ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷାର ଫଳାଫଳ ବାହାରି ଯାଇଛି। ପରୀକ୍ଷା ଫଳାଫଳକୁ ନେଇ ଖୁସି ଓ ଦୁଃଖ ଉଭୟ ପ୍ରକାର ଘଟଣା ସାମ୍ନାକୁ ଆସୁଛି। ଯେଉଁ ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କ ଘରେ ଆନନ୍ଦ ଉଲ୍ଲାସ ଭରି ରହିଥିବା ବେଳେ କିଛି ଛାତ୍ରଛାତ୍ରୀ ଖରାପ ନମ୍ବର ପାଇଁ ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ଏହି କ୍ରମରେ କର୍ଣ୍ଣାଟକର ଏକ ପରିବାର ଚିନ୍ତାଧାରାକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଉଛି। ଏଠାରେ ଅଭିଭାବକ ତାଙ୍କ ପିଲାର ବିଫଳତାକୁ ପାଳନ କରି ସମସ୍ତ ଅଭିଭାବକମାନଙ୍କ ପାଇଁ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି।
ପ୍ରକାଶିତ ରିପୋର୍ଟ ଅନୁସାରେ, କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାରେ ରହୁଥିବା ଅଭିଷେକ ଚୋଳଚଗୁଡ୍ଡା ବସଭେଶ୍ୱର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଛାତ୍ର । ଚଳିତ ବର୍ଷର ବୋର୍ଡ ପରୀକ୍ଷାରେ ସେ ୬୦୦ ନମ୍ବରରୁ ମାତ୍ର ୨୦୦ (ପ୍ରାୟ ୩୨ ପ୍ରତିଶତ) ରଖି ଛଅଟି ବିଷୟରେ ଫେଲ୍ ହୋଇଛନ୍ତି।
ଅଭିଷେକଙ୍କ ଏଭଳି ପରୀକ୍ଷା ଫଳକୁ ନେଇ ଯେତେବେଳେ ଛାତ୍ରଙ୍କ ବନ୍ଧୁଙ୍କ ସମେତ କିଛି ଲୋକ ପରିହାସ କରିବା ଆରମ୍ଭ କରିଥିଲେ ଏହି ସମୟରେ ବାପା ଓ ମା ପୁଅ କୁଣ୍ଢେଇ ପକାଇଥିଲେ। ଆଉ କହିଲେ, ‘କିଛି କଥା ନାହିଁ ପରୀକ୍ଷାରେ ଜଣେ ଆଜି ବିଫଳ ହୋଇଛି କାଲି ସଫଳ ହେବ। କିନ୍ତୁ ଜୀବନରେ ଆମ ପୁଅ ଖୁବ ସଫଳତା ଅର୍ଜନ କରିବ। ଏହା ଆମର ଦୃଢ଼ ବିଶ୍ବାସ ରହିଛି।’
ଅଭିଷେକ ନିଜର ବିଫଳତାକୁ ନେଇ କହିଥିଲେ, ‘ବାପା ଓ ମା’ ମୋ ବିଫଳତାକୁ ଏମିତି ଭାବେ ଗ୍ରହଣ କରିବେ ତାହା ମୁଁ କଳ୍ପନା ବି କରି ନଥିଲି। ମୁଁ ପୁଣି ଥରେ କଠିନ ପରିଶ୍ରମ କରିବି, ମୋ ଭିତରେ ଥିବା ତ୍ରୁଟିକୁ ସୁଧାରିବି। ପରୀକ୍ଷାରେ ପାସ୍ କରିବି ଏବଂ ଜୀବନରେ ନିଶ୍ଚିତ ଭାବରେ ସଫଳ ହେବି।’