ବିଦ୍ୟାଃ ସମସ୍ତାସ୍ତବ ଦେବି ଭେଦାଃ
ସ୍ତ୍ରିୟଃ ସମସ୍ତାଃ ସକଳା ଜଗତ୍‌ସୁ।
-ଶ୍ରୀଦୁର୍ଗାସପ୍ତଶତୀ, ୧୧/୬
ମହିଷାସୁରର ନିଧନ ପରେ ଦେବଗଣ ଓ ଋଷିଗଣ ଯେପରି ଭାବରେ ଦେବୀଦୁର୍ଗାଙ୍କୁ ବହୁଭାବରେ ସ୍ତୁତି କରିଥିଲେ, ଧୂମ୍ରଲୋଚନ, ଚଣ୍ଡ ଓ ମୁଣ୍ଡ, ରକ୍ତବୀଜ ଏବଂ ଶୁମ୍ଭ ଓ ନିଶୁମ୍ଭଙ୍କ ବଧ ପରେ ମଧ୍ୟ ଦେବତାମାନେ କାତ୍ୟାୟନୀ ଦେବୀଙ୍କୁ ସେହିପରି ସ୍ତୁତି କରିଥିଲେ। ‘ଶ୍ରୀଦୁର୍ଗାସପ୍ତଶତୀ’ ଅନୁସାରେ, ସେହି ସ୍ତୁତି ହେଉଛି- ହେ ଶରଣାଗତର ଦୁରିତ ଦୂର କରୁଥିବା ଦେବି! ଆମ ପ୍ରତି ପ୍ରସନ୍ନ ହୁଅ! ହେ ସମଗ୍ର ଜଗତ୍‌ର ଜନନି! ପ୍ରସନ୍ନ ହୁଅ! ହେ ବିଶ୍ୱେଶ୍ୱରି! ବିଶ୍ୱକୁ ରକ୍ଷା କର! ହେ ଦେବି! ତୁମେ ଏ ଚରାଚରର ଅଧୀଶ୍ୱରୀ, ତୁମେ ହିଁ ଏ ଜଗତ୍‌ର ଏକମାତ୍ର ଆଧାର; କାରଣ ଏ ପୃଥ୍ୱୀର ରୂପ ତୁମରି ହିଁ ସ୍ଥିତି। ହେ ଦେବି! ତୁମର ପରାକ୍ରମ ଅଲଙ୍ଘନୀୟ। ଜଳ ରୂପରେ ତୁମେ ହିଁ ଜଗତକୁ ତୃପ୍ତ କରୁଛ। ତୁମେ ହିଁ ଅନନ୍ତ ଶକ୍ତିସଂପନ୍ନା ବୈଷ୍ଣବୀ ଶକ୍ତି। ତୁମେ ହିଁ ଏ ଜଗତ୍‌କୁ ମୋହିତ କରି ରଖିଛ। ତୁମେ ପ୍ରସନ୍ନ ହେଲେ ହିଁ ଏ ପୃଥ୍ୱୀରେ ମୋକ୍ଷପ୍ରାପ୍ତି ସମ୍ଭବ ହୁଏ।

Advertisment

ଏହିପରି ଭାବରେ ସେହି ଦେବୀ କାତ୍ୟାୟନୀଙ୍କ ସ୍ତୁତି ପରେ, ଉପରୋକ୍ତ ସୁଭାଷିତରେ କୁହାଯାଇଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା। ଦେବଗଣ ତାଙ୍କୁ ସ୍ତୁତି କରି କହିଛନ୍ତି- ହେ ଦେବି! ସମସ୍ତ ମହାବିଦ୍ୟା ତୁମରି ହିଁ ଭିନ୍ନ ଭିନ୍ନ ରୂପ। ଏ ସଂସାରରେ ଯେତେ ନାରୀ ସମସ୍ତେ ତୁମରି ହିଁ ମୂର୍ତ୍ତି। ଏକମାତ୍ର ତୁମେ ହିଁ ଏ ସାରା ବିଶ୍ୱରେ ପରିବ୍ୟାପ୍ତ ହୋଇରହିଛ।