ସମ୍ପ୍ରତି ଆଧୁନିକ ଖାଦ୍ୟ ବ୍ୟବସ୍ଥାରେ ସାରା ବିଶ୍ବରେ ପରିବେଷିତ ଭୋଜନରେ ପ୍ରାୟ ୪୦% ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ବ୍ୟବହୃତ ହେଉଛି। ‘ଫୁଏଲ୍ ଟୁ ଫର୍କ: ହ୍ବାଟ୍ ଉଇଲ୍ ଇଟ୍ ଟେକ୍ ଟୁ ଗେଟ୍ ଫସିଲ୍ ଫୁଏଲ୍ସ୍ ଆଉଟ୍ ଅଫ୍ ଆୱାର୍ ଫୁଡ୍ ସିଷ୍ଟମ୍?’ ଶୀର୍ଷକ ରିପୋର୍ଟରେ ଉଲ୍ଲେଖ ଅଛି ଯେ କେମିତି ତୈଳ, ଗ୍ୟାସ୍ ବା ବାଷ୍ପ ଓ ସେଥିରୁ ପ୍ରସ୍ତୁତ ଅନ୍ୟାନ୍ୟ ସାମଗ୍ରୀ ବିଶ୍ବ ଖାଦ୍ୟ ଶୃଙ୍ଖଳର ପ୍ରାୟ ପ୍ରତ୍ୟେକ ପର୍ଯ୍ୟାୟରେ ଅଙ୍ଗାଙ୍ଗି ଜଡ଼ିତ। କୃତ୍ରିମ ସାର ଠାରୁ ଆରମ୍ଭ କରି କୀଟନାଶକ, ପ୍ଲାଷ୍ଟିକ୍ ପ୍ୟାକେଜିଙ୍ଗ୍, ରନ୍ଧନ ଇନ୍ଧନ ଓ ବିଭିନ୍ନ ପ୍ରକ୍ରିୟାକରଣ ମାଧ୍ୟମରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଜୀବାଶ୍ମ ତୈଳରୁ ନିସୃତ ପେଟ୍ରୋକେମିକାଲ୍ ସହାୟତାରେ ତିଆରି ହେଉଛି। ଏହି ରିପୋର୍ଟର ଲେଖକମାନେ ଏହାକୁ ଲୁକ୍କାୟିତ ନିର୍ଭରଶୀଳତା ବୋଲି ଅଭିହିତ କରିବା ସହିତ ଏହା ଜଳବାୟୁ ପରିବର୍ତ୍ତନ ଓ ଖାଦ୍ୟ ଅସୁରକ୍ଷା ଭଳି ଦୁଇଟି ସଙ୍କଟ ତୀବ୍ର କରାଉଛି ବୋଲି କହିଛନ୍ତି। ଏହି ରିପୋର୍ଟ କହେ- କୃତ୍ରିମ ନାଇଟ୍ରୋଜେନ୍ ସାର ଉତ୍ପାଦନ ନିମନ୍ତେ ପ୍ରାୟ ଏକତୃତୀୟାଂଶ ବା ୩୪% ପେଟ୍ରୋକେମିକାଲ୍ ବ୍ୟବହାର କରାଯାଉଛି। ପେଟ୍ରୋକେମିକାଲ୍ର ଆହୁରି ୬% ଲାଗୁଛି ସାର ନିମନ୍ତେ ଆବଶ୍ୟକ ପ୍ଲାଷ୍ଟିକ୍ ତିଆରି କରିବାରେ। ଅର୍ଥାତ୍ ବିଶ୍ବ ପେଟ୍ରୋକେମିକାଲ୍ର ହାରାହାରି ୪୦% ଖାଦ୍ୟ ବ୍ୟବସ୍ଥାରେ ଉପଯୋଗ କରାଯାଉଛି।
ଅର୍ଥାତ୍ କୃଷି ନିମନ୍ତେ ଉତ୍ପାଦନ କରାଯାଉଥିବା କୃତ୍ରିମ ସାର ହିଁ ସର୍ବାଧିକ ଜୀବାଶ୍ମ ଇନ୍ଧନ ଆବଶ୍ୟକ କରୁଛି। ବିଶ୍ବବ୍ୟାପୀ ଉତ୍ପାଦିତ କୃତ୍ରିମ ନାଇଟ୍ରୋଜେନ୍ ସାର ଓ କୀଟନାଶକର ପ୍ରାୟ ୯୯% ହେଉଛି ଜୀବାଶ୍ମ ଇନ୍ଧନରୁ ଉଦ୍ଗତ ପଦାର୍ଥ।
ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପିୟାନ୍ ୟୁନିୟନ୍ ଓ ଅନ୍ୟାନ୍ୟ ଅଧିକ ଉପାର୍ଜନକାରୀ ରାଷ୍ଟ୍ରସମୂହ ସ୍ବଳ୍ପ ଉପାର୍ଜନକାରୀ ରାଷ୍ଟ୍ରସମୂହଠାରୁ ମୁଣ୍ଡପିଛା ୧୦ ଗୁଣ ଅଧିକ ସାର ବ୍ୟବହାର କରୁଛନ୍ତି। ଚାହିଦା ବଢୁଥିବା ଦେଖି ‘ୟୁନାଇଟେଡ୍ ନେସନ୍ସ୍ ଫୁଡ୍ ଆଣ୍ଡ୍ ଏଗ୍ରିକଲ୍ଚର୍ ଅର୍ଗାନାଇଜେସନ୍’ ଆକଳନ କରିଛି ଯେ ୨୦୫୦ ସୁଦ୍ଧା ବିଶ୍ବସ୍ତରରେ ନାଇଟ୍ରୋଜେନ୍ ସାର ବ୍ୟବହାର ୫୦% ବୃଦ୍ଧି ପାଇପାରେ।
ସେହିପରି ବିଶ୍ବବ୍ୟାପୀ କୀଟନାଶକ ବ୍ୟବହାର ବି ବୃଦ୍ଧିପାଉଛି। ବିଗତ ଦଶନ୍ଧିରେ ୧୩% ବୃଦ୍ଧିପାଇ ୧୯୯୦ ଠାରୁ ଏହାର ବ୍ୟବହାର ଦୁଇଗୁଣ ହୋଇଗଲାଣି। ବିଶେଷକରି, ଚୀନ୍, ଆମେରିକା, ଥାଇଲାଣ୍ଡ୍ ଓ ଆର୍ଜେଣ୍ଟିନାରେ କୀଟନାଶକ ବ୍ୟବହାର ଓ ଚାହିଦା ବୃଦ୍ଧି ପାଉଛି। ବିଶ୍ବରେ ଚୀନ୍ ହିଁ ସବୁଠୁ ଅଧିକ କୀଟନାଶକ ଉତ୍ପାଦନ କରୁଛି। କୀଟନାଶକ ବ୍ୟବହାର ତୀବ୍ରତର କରାଉଛି ଜଳବାୟୁ ପରିବର୍ତ୍ତନ। ଉତ୍ତାପ ବୃଦ୍ଧି ପାଉଥିବାରୁ କୀଟନାଶକ ନିଷ୍କ୍ରିୟ ହୋଇଯାଉଛି। ଫଳରେ କୀଟ ଦମନ ପାଇଁ ଅଧିକ କୀଟନାଶକ ଆବଶ୍ୟକ ହେଉଛି। ଜୀବାଶ୍ମ ଇନ୍ଧନଭିତ୍ତିକ କୀଟନାଶକ ପରିବେଶ ଓ ସ୍ବାସ୍ଥ୍ୟ ପାଇଁ ଅନିଷ୍ଟକାରୀ।
ଦୀର୍ଘଦିନ ଧରି କୀଟନାଶକ ସଂସ୍ପର୍ଶରେ ଆସିବା ଯୋଗୁଁ ଲୋକେ କର୍କଟରୋଗ, ପ୍ରଜନନ ସମସ୍ୟା ଓ ସ୍ନାୟବିକ ବିଭ୍ରାଟ ଆଦି ରୋଗରେ ପଡୁଛନ୍ତି। ‘ଫୁଏଲ୍ ଟୁ ଫର୍କ ପଡ୍କାଷ୍ଟ୍’ର ନବୀନା ଖାନ୍ନା କହନ୍ତି, ‘‘ଏକଦା ଭାରତର କୃଷିଜାତ ଖାଦ୍ୟଟୋକେଇ ଭାବେ ଅଭିହିତ ହେଉଥିବା ପଞ୍ଜାବରେ ଆଜି ଅନୁର୍ବର ମୃତ୍ତିକା ଓ ବିଷାକ୍ତ ଜଳ ଆଦି ସମସ୍ୟା ଦେଖାଯାଉଛି। ଦୀର୍ଘବର୍ଷ ଧରି ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରାଯାଇଥିବାରୁ ସେଠାରେ କର୍କଟରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପରିସ୍ଥିତି ଏମିତି ହେଲାଣି ଯେ, ନିକଟବର୍ତ୍ତୀ ଡାକ୍ତରଖାନାକୁ ରୋଗୀ ନେଇଯାଉଥିବା ଗୋଟାଏ ଟ୍ରେନ୍କୁ ଲୋକେ ‘କ୍ୟାନ୍ସର୍ ଟ୍ରେନ୍’ ବୋଲି କହୁଛନ୍ତି।
ପ୍ଲାଷ୍ଟିକ୍ ପ୍ୟାକେଜିଙ୍ଗ୍ କ୍ଷେତ୍ରରେ ଏସିଆ ହେଉଛି ବୃହତ୍ତମ ଆଞ୍ଚଳିକ ବଜାର। ଚୀନ୍, ଭାରତ, ଭିଏତ୍ନାମ୍, ଦକ୍ଷିଣ କୋରିଆ ଓ ଥାଇଲାଣ୍ଡ୍ରେ ଏହାର ଚାହିଦା ଦ୍ରୁତ ବୃଦ୍ଧି ପାଉଛି। ମୃଦୁ ପାନୀୟ, ଚିପ୍ସ୍, ଚକୋଲେଟ୍, କ୍ୟାଣ୍ଡି, ଆଇସ୍କ୍ରିମ୍, ମିଠାମିଶ୍ରିତ ଜଳଖିଆ ଶସ୍ୟଦାନା, ପ୍ୟାକେଜ୍ଡ୍ ସୁପ୍, ଚିକେନ୍ ନଗେଟ୍, ହଟ୍ଡଗ୍ ଓ ଫ୍ରାଏ ଆଦି ଅଲ୍ଟ୍ରା-ପ୍ରୋସେସ୍ଡ୍ ଫୁଡ୍ ଉତ୍ପାଦନ ବ୍ୟବସ୍ଥାରେ ଜୀବାଶ୍ମ ଇନ୍ଧନ ଓ ସେଥିରୁ ପ୍ରସ୍ତୁତ ପ୍ଲାଷ୍ଟିକ୍ ପ୍ୟାକେଜିଙ୍ଗ୍ ଉପଯୋଗ ସବୁଠୁ ଅଧିକ। ଜୀବାଶ୍ମ ଇନ୍ଧନର ଅନ୍ୟ ଏକ ଉପଯୋଗ ହେଉଛି ଖାଦ୍ୟ ପରିବହନ। ବିକ୍ରେତା ଓ ଖାଉଟିଙ୍କ ନିକଟକୁ ଖାଦ୍ୟ ପରିବହନ ନିମନ୍ତେ ଜୀବାଶ୍ମ ଇନ୍ଧନ ଲୋଡ଼ାହୁଏ। ଜଣାପଡ଼ିଛି ଯେ ଏଥିଯୋଗୁଁ ଖାଦ୍ୟ ସହ ଜଡ଼ିତ ଗ୍ରିନ୍ହାଉସ୍ ଗ୍ୟାସ୍ ନିର୍ଗମ ପରିମାଣ ୪.୮%। ତେଣୁ, ବୈଜ୍ଞାନିକମାନେ ଜୀବାଶ୍ମ ଇନ୍ଧନଭିତ୍ତିକ ସାର ଓ କୀଟନାଶକ ଉପରୁ ନିର୍ଭରଶୀଳତା ହ୍ରାସ ପାଇଁ ଉଦ୍ୟମ କରୁଛନ୍ତି। ବିକଳ୍ପ ଭାବେ ସେମାନେ ‘ପ୍ରକୃତିଭିତ୍ତିକ’ କୃଷି ଉପରେ ଗୁରୁତ୍ବାରୋପ କରିବାକୁ ପରାମର୍ଶ ଦେଉଛନ୍ତି। ଏଥିପାଇଁ ବୈଜ୍ଞାନିକମାନେ କିଛି ଗୁଣସୂତ୍ର ପରିବର୍ତ୍ତିତ ଅଣୁଜୀବ, ବାୟୋମଲ୍ୟୁକୁଲ୍ ଓ ଉଦ୍ଭିଦ ପ୍ରସ୍ତୁତ କରିଛନ୍ତି। ଏହା ପରିବେଶ ଓ ସ୍ବାସ୍ଥ୍ୟ ନିମନ୍ତେ ହାନିକାରକ ନୁହେଁ ବୋଲି ସେମାନେ ଦାବି କରିଛନ୍ତି।