ନାୟମାତ୍ମା ପ୍ରବଚନେନ ଲଭ୍ୟୋ-
ନ ମେଧୟା ନ ବହୁନା ଶ୍ରୁତେନ।
-କଠୋପନିଷଦ, ୧-୨-୨୩
‘କଠୋପନିଷଦ’ କୃଷ୍ଣ ଯଜୁର୍ବେଦ ଶାଖାର ଏକ ଉପନିଷଦ। ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଉପନିଷଦମାନଙ୍କ ମଧ୍ୟରୁ ଅନ୍ୟତମ। କଠ ନାମକ ତପସ୍ୱୀ ଅାଚାର୍ଯ୍ୟ ଏହାର ରଚୟିତା। ସେ ବୈଶମ୍ପାୟନ ମୁନିଙ୍କ ଶିଷ୍ୟ ଏବଂ ଯଜୁର୍ବେଦର କଠଶାଖାର ପ୍ରବର୍ତ୍ତକ। ଏହା ଆକାରରେ ଅତ୍ୟନ୍ତ କ୍ଷୁଦ୍ର। ଏହାର ମାତ୍ର ଦୁଇଟି ଅଧ୍ୟାୟ ଏବଂ ପ୍ରତି ଅଧ୍ୟାୟରେ ମାତ୍ର ତିନିଟି ଲେଖାଏଁ ବଲ୍ଲୀ। ବାଜଶ୍ରବାଙ୍କ ପୁତ୍ର ନଚିକେତା ଏବଂ ଯମରାଜଙ୍କ ମଧ୍ୟରେ କଥୋପକଥନ ବା ସମ୍ବାଦ ଏହାର ଆଧାର।
କଠୋପନିଷଦର ପ୍ରଥମ ଅଧ୍ୟାୟ, ଦ୍ୱିତୀୟ ବଲ୍ଲୀ ଓ ତ୍ରୟୋବିଂଶ ଶ୍ଳୋକରେ ଆତ୍ମା (ବା ପରମାତ୍ମା) କେଉଁଥିରେ ମିଳନ୍ତି ଓ କେଉଁଥିରେ ମିଳନ୍ତି ନାହିଁ, ତାହା କୁହାଯାଇଛି। ଏହି ଶ୍ଳୋକର ପ୍ରଥମ ଭାଗରେ କୁହାଯାଇଛି- ସେ ବେଦ ଅଧ୍ୟୟନ ଦ୍ୱାରା, ବୁଦ୍ଧିର ପ୍ରୟୋଗ ଦ୍ୱାରା, ବା ବିଭିନ୍ନ ଶାସ୍ତ୍ରର ବ୍ୟାଖ୍ୟା ବା ପ୍ରବଚନ ଦ୍ୱାରା ମିଳନ୍ତି ନାହିଁ।
କିନ୍ତୁ, ସେହି ଶ୍ଳୋକର ଦ୍ୱିତୀୟ ଭାଗରେ, ସେ କିପରି ମିଳିପାରିବେ ଏବଂ କିପରି ଭାବରେ ତାଙ୍କୁ ଜାଣିହେବ, ତାହା ସୂଚିତ ହୋଇଛି। ସେଥିରେ କୁହାଯାଇଛି- ସେହି ବ୍ୟକ୍ତି କେବଳ ପରମାତ୍ମାଙ୍କୁ ଲାଭ କରିପାରେ, ଯେ ତାଙ୍କୁ ଜାଣିବାପାଇଁ ଇଚ୍ଛା କରେ। ଯେ ପ୍ରକୃତରେ ସେହି ପରମାତ୍ମାଙ୍କୁ ଜାଣିବା ପାଇଁ ଇଚ୍ଛା କରେ, ପରମାତ୍ମା ତାଙ୍କର ପ୍ରକୃତ ସ୍ୱରୂପରେ ତାଙ୍କ ନିକଟରେ ପ୍ରକଟ ହୋଇଥାନ୍ତି।
ଏଣୁ ପରମାତ୍ମାଙ୍କୁ ପାଇବା ପାଇଁ ତାଙ୍କୁ ଜାଣିବାର ଇଚ୍ଛାକୁ ଆମ ନିଜ ଭିତରେ ବଳବତୀ କରିବାକୁ ହେବ। ତେବେ ଯାଇ ସେ ଅନୁଗ୍ରହ କରି ଆମ ନିକଟରେ ପ୍ରକଟ ହେବେ।

Advertisment