ସଂଘର୍ଷ-ସଫଳତା: ହାରିନାହାନ୍ତି ହରିହର

ସଫଳତା ରାସ୍ତାରେ ଯେକୌଣସି ବାଧା ଆସିଲେ ମଧ୍ୟ ଦୃଢ଼ ମନୋବଳ ଆଗରେ  ତାହା ହାର୍‌ ମାନେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ହରିହର ଦେଓ ଏହାର ପ୍ରକୃଷ୍ଟ ଉଦାହରଣ। ସାଧାରଣ ଲୋକଙ୍କ ଭଳି ତାଙ୍କ ହାତର ଆକାର ହୋଇ ନଥିଲେ ମଧ୍ୟ ନିଜର କୁନି ହାତରେ ସେ ସବୁ କାର୍ଯ୍ୟରେ ସକ୍ଷମ।

sfsffxcxcxc

ଶୁଚିସ୍ମିତା ବାରିକ

ସଫଳତା ରାସ୍ତାରେ ଯେକୌଣସି ବାଧା ଆସିଲେ ମଧ୍ୟ ଦୃଢ଼ ମନୋବଳ ଆଗରେ  ତାହା ହାର୍‌ ମାନେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ହରିହର ଦେଓ ଏହାର ପ୍ରକୃଷ୍ଟ ଉଦାହରଣ। ସାଧାରଣ ଲୋକଙ୍କ ଭଳି ତାଙ୍କ ହାତର ଆକାର ହୋଇ ନଥିଲେ ମଧ୍ୟ ନିଜର କୁନି ହାତରେ ସେ ସବୁ କାର୍ଯ୍ୟରେ ସକ୍ଷମ। ଭିନ୍ନକ୍ଷମ ହୋଇ ମଧ୍ୟ ଜଣେ ସଫଳ ନୃତ୍ୟଶିଳ୍ପୀ ଓ ନିର୍ଦ୍ଦେଶକ ଭାବେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି।
ପରିବାରରେ ସାତ ଭଉଣୀଙ୍କ ମଧ୍ୟରେ ଗୋଟିଏ ଭାଇ ହୋଇଥିବାରୁ ସମସ୍ତଙ୍କର ଖୁବ୍ ପ୍ରିୟ ଥିଲେ ହରିହର। ଜନ୍ମ ବେଳେ ଦେଖାଯାଇଥିଲା ଯେ ତାଙ୍କର ଦୁଇଟିଯାକ ହାତ ଖୁବ୍‌ ଛୋଟ। ଭିନ୍ନକ୍ଷମ ହେତୁ ସମାଜ ତାଙ୍କୁ ଭିନ୍ନଦୃଷ୍ଟିରେ ଦେଖୁଥିଲା। ଏଥିରେ କିନ୍ତୁ ଭାଙ୍ଗିପଡ଼ି ନଥିଲେ ହରିହର। ଲୋକଙ୍କ ଟାହିଟାପରାକୁ ଖାତିରି ନକରି ସେ ପିଲାଟିବେଳୁ ନିଜକୁ ଜଣେ ସଫଳ ମଣିଷ ଭାବେ ଗଢ଼ି ତୋଳିବାର ସ୍ବପ୍ନ ଦେଖିଥିଲେ, ଯାହା ଆଜି ସାକାର ହୋଇଛି।

ମା’ଙ୍କ ଇଚ୍ଛା ଅନୁଯାୟୀ ହରିହର ସାଧାରଣ ବିଦ୍ୟାଳୟରେ ପାଠ ପଢ଼ିଥିଲେ। ପାଠ ଅପେକ୍ଷା ତାଙ୍କର ନାଚରେ ଅଧିକ ରୁଚି ଥିଲା। ତେଣୁ ପରବର୍ତ୍ତୀ ସମୟରେ ସେ ନାଚ ଶିଖିଥିଲେ। ନାଚରେ ତାଙ୍କର ପ୍ରଥମ ଗୁରୁ ହେଉଛନ୍ତି ମା’ ଓ ବଡ଼ଭଉଣୀ ମିଲି। ହରିହର ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କୁ ରେଡ୍‌କ୍ରସ୍ କ୍ୟାମ୍ପ୍‌ରେ ନୃତ୍ୟ ପ୍ରଦର୍ଶନ ପାଇଁ ଅନୁମତି ଦିଅନ୍ତୁ। ମାତ୍ର ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ ଏଥିରେ ସୁଯୋଗ ମିଳି ନଥିଲା। ପରବର୍ତ୍ତୀ ସମୟରେ ଭଉଣୀଙ୍କ ଅନୁରୋଧକ୍ରମେ ତାଙ୍କୁ ଏହି ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିଲା ଏବଂ ସେ ପ୍ରଥମ ପୁରସ୍କାର ପାଇ ଶିକ୍ଷକମାନଙ୍କୁ ଚକିତ କରିଦେଇଥିଲେ।

ଏହାପ‌େର ନିଜ ସ୍ବପ୍ନକୁ ସାକାର କରିବାରେ ଲାଗିପଡ଼ିଥିଲେ ହରିହର। ସେ ଶୁଭେନ୍ଦୁମୋହନ ସେନାପତି ଓ ରତ୍ନମଞ୍ଜରୀ ସାହୁଙ୍କଠାରୁ ନାଚ ଶିଖି ପ୍ରଥମେ ମୁମ୍ବାଇ ଯାଇ ଏକ ରିୟାଲିଟି ସୋ’େର ଅଂଶଗ୍ରହଣ କରିଥିଲେ। ଭଲ ପ୍ରଦର୍ଶନ କରି ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଭିନ୍ନକ୍ଷମ ହେତୁ ମନୋନୀତ ହୋଇ ନଥିଲେ। ଏହାପରେ ସେହି ରିୟାଲିଟି ସୋ’ରେ ସେ ଆଗକୁ ବଢ଼ି ପାରି ନଥିଲେ। ଏହା ହରିହରଙ୍କୁ ବହୁତ ଦୁଃଖ ପହଞ୍ଚାଇଥିଲା। ହେଲେ ସୋ’ରେ ଉପସ୍ଥିତ ଗୁରୁ ଶାମକ ଦାଭର ହରିହରଙ୍କୁ କଥା ଦେଇଥିଲେ ଯେ ଏହି ରିୟାଲିଟି ସୋ’କୁ ତାଙ୍କୁ ଫେରିବାକୁ ପଡ଼ିବ। ପରବର୍ତ୍ତୀ ସମୟ‌େର ମୁମ୍ବାଇରୁ ଡାକରା ପାଇ ଦାଭରଙ୍କଠାରୁ ନାଚ ଶିଖି ସେଇ ସୋ’ର ଗ୍ରାଣ୍ଡ୍‌ ଫିନାଲେରେ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ସେ ‘ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ୍‌’ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଥମ ପର୍ଯ୍ୟାୟ ପର୍ଯ୍ୟନ୍ତ ଯାଇଥିଲେ। ସେ ମୁମ୍ବାଇରୁ ଫେରିଥିଲେ ଜନ୍ମସ୍ଥାନ ଭଞ୍ଜନଗରକୁ। ପରେ ସେ ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟ କରୁଥିବା ସାମାଜିକକର୍ମୀ ସ୍ନେହା ମିଶ୍ରଙ୍କ ଯୋଗାଯୋଗରେ ଆସି ‘ଆଇନା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତାଙ୍କ ମାଧ୍ୟମରେ ସେ ଡ. ଶ୍ରୁତି ମହାପାତ୍ରଙ୍କୁ ଭେଟିଥିଲେ ଏବଂ ‘ଅଞ୍ଜଳି ଶିଶୁ ମହୋତ୍ସବ’ରେ ଅଂଶଗ୍ରହଣ ପାଇଁ  ସୁଯୋଗ ପାଇଥିଲେ। ୨୦୦୫ ମସିହାଠାରୁ ମଡର୍ଣ୍ଣ ଡ୍ୟାନ୍ସ ୱର୍କସପ୍ ରିସର୍ଚ ପର୍ସନ୍ ଭାବେ ହରିହର ଆଜି ପର୍ଯ୍ୟନ୍ତ ଅଞ୍ଜଳି ଜାତୀୟ ଶିଶୁ ମହୋତ୍ସବରେ ପିଲାମାନଙ୍କୁ ନାଚ ଶିଖାଇ ଆସୁଛନ୍ତି। ଏହାପରେ ତା‌ଙ୍କୁ ବୁଗି ବୁଗି, ୱାନ୍ ଟୁ ଚାଚା ପରି  ଅନେକ କାର୍ଯ୍ୟକ୍ରମ କରିବାକୁ ସୁଯୋଗ ମିଳିଛି। ହରିହରଙ୍କ ସ୍ବପ୍ନ ଥିଲା ନୃତ୍ୟ କ୍ଷେତ୍ରରେ ପରିଚିତ ହେବାପରେ ଭିନ୍ନକ୍ଷମ ପିଲାଙ୍କ ସହ ସ୍ବାଭାବିକ ପିଲାଙ୍କୁ ମଧ୍ୟ ନାଚଶିଖାଇବେ। ସେ ସ୍ବପ୍ନ ତାଙ୍କର ସାକାର ହୋଇଛି। ‘ହରିହର କଳା ଏବଂ ସଂସ୍କୃତି ଏକାଡେମୀ’ ନାମରେ ନୃତ୍ୟ ପ୍ରତିଷ୍ଠାନ ଖୋଲି ସେ ସବୁ ବର୍ଗର ପିଲାମାନଙ୍କୁ ଶିକ୍ଷାପ୍ରଦାନ କରୁଛନ୍ତି। ସଫଳତା ପାଇଁ ହରିହରଙ୍କୁ ମିଳିଛି ଅନେକ ସମ୍ମାନ ଓ ସ୍ବୀକୃତି। ରାଷ୍ଟ୍ରପତି ଭବନ‌େର କଳା ପ୍ରଦର୍ଶନ କରି ୨୦୦୯ ମସିହାରେ ରାଷ୍ଟ୍ରପତି ପୁରସ୍କାର ଏବଂ ୨୦୧୩ ମସିହାରେ ରାଜ୍ୟ ପୁରସ୍କାର ସେ ମଧ୍ୟରୁ ଦୁଇଟି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe