ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶାର ଅଖ୍ୟାତ ପୁରପଲ୍ଲୀରେ ବାସ କରୁଥିବା ସମସ୍ତ ମହିଳାମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ସତରେ ଚଳିତ ବର୍ଷର ବିଷୟବସ୍ତୁ ସହିତ ପୂରା ଖାପଖାଉଛି ଆମ ‘ସୁଭଦ୍ରା’। “Accelerated Action”ବା “ତ୍ବରିତ କାର୍ଯ୍ୟାନୁଷ୍ଠାନ” ବିଷୟବସ୍ତୁକୁ ନେଇ ବିଶ୍ବ ଚର୍ଚ୍ଚା କରୁଥିବା ବେଳେ ଆମ ସରକାରଙ୍କ ‘ସୁଭଦ୍ରା’ ଯୋଜନା ତାହାର ଏକ ଅବିକଳ ଉଦାହରଣ। ରାଜ୍ୟ ସରକାରଙ୍କ ମାତ୍ର ୯ ମାସ ମଧ୍ୟରେ ‘ସୁଭଦ୍ରା’ କୋଟିଏ ମହିଳାଙ୍କ ପାଖରେ ଯେଉଁ ଭଳି ଢଙ୍ଗରେ ସର୍ବଗ୍ରହଣୀୟ, ତାହାର ସଠିକ କାର୍ଯ୍ୟାନ୍ବୟନ ପାଇଁ ନୀତିପ୍ରଣୟନକାରୀମାନେ ମଧ୍ୟ ସେତିକି ପ୍ରଶଂସାର ପାତ୍ର ଓ ହିତାଧିକାରୀଙ୍କର ସରକାରଙ୍କ ଉପରେ ବିଶ୍ୱାସ ଓ ଭରସା ଏହାକୁ ଦ୍ବିଗୁଣିତ କରିଛି।
ଓଡ଼ିଶାର ମହିଳାମାନେ ସର୍ବଦା ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ବିଶେଷକରି କୃଷି, ବିଜ୍ଞାନ, କମ୍ପ୍ୟୁଟର ଓ କ୍ଷୁଦ୍ର ଉଦ୍ୟୋଗରେ ସେମାନଙ୍କ ଅବଦାନ ସବୁଠାରୁ ଅଧିକ। ସମାଜର ପ୍ରତିବନ୍ଧକର ବେଢ଼ିକୁ ସଫଳତାର ସହ ଗ୍ରହଣ କରି ନିଜ ସମୃଦ୍ଧିରେ ଆଗେଇ ଚାଲିଥିବା ନାରୀଶକ୍ତି ଇଟା ସିମେଣ୍ଟର ତିଆରି ଘରକୁ ଜୀବନ୍ତ ମନ୍ଦିର ଭାବେ ଗଢ଼ିତୋଳିବା କଥାକୁ କେହି ଅଣଦେଖା କରିପାରିବେ ନାହିଁ। ଯେକୌଣସି ଦାୟିତ୍ୱବାନ ସରକାର ଏହାକୁ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ମହିଳାମାନେ ଆମ ସମାଜର ଅଧା ଅଂଶ ଏବଂ ସେମାନଙ୍କ ଅବଦାନ ବିନା ବିକଶିତ ସମାଜର ପରିକଳ୍ପନା କରିବା ଅସମ୍ଭବ। ଆମ ସରକାର କ୍ଷମତାକୁ ଆସିବା ପରେ, କେବଳ ଏହି ସତ୍ୟକୁ ସ୍ବୀକାର କରିଛି ତା’ ନୁହେଁ ବରଂ ଆମ ବିକଶିତ ଓଡ଼ିଶା ଭିଜନେର ଏହାକୁ ଏକ ପ୍ରମୁଖ ଉପାଦାନ ରୁପେ ବିକାଶର ମୂଳପିଣ୍ଡ ଭାବେ ଗ୍ରହଣ କରିଛି। ଆମେ ଏହାକୁ ନିର୍ବାଚନ ଇସ୍ତାହାରର ଏକ ପ୍ରମୁଖ ଅଂଶ କରିଥିଲୁଏବଂ ଏହା କହିବା ଏବେ ଠିକ୍ ହେବ ଯେ ରାଜ୍ୟବାସୀ ଆମ ପରିକଳ୍ପନା ଓ ଆମ ସ୍ବପ୍ନକୁ ଖୁସି ଖୁସିରେ ଆପଣେଇ ନେଇଛନ୍ତି । ମହିଳାଙ୍କ ହାତରେ କ୍ଷମତା, ଅର୍ଥନୈତିକ ବ୍ୟବସ୍ଥା ଟେକି ଦେବାରେ ବିଶ୍ବାସ ରଖନ୍ତି ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ।
ମୋଦୀ ଗ୍ୟାରେଣ୍ଟି ପୂରଣ କରିବାର ଲକ୍ଷ୍ୟ ନେଇ ନୂଆ ସରକାର ଗଠନ ପରେ ପରେ ହିଁ ୨୦୨୪ ମସିହା ଜୁନ ୧୨ ତାରିଖରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଓ ମାର୍ଗଦର୍ଶନରେ ଓଡ଼ିଶା ଇତିହାସର ସର୍ବବୃହତ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ‘ସୁଭଦ୍ରା’ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ ହିସାବରେ ମୋତେ ଏହି ଯୋଜନା ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ୩ ମାସରେ ଯୋଜନାର ସମସ୍ତ ବିବରଣୀ ଯେପରିକି ବିସ୍ତୃତ ମାର୍ଗଦର୍ଶିକା, ମାନକ କାର୍ଯ୍ୟ ପ୍ରଣାଳୀ (SOP), ଆର୍ଥିକ ବଜେଟ, କାର୍ଯ୍ୟାନ୍ବୟନ ନିର୍ଦ୍ଦେଶାବଳୀ ଇତ୍ୟାଦି ପ୍ରସ୍ତୁତ କରିବା ପାଇଁ ବିଭାଗର ଅଧିକାରୀଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଗଲା। ଏହି ସମୟ ସୀମା ମଧ୍ୟରେ ମାର୍ଗଦର୍ଶିକା ପ୍ରଣୟନ କଲାବେଳେ ଭାରତ ତଥା ବିଶ୍ବର ବିଭିନ୍ନ ଦେଶମାନଙ୍କର ଅନେକାନେକ ମହିଳା ସଶକ୍ତୀକରଣ ଯୋଜନା ଉପରେ ବିଶଦ ଅଧ୍ୟୟନ କରାଯାଇଥିଲା। ଯୋଜନାର ମୌଳିକ ରୂପରେଖକୁ ନିରୂପଣ କରିବା ନିମନ୍ତେ ଆମେ ପ୍ରଥମରୁ ହିଁ ବିସ୍ତୃତ ଆଲୋଚନା କରିଥିଲୁ ଏବଂ ସ୍ପଷ୍ଟ ହୋଇଥିଲୁ ଯେ ଧାର୍ଯ୍ୟ ଲକ୍ଷ୍ୟସମୂହଙ୍କ ଆବଶ୍ୟକତାକୁ ଗୁରୁତ୍ବ ନଦେଲେ ଏହି ଯୋଜନା ମଧ୍ୟ ତୃଣମୂଳସ୍ତର ସହିତ ସମ୍ପର୍କ ନଥିବା କେବଳ ଆଉ ଏକ ସରକାରୀ ଯୋଜନା ହୋଇ ରହିଯିବ।
ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୦ଟି ଜିଲ୍ଲାରେ ମହିଳାମାନଙ୍କ ଆବଶ୍ୟକତା ଏବଂ ସରକାରଙ୍କଠାରୁ ଆଶା ସମ୍ପର୍କରେ ମତାମତ ସଂଗ୍ରହ କରି ହିତାଧିକାରୀମାନଙ୍କ ନିମନ୍ତେ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁ ବୁଦ୍ଧିଜୀବୀ ମହିଳାମାନଙ୍କ ଦିଗ୍ଦର୍ଶନ କ୍ରମେ ଯୋଜନାର ମୂଳ ସ୍ତମ୍ଭ ଯଥା– ଧାର୍ଯ୍ୟ ବୟସ ସୀମା ଓ ଯୋଜନାର ସହାୟତା ରାଶିକୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ଆଦି ଧାରଣାକୁ ରୂପରେଖ ଦିଆଯାଇପାରିଛି, ଆଜି ଏହି ଲେଖା ମାଧ୍ୟମରେ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ଏହି ପ୍ରମୁଖ ଦୁଇଟି ସ୍ତମ୍ଭ ଉପରେ ହିଁ ସମ୍ପୂର୍ଣ୍ଣ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଛି।
ଯେହେତୁ ଆର୍ଥିକ ଦୃଷ୍ଟିକୋଣରୁ ୨୧ରୁ ୬୦ ବୟସସୀମା ଅଧିକ କାର୍ଯ୍ୟକ୍ଷମ ଓ ଅଧିକାଂଶ କର୍ମଜୀବୀ ମହିଳା ଏହି ବୟସସୀମା ଅନ୍ତର୍ଗତ, ଆମେ ଏହାକୁ ଆମର ପ୍ରସ୍ତାବିତ ବୟସସୀମାଭାବେ ପ୍ରଣୟନ କରିଥିଲୁ। ଏହାର ଗୁରୁତ୍ବକୁ ହୃଦୟଙ୍ଗମ କରି ଆମେ ଯୋଜନାର ପ୍ରଥମ ସ୍ତମ୍ଭ ଭାବେ ଏହାକୁ ଗ୍ରହଣ କରିଥିଲୁ। ଦ୍ବିତୀୟ ପ୍ରମୁଖ ପରାମର୍ଶ ଅନୁସାରେ ଯୋଜନାର ସହାୟତା ରାଶିକୁ ସିଧାସଳଖ ହିତାଧିକାରୀଙ୍କ ଏକକଧାରକ ବ୍ୟାଙ୍କ ଆକାଉଣ୍ଟରେ ପଠାଇବା ନିମନ୍ତେ ଡିବିଟି(ଡାଇରେକ୍ଟ ବେନିଫ଼ିଟ ଟ୍ରାନ୍ସପର)କୁ କାର୍ଯ୍ୟକାରୀ କରିବା ହିଁ ଆମ ପାଇଁ ସ୍ପଷ୍ଟ ବିକଳ୍ପ ଥିଲା। ଏହି ଦୁଇଟି ସ୍ତମ୍ଭକୁ ଗୁରୁତ୍ବ ଦେଇ ସ୍ବଚ୍ଛଳ ହିତାଧିକାରୀଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କ ଅନ୍ତର୍ଭୁକ୍ତିକୁ ସର୍ବାଧିକ କରିବା ଉଦ୍ଦେଶ୍ୟରେ ଯୋଜନାର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିଲା। ରାଜ୍ୟ କ୍ୟାବିନେଟଠାରୁ ଆରମ୍ଭ କରି ବିଭାଗୀୟ ଆଲୋଚନା ପର୍ଯ୍ୟନ୍ତ ବୈଠକର ଏକ ଶୃଙ୍ଖଳା ମାଧ୍ୟମରେ ଯୋଜନାର ମୂଳଦୁଆକୁ ଆହୁରି ସଶକ୍ତ କରାଯାଇଥିଲା। ଶେଷ ହିତାଧିକାରୀଙ୍କ ପାଖରେ ‘ସୁଭଦ୍ରା’ ପହଞ୍ଚାଇବାର ସଫଳ ଯୋଜନା ପ୍ରସ୍ତୁତ କରାଯାଇଥିଲା।
ମୌଳିକ ଢାଞ୍ଚାକୁ ଦୃଷ୍ଟିରେ ରଖି ଉପଲବ୍ଧ ଜନଗଣନା ତଥ୍ୟ ଏବଂ ନିର୍ବାଚନ ଡାଟାବେସ ଆଧାରରେ ଯଥା ବୟସର ହିତାଧିକାରୀ ଚୟନ କରାଯାଇଥିଲା। ଏହି ତାଲିକାକୁ ବିଭାଗ ଦ୍ୱାରା କଠୋର ଯାଞ୍ଚ ହେଲାପରେ ହିତାଧିକାରୀଙ୍କ ସଂଖ୍ୟା ଆନୁମାନିକ ଏକ କୋଟିରୁ ଟିକିଏ ଅଧିକ ଥିଲା ଏବଂ ଏହି ଯୋଜନାର ବଜେଟ ପ୍ରକ୍ରିୟା ପାଇଁ ସମସ୍ତ ଅଂଶୀଦାରମାନଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୨୪-୨୫ ପାଇଁ ୧୧ ହଜାର କୋଟି ସହ ଏହି ଯୋଜନା ପାଇଁ ମୋଟ ୫୫ ହଜାର କୋଟି ଅର୍ଥ ବ୍ୟୟ ବରାଦ କରାଯାଇଥିଲା ଯାହା ଫଳରେ ‘ସୁଭଦ୍ରା’ ଓଡ଼ିଶା ଇତିହାସରେ ଏଯାବତ କାର୍ଯ୍ୟକାରୀ ହୋଇଥିବା ସବୁଠାରୁ ବୃହତ୍ ମହିଳା ସଶକ୍ତୀକରଣ ଯୋଜନା ଭାବେ ପରିଗଣିତ ହୋଇପାରିଛି। ହିତାଧିକାରୀ ଚୟନଠାରୁ ଆରମ୍ଭ କରି ସହାୟତା ଅର୍ଥ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିବା ପର୍ଯ୍ୟନ୍ତ ତଥା ଆବେଦନକାରୀଙ୍କ ସମସ୍ତ ପ୍ରକ୍ରିୟା ସରଳ କରିବା, ସ୍ବଚ୍ଛତା ଅବଲମ୍ବନ କରିବା, ଉଭୟ ରାଜ୍ୟ ଓ ଦେଶର ପ୍ରଗତିରେ ସହାୟକ ହେଲା ଭଳି ନାଗରିକମାନଙ୍କ ମଧ୍ୟରେ ପ୍ରଗତିଶୀଳ ଗୁଣଗୁଡ଼ିକୁ ବିକଶିତ କରିବା ଓ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ତ୍ରୁଟିମୁକ୍ତ କରିବା ଆଦି ସମସ୍ତ ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିବାରେ ‘ସୁଭଦ୍ରା’ ଯୋଜନା ହେଉଛି ସମଗ୍ର ଦେଶ ପାଇଁ ଏକ ଉତ୍କୃଷ୍ଟ ଉଦାହରଣ। ସମୁଦାୟ ଜନସଂଖ୍ୟାର ସବୁଠାରୁ ଦୁର୍ବଳ ବର୍ଗ ସମୂହ ବର୍ଷ ବର୍ଷ ଧରି NFSA ଅଧୀନରେ ସାମିଲ ହେଇଆସୁଛନ୍ତି, ଏବଂ ରାଜ୍ୟଗୁଡିକ ପ୍ରାୟତଃ ନିଜସ୍ବ ପଦକ୍ଷେପ ବଳରେ ସେମାନଙ୍କ ଅଭାବକୁ ପୂରଣ କରି ଆସୁଛନ୍ତି। ସେ ପ୍ରକ୍ରିୟାରେ, ‘ସୁଭଦ୍ରା’ ଯୋଜନା ପ୍ରଥମେ ଏହି ସମୂହ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ପ୍ରାଥମିକତା ଦେଇଥିଲା। ପୂର୍ବାନୁମାନ ଅନୁଯାୟୀ ଏହି ଯୋଜନାର ଅଧିକାଂଶ ହିତାଧିକାରୀ ଏହି ସମୂହରୁ ହିଁ ଚିହ୍ନଟ ହୋଇଥିଲେ। କେବଳ ସେତିକି ନୁହେଁ, NFSA/SFSA ବାହାରେ ଥିବା ଲୋକମାନଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ‘ସୁଭଦ୍ରା’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରିବା ପାଇଁ ‘ସୁଭଦ୍ରା’ ଯୋଜନାର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି।
ରାଜ୍ୟର ସମସ୍ତ ନାଗରିକମାନଙ୍କ କଥାକୁ ଗୁରୁତ୍ବ ଦେବା ସହ ଆବେଦନକାରୀଙ୍କ ଅନ୍ତର୍ଭୂକ୍ତି ନିଷ୍ପତ୍ତିରେ ଏହାକୁ ପ୍ରତିଫଳିତ କରିବା ପାଇଁ ମହିଳା ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସମାଜ କଲ୍ୟାଣ ସଂସ୍ଥାମାନଙ୍କର ସଦସ୍ୟମାନଙ୍କୁ ମଧ୍ୟ ‘ସୁଭଦ୍ରା’ ନିର୍ଦ୍ଦେଶାବଳୀ ଗଠନ କମିଟିର ସଦସ୍ୟ ଭାବେ ସାମିଲ କରାଯାଇଥିଲା। ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ଥିବା ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (OCAC) ‘ସୁଭଦ୍ରା’ର ଆଇଟି କାର୍ଯ୍ୟାନ୍ବୟନରେ ଆମର ସହଭାଗୀ ହୋଇଛି। ୧ କୋଟିରୁ ଅଧିକ ଆନୁମାନିକ ମହିଳା ହିତାଧିକାରୀଙ୍କ ଡାଟା ପରିଚାଳନା କରିବା ପାଇଁ ଏକ ସକ୍ଷମ ପୋର୍ଟାଲ ପ୍ରସ୍ତୁତ କରିବାରେ OCAC ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟାନ୍ବୟନ ପ୍ରକ୍ରିୟାକୁ ମଧ୍ୟ ସହଜ ଓ ସରଳ କରିପାରିଛି। ଯୋଜନା ଆରମ୍ଭର ମାତ୍ର କିଛି ଦିନ ମଧ୍ୟରେ ରାଜ୍ୟର ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ର ମାଧ୍ୟମରେ ୬୦ ଲକ୍ଷରୁ ଅଧିକ ପଞ୍ଜୀକରଣ ହେବା ଏକ ଉଲ୍ଲେଖନୀୟ ବିଷୟ। ‘ସୁଭଦ୍ରା’ ସଚେତନତା ରଥ, ‘ସୁଭଦ୍ରା’ ସ୍ବାଗତ ପଦଯାତ୍ରା ଏବଂ ଅନ୍ୟାନ୍ୟ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଯୋଜନାର ନିର୍ଦ୍ଦେଶାବଳୀ ଓଡ଼ିଶାର କୋଣେ ଅନୁକୋଣେ ପହଞ୍ଚାଇବା ଓ ସେମାନଙ୍କୁ ସଚେତନ କରିବାରେ ମନ୍ତ୍ରିମଣ୍ଡଳଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟାନ୍ୟ ବିଭାଗଗୁଡ଼ିକର ସାମୂହିକ ଅଂଶଗ୍ରହଣ ଅତ୍ୟନ୍ତ ପ୍ରଶଂସନୀୟ। ଏହା ଯୋଜନାର କାର୍ଯ୍ୟକାରିତା ଆମ ଓଡ଼ିଶା ସରକାରଙ୍କ team work ଗୁଣକୁ ପ୍ରତିଫଳିତ କରୁଛି। ପ୍ରଯୁକ୍ତିବିଦ୍ୟାକୁ ସଠିକ ଭାବରେ ଉପଯୋଗ କରିପାରିଲେ, ଗାଁର ଅପାଠୁଆ ଜନସଂଖ୍ୟା ମଧ୍ୟ ଏହାର ବ୍ୟବହାର କରିପାରିବେ, ‘ସୁଭଦ୍ରା’ର ୧ କୋଟି ୮ ହଜାରରୁ ଅଧିକ ପଞ୍ଜୀକରଣ ଏହାକୁ ପ୍ରମାଣିତ କରୁଛି।
‘ସୁଭଦ୍ରା’ ଯୋଜନାରେ ବହୁବିଧ ଅଂଶୀଦାରଙ୍କ ସମ୍ପୃକ୍ତି ସତ୍ତ୍ବେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ଓ ଡିବିଟି ପ୍ରକ୍ରିୟା ପାଇଁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ(APBS), ଯୋଜନାର ଆର୍ଥିକ ନେଣଦେଣ ସହଜ ଓ ସୁଗମ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଯେକୌଣସି ବଡ଼ ପଦକ୍ଷେପର କାର୍ଯ୍ୟାନ୍ବୟନ ପରି, ‘ସୁଭଦ୍ରା’ ଯୋଜନାର କାର୍ଯ୍ୟାନ୍ବୟନ ପାଇଁ ମଧ୍ୟ ବହୁ ଆହ୍ବାନର ସମ୍ମୁଖୀନ ହେଇଥିଲୁ, କିନ୍ତୁ ଆମ ସମସ୍ତଙ୍କ team work ଏବଂ ଆମର ସ୍ପଷ୍ଟ ଉଦ୍ଦେଶ୍ୟ ସବୁ ଆହ୍ୱାନର ସମ୍ମୁଖୀନ ହେବାକୁ ଆମକୁ ସାହସ ଯୋଗାଇଥିଲା। ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ମଧ୍ୟ ପ୍ରତ୍ୟେକ ଆବେଦନକାରୀଙ୍କ ପାଖରେ ପହଞ୍ଚିବା ଏବଂ ସେମାନଙ୍କୁ ଆବଶ୍ୟକ ସାହାଯ୍ୟ ଯୋଗାଇଦେବାରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି କର୍ମୀ, ସହାୟିକା, ଆଶାକର୍ମୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟ, କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରମାନଙ୍କର ଅବଦାନ ଅତୁଳନୀୟ। ଆମ ସରକାର ଗଠନ ହେବାର ମାତ୍ର ୬ ମାସ ମଧ୍ୟରେ ଏକ ଯୋଜନା ମାଧ୍ୟମରେ ୯୮ ଲକ୍ଷ ୩୦ ହଜାର ହିତାଧିକାରୀଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ସାମିଲ କରିପାରିବା, ଆମ ପାଇଁ ଏକ ବହୁତ ବଡ଼ ସଫଳତା ଭାବେ ପରିପ୍ରକାଶ ହୋଇପାରିଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟାହତି ପୂର୍ବରୁ ୨ ଲକ୍ଷ ୩୪ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଯୋଡ଼ି ‘ସୁଭଦ୍ରା’ ୧ କୋଟି ୬୪ ହଜାର ମହିଳାଙ୍କ ପାଖରେ ପହଞ୍ଚିଛି। ଡିଜିଟାଲ ୱାଲେଟ୍ରେ ସିଧାସଳଖ ଅର୍ଥ ରାଶି ପ୍ରଦାନ କରିବା ଏବଂ ଡିଜିଟାଲ ଆର୍ଥିକ କାରବାରକୁ ପ୍ରୋତ୍ସାହିତ କରି କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (CBDC)କୁ ଗ୍ରହଣ କରିବାରେ ଭାରତରେ ପ୍ରଥମ ଯୋଜନା ଭାବେ ‘ସୁଭଦ୍ରା’, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ‘ଡିଜିଟାଲ ଇଣ୍ଡିଆ’ ସ୍ବପ୍ନକୁ ସାକାର କରିବା ନିମନ୍ତେ ସମଗ୍ର ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଗୌରବର ବିଷୟ ଯେ ଚଳିତ ବର୍ଷ ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସ-୨୦୨୫ ଉପଲକ୍ଷେ ଯୋଜନାର ଦ୍ବିତୀୟ କିସ୍ତି ପ୍ରଦାନ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ। ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବା ଆମ ସରକାରଙ୍କ ମହିଳାମାନଙ୍କ ବିକାଶ ଓ ମହିଳାମାନଙ୍କ ଦ୍ୱାରା ବିକାଶର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ବିଭିନ୍ନ ରିପୋର୍ଟ ଦ୍ୱାରା ଏହା ସ୍ପଷ୍ଟ କରାଯାଇଛି ଯେ ମହିଳାମାନଙ୍କୁ ଆର୍ଥିକ ସହାୟତା, ରାଜ୍ୟ ତଥା ଦେଶର ଅର୍ଥନୀତି ଉପରେ ଏକ ସକାରାତ୍ମକ ଓ ଗୁଣାତ୍ମକ ପ୍ରଭାବ ସୁନିଶ୍ଚିତ କରେ। ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୪-୨୫ ଅନୁଯାୟୀ, ଓଡ଼ିଶା ସରକାରଙ୍କ ପ୍ରମୁଖ ଯୋଜନା କାର୍ଯ୍ୟାନ୍ବୟନର ପାଞ୍ଚ ବର୍ଷ ଅବଧିରେ ୧ ଲକ୍ଷ କୋଟି ଟଙ୍କାରୁ ୧.୫ ଲକ୍ଷ କୋଟି ଟଙ୍କା ମଧ୍ୟରେ ଅର୍ଥନୀତି ସମ୍ଭବ ହୋଇପାରିବ।
ସମକାଳୀନ ମୂଲ୍ୟାଙ୍କନ ସହିତ ଯୋଜନାର ପ୍ରଭାବ ବିଷୟରେ ବିସ୍ତୃତ ବିବରଣୀ ପାଇବା ପାଇଁ, ମହିଳା ଓ ଶିଶୁ ବିକାଶ ବିଭାଗ, ଆଇଆଇଏମ, ସମ୍ବଲପୁର ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛି।
ମହିଳାମାନଙ୍କର ଅପୂରଣ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ନିଃସର୍ତ୍ତ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ‘ସୁଭଦ୍ରା’ ରାଜ୍ୟର ପ୍ରତ୍ୟେକ ମହିଳାଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହା ମହିଳାଙ୍କୁ କ୍ଷୁଦ୍ର ଉଦ୍ୟୋଗୀ କରିବାରେ ସକ୍ଷମ କରି ଉଦ୍ୟୋଗୀ ସମନ୍ବିତ ଲକ୍ଷପତି ହେବାର ସ୍ବପ୍ନକୁ ସାକାର କରିବା ପାଇଁ ପ୍ରୋତ୍ସାହିତ କରିବ। ଯୋଜନା ସମ୍ବନ୍ଧୀୟ ସମସ୍ତ ସୂଚନା ଶୁଣିବା ପାଇଁ ଓ ମହିଳାମାନଙ୍କ ସନ୍ଦେହ ଦୂର କରିବା ପାଇଁ ‘କୁହ ‘ସୁଭଦ୍ରା’ ଓ ‘ଶୁଣ ‘ସୁଭଦ୍ରା’ ଆଦି ଦୁଇଟି ଉତ୍ସର୍ଗୀକୃତ ପ୍ରତିକ୍ରିୟା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଉଦ୍ୟୋଗିତାର ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଉଥିବା ମହିଳାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଶ୍ବ ଦକ୍ଷତା କେନ୍ଦ୍ର ସହିତ ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଁ ଦୃଢ଼ନିଶ୍ଚିତ ଅଛି ଯେ ‘ସୁଭଦ୍ରା’ ଯୋଜନାର ସଫଳ ରୂପାୟନ, ଓଡ଼ିଶାର ମା’ ଭଉଣୀମାନଙ୍କର ଉଦ୍ୟୋଗୀ ହେବାର ସ୍ବପ୍ନକୁ ମଧ୍ୟ ପୂରଣ କରିବ। ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ ‘ସୁଭଦ୍ରା’ ଯୋଜନା। ଓଡ଼ିଶାର ମା’ ଭଉଣୀମାନଙ୍କ ପାଇଁ, ନାରୀଶକ୍ତିର ଅଭ୍ୟୁଦୟ ଏହି ମାତ୍ର ଆରମ୍ଭ ହେଲା। ଆଗକୁ ଆହୁରି ଅନେକ ରାସ୍ତା ଅତିକ୍ରମ କରିବା ପାଇଁ ଅଛି। ଆସୁଥିବା ନୂଆ ପିଢ଼ି ପାଇଁ ଉତ୍କର୍ଷ ଓଡ଼ିଶା ଗଢ଼ିବାର ସ୍ବପ୍ନକୁ ପୂରଣ କରିବାର ଅଛି। ‘ସୁଭଦ୍ରା’କୁ ଘରେ ଘରେ ପହଞ୍ଚାଇଥିବା ଓ ମହିଳାଙ୍କ ବିକାଶରେ ସହଭାଗୀ ସାଜିଥିବା ସମସ୍ତ ବନ୍ଧୁମାନଙ୍କୁ ସହୃଦୟତାର ସହ ଧନ୍ୟବାଦ ଜଣାଉଛି।
ପ୍ରଭାତୀ ପରିଡ଼ା
ଉପମୁଖ୍ୟମନ୍ତ୍ରୀ, ଓଡ଼ିଶା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/TPAux7dq9ufkM4Co56Nc.jpg)