କିବା ଶୂଦ୍ର କିବା ବ୍ରାହ୍ମଣ। ବୈଷ୍ଣବ ସମସ୍ତ ସମାନ।ା
ନୀଚ ସ୍ଥାନରେ ଥିଲେ ରତ୍ନ। ଗ୍ରହଣ କରିବାଟି ଧର୍ମ।ା
-ମାଧବ ପଟ୍ଟନାୟକ, ବୈଷ୍ଣବ ଲୀଳାମୃତ
‘ବୈଷ୍ଣବ ଲୀଳାମୃତ’ କବି ମାଧବ ପଟ୍ଟନାୟକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କାବ୍ୟ। ଏହାର ପ୍ରଥମ ଅଧ୍ୟାୟରେ କବି ତାଙ୍କର ପରିଚୟ ଦେଇ କହିଛନ୍ତି- ତାଙ୍କର ପିତାଙ୍କ ନାମ ଭଗବାନ ଓ ମାତାଙ୍କ ନାମ ହୀରାଦେବୀ। ଜନ୍ମସ୍ଥାନ ଖଣ୍ଡପଡ଼ାଗଡ଼। ସେ କରଣ କୁଳରେ ଜନ୍ମ ଏବଂ ତାଙ୍କର ସଂଜ୍ଞା ପଟ୍ଟନାୟକ। ସେ ଯୌବନ କାଳରେ ପିତୃମାତୃହୀନ ହୋଇ ଖଣ୍ଡପଡ଼ା ଛାଡ଼ିଥିଲେ ଏବଂ ଶ୍ରୀକ୍ଷେତ୍ର ପୁରୀ ଯାଇ ରାୟ ରାମାନନ୍ଦଙ୍କର ଆଶ୍ରିତ ଭାବେ କାଳାତିପାତ କରିଥିଲେ। ସେହି ପ୍ରସଙ୍ଗରେ ସେ କହିଛନ୍ତି, “ମୂଳ ମୋ ବଇଷ୍ଣବ ସଙ୍ଗ। / ବର୍ଣ୍ଣିବି ବୈଷ୍ଣବ ପ୍ରସଙ୍ଗ।” ଏଣୁ ଏହି କାବ୍ୟର ନାମ ‘ବୈଷ୍ଣବ ଲୀଳାମୃତ’।
‘ବୈଷ୍ଣବ ଲୀଳାମୃତ’ର ସପ୍ତମ ଅଧ୍ୟାୟରେ ବର୍ଣ୍ଣିତ ଅଛି- ବଳରାମ ଦାସଙ୍କଠାରୁ ଜଗନ୍ନାଥ ଦାସ ମନ୍ତ୍ରଦୀକ୍ଷା ନେବାର ଉପାଖ୍ୟାନ। ଜଗନ୍ନାଥ ଦାସ ଥିଲେ ବ୍ରାହ୍ମଣ; ମାତ୍ର ବଳରାମ ଦାସ ଥିଲେ ଶୂଦ୍ର। ତଥାପି, ବଳରାମ ବଚନସିଦ୍ଧ ଓ ବୟୋଜ୍ୟେଷ୍ଠ ଥିବାରୁ ତାଙ୍କଠାରୁ ମନ୍ତ୍ରଦୀକ୍ଷା ନେବାକୁ ଶ୍ରୀଚୈତନ୍ୟ ଜଗନ୍ନାଥ ଦାସଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ କାଶୀ ମିଶ୍ର କ୍ଷୁବ୍ଧ ହେଲେ ଏବଂ ଜଣେ ବ୍ରାହ୍ମଣ ଶୂଦ୍ରଠାରୁ ଦୀକ୍ଷା ନେବା ଅନୁଚିତ, ଅଗ୍ରହଣୀୟ ଓ ଦୁରାଚାର ବୋଲି କହିଲେ। ସେହି ପ୍ରସଙ୍ଗରେ ଜଗନ୍ନାଥ ଦାସ କାଶୀ ମିଶ୍ରଙ୍କୁ ଯେଉଁ ଉତ୍ତର ଦେଇଥିଲେ, ଉପରୋକ୍ତ ସୁଭାଷିତ ତାହାର ଅଂଶ। ଜଗନ୍ନାଥ ଦାସ କହିଥିଲେ- ଶୂଦ୍ର ହୁଅନ୍ତୁ ବା ବ୍ରାହ୍ମଣ, ସମସ୍ତେ ମନୁଷ୍ୟ ଏବଂ ସେ ଦୃଷ୍ଟିରୁ ସମସ୍ତେ ସମାନ। ତା’ ଛଡ଼ା ରତ୍ନ ନୀଚ ସ୍ଥାନରେ ଥିଲେ ମଧ୍ୟ ଧର୍ମତଃ ତାହା ଗ୍ରହଣୀୟ। ଏଣୁ ମୁଁ ଦୃଢ଼ ମନରେ ବଳରାମ ଦାସଙ୍କୁ ଗୁରୁ କରିଛି। ଏଥିରେ ଆପଣ କ୍ଷୁବ୍ଧ ହେବା ଅନୁଚିତ। ଜଗନ୍ନାଥ ଦାସ ଯେ ସେଦିନର ସମାଜରେ ଥିବା ଜାତିଭେଦର ବିରୋଧୀ ଥିଲେ, ଏହି ପ୍ରସଙ୍ଗରୁ ତାହା ସୂଚିତ ହୁଏ।