୍ରସ୍ତୁତ ହୋଇଥିଲେ ବୋଲି ଶ୍ରୀ ପରମାର୍ କହିଛନ୍ତି।
ଡାକ୍ତରରୁ ଆଇପିଏସ୍
ବ୍ରହ୍ମପୁର: ସିଭିଲ୍ ସର୍ଭିସ୍କୁ ଆସିବା ପୂର୍ବରୁ ଡାକ୍ତରୀ ପେସାରେ ଥିଲେ ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ.ଏମ୍। ତାଙ୍କ ଘର ତାମିଲନାଡ଼ୁ କନ୍ୟାକୁମାରୀ ନିକଟ ଭେଡକନ୍ କଲମ୍ ଗାଁରେ। ପିଲାଟି ଦିନରୁ ସେ ଥିଲେ ମେଧାବୀ। ତାଙ୍କ ବାପା ଡା. ମଦନ ଗୋପାଳ ମଧ୍ୟ ଜଣେ ଡାକ୍ତର। ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ପଣ୍ଡିଚେରୀସ୍ଥିତ ମହାତ୍ମା ଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ରେ ଏମ୍ବିବିଏସ୍ ପଢ଼ି ସାରିବା ପରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରିଥିଲେ ଡା. ଶରବଣା। ପରେ ସେ ଆପୋଲୋ ହସ୍ପିଟାଲ ଏବଂ ଏକ ଫାର୍ମା କଂପାନିରେ କ୍ଲିନିକାଲ୍ ବିଶେଷଜ୍ଞ ଭାବେ କାମ କରିବା ପରେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୧୦ରୁ କ୍ରମାଗତ ଭାବେ ୪ଟି ପ୍ରୟାସ କରିବା ପରେ ୨୦୧୫ରେ ତାଙ୍କୁ ମିଳିଥିଲା ସଫଳତା। ପ୍ରଥମେ ମାଲକାନଗିରି ଏସ୍ଡିପିଓ ଭାବେ ତାଙ୍କ ଚାକିରି ଜୀବନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ରାୟଗଡ଼ା ଓ କଳାହାଣ୍ଡି ଏସ୍ପି ଭାବେ ଦାୟିତ୍ବ ତୁଲାଇବା ସହ ସଂପ୍ରତି ବ୍ରହ୍ମପୁର ପୁଲିସ ଜିଲ୍ଲାର ଏସ୍ପି ଅଛନ୍ତି। କିଛି ମାସ ପାଇଁ ସେ ଦୁର୍ନୀତି ନିବାରଣ ବିଭାଗର ଏସ୍ପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସଫଳତା ପାଇଁ କୌଣସି ସଟ୍କଟ୍ ରାସ୍ତା ନାହିଁ। କଠିନ ପରିଶ୍ରମ ହିଁ ଏକମାତ୍ର ବିକଳ୍ପ ବୋଲି ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ଛଳରେ କହିଛନ୍ତି ଏହି ଯୁବ ଆଇପିଏସ୍ ଅଫିସର।
ଏମ୍ବିଏ କରି ଚାକିରି, ପରେ ଏସ୍ପି
ବାରିପଦା: ମୟୂରଭଞ୍ଜରେ ଏସ୍ପି ଦାୟିତ୍ବ ନିର୍ବାହ କରୁଛନ୍ତି ବରୁଣ ଗୁଣ୍ଟୁପଲ୍ଲୀ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଭାବେ ସେ ଯେତିକି ନିଷ୍ଠାର ସହ କର୍ତ୍ତବ୍ୟ ପାଳନ କରନ୍ତି, ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ଶୃଙ୍ଖଳିତ। ତାଙ୍କର ଜୀବନଶୈଳୀ ବେଶ୍ ସାଧାରଣ। ଶ୍ରୀ ଗୁଣ୍ଟୁପଲ୍ଲୀ ୨୦୧୬ ବ୍ୟାଚ୍ର ଆଇପିଏସ୍ ଅଧିକାରୀ। ତାଙ୍କ ଘର ତେଲେଙ୍ଗାନାରେ। ତେବେ ଓଡ଼ିଶା କ୍ୟାଡର୍ରେ କାର୍ଯ୍ୟରତ। ସେ କୋରାପୁଟ ଓ ଭଦ୍ରକ ଜିଲ୍ଲାର ଏସ୍ପି ଭାବେ ଅନେକ ସଫଳତା ପାଇଛନ୍ତି। ଭଦ୍ରକ ଦାୟିତ୍ବରେ ଥିବା ବେଳେ ଦକ୍ଷତାର ସହ ସାମ୍ପ୍ରଦାୟିକ ଦଙ୍ଗାର ମୁକାବିଲା କରିଛନ୍ତି। ଦଙ୍ଗାକାରୀଙ୍କୁ ବୁଝାସୁଝା କରିବା ଏବଂ ଆବଶ୍ୟକସ୍ଥଳେ ସାବାଡ଼ କରିବା ଦିଗରେ ଶ୍ରୀ ଗୁଣ୍ଟୁପଲ୍ଲୀଙ୍କ ଭୂମିକାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ପାଠପଢ଼ାରେ ଶ୍ରୀ ଗୁଣ୍ଟୁପଲ୍ଲୀଙ୍କ ଭଲ ପ୍ରଦର୍ଶନ ରହିଥିଲା। ସ୍ନାତକ ପରେ ସେ ଏମ୍ବିଏ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଏମ୍ବିଏ ଡିଗ୍ରି ପରେ ୩ ବର୍ଷ ବ୍ୟବସାୟ ପ୍ରଶାସନ କ୍ଷେତ୍ରରେ ଚାକିରି କରିଥିଲେ। ହେଲେ ସେହି ବୃତ୍ତି ତାଙ୍କୁ ସନ୍ତୁଷ୍ଟ କରି ପାରି ନଥିଲା। ଜଣେ ଆଇପିଏସ୍ ଅଧିକାରୀ ହୋଇ ଦେଶସେବା କରିବା ଥିଲା ତାଙ୍କର ଅନ୍ୟତମ ଲକ୍ଷ୍ୟ। ତେଣୁ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଶ୍ରୀ ଗୁଣ୍ଟୁପଲ୍ଲୀ ନିଜକୁ ପ୍ରସ୍ତୁତ କରିଥିଲେ
ଏବଂ ସଫଳ ହୋଇଥିଲେ।
ଆଇଆଇଟିରୁ ଆଇପିଏସ୍
ଭୁବନେଶ୍ବର: ୧୯୮୯ ମସିହାରେ ରାଜସ୍ଥାନରେ ଜନ୍ମିତ ଜଗମୋହନ ମୀନା ଏବେ ଭୁବନେଶ୍ବର ଡିସିପି। ସେ ଜଣେ ମେଧାବୀ ଛାତ୍ର। ୨୦୦୬ ମସିହାରେ ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟରୁ ଦ୍ବାଦଶ ଶିକ୍ଷା ହାସଲ ପରେ ୨୦୦୬ ମସିହାରେ ଆଇଆଇଟି କାନ୍ପୁରରେ ଯୋଗ ଦେଇଥିଲେ। ୫ବର୍ଷ ଧରି ସେଠାରେ ଅଧ୍ୟୟନ କରି ୨୦୧୧ରେ ଏମ୍ଟେକ୍ ଡିଗ୍ରି ହାସଲ କରିଥିଲେ। ଏହି ସମୟରେ ତାଙ୍କର ଆଇପିଏସ୍ ପ୍ରତି ଆଗ୍ରହ ବଢ଼ିଥିଲା। କାରଣ ଘରର ଅନେକ ସଦସ୍ୟ ସିଭିଲ୍ ସର୍ଭିସ୍ ପାଇଁ ପ୍ରୟାସ କରିଥିଲେ ବି କେହି ସଫଳତା ପାଇନଥିଲେ। ଯେଉଁଥି ପାଇଁ ସେ ଏହାକୁ ଏକ ଆହ୍ବାନ ଭାବେ ନେଇଥିଲେ। ୨୦୧୧ରେ ସଫଳତା ପାଇବାରୁ ବଞ୍ଚିତ ହୋଇଥିଲେ ବି ୨୦୧୨ରେ ଏହାକୁ ହାସଲ କରିଥିଲେ। ୨୦୧୩ରେ କଳାହାଣ୍ଡି ଜିଲ୍ଲାରେ ଏସ୍ଡିପିଓ, ୨୦୧୭ ମସିହାରେ ମାଲକାନଗିରି ଏସ୍ପି, ୨୦୧୯ ମସିହାରେ ଅନୁଗୁଳ ଏସ୍ପି, ୨୦୨୩ରେ ଗଞ୍ଜାମ ଏସ୍ପି ଭାବେ କାର୍ଯ୍ୟ ତୁଲାଇଥିଲେ। ୨୦୨୪ରେ କଟକ ଡିସିପି ଭାବେ ଯୋଗ ଦେଇଥିଲେ। ୨୦୨୫ ମାର୍ଚ୍ଚ ୫ ତାରିଖରୁ ସେ ଭୁବନେଶ୍ବର ଡିସିପି ଭାବେ କାର୍ଯ୍ୟରତ ଅଛନ୍ତି।
/sambad/media/media_files/2025/05/20/OYsJTgNW2JMjfJGhezCV.jpg)
ରେଲୱେ ଇଞ୍ଜିନିୟର୍ରୁ ଆଇପିଏସ୍
ଢେଙ୍କାନାଳ: ରେଳବାଇର ମେକାନିକାଲ୍ ଇଞ୍ଜିନିୟର୍ରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ଏବର ଢେଙ୍କାନାଳ ଏସ୍ପି ଅଭିନବ ସୋନକର୍। ୨୦୧୧ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ଶ୍ରୀ ସୋନକର୍ ରାଞ୍ଚିର ବିଆଇଇଟି ଯାନ୍ତ୍ରିକ ମହାବିଦ୍ୟାଳୟରେ ମେକାନିକାଲ୍ ଇଞ୍ଜିନିୟରିଂ ଛାତ୍ର ଭାବେ ଅଧ୍ୟୟନ କରିଥିଲେ। ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମାତ୍ର ୨୨ ବର୍ଷ ବୟସରେ ସେ ଭାରତୀୟ ରେଳବାଇରେ ମେକାନିକାଲ୍ ଇଞ୍ଜିନିୟର୍ ଭାବେ ଅବସ୍ଥାପିତ ହୋଇଥିଲେ। ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖି ୩ ଥର ୟୁପିଏସ୍ସି ପରୀକ୍ଷା ଦେବା ପରେ ସେ ଆଇପିଏସ୍ ପଦ ହାସଲ କରିଥିଲେ। ୨୦୧୯ ମସିହାରେ ସେ ଇଞ୍ଜିନିୟରିଂ ବୃତ୍ତିକୁ ଛାଡ଼ି ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିଲେ। ପ୍ରଥମେ ସେ କନ୍ଧମାଳ ଜିଲ୍ଲାରେ ପ୍ରୋବେସନର୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଏସ୍ଡିପିଓ ଏବଂ କୋରାପୁଟ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୨୪ ଅକ୍ଟୋବରରୁ ସେ ଢେଙ୍କାନାଳ ଏସ୍ପି ଭାବେ କାର୍ଯ୍ୟରତ ଅଛନ୍ତି।
ବିଏସ୍ସିରୁ ଭାରତୀୟ ପୁଲିସ ସେବା
ସମ୍ବଲପୁର: ୨୦୧୩ ବ୍ୟାଚ୍ର ଆଇପିଏସ୍ ସମ୍ବଲପୁର ଏସ୍ପି ମୁକେଶ କୁମାର ଭାମୁ ରାଜସ୍ଥାନର ମୂଳନିବାସୀ। ରାଜସ୍ଥାନର ସିକର ଜିଲ୍ଲା ବଲବନ୍ତପୁରା କ୍ଷେତ୍ର ଅନ୍ତର୍ଗତ ଦାନ୍ତାରାମଗଡ଼ରେ ୭ ମାର୍ଚ୍ଚ ୧୯୮୪ରେ ତାଙ୍କର ଜନ୍ମ। ଶିକ୍ଷାଗତ ଯୋଗ୍ୟତା ବିଏସ୍ସି। ସେ ଭାରତୀୟ ପୁଲିସ ସେବା (ଆଇପିଏସ୍)ରେ ନିଯୁକ୍ତି ପାଇବା ପୂର୍ବରୂ କିଛି ମାସ ରାଜସ୍ଥାନ ସରକାରଙ୍କ ଅଧୀନରେ ଚାକିରି କରିଥିଲେ। ଭାରତୀୟ ପୁଲିସ ସେବାରେ ଯୋଗ ଦେବା ପରେ ଓଡ଼ିଶାର କୋରାପୁଟ, ବରଗଡ଼, ରାଉରକେଲା ପରେ ଏବେ ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଛନ୍ତି।
ଚାଟାର୍ଡ ଆକାଉଣ୍ଟାଣ୍ଟରୁ ପୁଲିସ ଅଫିସର୍
ଅନୁଗୁଳ: ବାଣିଜ୍ୟ ପଢ଼ିବା ପରେ ଚାଟାର୍ଡ ଆକାଉଣ୍ଟାଣ୍ଟ(ସିଏ) ସାରିଥିଲେ। ହେଲେ ଏଥିରେ ମନ ସନ୍ତୁଷ୍ଟ ହେଲାନି। ସିଭିଲ୍ ସର୍ଭିସ୍କୁ କ୍ୟାରିୟର୍ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ। ଆଉ ୨୦୧୫ରେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜଣେ ସଫଳ ଆଇପିଏସ୍ ଅଧିକାରୀ ଭାବେ ପରିଚିତ ହୋଇଛନ୍ତି ଅନୁଗୁଳ ଏସ୍ପି ରାହୁଲ ଜୈନ। ସେ ଦଶମ ପରୀକ୍ଷାରେ ଭଲ ନମ୍ବର ରଖିବା ପରେ ଯୁକ୍ତ୨ରେ ବାଣିଜ୍ୟ ପଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଭବାନୀପାଟଣା କଲେଜରେ ଯୁକ୍ତ୨ ସାରିବା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଯୁକ୍ତ ୩ ବାଣିଜ୍ୟ ପଢ଼ିଥିଲେ। ସ୍ନାତକ ସରିବା ପରେ ପୁଣେରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ କରିଥିଲେ। କିନ୍ତୁ ସିଭିଲ ସର୍ଭିସ୍ ନିଶା ତାଙ୍କୁ ଏହି ବୃତ୍ତିରେ ଅଟକାଇ ପାରି ନଥିଲା। ଲୋକଙ୍କ ସହ ସିଧାସଳଖ ମିଶିବା ଓ ସେମାନଙ୍କ ସେବା କରିବାକୁ ସେ ସିଭିଲ ସର୍ଭିସ୍ ପରୀକ୍ଷା ଦେଇଥିଲେ। ଏଥିରେ ବି ସଫଳ ହୋଇଥିଲେ। ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ପରିଚିତ ଶ୍ରୀ ଜୈନ ଝାରସୁଗୁଡ଼ା ଓ ନୟାଗଡ଼ ପରେ ଏବେ ଅନୁଗୁଳ ଜିଲ୍ଲାରେ ଏସ୍ପି ଭାବେ କାମ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/20/09MvzujtjceAOFVzILIU.jpg)