ରାଜା ଚତୁର୍ବିଧା ବର୍ଣ୍ଣା ଅନ୍ୟେ ଯେ ଚ ପୃଥଗ୍‌ଜନାଃ।
ଦୀନା ମହାନ୍ତଶ୍ଚ ତଦା ସମାନାସ୍ତତ୍ର ଭାନ୍ତି ବୈ।ା
-ସ୍କନ୍ଦପୁରାଣ, ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ, ୩୩/୪୭
‘ସ୍କନ୍ଦପୁରାଣ, ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ ଶ୍ରୀଜଗନ୍ନାଥଙ୍କ ସଂପର୍କିତ ଏକ ମହତ୍ତ୍ୱପୂର୍ଣ୍ଣ ଗ୍ରନ୍ଥ। ଏଥିରେ ‘ଶ୍ରୀପ୍ରତିମା’ ବା ସ୍ୱୟଂ ଶ୍ରୀଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ତାଙ୍କର ଯାତ୍ରା, ଉତ୍ସବ ଆଦି କିପରି ହେବ, ତାହା ବିଶଦ ଭାବରେ କହିଛନ୍ତି। ସେହି କ୍ରମରେ ଆସିଛି ତାଙ୍କର ରଥଯାତ୍ରା ବା ‘ମହାବେଦୀ ମହୋତ୍ସବ’ ପ୍ରସଙ୍ଗ। ଜୈମିନୀ ଋଷି ସେ ସଂପର୍କରେ ମୁନିମାନଙ୍କୁ କହିଛନ୍ତି। ସେହି ପ୍ରସଙ୍ଗରେ ରଥ ସମ୍ମୁଖରେ ସମବେତ ଭକ୍ତମାନଙ୍କର କଥା ବର୍ଣ୍ଣିତ ହୋଇଛି।
ଏହା ସର୍ବବିଦିତ, ଯେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦରେ କୌଣସି ଜାତି, ବର୍ଣ୍ଣର ଭେଦଭାବ ନାହିଁ। ଚଣ୍ଡାଳ ହସ୍ତରୁ ବ୍ରାହ୍ମଣ ଏହା ଛଡ଼ାଇ ଖାଇବେ ବୋଲି ମଧ୍ୟ କଥା ପ୍ରଚଳିତ ଅଛି। ମାତ୍ର ‘ସ୍କନ୍ଦପୁରାଣ’ର ଉପରୋକ୍ତ ସୁଭାଷିତ ଅନୁସାରେ, ରଥ ସମ୍ମୁଖରେ ସମବେତ ଭକ୍ତମାନଙ୍କ କ୍ଷେତ୍ରରେ ମଧ୍ୟ ଏହି କଥାଟି ପ୍ରଯୁଜ୍ୟ।
ଏ ସଂପର୍କରେ ଜୈମିନୀଋଷି ମୁନିମାନଙ୍କୁ କହିଛନ୍ତି- ହେ ମୁନିଗଣ! ଶ୍ରୀଜଗନ୍ନାଥଙ୍କର ଏହି ରଥଯାତ୍ରା ବା ମହାବେଦୀ ମହୋତ୍ସବର ସମାରୋହରେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟମାନେ ସମବେତ ହୋଇ ପ୍ରଥମେ ଶ୍ରୀବଳରାମ, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀକୃଷ୍ଣ (ଶ୍ରୀଜଗନ୍ନାଥ)- ଏହି କ୍ରମରେ ସେମାନଙ୍କୁ ରଥ ନିକଟକୁ ନେଇଯିବେ; ଅର୍ଥାତ୍ ପହଣ୍ଡି ବିଜୟ କରାଇବେ। ତାହା ପରେ ଆସିଛି, ରଥ ସମ୍ମୁଖରେ ସମସ୍ତେ କିପରି ସମାନ ତାହାର ବର୍ଣ୍ଣନା।
ଜୈମିନୀ ଋଷି କହିଛନ୍ତି- ହେ ମୁନିଗଣ! ସେହି ସମୟରେ କି ରାଜା, କି ବ୍ରାହ୍ମଣ ଆଦି ଚତୁର୍ବର୍ଣ୍ଣ, କି ଧନୀ, କି ଦରିଦ୍ର, କି ନୀଚଜାତିର ବ୍ୟକ୍ତିମାନେ- ସମସ୍ତେ ସମାନ ବୋଧ ହୋଇଥାଆନ୍ତି।
ଏହା ସୂଚାଏ, ଯେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏକ ସାମ୍ୟମୈତ୍ରୀର ମହୋତ୍ସବ।