କୃଷି, ଔଷଧ, ଇଞ୍ଜିନିୟରିଙ୍ଗ୍‌ ଓ ସଭ୍ୟତା ବିକାଶ କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରି ସମ୍ପ୍ରତି ମନୁଷ୍ୟ ବେଶ୍‌ ବାହାଦୁରୀ ନେଉଛି। କିନ୍ତୁ, ମନୁଷ୍ୟ ଏସବୁ ଶିଖିବାର କୋଟି କୋଟି ବର୍ଷ ପୂର୍ବରୁ ପିମ୍ପୁଡ଼ିମାନେ ଏହି ବିଦ୍ୟା‌ରେ ଅତି ପାରଙ୍ଗମ ଥିଲେ। ଆକାର ଖୁବ୍ ନଗଣ୍ୟ ହେଲେ ବି ଦଳବଦ୍ଧ ଜୀବନ ବିତାଇବାରେ ପିମ୍ପୁଡ଼ିମାନେ ଢେର୍‌ ଆଗରେ। ଏବେ ମଧ୍ୟ ଏହି ଅତିକ୍ଷୁଦ୍ର ମସ୍ତିଷ୍କଧାରୀ ଓ ନିର୍ବାକ୍‌ କୀଟଠାରୁ ମନୁଷ୍ୟ ବହୁକିଛି ଶିଖିପାରିବ। ବିଶ୍ବରେ ପିମ୍ପୁଡ଼ିଙ୍କ ସଂଖ୍ୟା କେତେ? ବୈଜ୍ଞାନିକମାନେ ଆକଳନ କରିଛନ୍ତି- ବିଶ୍ବରେ ଅନ୍ୟୂନ ୨୦ କ୍ବାଡ୍ରିଲିୟନ୍‌ ଅର୍ଥାତ୍‌ ୨୦ରେ ୧୫ଟି ଶୂନ୍ୟ ବସାଇଲେ ଯେତେ ହେବ ସେତିକିସଂଖ୍ୟକ ପିମ୍ପୁଡ଼ି ଅଛନ୍ତି! ସତରେ ଦୁନିଆର ସବୁଠୁ ସଫଳ ଜୀବଙ୍କ ମଧ୍ୟରେ ଏ ଚମତ୍କାର କୀଟ ଅନ୍ୟତମ।

Advertisment

ସୁଦକ୍ଷ କୃଷକ
ପ୍ରାୟ ୧୨୦୦୦ ବର୍ଷ ତଳେ ମନୁଷ୍ୟ କୃଷିକର୍ମ ଶିଖିଲା। କିନ୍ତୁ ୫୫ ନିୟୁତ ବର୍ଷ ପୂର୍ବରୁ ‘ପତ୍ରକଟା’ ବୋଲି କୁହାଯାଉଥିବା ଗୋଟାଏ ପ୍ରଜାତିର ପିମ୍ପୁଡ଼ି ବ୍ୟାପକ ଆକାରରେ କୃଷି କରୁଥିଲେ। ସେ ପିମ୍ପୁଡ଼ିମାନେ ତଟକା ପତ୍ର କାଟି ବୋହି ଆଣନ୍ତି। କିନ୍ତୁ, ତାହାକୁ ନ ଖାଇ ଗଚ୍ଛିତ ରଖନ୍ତି। ସେ କଟାପତ୍ର ଖାଇ ବଂଶ ବିସ୍ତାର କରନ୍ତି ଗୋଟାଏ ଜାତିର କବକ। ସେ କବକ ପତ୍ରକଟା ପିମ୍ପୁଡ଼ିଙ୍କର ମୁଖ୍ୟ ଆହାର। ଗଚ୍ଛିତ କଟାପତ୍ରରେ ବ୍ୟାକ୍ଟେରିଆ ନ ହେବା ପାଇଁ ପିମ୍ପୁଡ଼ିମାନେ ଜୈବ କୀଟନାଶକ ବି ପ୍ରୟୋଗ କରନ୍ତି। କବକ ବଂଶ ବଢୁଥିବା ଗଚ୍ଛିତ କଟାପତ୍ର ଉପରେ ନଜର ରଖନ୍ତି କେତେକ ଶ୍ରମିକ ପିମ୍ପୁଡ଼ି। ଯଦି କେଉଁଠି କବକ ସଂକ୍ରମିତ ହୋଇଯାଇଥିବା ଦେଖନ୍ତି, ସେଠାରେ ସେମାନେ ଆଣ୍ଟିବାୟୋଟିକ୍‌ ପ୍ରୟୋଗ କରନ୍ତି। ସେ ଆଣ୍ଟିବାୟୋଟିକ୍‌ ଶ୍ରମିକ ପିମ୍ପୁଡ଼ିମାନଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆଙ୍କଠାରୁ ନିର୍ଗତ ହୁଏ। ଆଉ କେତେକ ପିମ୍ପୁଡ଼ି ପ୍ରଜାତି ‘ଏଫିଡ୍‌’ ଭଳି ଉଦ୍ଭିଦ ରସ ଶୋଷଣକାରୀ କୀଟ ପାଳନ୍ତି ଏବଂ ତାଙ୍କ ଦେହରୁ ନିର୍ଗତ ମିଠାରସ ସଂଗ୍ରହ କରିନିଅନ୍ତି।

ବିଶେଷଜ୍ଞ ଡାକ୍ତର
ମନୁଷ୍ୟ ପୂର୍ବରୁ କ୍ଷତ ଚିକିତ୍ସା କରିବା ନିମନ୍ତେ କେତେକ ପ୍ରଜାତିର ପିମ୍ପୁଡ଼ି ଅତି ଉନ୍ନତ ଉପାୟ ବିକଶିତ କରିଥିଲେ। ‘ଫ୍ଲୋରିଡା କାର୍ପେଣ୍ଟର୍‌’ ନାମକ ପିମ୍ପୁଡ଼ି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବେଶ୍‌ ପାରଙ୍ଗମ। କେବେ କେମିତି ଏ ପ୍ରଜାତି ପିମ୍ପୁଡ଼ିଙ୍କ ମଧ୍ୟରେ ଲଢ଼େଇ ହୁଏ। ଲଢ଼େଇରେ କିଛି କିଛି ପିମ୍ପୁଡ଼ି କ୍ଷତାକ୍ତ ହୁଅନ୍ତି। କାଳେ କ୍ଷତାକ୍ତ ପିମ୍ପୁଡ଼ିଙ୍କ ଦେହରେ ସଂକ୍ରମଣ ଚରିଯିବ, ଏହି ଆଶଙ୍କାରେ ମନ୍ଦାରେ ଥିବା ଅନ୍ତେବାସୀମାନେ ଆହତ ପିମ୍ପୁଡ଼ିଙ୍କ ନଷ୍ଟବିନଷ୍ଟ ଅଙ୍ଗ କାଟିପକାନ୍ତି। ଫଳରେ ଆହତ ପିମ୍ପୁଡ଼ିର ଜୀବନ ବଞ୍ଚିଯାଏ। କିନ୍ତୁ, ଚିକିତ୍ସିତ ହେଉ ନ ଥିବା ଆହତ ପିମ୍ପୁଡ଼ିମାନେ ମରିଯାଆନ୍ତି। ପୁଣି କେତେକ ପିମ୍ପୁଡ଼ି ସଂକ୍ରମିତ ‌କ୍ଷତ ଚିହ୍ନଟ କରି ତା’ର ଚିକିତ୍ସା କରନ୍ତି। ଆଗ ସଂକ୍ରମିତର କ୍ଷତ ପରିଷ୍କାର କରି ସେଥିରେ ପିମ୍ପୁଡ଼ିମାନେ ନିଜ ଦେହର ବିଶେଷ ଗ୍ରନ୍ଥିରୁ ନିର୍ଗତ ଅଣୁଜୀବ ନିରୋଧୀ କ୍ଷରଣ ପ୍ରୟୋଗ କରନ୍ତି।

ଅସାଧାରଣ ନିର୍ମାତା
ଯୁଗେ ଯୁଗେ ନିର୍ମାଣ କଳାରେ ମଣିଷ ତା’ର ପରାକାଷ୍ଠା ଦେଖାଇ ଆସିଛି। ମାତ୍ର ଇଞ୍ଜିନିୟରିଙ୍ଗ୍‌ ବିଦ୍ୟାରେ ବି ମଣିଷଠାରୁ ପିମ୍ପୁଡ଼ି ଆଗୁଆ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ବେଳେ ଫାଙ୍କ ଅତିକ୍ରମ କରିବା ଲାଗି ପିମ୍ପଡ଼ିମାନେ ଜଣେ ଅନ୍ୟଜଣକ ଦେହରେ ଛନ୍ଦିହୋଇ ଜୀବନ୍ତ ସେତୁ ହୋଇଯାଆନ୍ତି। ସେତୁ ଦେଇ ଅନ୍ୟ ପିମ୍ପୁଡ଼ିମାନେ ଅଚିରେ ସେ ଫାଙ୍କ ଟପିଯାଆନ୍ତି। ଉପରୁ ତଳକୁ କିଂବା ତଳୁ ଉପରକୁ ଯିବା ପଥରେ ଫାଙ୍କ ଥିଲେ ‘ୱିଭର୍‌ ଆଣ୍ଟ୍‌’ ନାମରେ ପିମ୍ପୁଡ଼ିମାନେ ଏକତ୍ର ହୋଇ ସେ ଫାଙ୍କରେ ଦଉଡ଼ି ଶିଡ଼ି ହୋଇ ଝୁଲିପଡ଼ନ୍ତି। ଭୂଇଁ ଗଡ଼ାଣିଆ ଥିଲେ ପିମ୍ପୁଡ଼ି ଖସିପଡ଼ିବା ଆଶଙ୍କାଥାଏ। ତାହା ଦୂରକରିବା ପାଇଁ ସୈନିକ ପିମ୍ପୁଡ଼ିମାନେ ଛନ୍ଦି ହୋଇ ବାଡ଼ା ଭଳି ରହନ୍ତି। ଫଳରେ କୌଣସି ପିମ୍ପୁଡ଼ି ଖସିଲେ ଯାଇ ପିମ୍ପୁଡ଼ିବାଡ଼ାରେ ଅଟକିଯାଏ।
ଲାର୍ଭା ବା ଶୂକକୀଟ ଏବଂ ରାଣୀପିମ୍ପୁଡ଼ି ରହିବା ପାଇଁ  ହଜାର ହଜାର ପିମ୍ପୁଡ଼ି ଏକତ୍ର କାମରେ ଲାଗିପଡ଼ନ୍ତି।  ସୁଡ଼ଙ୍ଗ ଓ ପ୍ରକୋଷ୍ଠ ତିଆରି କରନ୍ତି। କିଛି ପ୍ରଜାତି ପିମ୍ପୁଡ଼ି ସେମାନଙ୍କ ସାମଗ୍ରୀ ବୋହି ଅରଣ୍ୟ ଭିତରେ ଶହ ଶହ ମିଟର ବୁଲାବୁଲି କରନ୍ତି। ସେମାନେ ଯେଉଁଠି ରହିବାକୁ ସ୍ଥିର କରନ୍ତି ସେଠ‌ାରେ ଦୈନିକ ମନ୍ଦା, ସୁଡ଼ଙ୍ଗ ଓ ପ୍ରକୋଷ୍ଠ ଆଦି ଗଢ଼ନ୍ତି। କେତେକ ପିମ୍ପୁଡ଼ି ଗଛ ଉପରେ ପତ୍ରରେ ବସା କରନ୍ତି। ସେଥିପାଇଁ ଦଳର ଶ୍ରମିକ ପିମ୍ପୁଡ଼ିମାନେ ଗଛପତ୍ର ସବୁ ଟାଣିଧରି ଏକତ୍ର କରନ୍ତି। ତା’ପରେ ଶୂକକୀଟ ବା ଲାର୍ଭାକୁ କାମୁଡ଼ି ଧରି ଆସନ୍ତି ଅନ୍ୟ ପିମ୍ପୁଡ଼ିମାନେ। ପ୍ରତି ଶୂକକୀଟରୁ ବାହାରେ ବୁନ୍ଦାଏ ଅଠାଳିଆ ଟସର। ସେଥିରେ ପିମ୍ପୁଡ଼ିମାନେ ଉକ୍ତ ପତ୍ରଗୁଡ଼ିକୁ ଏକାଠି ଯୋଡ଼ିଦିଅନ୍ତି। ସେମିତି ମନ୍ଦାରେ ବର୍ଷାଜଳ ପଶି ବନ୍ୟା ହେଲେ ପିମ୍ପୁଡ଼ିମାନେ ଏକାଠିହୋଇ ବଡ଼ ଭେଳା ପାଲଟିଯାଆନ୍ତି। ଶୂକକୀଟ ଧରି ଅନ୍ୟ ପିମ୍ପୁଡ଼ିମାନେ ସେ ପିମ୍ପୁଡ଼ି ଭେଳା ଉପରେ ଚଢ଼ି ନିରାପଦରେ ପାଣି ଉପରେ ଶହ ଶହ କିଲୋମିଟର୍‌ ଅତିକ୍ରମ କରି ଶୁଖିଲା ଭୂଇଁରେ ପହଞ୍ଚନ୍ତି।