ସେ ମହାସ୍ଥାବର ପିପ୍ପଳ।
ପ୍ରତ୍ୟକ୍ଷେ ନାରାୟଣ ତୁଲ୍ୟ।ା
-ମହାଦେବ ଦାସ, କାର୍ତ୍ତିକ ମାହାତ୍ମ୍ୟ, ୨୯ ଅଧ୍ୟାୟ
‘ଶ୍ରୀମଦ୍ଭଗବଦ୍ଗୀତା’ର ଦଶମ ଅଧ୍ୟାୟ, ‘ବିଭୂତିଯୋଗ’ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, “ଅଶ୍ୱତ୍ଥଃ ସର୍ବବୃକ୍ଷାଣାଂ”; ଅର୍ଥାତ୍ “ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ୱତ୍ଥ।” ଏହା ସୂଚାଏ, ଅଶ୍ୱତ୍ଥ ବା ‘ପିପ୍ପଳ’ ହେଉଛି ନାରାୟଣ ବୃକ୍ଷ। ମହାଦେବ ଦାସକୃତ ‘କାର୍ତ୍ତିକ ମାହାତ୍ମ୍ୟ’ରେ ମଧ୍ୟ ଠିକ୍ ଏହା କୁହାଯାଇଛି।
୩୨ ଅଧ୍ୟାୟ ବିଶିଷ୍ଟ ‘କାର୍ତ୍ତିକ ମାହାତ୍ମ୍ୟ’ର ୨୯ତମ ଅଧ୍ୟାୟ ହେଉଛି- ‘ବଟ-ପିପ୍ପଳ ମହିମା’। ଏହା ‘ପଦ୍ମପୁରାଣ’ ଆଧାରିତ। ଏହି ଅଧ୍ୟାୟର ଆରମ୍ଭରେ ଏକ ସଂସ୍କୃତ ଶ୍ଳୋକ ରହିଛି। ତାହା ହେଉଛି- “ଅଶ୍ୱତ୍ଥରୂପୀ ଭଗବାନ୍ ବିଷ୍ଣୁରେବ ନ ସଂଶୟଃ / ରୁଦ୍ରରୂପୀ ବଟସ୍ତଦ୍ବତ୍ ପଲାଶୋ ବ୍ରହ୍ମରୂପଧୃକ୍।” ଏହାର ଅର୍ଥ- ଅଶ୍ୱତ୍ଥ ବିଷ୍ଣୁ ବୃକ୍ଷ, ବଟ ରୁଦ୍ରବୃକ୍ଷ ଏବଂ ପଲାଶ ବ୍ରହ୍ମାବୃକ୍ଷ। ଏହା ଅନୁସାରେ, ୨୯ତମ ଅଧ୍ୟାୟରେ ବଟ ଓ ପିପ୍ପଳ (ବର ଓ ଅଶ୍ୱତ୍ଥ) ବୃକ୍ଷର ମହିମା ବର୍ଣ୍ଣିତ ହୋଇଛି।
ଏ ପ୍ରସଙ୍ଗରେ କୁହାଯାଇଛି- ଏହି ପିପ୍ପଳ (ଅଶ୍ୱତ୍ଥ) ବୃକ୍ଷ ଚତୁର୍ବର୍ଗ ଫଳ ପ୍ରଦାନ କରିଥାଏ। ଶୁଦ୍ଧ ମନରେ ଅଶ୍ୱତ୍ଥ ବୃକ୍ଷର ସେବା କଲେ ପୁଣ୍ୟଫଳ ମିଳେ। ଦେବଗଣଙ୍କ ସହିତ ହରି ସେହି ବୃକ୍ଷରେ ବିଜେ କରିଥାନ୍ତି। ସିଦ୍ଧଗଣଙ୍କ ସହିତ ଶିବ ମଧ୍ୟ ତାହାର ଶିଖରରେ ବିରାଜମାନ କରନ୍ତି। ସେହି ବୃକ୍ଷ ଥିବା ସ୍ଥାନରେ ସମସ୍ତ ସୁକୃତିର ଫଳ ରହେ। ବୃକ୍ଷର ଶିଖରରେ ବାସୁକୀ ଆଦି ନାଗମାନେ ମଧ୍ୟ ଅବସ୍ଥାନ କରନ୍ତି। ଏହି ମହାବୃକ୍ଷ ପିପ୍ପଳ ସାକ୍ଷାତ୍ ନାରାୟଣତୁଲ୍ୟ।
ଏହି ଦୃଷ୍ଟିରୁ, ‘କାର୍ତ୍ତିକ ମାହାତ୍ମ୍ୟ’ରେ କୁହାଯାଇଛି- ଅଶ୍ୱତ୍ଥ ବୃକ୍ଷ ନାଶ କଲେ ବ୍ରହ୍ମହତ୍ୟା ଦୋଷ ହୁଏ। ବୃକ୍ଷରୁ ଯେତେ ପତ୍ର ଝଡ଼ି ଭୂମିରେ ପଡ଼େ, ବୃକ୍ଷଘାତୀ ବ୍ୟକ୍ତି ସେତେବର୍ଷ କୁମ୍ଭୀପାକ ନର୍କ ଭୋଗ କରେ। ଏପରିକି, ଏହା ମଧ୍ୟ କୁହାଯାଇଛି- ଏହି ବୃକ୍ଷର ପତ୍ର ଯିଏ ଛିଣ୍ଡାଏ, ସିଏ ବ୍ରହ୍ମାଙ୍କ ଆଙ୍ଗୁଠି କାଟିବା ପରି ମହାପାପ କରେ।
ଏହା କୁହାଯିବା ସହିତ ଅଶ୍ୱତ୍ଥକୁ ନାରାୟଣ ମନେକରି ତାହାର ଆରାଧନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।